Unknown

 

 

 

 

 

 

 

 

 

 

 

ସୀମାବଦ୍ଧ

ଶୁଭେନ୍ଦୁ ମୁଣ୍ଡ

 

 

 

 

 

 

 

 

 

 

 

ପ୍ରଣତିଙ୍କୁ

 

ଲେଖକ

 

ଏହି ସଂକଳନରେ ପତ୍ରସ୍ଥ ସମଗ୍ର ଗଳ୍ପ ଦିଗନ୍ତ, ଗଳ୍ପ, ଆସନ୍ତା କାଲି, ନବରବି, କଥାକାର, ଚୁମ୍ବକ, ପ୍ରଜାତନ୍ତ୍ର ସାହିତ୍ୟ ବିଭାଗ, ଗଳ୍ପଝର, ତଥାପି ଅରଣ୍ୟ, କଳ୍ପଲୋକ, ଜନ ସାହିତ୍ୟ, ଶାଶ୍ୱତୀ (ବ୍ରହ୍ମପୁର), ସହକାର ଏବଂ ଜିଗୀଷା ପ୍ରଭୃତି ପତ୍ରପତ୍ରିକାରେ ପୂର୍ବରୁ ପ୍ରକାଶିତ । ଏହି ପୁସ୍ତକର ପ୍ରକାଶନ ବେଳେ ସେହି ପତ୍ରିକାର ସଂପାଦକମାନଙ୍କୁ ମୋର ବିନମ୍ର କୃତଜ୍ଞତା ।

 

ଶୁଭେନ୍ଦୁ ମୁଣ୍ଡ

 

ସୂଚୀପତ୍ର

 

କ୍ରମିକ

ବିଷୟ

୧.

ଦୁଃଖ ଇତ୍ୟାଦି ଏବଂ ପରବର୍ତ୍ତୀ କଥା

୨.

ତରଙ୍ଗ

୩.

ତମସାର କାବ୍ୟ

୪.

ଭାଙ୍ଗି ପଡ଼ିଥିବା ଆକାଶ

୫.

ରକ୍ତ ତୃଷା

୬.

ସେ

୭.

ଏକାନ୍ତ ଗୋପନୀୟ

୮.

ବଞ୍ଚିବାର ପାଇଁ

୯.

ବତୀଘର

୧୦.

ବିବର୍ତ୍ତନ

୧୧.

ବସ୍‌ ଆସିବା ପୂର୍ବରୁ

୧୨.

ବିକ୍ଷିପ୍ତ

୧୩.

ଶୀତଳ ହ୍ରଦ

୧୪.

ଯୋଗ ଏବଂ ବିଯୋଗ

୧୫.

ମାଛି ଏବଂ ମଣିଷ

୧୬.

ସହର, ଅସ୍ପଷ୍ଟ ଚେହେରାର ଭିଡ଼ ଏବଂ ସେମାନେ

୧୭.

ଦୋସର ଆବାଜ୍‌

୧୮.

ଛାଇ ଓ ଆଲୁଅ

୧୯.

ପଳାତକ

୨୦.

ବିନୁ ମାଉସୀ

୨୧.

ଏକ ଆତ୍ମହତ୍ୟାର ବିବରଣୀ

୨୨.

ନୀଳକଣ୍ଠ, ନୀଳରାତି ଏବଂ ନୀଳକଇଁ

Image

 

ଦୁଃଖ ଇତ୍ୟାଦି ଏବଂ ପରବର୍ତ୍ତୀ କଥା

 

ଦୁଃଖ ! ଅପର୍ଯ୍ୟାପ୍ତ ଦୁଃଖ ।

 

ଓ ବେଦନା !

 

କି ବେଦନାବୋଧରେ ମୁଁ ଆତୁର ? ନିଦ ନାଇଁ ଭୋକ ନାଇଁ । ଆଗେ ବଗିଚାର ବେଶ୍ ଯତ୍ନ ନେଉଥିଲି । ଏବେ ବଗିଚାକୁ ଦେଖିଲେଇ କି ଏକ କ୍ଳାନ୍ତିବୋଧରେ ମୁଁ ଜଡ଼ସଡ଼ ହୋଇଯାଉଛି-। ଡବଲବେଡ଼୍‍ର ଉଞ୍ଚ ତକିଆ, ନରମ ବିଛଣା, କୁଲର୍‌ ବା ଲଳିତାର ଦେହ–କିଛି ବୋଇଲେ କିଛି ଭଲ ଲାଗୁ ନାହିଁ । ଉତ୍ତେଜନାବିହୀନ ଅସାଡ଼ ଶରୀର । ବହୁ ବ୍ୟବହାର ପରେ ଲଳିତାର ଦେହ ପୁରୁଣା ଲାଗିଥିବ କାଳେ ବୋଲି ବାରମ୍ବାର ବେଶ୍ୟାଗମନ କରିଛି.... କିନ୍ତୁ.....

 

ମଦ....ବଗିଚା... ନାରୀ–କେହି ମଧ୍ୟ ନିଶା/ଉତ୍ତେଜନା ଦେଇପାରୁ ନାହାନ୍ତି । ତେବେ କି ନିଶାରେ ମୁଁ ଭାସୁଛି ? କି ନିଶା ?

 

ଆଃ, ବେଶ୍‌ ! ପାଗଟା ବି ଡଲ୍‌ । ବର୍ଷା ହେବ ନହେବ ଭାବ । ଜୋର ପବନ । ବଗିଚାର ଫୁଲଗଛ ଓ କ୍ରୋଟନ୍‌ ସବୁ କୁର୍ଣ୍ଣିସ୍‌ କଲାପରି ଉଠ୍‌ପଡ୍‌ ହେଉଛନ୍ତି । ଡାହଲିଆର ଫୁଲ ଏବର୍ଷ ନାହିଁ ।

 

ନାଃ ! ଅସାଡ଼ ଦେହଟାକୁ ଏମିତି ପଲଙ୍କରେ କେତେ ସମୟ ଆଉ ପକେଇ ରଖିହେବ-? ମୋର ଦ୍ୱିତୀୟା ପତ୍ନୀ ଲଳିତା ଶୋଇଛି । ସକାଳୁଆ ନିଦ । ଅସ୍ତବ୍ୟସ୍ତ ତା’ ଦେହରେ ମୋର ଆଖି ବୁଲି ଆସିଲା । ତା’ ପରେ ଏକା କୁଦାକେ ବେଡ଼୍‍ରୁ ତଳେ । ଦେହର ନାଇଟ୍‌ ଗାଉନ୍‌ ଫିଙ୍ଗିବା ପାଇଁ ଧୈର୍ଯ୍ୟ ନାହିଁ । ମୁହଁ ଟିକେ ଧୋଇ, ବ୍ରଶ୍‌ କରିଦେବା ପାଇଁ ବିରକ୍ତି । ଓଠକୋଣରେ ଜଳନ୍ତା ସିଗାର୍‌ ରଖିବାକୁ ଇଚ୍ଛା ନାହିଁ ।

 

ମୁଁ ଏମିତି ଚାଲିଲି । ବେଡ଼୍‍ରୁମ୍‌ରୁ ରିଡ଼ିଂ ରୁମ୍‌–ସେପାଖେ ଡାଇନିଂ ସ୍ପେସ୍ । ଏ ପାଖରେ ବଡ଼ ପୁଅ ବିମଳ (ଯେ କଲେଜରେ ପଢ଼େ, ଅଦ୍ଭୁତ ପୋଷାକ ପିନ୍ଧେ ଓ ଅନେକ ରାତିଯାକେ ଚେଇଁ ରୁହେ); ତା’ ପାଖ ରୁମ୍‌ରେ ରେଖା (ଏ ବି କଲେଜରେ ପଢ଼େ, ଗୀତ ଏବଂ ନାଚରେ ନାଁ କରିଚି, ପତ୍ରପତ୍ରିକାରେ ଫଟୋ ବାହାରେ); ଏବଂ ତା’ ପାଖ ରୁମ୍‌ରେ ସିକ୍ତା (ସିନିଅର୍‌ କେମ୍ବ୍ରିକରେ ପଢ଼େ, ଫ୍ରକ୍‌ ପିନ୍ଧେ) ଶୋଇଛି । ଏମାନେ ସମସ୍ତେ ନିଜ ନିଜ ରୁମ୍‌ରେ ଆବଦ୍ଧ । ଜୁଲାଇର ଏମନ୍ତ ଏକ ଶୀତୁଆ, ମେଘୁଆ ସକାଳକୁ ଇଗାନୋର୍‌ କରିବାକୁ ସେମାନେ ନାରାଜ ।

 

କିଚେନ୍‌ରୁ ଶବ୍ଦ ଶୁଭୁଛି ।

 

ଏମିତି ଚାଲିଲି । ସମସ୍ତଙ୍କୁ ଏଡ଼େଇ । ଲଳିତାକୁ, ଏମାନଙ୍କୁ, ସିଗାର୍‍କୁ, ଫୁଲ ବଗିଚାକୁ-। ମୋର ସମସ୍ତ ସତର୍କତା ସତ୍ତ୍ୱେ ଆଶା ଜାଣିସାରିଛି, ମୁଁ ଉଠି ସାରିଲିଣି । ଆଶା, ଆମର ଗୋଟିଏ ଚାକରାଣୀ । ସେ ଟ୍ରେରେ ବେଡ଼୍‍ଟି ରଖି ଆସୁଛି ଏପଟେ । ମୋତେ ତରତର (ଓ ଗମ୍ଭୀର) ଦେଖି ଚା’ ଦେବାକୁ ଭରସୁ ନାଇ । ମୁଁ ଆହୁରି ଗମ୍ଭୀର ହୋଇଗଲି । ଏଇ ଆଶାର ବୀଭତ୍ସ ଚେହେରା ଦେଖିଲେ ହିଁ ତା’ ମୁହଁରେ ଛ’ ରାଉଣ୍ଡ ଗୁଳି ଚଳେଇ ଦେବାକୁ ଇଚ୍ଛା ହୁଏ । ୟାକୁ ଲଳିତା କିମିତ ଟଲରେଟ୍‌ କରନ୍ତି କେଜାଣି !

 

(ଆଃ ! ପିସ୍ତଲ ବି ଛାଡ଼ି ଆସିଛି !)

 

ମୁଁ ଆମ ଘରର ବିରାଟ ଲୌହ ଫାଟକ ପାଖରେ ପହଞ୍ଚିଲି । ଦରଓ୍ୱାନ୍‌ ଅଭ୍ୟସ୍ତଭାବେ ସଲାମ କଲା ସତ, କିନ୍ତୁ ଆଖିକୁ ଏଡ଼େ ଏଡ଼େ କରି ମୋତେ ଦେଖିଲା ।

 

ମୁଁ ଅପ୍ରସ୍ତୁତ ହେଲାଭଳି ମନେକଲି କାହିଁକି ? ନନ୍‌ସେନ୍‌ସ୍‌ ! ତାକୁ ଦରଜା ଖୋଲିବାକୁ ମୁଁ ହୁକୁମ୍‌ ଦେଲି । (ଆଃ ! ଓଠ କୋଣରେ ସିଗାର ନାଇଁ !) ସେ ସନ୍ତ୍ରସ୍ତଭାବେ କବାଟ ଖୋଲୁଚି । ଫାଟକ ଖୋଲିବାର ଅପ୍ରୀତିକର ଶବ୍ଦ ମଧ୍ୟରେ ପଚାରୁଚି ଡାଇଭରକୁ କାର୍‌ ବାହାର କରିବାକୁ କହିବ କି ? ମୁଁ ମୁଣ୍ଡ ହଲାଇ ମନା କରୁଛି । ତାକୁ ଦୟାକଲା ଭଙ୍ଗୀରେ ମୁଁ ଦେଖି, ତା’ପରେ ‘‘କିରେ, କିମିତି ?’’ ପରି ଭଙ୍ଗୀ କରୁଛି । ମୁଁ ତାକୁ ଜଣେଇ ଦେବାକୁ ଚାହୁଁଚି ଯେ, (ଅବଶ୍ୟ ସିଗାର୍‌ବିହୀନ ମୁହଁରେ ଗାମ୍ଭୀର୍ଯ୍ୟ ରଖି) ମୁଁ ଆଜି ସେତେ ଭଲ ମୁଡ୍‌ରେ ନ ଥିଲେ ବି ସକାଳୁ ସକାଳୁ ଉଠି ଏମିତି ବୁଲି ବାହାରିଚି ବିରକ୍ତିର ଚିରନ୍ତନତାକୁ ପରାଜିତ କରିବାକୁ । ଖାଲି ବସିବସି ବୋର୍‌ । ରୁମ୍‌ରେ, କାର୍‌ରେ, ଅଫିସ୍‌ରେ । ଆଜି ଚଲାଯାଉ ।

 

ହଠାତ୍‌ ମୋର ଇଚ୍ଛା ହେଲା, ମୋର ମୁଖାଟାକୁ ଖୋଲି ଫିଙ୍ଗିଦେବି । ମିଛ ଗାମ୍ଭୀର୍ଯ୍ୟକୁ ଛାଡ଼ି ସହଜ ହେବି । ଆଜି ମନୋଟନିର କାଚ ଘରକୁ ଭାଙ୍ଗିବି । ଭାଙ୍ଗିବି । ଭାଙ୍ଗିବି, ଭାଙ୍ଗିବି । ଆଜି ପ୍ରଚୁର ଠିଆ ହେବି । ପ୍ରଚୁର ବୁଲିବି । ପ୍ରଚୁର ହସିବି । ପ୍ରଚୁର ଧାଇଁବି । ପ୍ରଚୁର ଗପିବି । ଅଫିସ ଯିବି ନାହିଁ । ସିଗାର୍‌ ପିଇବି ନାଇଁ । ଏମିତି ।

 

ମୁଁ ତା’ପରେ ମୋର ଦରଓ୍ୱାନ ରତନକୁ ଦୟାକଲି ।

 

ରତନ–

 

କେମିତି ?

 

ରାତିରେ ଶୋଇଲ ?

 

ସେ କିଛି କହୁନି । ମୋ ମୁହଁକୁ ଦେଖୁଚି କାବା ହେଇ ।

 

ପବନ ଜୋର୍‌ ବହୁଚି । ଥଣ୍ଡା ଲାଗୁଚି ଓଭରକୋଟ୍‌ ଆଣିବା ପାଇଁ ରତନକୁ କହିଲେ ହୁଅନ୍ତା । ଆଉ ସିଗାର୍‌.... । ଦରଓ୍ୱାନ ବିଡ଼ି ପିଏ ।

 

କାଚଘର...... ।

 

: ରତନ, ତୁ ବିଡ଼ି ପିଉ ?

 

: ହ୍‌ହ୍‌ହ୍‌ ହୁଜୁର୍‌ !

 

: ମତେ ଖଣ୍ଡେ ଦେ’ । କୁଇକ୍‍ !

 

: ହ୍‍ହ୍‍ହ୍‍ ହୁଜୁର୍‍ !

 

: ଦେ’ବେ ଜଲଦି ! କାଡ୍‍ । ବିଡ଼ି କାଡ୍‍, ଦେ ଜଲ୍‌ଦି !

 

ସେ ନିର୍ବୋଧ ଆଖିରେ ମୋତେ ଦେଖୁଛି । ଭାବୁଛି, ରାତିରେ ମୁଁ ବୋଧହୁଏ ବହୁତ ଡ୍ରିଙ୍କ୍‍ କରିଦେଇଛି, ଆଉ ନିଶା ଏଯାକେ ଛାଡ଼ିନି । ତାକୁ ‘ଶଳା’, ‘ବେଇମାନ୍’ କିମ୍ବା କୌଣସି ଦୋଅକ୍ଷରୀ ଗାଳିଦେବାକୁ ମୋର ହଠାତ୍‌ ଇଚ୍ଛା ହେଲା ।

ମୋ ରାଗ ଚଢ଼ୁଛି । ପୁଣି ପାଟିକଲି, ‘‘ଦେ, ବିଡ଼ି ଦେ ! ଦେଖୁଚୁ କ’ଣ ବେ, ଶଃ !’’

ସେ ବିଡ଼ି କଠା ବାହାର କରୁଛି ପକେଟ୍‌ରୁ । ହାତ ତା’ର ଥରୁଛି । ଆଖିରେ ତାର ଥତମତ ଭାବ । ଦେବ କି ନାଇଁ–ଏପରି । ପବନ ବହୁଚି । ଲାଇଟ୍‌ର ବି ନାଇଁ । (କାରଣ ସିଗାର୍‌ ନାଇଁ ।) ପୁଣି ସେଇ ଅବସ୍ଥା । ଦିଆସିଲି ମାଗିଲେ ବି ଗୁଁ ପୁଁ । ପବନ ବହୁଚି, କାଠି ନିଭି ଯାଉଚି । ତାକୁ କହିଲି, ଦିଆସିଲି ମାର୍‌ ।

ସେ ହାତକୁ ଆଢ଼ୁଆଳ କରି ନିଆଁ ଆଣିଲା ମୋ ମୁହଁ ପାଖକୁ । ପ୍ରବଳ ଟାଣ ଦେବାପରେ ହିଁ ବିଡ଼ିରେ ନିଆଁ ଧରିଲା । ସିଗାର୍‌ ପରି । ପୁଣି ଜୋର୍‌ରେ ଟାଣିଲି । ପୁଣି ସଁ ସଁ ଲାଗିଲା । ଶଳା ବିଡ଼ି ନା.... ? ଥୁବଥୁବ କରି ଫିଙ୍ଗି ଦେବାକୁ ଇଚ୍ଛା ଲାଗିଲା । ସେପରି କଲେ କିନ୍ତୁ ଦରଓ୍ୱାନ୍‌ କ’ଣ ଭାବିବ ? ନାଃ, ଥାଉ ।

ଫାଟକ ପାରିହେଇ ରାସ୍ତାରେ ପହଞ୍ଚିଲି । ବିଡ଼ି ନିଭିଗଲାଣି । ଫିଙ୍ଗିଦେଲି ।

ନିବୁଜ ଘର । ସାରା ରାତି.... ମାଇ ଗଡ଼୍‍ ! ମୁଁ କେମିତି ମରିଯାଇନି, ଆଚମ୍ବିତ କଥା । ବର୍ତ୍ତମାନ ରାସ୍ତା । ଆଃ, ଖୋଲା ରାସ୍ତା । ଏବେ ଗୀତ ଗାଇଲେ କେମିତି ହୁଅନ୍ତା ? କ’ଣ ମନେଅଛି ? ଧୁତ୍‌, କିଛି ମନେ ନାଇଁ ଆଉ । ଏ ଭିତରେ କେତେ କଥା ଭୁଲିଗଲିଣି ମୁଁ ! ରେଖା ଗୋଟେ କି ଗୀତ ଗାଏ.... ଏଁ ଏଁ ହୋଇ... ତନ୍ଦ୍ରାତୁର ଏଇ ଆକାଶ ଘୁମେଇ ପଡ଼ିଚି.... । ଆଃ, ଶଳା ଗୀତର ସୁର୍‌ଟା ମନେପଡ଼ୁନି । ତା’ଛଡ଼ା ଗଳା ? ନାଃ, ମନଖୁସିରେ ଗୀତ ଗାଇବା ବେଳକୁ ଗଳା ବଡ଼ ଇମ୍ପୋଟେଣ୍ଟ୍‌ କଥା ନୁହେଁ । ଏପରିକି ସ୍କୁଲରେ ପଢ଼ିଲାବେଳେ ଦୁଷ୍ଟଦଳନ ସାର୍‌ଙ୍କର ନିର୍ଦ୍ଦୟ ବେତମାଡ଼ରେ ଘୋଷିଥିବା ‘କଳା କଳେବର କହ୍ନାଇଁ....’’ ବି ପାସୋର ହୋଇଗଲାଣି । ପ୍ରାର୍ଥନା ବୋଲା ହେଉଥିଲା ‘‘ହେ ଆନନ୍ଦମୟ’’ କଣ ଗୋଟେ । ବାଃ, ସେଇଟା ମନେଥିଲେ ଏ ସିଚୁଏସନ୍‌କୁ ନ ଜମିଲେ ବି, ସ୍ୱର ଠିକ୍‍ ହୋଇଥା’ନ୍ତା ।

ତା’ପରେ ମୁଁ ତୁଚ୍ଛାଟାରେ, ଉଚ୍ଚ ପାଟିରେ, ଡାରେ ଡାରେ ଡାଡ଼ା, ତାରେ ନାନାନାନା, ତାକ ଧିନ୍‌ଧିନ୍‌ ତା କରୁକରୁ ଆମଘରେ ଥିବା ଏକ ପପ୍‌ଗୀତ (ଯେଉଁ ଗୀତ ଏକାଧାରରେ ଲଳିତା, ବିମଳ, ରେଖା ଏବଂ ସିକ୍ତାକୁ ଭଲ ଲାଗେ ଓ ସେମାନେ ନାଚନ୍ତି ର ପ୍ରଥମ ଧାଡ଼ିଟି ହଠାତ୍‌ ମନେପଡ଼ିଗଲା । ‘‘ଏବର ବଡ଼ି ନୀଡ଼ସ୍‍ ଏ ଲିଟଲ ସନ ସାଇନ....’’

ମୁଁ ଗୁଣୁଗୁଣୁ କରି, ଇଚ୍ଛାନୁସାରେ ମନଖୁସି କରି, ପାଟିକରି ଗୀତ ବୋଲୁଛି । ପୁଣି ନିଜେନିଜେ ହସି ଦେଉଛି ମନକୁମନ ।

ଏବେ ଝୁପୁରୁଝାପୁରୁ ବରଷିଲାଣି ।

ଏଇ ପାଖରେ ସେଇ ଅନ୍ଧଟି ରୁହେ । ତା’ର ବୟସ କେତେ ହେବ ? କେଜାଣି ! ସବୁଦିନ ଏଇ ରାସ୍ତାରେ ଅଫିସ ଯିବାବେଳେ କାର୍‌ର ପଛ ସିଟ୍‌ରେ ଆଉଜି ହୋଇ ବସି ଓପେକ୍‌ ଗ୍ଲାସଦେଇ ଅନ୍ଧଟାକୁ ଦେଖିଲେ କରୁଣାଜାତ ହୋଇଥାଏ । ଏ ସବୁଦିନିଆ କଥା । ତା ମୁହଁରେ ସବୁବେଳେ ଥାଏ, ‘‘କେତେ ଦିନକୁ ମନ ବାନ୍ଧିଚୁ ଆଣ୍ଟ !’’ ତା’ର ନିଷ୍କରୁଣ ମୁହଁରୁ ଏଇ ଗୀତଟା ଖାସ୍‍ ଭଗବାନ, ଯମ ବା କାଳ (ବା ସେମିତି କିଛି ଡେମିଗଡ଼୍‍) ଗୋଟେ ଉଞ୍ଚା ଜାଗାରେ ବସି (ଆମ୍ଭେମାନେ ତଳେ ନତଜାନୁ ହୋଇ ବସିଥିବାବେଳେ) ଗାଇଲା ଭଳି ଲାଗେ । ଏଇ ଅନ୍ଧକୁ ଦେଖିଲେଇ ମନେପଡ଼େ, ‘‘କେତେ ଦିନକୁ ମନ....’’ । ଏ ଲୋକ ପାଖରୁ ଦିନକୁ ଅନ୍ତତଃ ଦୁଇଥର ଏ ଗୀତର ବିଭିନ୍ନ ପଦ ଶୁଣି ଗୀତଟି ପ୍ରାୟ ମୋର ମୁଖସ୍ଥ । ଅଥଚ ଦେଖ, ଏ ପର୍ଯ୍ୟନ୍ତ ଏ ଗୀତଟା ଜିଭକୁ ଆସୁ ନଥିଲା । ବର୍ତ୍ତମାନ ଏ ଗୀତ ମନେପଡ଼ିବାରୁ, ଅତ୍ୟନ୍ତ ପୁଲକିତ ହୋଇ, ଏ ଗୀତ ମୌରସୀ ସମ୍ପତ୍ତି ଜ୍ଞାନକରି, ଜୋର୍‌ ଗଳାରେ ଗାଇବାକୁ ଆରମ୍ଭ କଲି-

‘‘......କିନେଇ ଯିବୁ ତୁହି ଛୁଟିଲେ ଘଟରେ.....’’

ଆଃ, ଝିପିରିଝୁପା ବରଷା । ଏ ବର୍ଷା... ଏ ବର୍ଷା... ଏ ବର୍ଷା ତ ମୋତେ କେବେ ଏତେ ଭଲ ଲାଗି ନ ଥିଲା... ଏ ଗୀତ ତ ମୋ ପାଟିରୁ କେବେ ବାହାରି ନ ଥିଲା... ଏଇ ଯେ କିଶୋର ବର୍ଷାରେ ଭିଜିଭିଜି ରିକ୍‌ସା ଟାଣୁଛି, ସେତ ମୋତେ ଏତେ ଭଲ କେବେ ଲାଗି ନଥିଲା–ଏ ଅନ୍ଧଲୋକ, ଡଷ୍ଟବିନ୍‌କୁ ଆଉଜି ବସି ମନବୋଧ ଚଉତିଶା ଗାଉଥିବା ଅନ୍ଧଲୋକ ତ ଏତେ ଆପଣାର ଲାଗି ନ ଥିଲା ! ଆହାରେ ଅନ୍ଧ ! ଆହାରେ ରୁଗ୍‌ଣ ରିକ୍‌ସାଚାଳକ କିଶୋର ! ଆଃ, କି ଲଭିଂ ଏ ବର୍ଷା ! ଆଃ କି ମଧୁର ଏ ଗୀତ !

‘‘ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର,

ଚିରି ଭିତର ଦେଖ କି ନାରଖାର ରେ ।’’

 

ମୁଁ ବର୍ତ୍ତମାନ ଅତି କର୍କଶ ସ୍ୱରରେ ଅନ୍ଧ ଲୋକଟିକୁ ଚିଡ଼େଇବା ଭଙ୍ଗୀରେ ଗାଉଚି । ମଜା କରୁଚି । ‘‘ଛୁଇଁବେ ନାଇଁ ତୋତେ ବୋଲିବେ ମଡ଼ା ।’’ ‘ଛ’ ଖଣ୍ଡ କାଠ’ କେବଳ ଦରକାର ବୋଲି ଗାଉଛି । ଯାଚ୍ଛାତା କରି ଗାଉଛି ।

 

ଥଣ୍ଡାରେ ଥରୁଥିବା ଅନ୍ଧଲୋକ ଜଣକ ତାର ନିର୍ଲିପ୍ତ ମୁହଁଟାକୁ ମୋ’ଆଡ଼କୁ ବୁଲେଇଚି । ସେ ଆଉ ଗାଉ ନାଇଁ–ତାର ଗୀତ ହଠାତ୍‌ ବନ୍ଦ ହେଇଯାଇଛି । ଅଥଚ ମୁଁ ଗାଉଚି ସପ୍ତମ ସୁରେ, ‘‘ଛୁଇଁବେ ନାଇଁ ତୋତେ....’’ । ତା’ର ଅନ୍ଧ ଆଖିରେ ସେ ଦେଖୁଚି ମୋତେ, ଡବଡବ କରି, ଆଉ ଅଭ୍ୟସ୍ତ ସ୍ୱରରେ କହୁଚି, ‘‘ବାବୁ, ପଇସାଟିଏ !’’

 

(ଆଚ୍ଛା, ଏ ଅନ୍ଧ ସାଙ୍ଗରେ ବସି ଦି’ପଦ କଥାହେଲେ.. କିନ୍ତୁ ସିଗାର୍‌, ଲାଇଟର୍‌ ପିସ୍ତଲ)

 

ମୁଁ ଯାଇ ଅନ୍ଧ ପାଖରେ ବସୁଛି । ଝିପିଝିପି ବର୍ଷା ସତ୍ତ୍ୱେ ମୋ’ ପାଦ ଶବ୍ଦକୁ ସେ କାନରେ ଦେଖୁଛି । ମୁଁ ସନ୍ତର୍ପଣତାର ସହ ତା’ ପାଖରେ ବସୁଛି ଏବଂ ସେ ତରକି କହୁଛି, ବାବୁ, ପଇସାଟିଏ ! ଧର୍ମ ହେବ !

 

ବର୍ଷା, ଅନ୍ଧାର, ଶୀତ । ଅନ୍ଧ ବାପୁଡ଼ା । ବୁଢ଼ା ନା କଣ ! ଆହା ହା, ଚ୍‌ଚ୍‌ଚ୍‌ଚ୍‌ !! (ଏଇ ଅଯାଚିତ ସମବେଦନାର ଅର୍ଥ କଣ ? ଏଇଭଳି ଜୁଲାଇ ପ୍ରାତଃରେ ! ଅନ୍ଧଲୋକ ସାଙ୍ଗରେ ! ପ୍ରୀତିପ୍ରଦ କିନ୍ତୁ ମନୋରମ ବର୍ଷା ହେବାବେଳେ । ପୁଣି ଓଠରେ ସିଗାର୍‌, ହାତରେ ଲାଇଟର୍ ଏବଂ ପକେଟରେ ପିସ୍ତଲ ନ ଥିବା ବେଳେ । କ’ଣ କାରଣ ?)

 

ଏକ ଆଜ୍ଞାବହ ଛାତ୍ର ପଣକିଆ ଘୋଷିଲାଭଳି ସେ ଦୋହରଉଛି : ବାବୁ–ପଇସାଟିଏ ! ଇତ୍ୟାଦି । ମୁଁ ଉଚ୍ଚ ସ୍ୱରରେ ଗାଉଚି ତାର ଗୀତଟି । ସେ ବୋଧହୁଏ ଏଥର ଆଶ୍ଚର୍ଯ୍ୟ ହେବାକୁ ଆରମ୍ଭ କରିଛି ନୁହେଁ ତ କଣ ? ଏଥର ମୁଚୁମୁଚୁ ହସୁଚି । ବାଃ, ଆଶ୍ଚର୍ଯ୍ୟ ହେଉଚି । ବାଃ, ମୁଚୁମୁଚୁ ହସୁଚି । ଧୀରେ ଧୀରେ... ସାଉଁଳେଇଲା ପରି । ଏ ହସର ଅର୍ଥ କଣ ? ପ୍ରଥମେ ଆଶ୍ଚର୍ଯ୍ୟ ହେଇ, ପୁଣି, ‘‘ଯାଃ ହଉ, ତୁ ଏ ଗୀତ ଜାଣିଚୁ’ ଭଙ୍ଗୀରେ ହସିବାର ଅର୍ଥ କଣ ? ନା ସେ କହିବାକୁ ଚାହୁଁଚି, ‘ତୁ ବି ଗାଇଛୁ ? ଗା, ଗା ।’’

 

ଏତେବେଳକୁ, ଆଃ, ପିସ୍ତଲ ନାଇଁ ।

 

ସକାଳ ଫୁଟ୍‍ବଲ ପରି ଗଡ଼ୁଚି ରାସ୍ତାରେ, କାନ୍ଥମାନଙ୍କରେ । ମୁଁ ତାକୁ ଧମକେଇଲା ପରି ସ୍ୱରରେ ପଚାରିଲି;

 

: କିବେ, ହସୁଚୁ କିଆଁ ?

 

: ୟେଁ ?

 

: ତୁ ହସୁଚୁ କ୍ୟାଁ ? ବିନା କାରଣରେ ? (ଶଳା, ଅନ୍ଧ ବୁଢ଼ା !)

 

: ହସିବା କଣ ମନା ?

 

: ନା ! ତୁ ବିନା କାରଣରେ ଦୟାକଲା ରକମ ହସିପାରିବୁନି ।

 

: ହସିବା ପାଇଁ କାରଣ ଲୋଡ଼ା ?

 

: ମାନେ ? ହାଟ୍‌ ଡୁ ୟୁ ମିନ୍‌ ? (ଶଳା, ଜବାବ ଦଉଚି । ଖପୁରୀ ଉଡ଼େଇ ଦେବି ।)

 

: କିଛି ନାଇଁ, ସେମିତି କହିଦେଲି ନା । ବସ । ରାଗୁଛ କିଆଁ ?

 

: ତୋ ନା’ ?

 

: ତୁମ ନାଁ ?

 

: ଚୁପ୍‌ । ମୁଁ ଯାହା ପଚାରୁଚି, ଉତ୍ତର ଦେ’ ।

 

: କ’ଣ ତୁମେ ପୁଲିସି କି ?

 

: କାହିଁକି ? ହ୍ୱାୟ ?

 

: ଥରେ କଉଁ ବାବୁଙ୍କ ପକେଟମାର୍‌ ହେଲା ଯେ, ଏଠି ଆସି ପଚରାଉଚରା କରୁଥିଲେ । ଠିକ୍‍ ତୁମ ପରି ଦୀନା କହୁଥିଲା ସେମାନେ ପୁଲିସ ।

 

ଲକ୍ଷ୍ୟ କରିବାର କଥା, ଲୋକଟାର ତୁମେତାମେରେ ମୁଁ ରାଗୁନାଇ । ମୁଁ କାଚଘର ଭାଙ୍ଗୁଚି ।

 

: ତୋ ନାଁ ? ମୁଁ ପୁଣି ପଚାରିଲି ।

 

: ଏଇ ମନେକର କୃଷ୍ଣ ।

 

: ‘ଏଇ ମନେକର’ ଅର୍ଥ ?

 

: ମୋ ନାଁ ମୁଁ ଭୁଲିଯାଇଚି । ସମସ୍ତେ ଡାକନ୍ତି ‘ଏୟ ଅନ୍ଧ ।’ ତା’ଛଡ଼ା, ଅନ୍ଧର ପୁଣି କି କାମ ?

 

: କେବେଠୁ.....

 

: ବଇଲେ ?

 

: ଛାଡ଼ । ତୋ ଘର...

 

: ଘର ? ଓଃ ଘର ? ଏଇଟା ।

 

: ତତେ ... ତୁ ଖାଇଲୁଣି ?

 

: କ’ଣ ?

 

: ବ୍ରେକଫାଷ୍ଟ ! ମାନେ ସକାଳ ଜଳଖିଆ ।

 

: ‘ଜଳଖିଆ’ ବୋଇଲେ ?

 

: ବର୍ଷାରେ ଶୀତ ହଉଥିବ ତ ? ଥରୁଚୁ ଯେ !

 

: ଶୀତ ବଇଲେ.... ଓଃ, ଶୀତ ? ନା ଲାଗୁନି ।

 

ଆରେ ବାପରେ ଶୀତ, ଅନ୍ଧାର ଘୋଟିଗଲାଣି । ଭୀଷଣ ଅନ୍ଧାର ।)

 

: କ’ଣ କଇଲ–

 

: ଅନ୍ଧାର ।

 

: ଅନ୍ଧାର ବଇଲେ ?

 

: ଅନ୍ଧାର ବଇଲେ ଅନ୍ଧାର । ବଇଲେ... ଅନ୍ଧାର... ଆଉ କଣ ?

 

: ମୁଁ କିଛି ବୁଝିପାରୁ ନାଇଁ ।

 

: ତୋତେ କିମିତି ଲାଗେ ? ଆଖି ନାଇଁ ଯେ ? (ସହାନୁଭୂତି !)

 

: କେମିତି ଆଉ ? ସେମିତି ସେମତି ।

 

: ଖାଲି ଅନ୍ଧାର ତ ଲାଗୁଥିବ !

 

: ଏଇ ଅନ୍ଧାର କ’ଣ ?

 

: ରାତିହେଲେ ଯାହା ଆସେ....

 

: ଓ, ରାତିହେଲେ ତ ଦୀନା, କୁମାରୁ...

 

: ସେମାନେ କିଏ ?

 

: ଏଇଠି ମୋ ସାଙ୍ଗରେ ରୁହନ୍ତି ।

 

: ଓଃ, ବାର୍ଡସ ଅପ୍‌ ସେମ୍‌ ଫେଦରସ୍ !

 

: କଣ କଇଲ ?

 

: କିଛି ନାଇଁ ! ଅନ୍ଧାର କେମିତି ବୁଝୁନୁରେ ? ତୋ ଆଖି ଆଗରେ, କେମିତି.....

 

: କଣ ସବୁ କହୁଚ ମୁଁ ବୁଝିପାରୁନି ।

 

: ଆଲୁଅ ଚାଲିଗଲେ ଅନ୍ଧାର !

 

: ଆଲୁଅ କ’ଣ ?

 

: ଧୁତେରୀ ! ଆଲୁଅ କଣ ? ଅନ୍ଧାର କଣ ? ସତେ ଯେମିତି କିଛି ବୁଝେ ନାଇଁ ।

 

: ନାଇଁ, ବୁଝୁ ନାଇଁ । ମା’ରାଣ କିଛି ବୁଝୁନି ।

 

: ଆଲୁଅ..... ଅନ୍ଧାର.... କେମିତି ବୁଝେଇବି ? (ଆଲୁଅ ଓ ଅନ୍ଧାର.... ଅନୁଭବର ବସ୍ତୁ-। ବୁଝିବାର ନୁହେଁରେ, ପାଷାଣ୍ଡ ! ମୁଁ ନିଜେ ବି ତ ବୁଝି ନାଇଁ ।)

 

ବର୍ଷା ଉତ୍ତାଳ ହୋଇ ନାଚୁଛି । ମାହାରୀ ନାଚ ପରିକା ରାସ୍ତା ଏବେ ବି ଶୂନ୍‌ଶାନ୍ । ଆମେ ଗୋଟାପଣେ ଓଦା ମୋ ଦିହ ଥରୁଛି ।

 

: ଆଚ୍ଛା କିଏ କହୁଥିଲୁ ତ ରାତି ହେଲେ ଆସେ....

 

: କୁମାରୁ, ଦୀ....

 

: କୁମାରୁ କିଏ ?

 

: ଏଠି ସେ ରୁହେ । ଭିଖ ମାଗେ ବିଚାରୀ !

 

: କଣ ତୋ ପ୍ରେମିକା ?

 

: ପ୍ରେମିକା ପୁଣି କ’ଣ ? ସେ ପରା ଭିକାରୁଣୀ । ବାହାସାହା ହେଇ ସଂସାର କରିଥିଲା-। ବଡ଼ରୋଗ ହେବାରୁ ଗାଁରୁ ତଡ଼ିଦେଲେ, ଘରୁ ବି । ଏଇଠି ଆଶ୍ରା ନେଇଚି । ଏଇଠି ରୁହେ, ଶୁଏ ।

 

: ଏଇଠି ରୁହେ ! କୁଆଡ଼େ ଯାଇଚି ଏବେ ?

 

: ଚାଉଳ ବିକି ।

 

: ଚାଉଳ ବିକି ?

 

: ହଁ । ଚାଉଳ ବିକିବ । କଣ ସବୁ କିଣିବ । ମୋ ଲାଗି ପାଏ ଠର୍‍ରା ଆଣିବ । ବିଡ଼ି ଆଣିଥିବ । ତା’ ପରେ ଏଠି ବସି ଭିକ ମାଗିବ; ନହେଲେ ଷ୍ଟେସନ ପଟେ ଯିବ ।

 

: ତୁ ବିଡ଼ି ପିଉ ? ଠର୍‌ରା ପିଉ ?

 

: ହଁ ଭାରି ମଜା ଲାଗେ ।

 

: ତୁମେମାନେ ଏଇଠି ଖାଅ, ପିଅ, ଶୁଅ..... ?

 

: ହଁ, ଏଇଠି । ମୁଁ ଇ ପାଖରେ, ସେ ସେଇଠି–ମୋ ପାଖକୁ ଲାଗି ।

 

: ଲଗାଲଗି ହୋଇ ?

 

: ହଁ । ଏବେ ଇସ୍କୁଲ ପିଣ୍ଡାକୁ ଉଠିଯିବୁ । ବର୍ଷା ଆଇଲାଣି ନା ! କୁମାରୁ କହେ, ଥଣ୍ଡା ଧରିବ । ଲୁଗା ଖୋଲି ଶୁଖେଇ ଦଉ । ତା’ପରେ ଶୋଉ ।

 

(ମାନେ ଏଇଠି ଜଣେ କୁଷ୍ଠୀ ରୁହେ ! ଇସ୍‌ ! ହରିବଲ୍ । ଛିଣ୍ଡା ହାତଗୋଡ଼, ଆଙ୍ଗୁଠି, ପୂଯ, ମାଛି, ପୋକ... ଓଃ ମାଇଁ ଗଡ଼୍‍, ହରିବଲ୍‌ ।)

 

: କଣ ବାବୁ ଚାଲିଗଲ କିଓ ? ବିଡ଼ି ପିଇବ ?

 

ମୁଁ ଟିକେ ଘୁଞ୍ଚି ବସିଲି । କାଳେ... । ଶଳା ବିଡ଼ି ଯାଚୁଛି । ଟାଣିବି କି ଖଣ୍ଡେ ! କିନ୍ତୁ ଏଇଠି ଜଣେ କୁଷ୍ଠୀ ରୁହେ । କୁଷ୍ଠ ଏକ ସଂକ୍ରାମକ ବ୍ୟାଧି । ହଠାତ୍‌ ଯଦି ସେ ପହଞ୍ଚିଯାଏ । ବିଡ଼ି ଖଣ୍ଡେ ଟାଣିବାକୁ କିନ୍ତୁ ଭାରି ଇଚ୍ଛା ଲାଗୁଚି । କିନ୍ତୁ ଏ ବର୍ଷା, ଏ ପବନ ଏଥିରେ କଣ ବିଡ଼ି ଟାଣି ହେବ ?

 

: ଚାଲିଗଲଣି କିଓ ବାବୁ ?

 

: ଏଁ... ହଁ... ଏଇଠି ଅଛି, ଯାଇନି ।

 

: ତମେ କିଆଁ ଏ ସବୁ ପଚାରୁଚ ?

 

: ହଁ ତମେମାନେ ତା’ ହେଲେ ଏଇଠି ଶୁଅ ?

 

: ହଁ, ଏଇଠି ।

 

ମୁଁ ସେ ଦେଖେଇଥିବା ଜାଗାକୁ ସନ୍ତର୍ପଣତାର ସହ ଅନେଇଲି । କାଳେ କୁଷ୍ଠ ଜୀବାଣୁମାନେ ଆଖି ଦେଇ ପ୍ରବେଶ କରିପାରନ୍ତି, ଏଇ ଭୟରେ । କି ବିଶ୍ୱାସ ? ଶଃ, ଦେହର ରୁମମାନେ ଖାଡ଼ା ହେଇଯାଉଛନ୍ତି, ଭୟ ପ୍ରତି ସମ୍ମାନ ଦେଖାଉଛନ୍ତି । ଆହା, ଏମିତି ବିପଦଜ୍ଜନକ ସମୟରେ ସିଗାର୍‌, ନାଇଁ, ପିସ୍ତଲ ନାଇଁ, ଲାଇଟର୍‌ ବି ନାଇଁ ! ଛାଡ଼୍‌ଡ଼ !

 

: ଘୃଣା ଲାଗେନି ?

 

: ଘୃଣା ? କଣ ପୁଣି ଏ ଘୃଣା ? ତମେ କି କି ଭାଷା କହୁଁଚ ହୋ ? ଆଚ୍ଛା ଲୋକ ଇଏ-। ଆଲୁଅ କଣ, ଅନ୍ଧାର କଣ, ପ୍ରେମ କଣ, ଘୃଣା କଣ.... କିଛି ବୁଝେନା ।

 

ପ୍ରେମର ସ୍ୱପ୍ନ ନାଇଁ ।

 

ଘୃଣାର ଆବଶ୍ୟକତା ନାଇଁ ।

 

ଆଲୁଅର ଦରକାର ନାଇଁ ।

 

ଅନ୍ଧାର କଣ ବୁଝେ ନାଇଁ ।

 

ଏଥର ମୁଁ ନିଜେ ଏକ ଅନ୍ଧାରୀ ଗୁମ୍ଫା ଭିତରକୁ ପଶିଥିବା ପରି ମନେ କରୁଛି । ଅନ୍ଧାର ଘୋଟିଛି । ଅତ୍ର ତତ୍ର ସର୍ବତ୍ର । ଦିଗ୍‌ବିଦିଗ ଖାଲି ବର୍ଷା, ଅନ୍ଧାର, ଝଡ଼, ତୋଫାନ, ଅନ୍ଧଲୋକର ଆଖି, କୁଷ୍ଠୀ ମାଇକିନାର ଛିଣ୍ଡା ଆଙ୍ଗୁଠି, ପୂଯର ନଦୀ, ଜୀବାଣୁର ଶୋଭାଯାତ୍ରା.... ଏବଂ ଏ ସବୁର ପ୍ରାବଲ୍ୟ ଭିତରେ ନୀରବତା.... ନୀରବତା... ଅଖଣ୍ଡ ନୀରବତା.... ନୀରବତାର ପ୍ରଚଣ୍ଡ ଶବ୍ଦରେ ମୁଣ୍ଡ ମୋର ରିମ୍‌ଝିମ୍‌ କରୁଛି । ମୁଁ ଅତର୍ଚ୍ଛରେ ସେ ଗୁମ୍ଫାରୁ ଦଉଡ଼ି ଏକ ଭଙ୍ଗା ଦେଉଳରେ ପହଞ୍ଚିଲି-। ନିବିଡ଼ ଅନ୍ଧାରର କ୍ଳାନ୍ତିକର ଜଗତରୁ ଏଇ ସ୍ୱଳ୍ପାଲୋକିତ ଦେଉଳ..... । ଏଠି ବି ନିଶା-। ଏକ ନୂତନ ନିଶା । ପ୍ରଚଣ୍ଡ । ଜନ୍ମ ନେବାର ନିଶା । ଆକୁଳତା ଛଟ୍‌ପଟ୍‌ ଇଚ୍ଛା । ମୁଁ ଜନ୍ମ ଲଭୁନି ପ୍ୟୁପାର ଖୋଳରୁ ରଙ୍ଗୀନ୍‌ ପ୍ରଜାପତି ହୁଏତ ହୋଇ..... । ଏଇ ସ୍ୱଳ୍ପ ଆଲୋକ ବୋଧହୁଏ ମୋ ପାଇଁ ଯଥେଷ୍ଟ । ନା ଏଠି ବୋଧହୁଏ ଆଲୋକ ନାହିଁ । କେବଳ ଅନ୍ଧାରରେ ଅଭ୍ୟସ୍ତ ସ୍ଥୂଳ ଆଖି ଏହାକୁ ଭାବୁଛି ଆଲୋକ, କିନ୍ତୁ ଆଗରେ ବୋଧହୁଏ ଗୋଟାଏ ନୀରବ ଶିଖା... ମଳିନ ଆଲୋକ... ଟିକିଏ ଆଲୋକ ଅର୍ଥ ଆଗକୁ ଆହୁରି ଆଲୋକ । ବହ୍ନି ପତଙ୍ଗ ପରି ଦୌଡ଼ିଲି । ମୁକ୍ତିର, ଆଲୋକର, ଜନ୍ମ ନିଶାରେ ଆତୁର ହୋଇ । ଆଗରେ ବୋଧହୁଏ ଆହୁରି ଆଲୋକ ଅଛି.... ଆହୁରି.... ଆହୁରି....

 

କେତେ ଦୂର.... ପୁଣି କେତେ ଦୂର ? ସ୍ଥାଣୁ ଅନ୍ଧ / ଅନ୍ଧାର / ଜୀବାଣୁ / କୁଷ୍ଠୀ / ବର୍ଷା ଇତ୍ୟାଦି । ପିସ୍ତଲ, ସିଗାର୍‌, ଲାଇଟର୍‌, ଲଳିତା, ବଗିଚା / ଅନ୍ୟସବୁ କେଉଁଠି ? କେଉଁଠି ? କେଉଁଠି ? ଅନ୍ଧାର କ୍ରମଶଃ ପଛାଉଛି । ଆଲୋକ ଟାଣୁଛି ମୋତେ । ମୁଁ ପଛକୁ ଦେଖୁ ନାଇଁ.... ଆଗକୁ ଦେଖୁଚି । ଏକ ଲୟ....... ଏକ ଧ୍ୟାନ... ଏକ ଦୃଷ୍ଟି....

 

ହଠାତ୍‌ ମୁଁ ଅନୁଭବ କରୁଛି, ସେଇ ଅନନୁଭୂତ ଅନ୍ଧାର ମଧ୍ୟରେ ହିଁ, ମୋ ଦେହର ଲୋମସବୁ ଟାଆଁସେଇ ଉଠିଛନ୍ତି.... ସମ୍ପୂର୍ଣ୍ଣ ଲୋମଶ ଘନକୃଷ୍ଣ ଶରୀର... ଦାନ୍ତମାନ ବିରାଟ ବିରାଟ ହୋଇ ଉଠିଛନ୍ତି....ମୁଣ୍ଡବାଳ ଲମ୍ବି ଯାଇଛି ଯୋଜନ ଯୋଜନ.... ନଖମାନ ସୂର୍ପାକାର ହୋଇ ଉଠିଛନ୍ତି ଅଜସ୍ର ଜାଙ୍ଗଲିକ ତୀକ୍ଷ୍‌ଣତା ସହ । ପିଲାବେଳେ ଭୂଗୋଳ ବହିରେ ଦେଖିଥିବା ନିଏଣ୍ଡରଥାଲ୍‌ ବା କବନ୍ଧାସୁରର କପୋଳକଳ୍ପିତ ଭୟାବହ, ଅତି ମାନବୀୟ ପୁରୁଷରେ ଯେପରିକି ମୁଁ ପରିବର୍ତ୍ତିତ ହୋଇଯାଇଛି । ଅନୁଭବର ଆଲୋକର ମୁଁ ସ୍ୱପ୍ନ ଦେଖିପାରୁଛି ଏବେ... ସବୁ ସ୍ୱପ୍ନ । ଆଖି କିନ୍ତୁ କେଉଁ ଏକ ଦୂର–ଦୂର–ସୁ ଦୂରର ବିନ୍ଦୁମାତ୍ର ଆଲୋକସତ୍ତାରେ ନିବିଦ୍ଧ । ମୋର ସମଗ୍ର ଶରୀର ଯୁଗପତ୍‌ ଉତ୍କଣ୍ଠା ଓ ସ୍ଥିରତା ସହ, ଅଥଚ ପ୍ରଚଣ୍ଡ ବେଗରେ ସେଇ ବିନ୍ଦୁକୁ ଲକ୍ଷ୍ୟକରି ପ୍ରଧାବିତ । ମୋର ସମଗ୍ର ସତ୍ତା ଏକାତ୍ମ–ସମସ୍ତ ଇଚ୍ଛାଶକ୍ତିର ପ୍ରଭାବରେ ମୁଁ ଯେପରି ଛୁଟିଛି କସ୍ତୁରୀ ମୃଗ ହୋଇ... ସବୁ କିଛି ଅକଳ୍ପନୀୟ, ଅଚିନ୍ତ୍ୟ... । କେବଳ ଏକ ଅପ୍ରତିହତ ଗତି । କ୍ରମେ କ୍ରମେ ମୁଁ ସେ ଆଲୋକ ପାଖକୁ ପହଞ୍ଚୁଛି । ଆଲୋକ.....ଆଲୋକ... କେବଳ ଆଲୋକ.... ପ୍ରବଳ ଜ୍ୟୋତିଷ୍କ ପୁଞ୍ଜର ସମ୍ମୁଖରେ ମୁଁ ଦଣ୍ଡାୟମାନ । ଆଃ, ଅସହ୍ୟ... ଏ ଉତ୍ତାପ.... .. ଏ ଆଲୋକ... ଏ ଶାନ୍ତି ଅସହ୍ୟ ଅନ୍ଧକାରର ପତଙ୍ଗ ପାଖରେ କୋଟି ସୂର୍ଯ୍ୟ-ଦୀପ୍ତିର ବୈଚିତ୍ର୍ୟ.... ଆଖି ମୋର ଯେମିତି ଫାଟିଯାଉଛି ଆଲୋକରେ ସର୍ବାଙ୍ଗ ଏକ ଶୀତଳ ମଧୁର ଅଗ୍ନିର ନିରୁତ୍ତାପ ଦହନରେ ଜଳୁଛି । ଆଖିମାନେ ଅସହ୍ୟ ବେଦନାରେ ଆତୁର । ସହ୍ୟ ନ କରିପାରିବାର ଯନ୍ତ୍ରଣା... ସୁଖନ୍ଦ ଯନ୍ତ୍ରଣା । ସେଇ ମହା ଜ୍ୟୋତିପୁଞ୍ଜର ଆଲୋକ ଯେପରିକି ସିଧା ବଦ୍ଧ ହେଉଛି ଆଖିର ଉପକୂଳରେ.... ଅସହ୍ୟ... ହାତ ଦେଇ ମୁଁ ଆଖିକୁ ଢାଙ୍କିଲି କି ଆଶ୍ଚର୍ଯ୍ୟ... ହାତର ପରଦା ଭେଦି ପଶି ଆସୁଛି ଆଲୋକ.... ଧକ୍‌କା ଦେଉଛି.... ବିଦ୍ଧ କରୁଛି.... କିଂକର୍ତ୍ତବ୍ୟବିମୂଢ଼ ମୁଁ.... ଅତର୍ଚ୍ଛରେ ଏ ଯନ୍ତ୍ରଣାରୁ ମୁକ୍ତି ପାଇଁ ଦୁଇ ହାତର ବର୍ଦ୍ଧିତ ନଖ ଆଖି ଦୁଇଟିରେ ବିଦ୍ଧ କଲି... ଜୋର କରି... ଆହୁରି ଜୋର ଆଃ.... ଆଃ....

 

ତା’ପରେ ମୋର ଆଉ କିଛି ମନେ ନାଇଁ ।

Image

 

ତରଙ୍ଗ

 

ବାହାରେ ବୋଧେ ବର୍ଷା ।

 

ଅନୁରାଧାର ଜୁଡ଼ାରେ ମଲ୍ଲୀର ଗଜରା । ଭିନି ଭିନି ବାସ୍ନା । ଏଇନେ ଫେରିଚି ବୋଧେ ଗାଧୁଆଘରୁ । ଗୁଣୁଗୁଣୁ କରି ଗାଉଚି । ଡ୍ରେସିଂ ଟେବୁଲରେ ବସିଛି ଆଉ ବାଳରେ ବ୍ରଶ୍‌କୁ ଚଳାଉଛି । କପାଳ ଉପରକୁ ବାଳରେ ପାଣି ରହିଚି କେଇବୁନ୍ଦା ଏବଂ ଥପ୍‌ଥପ୍‌ ଥିପୁଚି ଅନୁର ଗାଲରେ, ଓଠରେ, ଛାତିରେ, କୋଳରେ । ଓଦା ଓଦା ମୁହଁରେ ତାର ଶେଥା ଓଠ ହଳକ । କେମିତି ନିଜର ନିଜର । ମୁଁ ଏସବୁ ଲକ୍ଷ୍ୟ କରୁଛି ମୋର ବିଛଣାରୁ । ମୁଁ ମାନେ ପ୍ରଫୁଲ୍ଲ ନାୟକ । ଅନୁରାଧାର ବିବାହିତ ପତି । ଅର୍ଥାତ୍‌ ଅନୁରାଧା ମୋର ପତ୍ନୀ ।

 

ତ’ ଅନୁରାଧା ବେଶ ହେଉଛି । ମୁଁ ତାର ମୁହଁକୁ ଦର୍ପଣଦେଇ ଦେଖିପାରୁଛି । ଦେଖୁଚି ତା’ର ଶୃଙ୍ଗାରକୁ । ବାଳଗୁଡ଼ିକୁ ଚେଷ୍ଟାହୀନଭାବେ ସେ ଛାଡ଼ି ଦେଇଚି, ସମ୍ପୂର୍ଣ୍ଣ ଖୋଲା । କୁହୁଡ଼ିପରି ଫେଣେଇଯାଇଚି ବାଁ ପିଠିସାରା । ବର୍ତ୍ତମାନ ସେ ମୁହଁରେ ପଫ୍ କରୁଚି । ବ୍ରଶ୍‌ କଲାବେଳକୁ ଖୋଲିଦେଇଥିବା ଗଜରାଟାକୁ ପୁଣି ଏବେ ଲଗଉଚି ବାଳରେ । ଜୁଡ଼ା ଏବେ ମୁକ୍ତ ।

 

ଅନୁରାଧା ଜାଣୁଛି ଯେ ମୁଁ ତାକୁ ଲକ୍ଷ୍ୟ କରୁଛି । ଲକ୍ଷ୍ୟ କରୁଛି ଆଉ ମୁଗ୍‌ଧ ହେଉଚି । ବର୍ତ୍ତମାନ ସମୟ ବୋଧେ ସାତଟା । ଏହାପରେ ଅନୁ କେଟ୍‌ଲି ଆଣିବ ଏବଂ ଡ୍ରେସିଂ ଟେବୁଲ୍‌ର ଷ୍ଟୁଲ୍‌ଟାକୁ ପଲଙ୍କ ପାଖକୁ ଟାଣିଆଣି ସେଇଠି କ୍ରକେରୀ ସଜେଇବ ଇତ୍ୟାଦି । ସେପରି ହେଲା । କେଟ୍‌ଲିଟାକୁ ଉଠାଇ ସେଥିରେ ଜଗ୍‌ରୁ ପାଣି ଭରୁଚି । ବର୍ତ୍ତମାନ ପ୍ଳଗ୍‌ ନେଇ ଲଗଉଚି ଏବଂ ଡାକୁଚି ‘‘ଏୟ, ଉଠ ।’’ ମୁଁ କେବଳ ଲମ୍ବା ‘ହୁଁ’ ଟାଏ କରି ଜଣାଇଦେଇଛି ଯେ ମୁଁ ଚା’ ବସାହେଉଥିବାର ସମ୍ବାଦ ରଖିଚି ଏବଂ ସମୟାନୁକ୍ରମେ ଉଠି ମୁଁ ନିଶ୍ଚୟ ଚା’ ପିଇବି । ବର୍ତ୍ତମାନ ଅନୁ କ୍ରକେରୀକୁ ସଜଉଚି ଓ କ୍ରକେରୀର ଅସଂଯତ ଠୁଣ୍‌ଠାଣ୍‌ । ଅନୁ ଜାଣେ ଯେ ମୁଁ ଏତେ ଶୀଘ୍ର ଉଠୁ ନାଇଁ । ତେଣୁ ପୁଣି ଥରେ ସେ କର୍ତ୍ତବ୍ୟ କରିବା ଭଙ୍ଗୀରେ ଡାକୁଚି : ‘‘ଏୟ, ଉଠ । ଉଠ ।’’ ମୁଁ ଏଥର ‘ହୁଁ’ ଟାକୁ ଲମ୍ବାକରି ଉଚ୍ଚାରଣ କରି ଜଣାଇଦେଲି ଯେ, ‘‘ତୁମେ ଡାକୁଚ ବୋଲି ମୁଁ ଜାଣୁଚି । ଦେଖ, ମୁଁ ଚେଇଁଚି । ମୁଁ ସବୁ ଶୁଣୁଚି, ଦେଖୁଚି, ଜାଣିଚି ।’’ ଅନୁର ଜୁଡ଼ାରୁ ବାସ୍ନା ଝରୁଚି । ବାହାରେ ବର୍ଷା ଝରୁଚି । କେଟ୍‌ଲିରେ ପାଣି ଗରମ ହେଇଚି, ଏବେ ସଁ ସଁ ଶବ୍ଦ କରିବ ଏବଂ ମୁଁ ଉଠିଚି । ଏଥର ଅନୁ ମୋତେ ନ ଡାକି ହଲେଇଲା । ନାକକୁ ମୋଡ଼ିଲା । କାନକୁ ମୋଡ଼ିଲା । କୁତୁକୁତୁ କଲା । ଭାରି ମଜ୍ଜା । କେଟ୍‌ଲିର, ପାଣି ଗରମ ହେଲାଣି ବୋଧେ । ସୁଁ ସୁଁ ଶବ୍ଦ କରୁଛି । ଉପର ଚା’ ଢାଳିବା ବାଟଦେଇ ସଁ ସଁ କରି ବାଷ୍ପ ବାହାରୁଚି । ଗରମ ଗରମ ବାଷ୍ପ । କେଟ୍‌ଲିରୁ ଏବେ ଅନୁ ପାଣି ଢାଳୁଚି ଏବଂ ଡିକକ୍‌ସନ୍‌ ତିଆରି କରୁଚି । ମୁଁ ସବୁ ଆଳସ୍ୟକୁ ଗୋଟାଏ ହାଇରେ ଫିଙ୍ଗି ଉଠି ବସିଲି । ସାମାନ୍ୟ ଭିଡ଼ିମୋଡ଼ି ହେଲି, ଗଛ ଡାଳରେ ମୋଡ଼ିମୁରୁକୁଟି ହେଇ ରହିଥିବା ବୋଡ଼ାସାପ ପରି । ନାକଟାକୁ ସିଧାସିଧି ନେଇ ଅନୁର ଖୋଲା କେଶ ପାଖରେ ଲଗାଇ ଆଘ୍ରାଣ କଲି । ତା’ ଦେହର ବାସ୍ନା, କେଶର ବାସ୍ନା, ମଲ୍ଲୀର ବାସ୍ନା । ଡିକକ୍‌ସନ୍‌ର ଗନ୍ଧ ଭାସିଆସୁଛି । ସ୍ନାୟୁମାନେ ହଠାତ୍‌ ସକ୍ରିୟ ହୋଇପଡ଼ୁଛନ୍ତି । ମୁଁ ଅନୁର କେଶ ଉପରେ ଏ ଚୁମ୍ବନ ଦେଲି ଓ ଚାପା କଣ୍ଠରେ କହିଲି, ‘‘ଗୁଡ଼ ମର୍ଣ୍ଣିଂ ।’’

 

ଅନୁ ଚା’, କପରେ ଦୁଧ ଓ ଚିନି ଗୋଳଉଚି ଚାମଚ ଓ କପ୍‌ର ସଂଘର୍ଷ । ଶବ୍ଦ ହେଉଚି ଟିଂଟାଂ । କପ୍‌ ଭିତରର ଚା’ ଘୂରୁଚି ଏବଂ ଆବର୍ତ୍ତ ସୃଷ୍ଟି କରୁଚି । ଜଳଭଉଁରୀ ପରି । ଭଉଁରୀ ଘୂରୁଚି ଏବଂ ମଝିରେ ଗାତ ହେଇଯାଉଚି ଏବଂ କିଛି ଫେଣ ଉତୁରିଚି । ଅନୁରାଧା ହାତର ଚୁଡ଼ିମାନେ ରୁଣୁଝୁଣୁ ହଉଛନ୍ତି । ଏକ ଅଜବ ଅର୍କ୍ରେଷ୍ଟ୍ରା–ଏକ ଅପୂର୍ବ ଗନ୍ଧର ବିପଣୀ ! ଯଥେଷ୍ଟ ଯଥେଷ୍ଟ ମଜ୍ଜା । ଅନୁ ମୋ ହାତକୁ ଚା’ କପ୍‌ ବଢ଼େଇଦେଇ ‘‘ଗୁଡ଼ ମର୍ଣ୍ଣିଂ’’ ଟେ ଫେରେଇ ଦେଇଚି । ନିଜେ ବି ମଧ୍ୟ କପେ ଚା’ ଧରିଚି । ଦୁହେଁ ଚା’ ସିପ୍‌ କରୁଛୁଁ ଧୀରେ ଧୀରେ । ମୁଁ ଭାବୁଚି ଆଜି ଅଫିସ ନ ଗଲେ ବି ଚଳିବ । ଏଠୁ ଫୋନକରି ଜଣେଇ ଦିଆଯାଇପାରେ ଯେ ଦେହ ଖରାପ ଅଛି । ଅନୁ କହୁଚି, ‘‘ବର୍ଷା ହେଉଚି ।’’ ‘‘ମୁଁ ଜାଣିଚି ।’’ ତାପରେ ପୁଣି ଚା’ ପିଆ । ମୋର ସମସ୍ତ ସ୍ନାୟୁ ସକ୍ରିୟ ହୋଇ ଉଠିଛନ୍ତି-। ମୁଁ କହୁଚି ‘‘ଭାବୁଚି, ଆଜି ଛୁଟି ନେଇ ରହିଯିବି ।’’ ଏହି ସଜେଶନର ଉତ୍ତରରେ ସବଜାନତା ଭଳି ଅନୁ ହସିଛି ଏବଂ ଏହାଦ୍ୱାରା ମୁଁ ଯଥେଷ୍ଟ ଅପମାନିତ ହୋଇଚି । ଏହାର ଅର୍ଥ କଣ ? ଅନ୍ତତଃ ‘କାହିଁକି’ ବୋଲି ନ ପଚାରି ଏପରି ହସିବାର ଅର୍ଥ ? ମୁଁ ପଚାରୁଚି ‘‘କାହିଁକି ହସୁଚ-?’’ ସେ ମୋର ପ୍ରଶ୍ନକୁ ତିଳପ୍ରମାଣେ କେଆର୍‌ କରୁନି ଏବଂ ସେ ପଚାରୁଛି ‘‘ଚା’ ଦେବି-?’’ ମୁଁ ସିଧା ସେଠୁ ଉଠିଯାଇ ବାଥ୍‌ରୁମ୍‌ରେ ହାଜର୍‌ । ଶୋଇବା କୋଠରୀରେ ବୋଧେ ଅନୁ ଚା’ ଢାଳୁଚି-। ଏବଂ ପିଉଚି । ହୁଏତ ହସୁଚି ବି । ହଠାତ୍‌ ଏମିତି ଜଣକୁ ନିର୍ଲଜ୍ଜ କରିଦେବାର କିଛି ମାନେ ଥାଏ-? ସେ କ’ଣ ବୁଝିଲା ମୋ କଥାରୁ ? ଆଳୁଟାଏ ବୁଝିଲା ! ବୁଝିଲା, ତ ବୁଝିଲା, ଭଲ କଥା-। ଏପରି ହସିବ କିଆଁ ? ଫ୍ରେଙ୍କ୍‌ ହେଲେ ଟିକେ କ୍ଷତି କଣ ? ଆଜି ଅବଶ୍ୟ ଅଫିସରେ ବିଶେଷ କିଛି କାମ ନାଇଁ-। ତା’ ଛଡ଼ା ଏ ଜୁନ୍‌ ମାସଟା । ବର୍ଷଯାକ ତ କାମ ହେଉଚି । ଟିକେ ବିଶ୍ରାମ ତ ପୁଣି ଦରକାର-। ବର୍ଷା ହେଉଚି । ଶାଓ୍ୱାର୍‌ର ପାଣି ଭୀଷଣ ଥଣ୍ଡା । ଅଥଚ ସେଇ ଶୀତଳତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଏତେ ସକାଳୁ ଅନୁ କେମିତି ଗାଧେଇସାରିଛି ? ବର୍ଷା କଣ, ଶୀତ କଣ, ଖରା କଣ; ଅନୁର ସବୁବେଳେ ସକାଳ ଗାଧୁଆ । ଛ’ ବର୍ଷ ହେଲା ଦେଖୁଚି–ଏମିତି ଚୁପ୍‌ଚାପ୍‌ ଥିବ, କେତେବେଳେ ଏପରି ହସିଦେଉଥିବ ଯେ କୁହ ନାଇଁ । ଏମିତି ଏଇ ଅନୁ । କିନ୍ତୁ ଚମତ୍କାର ଝିଅଟେ-। ଭାରି କମ୍ପ୍ରୋମାଇଜିଂ । ନ ହେଲେ ମୋ ପରି ଅବାଗିଆ ଲୋକ ସଙ୍ଗେ ଛ’ ବର୍ଷ-? କଥା କଥାକୁ ଯିଏ ମାଇଣ୍ଡ କରେ ! ସୁଜିତ୍‌, ରମେଶ, ବିମ୍ବାଧର–ସମସ୍ତଙ୍କର ଏକା କଥା, ‘‘ତୁମେ ଦିହେଁ କିମିତି ବଞ୍ଚିଯାଉଛ ରେ ? ସେତେ କଣ ଝଗଡ଼ା କରୁନ !’’ ହାଃ ହାଃ ଝଗଡ଼ା ! ଝଗଡ଼ା କ’ଣ କରିବ-?

 

ମୁଁ ବାଥରୁମ୍‌ରୁ ବାହାରିଲି । ଅନୁ ଏଠି ନାଇଁ । ତାର ଦେହର ବାସ୍ନା ଏଠି ଘୂରୁଚି । ଏ ବାସ୍ନା ସହ ମୋର ଦୀର୍ଘ ପରିଚୟ । ଟାଓ୍ୱେଲଟା ପିନ୍ଧି ମୁଁ ବସିଛି ଡ୍ରେସିଂ ଟେବୁଲ୍‌ରେ ଷ୍ଟୁଲ୍‍ ଯଥା ସ୍ଥାନକୁ ଆସିଯାଇଛି । ଡବାରୁ କ୍ରୀମ ବାହାର କରି ମୁଁ ମୁଣ୍ଡରେ ଘଷୁଚି ଅପର୍ଯ୍ୟାପ୍ତ । ତା’ ପରେ କୁଣ୍ଡେଇ ହଉଚି । ଅନୁର କୋଠରୀକୁ ପ୍ରବେଶ । ପଲଙ୍କର ଚାଦରକୁ ବର୍ତ୍ତମାନ ସେ ସଜାଉଛି । ଦୁଇ ତକିଆକୁ ଠିକ୍‌ ଜାଗାରେ ସଜଉଚି । ଶାଲ୍‌ଟାକୁ ଚଉତି ଗୋଡ଼ପଟେ ରଖୁଛି । ତା’ ପରେ ଚାଲିଯାଉଛି । ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରନ୍ଧାଘରୁ ରଡ଼ୁଚି ଅନୁ; ‘‘ସାରିଲଣି ଯଦି, ଆସ । ଜଳଖିଆ କରିବ ।’’ ମୁଁ ନିତାନ୍ତ ଅନୁଗତଭାବେ କିଚେନକୁ ଯାଉଛି ।

 

କିଚେନର ଛୋଟ ଖଟୁଲିଟାରେ ମୁଁ ବସିଚି । ଗେସ୍‌ ଚୁଲିରେ ତାଓ୍ୱା ବସା ହୋଇଚି ଏବଂ ପରଟା ସେକୁଚି ଅନୁ । ଗରମ ଗରମ ଦୁଇଟା ପରଟା ଏବଂ ସନ୍ତୁଳା ଆଣି ରଖିଦେଇଛି ମୋ ଆଗେ । ରନ୍ଧାଘର ଝର୍କାର ଛିଟିକିଣି ଢିଲା, ବାରମ୍ବାର ପବନର ଆଘାତରେ ଝରକାଦେଇ ଶୀତଳ ପବନ ପଶି ଆସୁଚି । ବର୍ଷା ଛିଞ୍ଚାଡ଼ୁଚି । ଥଣ୍ଡାରେ ଦେହ ଶୀର୍‌ଶୀରେଇ ଯାଉଛି । ‘‘କେତେଥର କହିଲିଣି ନୂଆ ଛିଟିକିଣି ଲଗେଇ ଦିଅ ବୋଲି, ଏବେ ମଜା ଖା’ ।’’ ଅନୁର ସ୍ୱରରେ ବରିକ୍ତି । ମୁଁ କିଛି ଉତ୍ତର ଦେଉନି । ଅନୁ ପରଟା ବନଉଚି ଓ ମୁଁ କଣ ସାରିଲିଣି ଦେଖୁଚି । ପରଟା ତେଲ ପିଉଚି ଫୁଲୁଚି, ତାଓ୍ୱାରେ ପିଠପାତିଆ ବୁଲୁଚି । ଏବଂ ଅନୁ କହୁଚି ଯାବତୀୟ କଥା । ଗେସ୍‌ ଚୁଲା ସମ୍ପର୍କରେ, ବର୍ଷା ସମ୍ପର୍କରେ, ଫିଲ୍ମ ସମ୍ପର୍କରେ, ଫ୍ରିଜ୍‌ର ଦେୟ ବାବଦରେ, ନବାନ୍ନ ବେଳକୁ କିଣିବାକୁ ଥିବା କୁର୍ତ୍ତାଜାମା ବିଷୟରେ । ପଡ଼ୋଶୀ ଭଦ୍ରଲୋକଙ୍କ ଦୁଷ୍ଟ ପୁଅ ବାବୁଲି ସମ୍ପର୍କରେ । ଏଇ ବାବୁଲି କଥା ପଡ଼ିଲେ ଅନୁ ଓ ମୁଁ ଦୁହେଁ ଅନ୍ୟମନସ୍କ ହେଇଯାଉ । କ’ଣ ଆଉ କରାଯାଏ । ସବୁକୁ ଆଦରି ନେବାର ମହାବ୍ରତକୁ ନ ଆଚରିଲେ ବୋଧେ ବଞ୍ଚି ହେବନି । ସଂଗ୍ରାମ ବୋଧହୁଏ ସ୍ଥିତି ନୁହେଁ, ସାଲିସ୍‌ ହିଁ ସ୍ଥିତି । ଛ’ ଛ’ ବର୍ଷ ପରେ ବି ଯଦି କିଛି ନହୁଏ, ତେବେ ଆଉ ଚିନ୍ତା କରିବା ଉଚିତ୍‌ ନୁହେଁ । ଏତେ ଲମ୍ବା ଦୁଃଖ–ଏତେ ସମୟ । ବର୍ତ୍ତମାନ ଏକରକମ ନିର୍ଲିପ୍ତତା । ‘‘ବର୍ତ୍ତମାନ ଆମେ ନିର୍ଲିପ୍ତ’’ ବୋଲି ଭାବିବା କଣ ନିର୍ଲିପ୍ତତା ! ବାବୁଲି ତ ସବୁଦିନେ ଆସେ । ଅନୁ ତାକୁ ଭାରି ଭଲପାଏ । ଭାରି ମଜ୍ଜା ପିଲାଟି । ବାପା ବୋଉଙ୍କ ଯା’ ଆସ ଘରକୁ ଚାରିବର୍ଷ ହେଲା ବନ୍ଦ । ଭାଇ ଭଉଣୀମାନେ ଛୁଟିରେ ଆସନ୍ତି, ବୋଧେ ଏବର୍ଷ ଆଉ ଆସିବେନି । ସେଇ ନବାନ୍ନକୁଇଁ ଲୋକବାକ । ମୁଁ ପୁଣି ଚା’ ପିଉଚି । ଚା’ ପିଇସାରି ଫେରିଆସୁଛି ଶୋଇବା ଘରକୁ ଏବଂ ଖଣ୍ଡେ ଉପନ୍ୟାସ ଧରି ବସିଯାଇଛି ଖଟ ଉପରେ ବାଡ଼ାକୁ ଆଉଜି । ହୁଏତ ମୋର କଲିଗ୍‌ ଚନ୍ଦ୍ରପ୍ରକାଶ ମୋ ବିଷୟରେ ଯା’ ଛାତା ଆଜି କହିବ ଅଫିସରେ । ଯାହାହେଲେ ହଉ, ଆଜି ଅଫିସକୁ ଯିବିନି । ବର୍ଷା ବୋଧେ ବର୍ତ୍ତମାନ ବନ୍ଦ ଅଛି । ହୁଏତ ପୁଣି ବର୍ଷଯିବ କିଛି ସମୟ ପରେ । ମୁଁ ଝର୍କାଟା ଖୋଲିଲି । ଥଣ୍ଡା ପବନ ପଶିଆସିଚି କୋଠରୀ ଭିତରକୁ । ରୋମଗୁଡ଼ିକ ଖାଡ଼ା ହେଇଯାଉଛନ୍ତି ଏବଂ ଶୀତକୁ ସମ୍ମାନ ଦେଖଉଛନ୍ତି । ଦୂରରେ ରାସ୍ତା । କାଁଭାଁ ରିକ୍‌ସା ଓ ମଟର । ପାଣି ଛିଟିକା । କାନ୍ଥର ପୋଷ୍ଟର ସବୁ କେମିତି ଓଦା ଓଦା । ମୁଁ ଝରକା ବନ୍ଦକଲି । ସାମାନ୍ୟ ଥଣ୍ଡା ହୋଇଯାଇଚି କୋଠରୀଟା । ଶାଲ୍‌ଟାକୁ ପୁଣି ଖୋଲି ଘୋଡ଼ିହେଲି ଏବଂ ଉପନ୍ୟାସଟେ ପଢ଼ିବାକୁ ଆରମ୍ଭ କଲି । ହଠାତ୍‌ ମନେପଡ଼ିଲା ଏ ପର୍ଯ୍ୟନ୍ତ ଅଫିସକୁ ଫୋନ କରିନାଇଁ । ସମୟ କେତେ ହେଲା ? ନ’ ପଇଁଚାଳିଶି । ଏତେବେଳେ ଅଫିସରେ କିଏ ଥିବ ? ଟିକେ ଯାଉ । ଉପନ୍ୟାସ ପଢ଼ାଯାଉ । ଅନୁ କଣ କରୁଛି ଏ ପର୍ଯ୍ୟନ୍ତ ରନ୍ଧାଘରେ । ଡାକୁଛି ‘ଅନୁ’ ! କ’ଣ, ଅନୁର ଉତ୍ତର । ମୁଁ ଚୁପ୍‌ । ବୋଧହୁଏ ଅନୁ ପୁଣି ହସିଥିବ । ଉପନ୍ୟାସର ନାୟକ ବର୍ତ୍ତମାନ ନାୟିକାକୁ ସନ୍ଦେହ କରୁଛି । ନା ନା, ସନ୍ଦେହ କରିବାର ବା କି ଦରକାର ଥିଲା । ତୁଚ୍ଛାରେ, କଣ ବା କାରଣ । Accept କରିନିଅ । ଆରେ ଆନୁ ଶୋଇପଡ଼ିଲା କି କିଚେନରେ ? ‘‘ଅନୁ, ଏ ଏ ଏ ଏ ଅନୁ’’ । ‘‘ଆସୁଛି ।’’

 

ଉଠେ, ଫୋନ୍‌ଟା କରିନିଏ । ବୋଧେ ଜଣେ କିରାଣୀ କିଏ ଧରିଛି । ବୋଧେ ଶ୍ୟାମସୁନ୍ଦରବାବୁ । ‘‘ହଁ, ହଁ, ହଲୋ । ଦେହ ଭଲ ନାଇଁ । ବୋଧେ ଫ୍ଲୁ । ନା, କାଲି ଆସିବି ଯେ । ହଉ ହଉ ଧନ୍ୟବାଦ ।’’ ବାପ୍‌ରେ, ବଡ଼ କାମଟେ ଛିଣ୍ଡିଲା । ଅନୁ ପାଟିକରି ପଚାରୁଚି, ‘‘କ’ଣ ଅଫିସ୍‌ ଯିବନି ?’’ ଏଇଟା କିନ୍ତୁ ଭୀଷଣ ଅପମାନଜନକ । କିଓ, ଚାକିରି ମୁଁ କରୁଛି ନା ତୁମେ ? ମୋ ଇଚ୍ଛା ହେଲା ଗଲି, ନ ହେଲେ ନାଇଁ । ଏଥକୁ ତୁମର ଶିରୋପୀଡ଼ା କିଆଁ ? କୋଠରୀର ପର୍ଦ୍ଦାମାନେ ହଲୁଛନ୍ତି । ଅନୁ କୋଠରୀକୁ ଆସିଛି । ମୁଁ ଡାକୁଛି, ‘‘ଶୁଣ ତ !’’ ସେ ହସୁଛି । ଅଭଦ୍ର ଦୁଷ୍ଟଙ୍କ ଭଳି । ଯେପରି କି ସେ ସବୁ ବୁଝେ । ମୁଁ ବିରକ୍ତ କିନ୍ତୁ ହେଲିନି ଏଥର । ଅନୁ ମୋ ପାଖକୁ ପହଞ୍ଚିଲାଣି । ମୁଁ ତାକୁ ମୋ ଉପରକୁ ଟାଣି ଆଣିଲି । ସେ ମୃଦୁ ପ୍ରତିବାଦ କଲା; ‘‘ଛି, କବାଟ ଖୋଲା ଅଛି !’’

 

ଏତିକିବେଳକୁ ଜୋର୍‌ ପବନ ଆସିଲା । ବାହାରେ ବୋଧେ ପ୍ରଚଣ୍ଡ ବର୍ଷା ଆରମ୍ଭ ହୋଇଯାଇଛି । କବାଟ ଦୁଇଟା ଆସି ଧଡ଼ଧାଡ଼ କରି ପିଟିହେଇ ଆପେ ବନ୍ଦ ହେଇଗଲେ ଏବଂ ହଠାତ୍‌ ଲାଇଟ୍‌ମାନ ଫ୍ୟୁଜ୍‌ ହୋଇଗଲା ।

Image

 

ତମସାର କାବ୍ୟ

 

ଯେମିତି ଉଦ୍ଦାମ ଏକଝଡ଼ ବହିଗଲା ଠିକ୍‌ ମୁଣ୍ଡ ଉପରଦେଇ । ସବୁ କିଛି ଭାଙ୍ଗି, ଉପାଡ଼ି ଫିଙ୍ଗିଦେବା ପାଇଁ ଉତ୍ସୁକ ଏକ ଝଡ଼ ।

 

ସମସ୍ତେ ଏକସ୍ୱରରେ ଯେମିତି କହୁଛନ୍ତି :

 

: ଆମକୁ ଯନ୍ତ୍ରଣା ଦିଅ !

 

: ଆମକୁ ମୃତ୍ୟୁହୀନ ଏକ ବ୍ୟାଧି ଦିଅ ।

 

: ଆମର ସମସ୍ତ ଇଚ୍ଛା ପୂରଣ କରିଦିଅ ।

 

ଅଦ୍‌ଭୂତ ସେମାନଙ୍କର ସ୍ୱର, ରୂପ, ରଙ୍ଗ । ବିଚିତ୍ର ତାଙ୍କର କ୍ରୋଧ ।

 

: କପି କରିବା ଆମର ଜନ୍ମଗତ ଅଧିକାର ।

 

ତୁମର ଜନ୍ମଗତ ଅଧିକାର କିଛି ନାହିଁ । ସବୁ ମୃତ୍ୟୁଗତ । ତୁମେମାନେ ପ୍ରଳୟର ଗୋଟିଏ ଗୋଟିଏ ଦୂରନ୍ତ ଢେଉ । ବାହାରୁ ପ୍ରବଳ ଶବ୍ଦ ଶୁଭୁଛି । ଝଣ୍‌ଝାଣ୍‌ କରି କାଚ ଝରକା ଏବଂ ବଲ୍‌ବମାନଙ୍କର ଧ୍ୱଂସାବଶେଷ ତଳେ ଝଡ଼ୁଛି । ଧଡ଼୍‌ଧାଡ଼୍ କରି ଚଉକି, ଟେବୁଲ, ନୋଟିସ ବୋର୍ଡ଼ମାନେ ଖଣ୍ଡଖଣ୍ଡ ହୋଇ ଗଡ଼ୁଛନ୍ତି ।

 

: ଦିଅ, ଦେଇଦିଅ ।

 

: କ’ଣ ?

 

: କପି ।

 

: ଦେବି ନାଇଁ ।

 

: ଦିଅ, ଦେଇ ଦିଅ । ଅବୁଝା ହୁଅ ନାହିଁ ।

 

: ଦେ ନାଇଁ ବେ । (କୋରସ୍‌-ନିର୍ଦ୍ଦେଶ)

 

: ଦିଅ, ତମେ ମୋ କଥା ଶୁଣିବ ନା ବାହାରେ କିଏ କଣ କହୁଛି ଶୁଣିବ ?

 

ନିତାନ୍ତ କୁତ୍ସିତ ଭାଷାରେ ଗାଳିଦେବାକୁ ସେ ଆରମ୍ଭ କରିଛି । ପାଟିତୁଣ୍ଡରେ ହଲ୍‌ ଉଠୁଛି ପଡ଼ୁଛି ।

 

‘‘ଶଃ, କୋଶ୍ଚିନ୍‌ ପକେଇଛନ୍ତି । ଶଃ, କପି ଧରୁଛନ୍ତି ! ଶଃ, ମାର୍କ ବି ଦଉନାହାନ୍ତି । ବୋପାଘରୁ ଆଣି ଦେଇପକେଇଲା ଭଳି ଲାଗୁଥିବ ।’’ ଯେମିତି କି ସମସ୍ତେ ସେମାନଙ୍କୁ ହଇରାଣ କରିବା ପାଇଁ ମିଳିମିଶି ଷଡ଼ଯନ୍ତ୍ର କରିଛନ୍ତି ।

 

: ଉଠ ଶଳେ ସମସ୍ତେ । ଶଳେ ବସିକରି ଲେଖୁଚ କଣ ବେ ! ବାହାରିଆସ ପଦାକୁ । ଯଉ ଶଳା ପରୀକ୍ଷାରେ ବସିବ.....

 

ଉତ୍ତେଜନା । ଖାତା, ପ୍ରଶ୍ନପତ୍ର ଚିରି ଫିଙ୍ଗା ହେଉଛି । କାଗଜ ଟୁକୁରାମାନ ପବନରେ ଦିଗ୍‌ଭ୍ରଷ୍ଟ ହୋଇ ସେମିତି ବୁଲୁଛନ୍ତି । ସବୁ କିଛି ଭାଙ୍ଗି / ଚିରି / ଉପାଡ଼ି ଦେବାକୁ ଆତୁର ।

 

ରେ ଅବୋଲ୍‌କରାମାନେ ! ତମେମାନେ କ’ଣ କରୁଛ, ନିଜେ ବି ଜାଣିନ ।

 

କିନ୍ତୁ ଯୀଶୁଖ୍ରୀଷ୍ଟ ମରେନାହିଁ । କ୍ରୂଶବିଦ୍ଧ ହୋଇ ଏମିତି ଛଟପଟ ହେଉଥାଏ । ଥପ୍‌ଥପ୍‌ ଝରୁଥିବା ରକ୍ତରୁ ସେମିତି ଅନେକ ରକ୍ତବୀର୍ଯ୍ୟ ଦୁଃଖ ଜନ୍ମ ନେଉଥାଏ । ସବୁକିଛି ଯେମିତି ଘନଘୋର କହୁଡ଼ିର ଆସ୍ତରଣରେ ନିମଗ୍ନ । ଏରକାର ବନରେ ଯେମିତି ମୃତ୍ୟୋନ୍ମୁଖ ଯାଦବମାନଙ୍କର ମୃତ୍ୟୁ ନାଚ । ସ୍ଥାନ କାଳ ପାତ୍ରହୀନ ଏକ ଅବିରତ କନ୍ଦଳର ଏରକା । ଉଦାସ ଭାବରେ ଆକାଶ ଯେମିତି ଘୁମେଇ ପଡ଼ିଛି । ମାଟି ଉପରେ କିଲିବିଲି ହେଉଥିବା ଦୁଃଖ । ଲାଠି, ସେଲ୍‌, ଗୁଳି । ତ୍ରସ୍ତବ୍ୟସ୍ତ ପାଦମାନଙ୍କର ମିଶ୍ରିତ ଶବ୍ଦ । ଚିତ୍କାର । ଆତଙ୍କ ।

 

ତା’ପରେ ଶାନ୍ତି । ଏକ ଅଦ୍‌ଭୂତ ନୀରବତା । ମଧ୍ୟାହ୍ନର ଶ୍ମଶାନର ନୀରବତା । ମୁହଁମାନେ ତଳକୁ ନଇଁ ହଲୁଛନ୍ତି, କଥା ହେଉଛନ୍ତି, ହସୁଛନ୍ତି । ମୁହଁମାନେ ପୁଣି ଚୁପ୍‌ଚାପ୍ । ଏକ ଅନନୁଭୂତ ଦୁଃଖରେ ଆଚ୍ଛନ୍ନ । ପ୍ରାୟାନ୍ଧକାର ସଂଧ୍ୟାର ବେକ୍‌ଗ୍ରାଉଣ୍ଡରେ କେତୋଟି ଛୁରି ଆଉ କୋଲ୍‌ଟ୍‌ ରିଭଲଭର୍‌ ସଂତ୍ରାସୀ ଝକ୍‌ମକ୍ ।

 

ଅନେକ ଝାଳର ହ୍ରଦରେ ଉବୁଟୁବୁ ହେଉଥିବା ଆଖିମାନଙ୍କରେ ଅତୀତ ଓ ଭବିଷ୍ୟତ । ବର୍ତ୍ତମାନ ସନ୍ଦିଗ୍‌ଧ ।

 

ସେମାନେ ମୁକ୍ତ । ମୁକ୍ତିର ନୀଳ ଆକାଶରେ ଲଗାମ୍‌ଛଡ଼ା ପକ୍ଷୀରାଜ ସେମାନେ । ଶତାବ୍ଦୀର ଅବୋଲ୍‌କରା ଫୁର୍‌ଫୁର୍‌ ଉଡ଼ୁଥିବା କେଶ ।

 

କ୍ଲାସ୍‌ରେ ନିରାସକ୍ତ ମୁହଁମାନେ । କ୍ରୂଦ୍ଧ ଚାହାଣୀ କେଣ୍ଟିନ୍‌ରେ । ବିରକ୍ତିର ବାକ୍ୟାଳାପ ବଜାରରେ । ଗୁମ୍‌ସୁମ୍‌ । ଗୁମ୍‌ସୁମ୍‌ । ପୁଣି ଏକ ଝଡ଼ର ପ୍ରସ୍ତୁତି ।

 

ତୁମର ବଞ୍ଚିବାର ହକ୍‌ ନାହିଁ । ତୁମେ ଘୁଞ୍ଚିଯାଅ । ଫୁଜିଆମାର ବକ୍ଷ ବିଦାରି ଛୁଟି ଆସୁଛି ଲାଭାର ସୁଅ । ତୁମେ ସେଥିରେ ଜଳିଯିବ, ହଜିଯିବ, ନିଶ୍ଚିହ୍ନ ହୋଇଯିବ ।

 

କ’ଣ ? ତୁମେ ନିଶ୍ଚିହ୍ନ ହୋଇଯିବାକୁ ଚାହଁ ? ବୋକା !

 

ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତିକରି ଟୁଳୁଟୁଳୁ ଆଖିରେ ଏଇ ଶତାବ୍ଦୀର ଧ୍ୱଂସଲୀଳାକୁ ଉପଭୋଗ କରୁଥିବା ନୀରୋ–ତୁମେ କିଏ ?

 

ତା ଭିତରେ ଯେମିତି କିଛି ଜଳୁଛି । କିଛି ଉଚ୍ଛନ୍ନ ହେଉଛି । ଭିତରେ ଉକ୍‌ବୁକେଇ ବାହାରି ଆସିପାଇଁ । ମୁହଁରେ ରୂଢ଼ ବସି ଭୂତ ଭଳି ଦେଖା ଗଲାଣି ସେ ।

 

ସନ୍ଧ୍ୟା ଉଦାସ ପାଦଶବ୍ଦମାନଙ୍କ ଭିତରେ ତା’ ଭିତରର ସବୁକିଛି ଯେମିତି ବିପର୍ଯ୍ୟସ୍ତ । ଏମିତି ନୁହେଁ ଯେ ସମୟ ନାହିଁ ବୋଲି ସେ ଦାଢ଼ି କାଟି ନାହିଁ । ଏମିତି ବି ନୁହଁ ଯେ କିଛି କାମ ନାହିଁ ବୋଲି ସେ ଏଠି ଏମିତି ବସିରହିଛି ।

 

ବସିରହିଛି ଏବଂ ଯିବାଆସିବା ଲୋକମାନଙ୍କୁ ଦେଖୁଛି । ଏଇ ସନ୍ଧ୍ୟାରେ, ଏଇ ଛୋଟ ରେସ୍ତୋରାଁରେ ସେ ଚା’ ପିଏ, ଖବରକାଗଜ ପଢ଼େ, ଗପସପ କରେ, ଏପରିକି ଚାଲୁ ସିନେମାଗୀତ ବି ଗୁଣୁଗୁଣାଏ । ଏପରି ତାର ସନ୍ଧ୍ୟା ।

 

‘ତା ଭିତରେ ଯେମିତି ପୁଣି ଥରେ କିଛି ଚହଲି ଉଠିଲା; ଆନ୍ଦୋଳନ କରି ଉଠିଲା । ବ୍ୟତିବ୍ୟସ୍ତ ହେଲା ସେ । କ’ଣ ସେଇ ଜିନିଷ, ବୁଝିପାରିନି ସେ ତାର କୌଣସି ନିର୍ଦ୍ଦିଷ୍ଟ ରୂପରେଖ ନାହିଁ । ଶବ୍ଦରେ ତାକୁ ପରିବର୍ତ୍ତିତ କରେଇ ପାରିବନି ସେ ।

 

କ୍ଲାସ ଭିତରେ ନିରାସକ୍ତ ମୁହଁମାନଙ୍କୁ ସେ ଆଜି ବୁଝେଇଚି; ମଣିଷ ଯେତେବେଳେ ଦୁଃଖ ପାଏ, ଯେତେବେଳେ ନିରାଶ ହୁଏ; ଭଗବତ୍‌ ଚିନ୍ତା ତାକୁ ଶାନ୍ତି ଦେଇଥାଏ । ପୃଥିବୀର କୌଣସି ସମ୍ପଦ, କୌଣସି ଜାଗତିକ ସମ୍ପର୍କ ଦେଇପାରିବ ନାହିଁ ସେଇ ଶାନ୍ତି ।

 

ଆଶ୍ଚର୍ଯ୍ୟ ! ଯେଉଁ କଥା ଏତେ ଆତ୍ମବିଶ୍ୱାସର ସହ ସେ କ୍ଲାସ୍‌ରେ କହିଥିଲା ଏବେ କେମିତି ସେଇଟା ହାସ୍ୟାସ୍ପଦ ମନେହେଉଛି । କାଲି ସନ୍ଧ୍ୟାବେଳେ ଯେତେବେଳେ ସେ କଣ୍ଟ୍ରୋଲ୍‌ ଦୋକାନରୁ ଖାଲି ବେଗ୍‌ ଏବଂ ପକେଟ୍‌ରେ କେତୋଟି ଅସ୍ପଷ୍ଟ ଭାଙ୍ଗିପଡ଼ିଥିବା କରେନ୍‌ସି ନୋଟ୍‌ ଧରି ନିର୍ବାଚନ ସଭାକୁ ଗଲା; ନେତା କହୁଥିବାର ଶୁଣିଲା–‘ଏ ଦେଶରେ ଆମେ ସବୁ କରିଛୁ । ଆମ ଜୀବନର ମାନଦଣ୍ଡ ବଢ଼ିଛି । ପୁଞ୍ଜିପତିମାନଙ୍କର ଲାଭଖୋର ମନୋବୃତ୍ତି ଯୋଗୁଁ ଦେଶରେ ଅନାଟନ ଦେଖାଦେଉଛି ।

 

କିନ୍ତୁ ବ୍ୟବସାୟୀ କହୁଚି, ସରକାରଙ୍କ ଖାଦ୍ୟ ସଂଗ୍ରହ ନୀତି ହିଁ ଭୁଲ୍‌ ।

 

: ଚା ଆଣ୍‌ରେ ଟୋକା !

 

ଏ ଦେଶରେ ସବୁ କିଛି ସମ୍ଭବ । ଦେଶରେ ଭଗବତ୍‌ ଚିନ୍ତାର ଢେଉ ଛୁଟୁଛି । ଧର୍ମ କର୍ମ ବଢ଼ିଲା ପରି ଜଣା ଯାଉଛି; କିନ୍ତୁ ଦୁର୍ନୀତି ବି ସେମିତି ବଢ଼ି ଚାଲିଛି !

 

: କ’ଣ, ଆଉ ସବୁ ଭଲ ?

 

ହଁ, ଚାଲିଚି !

 

ପ୍ରଶ୍ନକର୍ତ୍ତାଙ୍କର ଥଲ୍‌ଥଲ୍‌ ଦେହକୁ ଝାଙ୍କି ଦେଇ ହସଟିଏ ଛୁଟିଆସିଲା ତା’ରିଆଡ଼କୁ । ହସର ପ୍ରବଳ ଧକ୍‌କାରେ ବିବ୍ରତ ହୋଇପଡ଼ିଲା ସେ । ଲାଲ୍‌ରଙ୍ଗର ପାନପିକ ପିଚ୍‌ କାରି ଦାନ୍ତ ସନ୍ଧିରୁ ଫୋପାଡ଼ି ହାତ ପିଠିରେ ମୁହଁକୁ ପୋଛିଲେ, ଆଉ କହିଲେ-

 

: ଚା’ ପିଇବା !

 

: ମଗେଇଚି ।

 

: ଆପଣ ତ ଏଠି ସବୁବେଳେ ବସନ୍ତି ।

 

: ସବୁବେଳେ ନୁହେଁ ତ....

 

: ମାନେ.....

 

: ଟାକିଚି ଜଣକୁ । ସାହେବ ଆସିବେ । ଏଇ ସନ୍ଧ୍ୟା ଟ୍ରେନ୍‌ରେ ।

 

: ସାହେବ.... ?

 

: ହାଃ ହାଃ, ଆମ ସାହେବଟି ? ଭାରୀ କଡ଼ା ଲୋକ ।

 

: ଆଶ୍ଚର୍ଯ୍ୟ କଥା !

 

: ମାନେ ?

 

: ଛାଡ଼ନ୍ତୁ ।

 

: କୁକୁଡ଼ା ଦେଇ ଆସିଚି ବଙ୍ଗଳାରେ ହେଁ ହେଁ, ବୋତଲ ବି । ସାର୍‌ଙ୍କର ଚଳେ ସାମାନ୍ୟ କମ୍‌ ଦରମା ତ ! ସବୁଦିନେ ନିଜ ପଇସାରୁ ଆଉ କଣ.... ।

 

: ଏସବୁ ମୋତେ କହି ଲାଭ କଣ ?

 

: ଅବଶ୍ୟ, ଅବଶ୍ୟ !

 

ତା’ ପରେ ପୁଣି ନୀରବତା । ପେଲି ଆସୁଥିବା ନର୍ଦ୍ଦମାର ସୁଅରେ ଯେମିତି ବାଲିର ବନ୍ଧ ବାନ୍ଧି ଦେଇଚି ବାଳକଟିଏ !

Image

 

ଭାଙ୍ଗିପଡ଼ିଥିବା ଆକାଶ

 

ଯେଉଁ ସମୟକୁ ବସନ୍ତୁ ଋତୁ କୁହାଯାଏ, ସେଇ ସମୟକୁ ଖରାଦିନର ଆରମ୍ଭ ବୋଲି ସାଧାରଣ ଲୋକେ ବୁଝନ୍ତି । ସୂର୍ଯ୍ୟ ଉଇଁବା ସଙ୍ଗେସଙ୍ଗେ ଝାଳ, ଗରମ ଧୂଳିରେ ପୃଥିବୀ ଆଚ୍ଛନ୍ନ ହୋଇପଡ଼େ । ଲୋକେ ଅତିଷ୍ଠ ହୋଇପଡ଼ନ୍ତି । ପାହାଡ଼ ଓ ଭୂଇଁରେ କିରଣ ଓ ଝାଞ୍ଜି ଧକ୍‌କାଖାଇ ବିଞ୍ଚି ହୋଇ ପଡ଼ନ୍ତି । ପଖାଳ ଖାଇବା ପରେ ଖରାବେଳ ସାରା ଶୋଇ ଶୋଇ ଅପରାହ୍‌ଣ ସରିଯାଏ । ତଥାପି ସୂର୍ଯ୍ୟ ଦିଗ୍‌ବଳୟର ବହୁତ ଦୂରରେ ଏକ ଅନନ୍ୟୋପାୟ ବିରକ୍ତି ପରି ଝୁଲୁଥାଏ ।

 

ସନ୍ଧ୍ୟା ଆସେ । ଲୋକେ ସ୍ୱସ୍ତିର ନିଃଶ୍ୱାସ ମାରନ୍ତି । ସନ୍ଧ୍ୟାପବନର ଉଷ୍ମତାକୁ ଆପାତତଃ ଗ୍ରହଣ କରିନିଆଯାଏ । ଅନେକ ବିରକ୍ତି ଓ କଷ୍ଟର ମୃତ୍ୟୁର ପ୍ରତୀକ ହୋଇ ସୂର୍ଯ୍ୟ ରକ୍ତବାନ୍ତି କରି ମରିଯାଏ । ତେଣୁ ଅନେକ ସମୟ ପଶ୍ଚିମ ଦିଗନ୍ତ ଲାଲ ରୁହେ ।

ଦ୍ୱିପ୍ରହରେ ଯଥେଷ୍ଟ ଶୋଇବା ପରେ ବୀରେନ୍ଦ୍ର ବୁଲି ବାହାରିଲା । ଅନେକ ଦିନ ପରେ ଆସିଛି । ଅନେକ ପ୍ରିୟଜନଙ୍କୁ ଭେଟିବାର ଆବେଗରେ ପାଦମାନେ ଅଣାୟତ୍ତ ଭାବେ କ୍ଷିପ୍ର ହୋଇ ପଡ଼ୁଛନ୍ତି ।

 

ପ୍ରଥମେ ସେ ଭାବିଲା, ମାନୀ ଘରକୁ ଯିବ ।

 

ଅନେକ ଦିନ । ଦି’ ବର୍ଷପରେ ।

 

ଏଇ ଦି’ ବର୍ଷ ସେ ମାନୀକୁ ଯଥେଷ୍ଟ ମନେ ପକେଇଚି । କେଜାଣି, ତାକୁ ମାନୀ ମନେ ପକେଇଚି କି ନାଇଁ ।

 

ଭିତର କୋଠରୀରେ କେହି ନାହାନ୍ତି । ଖଟସବୁ ବାହାରକୁ କଢ଼ାହୋଇ ସରିଲାଣି । କୋଠରୀ ଭିତରେ କେମିତି ଅଣନିଃଶ୍ୱାସୀ ଗରମ ।

 

ଅଗଣାରେ ମାନୀର ଆଈମା’ । ତାଙ୍କ ନାତିକୁ ଧରି ଖୁଆଉଛନ୍ତି । ମାନୀର ମା’ ପରିବା କାଟୁଛନ୍ତି । ରନ୍ଧାଘରୁ ତେଲ ପୋଡ଼ିବାର ଗନ୍ଧ ଆସୁଛି । ବୋଧେ ମାନୀର ବୋହୂ ରନ୍ଧାଘରେ, ଆଉ ମାନୀ ?

 

: ହେଁ କେତେବେଲେ ଆସ୍‌ଲୁ ପୁତା ?

 

କେହି ଜଣେ ଅଗତ୍ୟା ପୁରୁଷ ବୋଲି ବୀରେନ୍ଦ୍ରକୁ ଭାବି, ମାନୀର ମା’ ରନ୍ଧାଘର ଭିତରକୁ ପଳେଇ ଯିବାର ଉପକ୍ରମ କରୁ କରୁ, ଚିହ୍ନି ପକାଇ, ଏକ ନିର୍ବୋଧ ହସ ହସି ଅଗଣାକୁ ପୁଣି ଫେରି ଆସିଲେ । ବୀରେନ୍ଦ୍ର ସେମାନଙ୍କୁ ଅଣ୍ଟାଭାଙ୍ଗି ଜୁହାର କଲା ।

 

: କେତେବେଳେ ଆସ୍‌ଲୁ ପୁତା ?

 

ମାନୀର ଆଈ ପୁଣି ପ୍ରଶ୍ନଟିକୁ ଦୋହରେଇଲେ ।

 

: ଅଡୁପହରେ ।

 

ମାନୀର ମା’ ଖଟଟିଏ ଚାରି ପାଞ୍ଚଇଞ୍ଚ ଟାଣି ଆଣି କହିଲେ : ବସ ବାବୁ । ବୀରେନ୍ଦ୍ର ବସିଲା । ବଡ଼ ଅଗଣା । ପବନ ଯେମିତି ଅନିଚ୍ଛାସତ୍ତ୍ୱେ ବହୁଛି । କୁର୍ତ୍ତାବୋତାମ ଦୁଇଟା ଖୋଲିଦେଇ, କଲାରଟିକୁ ପିଠି ତଳକୁ ଝାଙ୍କିଦେଇ ଏକ ପ୍ରଶ୍ନିଳ ହସ ହସିଲା ବୀରେନ୍ଦ୍ର ।

 

: ଛୁଟି ହେଲାନା କେଁ ।

 

: ନାଇଁତା ।

 

କାନ୍ତା ସେ ?

 

: କଲେଜ ନେ ଗୋଲ୍‌ମାଲ ହିଛେ ଯେ କଲେଜ ବନ୍ଦ କରିଦିଆ ହିଛେ ।

 

: କଲେଜର ଗୋଳମାଳ ବିଷୟରେ ବେଶୀ କିଛି ପଚାରିବାକୁ ଇଚ୍ଛୁକ ଥିବାପରି ଜଣାପଡ଼ିଲା ନାଇଁ ।

 

: ସଭେ ଭଲ ଅଛନ୍‌ ?

 

ହୋଏ ପୁତା, ସଭେ ନୋକା ନୋକୋ ଅଛନ୍‌ନା ଯେ, ପଲାକୁନୁକେ ଖଣେ ଲସମ ହିଁ ଥିଲା, ଛାଡ୍‌ଲା ନା ।

 

: ଦାଦା କାହିଁ ଗଲେ ସେ ?

 

: ଆରଛନେ ତୋ ଥିଲା । ଭଟାବାଟେ ଟହଲାଟହଲି ହଉଥିବା ।

 

ଆଉ କଣ ପଚାରିବାକୁ ଅଛି ? ବୀରେନ୍ଦ୍ର ଭାବୁଥିଲା । ଅଗଣାରେ ଫଡ଼ାଫଡ଼ା ଆମ୍ବ କାଟି ଶୁଖାହେଉଛି । ଆଚାର ହେବ । ସନ୍ଧ୍ୟାପରେ କିଛି କିଛି ଅନ୍ଧାର ଯେମିତି ଅତ୍ୟନ୍ତ ସନ୍ତର୍ପଣତାର ସହ ଛାଇଯାଉଛି । ପବନରେ ଆମ୍ବ ବାସ୍ନା ।

 

ମାନୀ । ମାନୀ ।

 

ମାନୀ କାହିଁଗଲା ସେ ?

 

ମାନୀ କଥା ପଚାରିଲା ବେଳକୁ ଓଠ କେମିତି ଥରିଥରି ଯାଉଛି । କାହିଁକି ? ମାନୀ ବଢ଼ିଲା ଝିଅ ବୋଲି ? ହୁଏତ ନୁହେଁ । ସୁଷମା \ ସ୍ନେହ \ ଚାରୁ ବି ତ ବଢ଼ିଲା ଝିଅ । ତେବେ ?

 

: କେଜାନେ କେନ୍‌ତିକେ ଯାଇଛେ ଯେ । ମାନୀର ମା’ଙ୍କ ଉତ୍ତର ।

 

: ଯାରେ ମାନୀକେ, ଆର ତାର ବାପାକେ ଦେଖ୍‍ଲେ ଡାକି ଆନ୍‍ବୁ । ବୀର ଆସିଛେ ବଲି କହିଦବୁ ।

 

ଗୋରୁଙ୍କ କୁଣ୍ଡାରେ ମଡ୍‌ ମିଶେଇବାପାଇଁ ନେଇଥିବା ବାଲ୍‌ଟି ରଖୁରଖୁ ଗାଈଚରିଆ ପିଲାଟିକୁ ମାନୀର ଆଈ ବରଗିଲେ । ବୀରଆଡ଼େ ଏକ ନିରାସକ୍ତ ଦୃଷ୍ଟି ଫିଙ୍ଗି ପିଲାଟି ବାହାରିଗଲା-

 

: କେନପତେ ପଢ଼ଲୁନା, ବାବୁ ?

 

: ଏମେ ।

 

: ଏହଟା କେତେକ କିଲାସ୍‌ ଏ ?

 

: ସତ୍ର କିଲାସ । ସବୁଠାନୁ ବଡ଼୍‍ ପାଠ ।

 

ତୁଇ ଗୋଟେ ଲୋକ୍‌ ପଢ଼ସୁନା କି ଆର୍‌ କେକେ ହେତ୍‌କି ପଢ଼େ ଯାଇଛନୁ ?

 

: ଧେତ୍‌, କାହିଁ କେତେ ପିଲା ଟୁକିଲ୍‌ ପଢ଼୍‍ସନ୍‌ ।

 

: ଟୁକିଲ ମନେ ଫୁନି ପଢ଼୍‍ସନ ।

 

: ହୋଏ !

 

ବିସ୍ମିତ ହସ ।

 

: ଠାନେ ବସିକରି ପଢ଼୍‍ସ ?

 

: ହୋଏ । ସେମାନେ ଆଗେ, ଆମେ ପଛେ ।

 

: ପଢ଼ି ସାର୍‌ଲେ ବଡ଼୍‍ଟା ସାହେବ୍‌ ହେବୁ, ନେ ବାବୁ ?

 

: ମୁଡ୍‌ଗ ଗୁଡାର୍‌ ସାହେବ ଠାନୁନ୍‌ ଫୁନି ବଢ଼ିକରି ପଢ଼୍‍ଲନା କେଁ ? ମାନୀର ମା’ଙ୍କ ପ୍ରଶ୍ନ ।

 

: ତାଙ୍କର ଲାଇନ୍‌, ମୋର୍‌ ଲାଇନ୍‌, ଭିନେ ।

 

: ଭିଆଭୁଦ୍ଦ ନାଇହଅନ କେଁ, ବାବୁ ? ମାନୀର ମା’ ପୁଣି ପଚାରିଲେ । ବୀରେନ୍ଦ୍ର ଅପ୍ରସ୍ତୁତ ବୋଧକଲା । ଏଇ ଗୋଟିଏ ପ୍ରଶ୍ନର ଉତ୍ତର ସେ କେମିତି ଦେବ, ଜାଣି ପାରେନି । କେମିତି ବୁଝେଇବ ?

 

ବୀରେନ୍ଦ୍ରର ମୌନତାକୁ ନ ଭାଙ୍ଗି ମାନୀର ଆଈ ମାନୀର ମା’ଙ୍କୁ ବରଗିଲେ । ଯା’ନୁ ଗୋ ମା’, ତୁଳସୀ ଚଁରାଥି ଘି’ଦୀପ୍‌ ଗୋଟେ ଜାଲି ଆଏବୁ ।

 

ଅଗଣାର କୋଣରେ ସିମେଣ୍ଟ ପଲସ୍ତରା ହୋଇ ତୁଳସୀ ଚଉରାଟିଏ । ପାଖରେ କାନ୍ଥକୁ କିଛି ଜାଗା ଛାଡ଼ି ଖୁଣ୍ଟମାନ ପୋତା ହୋଇଛି । କେତେଟା ଭିନ୍ନ ବୟସର ବାଛୁରୀ ସେଠି ବନ୍ଧା ହୋଇ ବସି ପାକୁଳି କରୁଛନ୍ତି ଓ ସମୟ ସମୟରେ ଲାଞ୍ଜ, କାନ ଓ ଆବଶ୍ୟକ ମତେ ମୁଣ୍ଡ ହଲେଇ ମଶା, ମାଛି, ଡାଆଁଶ ଜାତୀୟ ଉଡ଼ନ୍ତା ଶତୃମାନଙ୍କୁ ଖୋଦିବାକୁ ଚେଷ୍ଟା କରୁଛନ୍ତି । ମାନୀର ମା’ଙ୍କୁ ଅତ୍ୟନ୍ତ ପାଖରେ ଦେଖି ସିଆଣିଆ ବାଛୁରୀଟାଏ ତୁଚ୍ଛାଟାରେ ‘ହମ୍‌ମା’ ଟେ କରି ଲାଡ଼ହେଲା ।

 

ଗୋଧୂଳିର ଛାଇ ଆଲୁଅରେ ମାନୀର ମା’ ଆଣ୍ଠେଇ ଘିଅଦୀପ ଜଳେଇଲେ । ତୁଳସୀ ଚଉରାର ପାଖତକ ଅନାବଶ୍ୟକ ଭାବେ ଆଲୋକିତ ହେଇପଡ଼ିଲା । କପାଳ ପର୍ଯ୍ୟନ୍ତ ଓଢ଼ଣୀ ଟାଣି ସେ ଅଗତ୍ୟା ଦେବଦେବୀମାନଙ୍କୁ ଜୁହାରିଲେ ।

 

ବାହାରୁ ଲୋକମାନଙ୍କର ଓ ଛୁଆମାନଙ୍କର କଥାବାର୍ତ୍ତାର ଶବ୍ଦ ଏକ ଅର୍ଥହୀନ ଘୋଘାରେ ପରିଣତ ହୋଇ ଅଗଣା ଉପରେ ଏକ ବିରକ୍ତିକର ଧୂଳି ମେଘ ପରି ଛାଇ ହୋଇଗଲା-

 

ତୁଳସୀ ଚଉରାରେ ପ୍ରଣାମ କରିସାରି ମାନୀର ମା’ ଉଠିଲେ । ମାନୀର ମା’ଙ୍କ ଛାଇ ତାଙ୍କ ପଛକୁ–ଯେମିତି ଚହଲିଗଲା । ମାନୀର ମା’ ଅଗଣା ମଝିକୁ ଦାଣ୍ଡେଇଲେ । ତାଙ୍କ ଛୋଟ ଛାଇ ତାଙ୍କୁ ଅନୁସରଣ କଲା ।

 

ନା । ଏ ଛାଇ ନୁହେଁ । କୌଣସି ଏକ ନାରୀର ସିଲ୍‌ହଟ । ମାନୀର ମା, ତାଙ୍କ ପଛରେ ସେ ଛାଇ, ତା ପଛରେ ଥରୁଥିବା ଘିଅଦୀପ । ହୁଏତ, ହୁଏତ, ହଁ ଏଇଟା ମାନୀର ଶରୀରର ‘ରେଖା ଏବଂ ଆକାର ପ୍ରକାର ।’

 

: ହାଦେ ! ମାନୀ ଆସ୍‌ଲାନା ।

 

ମାନୀ ଆସିଛି । ସମ୍ପୂର୍ଣ୍ଣ ମାନୀ । ବୀରେନ୍ଦ୍ରର ଛାତି ତୁଚ୍ଛାଟାରେ ଧଡ଼ଧଡ଼ ହେଲା । ଓଠ ଶୁଖିଗଲା । କେମିତି ଏକ ଅସ୍ୱସ୍ତିରେ ତାର ସମଗ୍ର ସତ୍ତା ଯେମିତି ହଡବଡ଼େଇ ଗଲା । ମାନୀ ଭିତରକୁ ଚାଲିଯାଇଛି ।

 

: ମେନ୍‌କ ପାଏନ୍‌ ଫୋଟେ ଯିବି ।

 

କିଛିଟା ସମୟପରେ ହାତକୁ ପାଣି ଗିଲାସେ ଯେ ବଢ଼େଇ ଦେଲା, ସେ ମାନୀ । ତା’ ହାତରେ ଗିଲାସ ଦେଇ ଯେ ମୁଣ୍ଡ ତଳକୁ କରି ଠିଆହେଲା ସେ ମାନୀ । ତାର ହାତକୁ ଗିଲାସ ନେଇ ସେ ଭୂଇଁରେ ରଖି ଯେ ମୁଣ୍ଡକୁ ପାଦ ପାଖରେ ନୁଆଇଁ ଜୁହାରିଲା, ସେ ମାନୀ ।

 

ମାନୀ । ମାନୀ । ମାନୀ । ପରିବର୍ତ୍ତିତ ମାନୀ ।

 

: ଭଲ ଅଛୁ, ମାନୀ ? ନିରର୍ଥକ ପ୍ରଶ୍ନ ।

 

: ହୁଁ ।

 

: ପଢ଼ା ତ ଛାଡ଼ିଦେଲୁ ।

 

:............

 

ଗଧହିକରି ଘରେ ବସିଛୁ । ଇ କାମ୍‌କବାର୍‌ କରୁଛେକି ନାଇଁ ଗୋ ? ବୀରେନ୍ଦ୍ର ସହଜ ହେବାକୁ ଚେଷ୍ଟା କରୁଛି ।

 

: କର୍‌ସି ପୁତା, କରସି । କାମ୍‌କବାର୍‌ ସବୁ ଶିଖ୍‌ଲାନା ।

 

:ଇଥର ଭିଆ କରିଦିଅନା ।

 

: ହିସସ୍‌ ମାନୀର ପ୍ରତିକ୍ରିୟା ।

 

ବୀରେନ୍ଦ୍ର ମଜା ଦେଖୁଛି । ମାନୀର ବାହାଘର । ମାନୀର ବାହାଘରର ଅର୍ଥ ବୀରେନ୍ଦ୍ର ପାଇଁ କଣ ? ସେ କାହିଁକି ଚେଷ୍ଟା କରି ସହଜ ହେଉଛି :

 

ମାନୀର ବୋହୂ ଓଢ଼ଣା ଦେଇ ଅଗଣାକୁ ଆସିଲେ । ହାତରେ ଲଣ୍ଠନ । ବୀରେନ୍ଦ୍ର ଉଠି ଜୁହାର କଲା । ଭୁଆସୁଣୀମାନେ କାମ ନଥିଲେ ଗଲାଆଇଲାକୁ କେବଳ ‘ଦେଖିବା’ ଲାଗି ପଦାକୁ ଆସିବା ପରମ୍ପରା ବିରୁଦ୍ଧ । ମୁହଁରେ ଏକ ସଲ୍ଲଜ ହସ ଫୁଟେଇ ବୋହୂ ପଚାରିଲେ : କେନ୍ତା ଅଛ ହୋ, ଭେଣା ?

 

: ଭଲ । ତମେ କହ, କେନ୍ତା ଅଛ ? ହଏ ଗୋ ଆଈ, ଖୁଏଇ ପିଏଇ ବଉକେ ଭୁସ୍‌କି କରିଦେଲନା, ଘରକେ କିଏ ସମ୍‌ଲାବା ?

 

: ମୁଇଁ ଭୁସକି ହିଛେଁ ? ତମେ ହେଲେ ଗେଥଲ୍‌ ହିଛ ।

 

: ମୋର୍‌ ନାତି ଗେଥଲ୍‌ଟା ନାଇସେ ରେ ମା’, ଶୁଖିଭାଞ୍ଜି କରି ପେଟ୍‌ପେଟା ହିଗଲାନା-

 

: ତମେ ତ ତମର ନାତି ପଟିଆ ହଉଛ ଗୋ ।

 

ଭିଆ ଭୁଇ ନାଇଁ ହିଅନା କେଁ ହୋ, ବୁଢ଼ା ହେଲନା କିଏ ଆରୁ ତମକେ୍‌ ଟୁକେଲ୍‍ ଦେବା-?

 

: ନାଇଁ ଦେଲେ ଭିଆ ନାଇ ହିଏଁ । ଆର୍‌ କେଁ କର୍‌ବି ?

 

: କି ହେବାର୍‍ ଟୁକେଲ୍‌ ଗୋଟେ ଅଧେ ପସନ୍ଦ କଲନା ?

 

ହିଁ ହିଁ ହିଁ....

 

ମାନୀ ବି ହସରେ ଯୋଗ ଦେଲା ।

 

: ଇ ବର୍ଷେ ମାନୀର ଭିଆଭୁଇ ଗୁଟେ ଉଠେଇଦେ ମୁଁ କହୁଛୁଁ, ପୁତା ।

 

ସହଜ ହେବାକୁ ପ୍ରାଣାନ୍ତ ଚେଷ୍ଟା କରୁଥିବା ବୀରେନ୍ଦ୍ର ପୁଣି ଅସହଜ ହୋଇ ପଡ଼ିଲା । ଅଦ୍‌ଭୁତ ଅସ୍ୱସ୍ତି । ମାନୀର ବାହାଘର ହେଲେ ତା’ର ଯାଏ ଆସେ କଣ ? କିନ୍ତୁ–ମାନୀର କଥା–

 

ମାନୀ ଲାଜ କରୁଛି ? କି ଦୁଃଖ ? ଅଗଣାର ଅନ୍ଧାରିଆ କୋଣକୁ ଯାଇ ପିଢ଼ାଟାରେ ବସି ନଖରେ ଗାର କାଟୁଚି । ମାନୀର ମା’ ପିଣ୍ଡାରେ ପୃଥୁଳ ଦେହକୁ ଗଡ଼େଇଦେଇ ପଣତରେ ପଙ୍ଖା କରୁଛନ୍ତି । ରନ୍ଧାଘର ପିଣ୍ଡାର ଖୁମ୍ବକୁ ଆଉଜି ମାନୀର ବୋହୂ ଠିଆ ହୋଇଛନ୍ତି । ମାନୀର ଆଈ ପାଖ ଖଟରେ ବସିଛନ୍ତି । ନାତି ଶୋଇଲାଣି ।

 

ବୀରେନ୍ଦ୍ର ଏକ ବିମର୍ଷତାରେ ବୁଡ଼ିଗଲା ଯେମିତି । କେମିତି ସେ ଲୋକଙ୍କୁ ବୁଝେଇବ ଯେ ସେମାନେ ଦୁହେଁ ପରସ୍ପରକୁ ପ୍ରେମ କରନ୍ତି ?

 

ଆକାଶରେ ନିର୍ବୋଧପରି ଛାଇ ଯାଇଥିବା ତାରାମାନେ ଓ ତଳେ ଏକ ଲଣ୍ଠନ । ତୁଳସୀଚଉରାର ସଞ୍ଜଦୀପ କେତେବେଳୁ ଲିଭିଲାଣି କେଜାଣି ? ବୀରେନ୍ଦ୍ରର ମୌନତାକୁ ଏମାନେ କଣ ଭାବୁଥିବେ କେଜାଣି ।

 

: ପାତ୍ର ଠିକଣା କଲନା କେଁ ?

 

ପ୍ରତୀକ୍ଷା ।

 

: ହୋଏ । ଆଗୁନ ତୋ କଥା ହିଁ ଥିଲୁଁ ନା । ସୂର୍ଯ୍ୟ ଭଞ୍ଜାସଙ୍ଗେ କର୍‌ମୁ ବଲୁଛୁ । ବଇଶାଖ ମାସେ ନିରବଏନ୍ଧ କର୍‌ମୁ, ଆରୁ ଜେଠ ମାସେ ଲଗନ ଅଛେ ।

 

ସମସ୍ତ ଆକାଶ ଯେପରି ହଠାତ୍‌ ସମସ୍ତ ଧୂଳି ଗରମ ଝାଳ ଓ ତାରାମାନଙ୍କ ଟୁକୁରା ସହ ଅଗଣାରେ ବିଛେଇ ହେଇଗଲା ।

 

ଅଗଣାର ଦୂରକୋଣରେ ଭାଙ୍ଗି ପଡ଼ିଥିବା ଆକାଶର ଚାପରେ ଯେପରି ନଇଁ ପଡ଼ିଛି ସେଇ ଛୋଟ ଛାଇଟି । ଦୁଇଟି ନିଷ୍ପ୍ରଭ ଆଖିତଳେ ଯାହା ଜକ୍‍ଜକ୍‌ କରୁଛି ତା’ କଣ କେଇ ବିନ୍ଦୁ ଲୁହ-?

Image

 

ରକ୍ତତୃଷା

 

ବାହାରେ ଭୀଷଣ ବର୍ଷା । ଥଣ୍ଡା ପବନ ହାବୁକା ହାବୁକା କୋଠରୀ ଭିତରକୁ ପଶିଆସୁଛି । କୋଠରୀର କୋଣରେ ଥିବା ଫାୟାର୍‌ ପ୍ଲେସ୍‌ ପାଖରେ ମୁଁ ବସିଛି ଗୋଟିଏ ଚେୟାର୍‌ରେ । ମୋ ଆଗରେ ଗୋଟିଏ ଛୋଟ ଟେବୁଲ୍‌ । ଟେବୁଲ୍‌ ଉପରେ ସ୍ତୂପୀକୃତ ବିଗତ ଦିନର ଡାଏରୀମାନ–ପ୍ରେମିକାମାନଙ୍କ ଫଟୋ ଓ ଅନେକ ପ୍ରେମ ପତ୍ର ।

 

ଏମାନେ ମୋତେ ଯନ୍ତ୍ରଣା ଦେଇଛନ୍ତି । ଫାୟାର୍‌ ପ୍ଳେସ୍‌ ମନେହେଉଛି ଖୁବ୍‌ ଥଣ୍ଡା ପବନକୁ କିପରି ବନ୍ଦ କରିହେବ ? ପାଖ କାନ୍ଥରେ ଛୁଲୁଥିବା ଅଶ୍ଳୀଳ କେଲେଣ୍ଡର୍‌ ପବନରେ ହଲୁଛି ଓ ଏକ ବିକୃତ ଶବ୍ଦ ସୃଷ୍ଟି ହେଉଛି । ପ୍ରବଳ ପବନ ମାଡ଼ରେ କେଲେଣ୍ଡର୍‌ଟି ଲୀଳାୟୀତ ଭଙ୍ଗୀରେ ହଠାତ୍‌ ଆସି ମୋ ପାଖରେ ପଡ଼ିଛି । ବିରକ୍ତ ହୋଇ ମୁଁ କେଲେଣ୍ଡର୍‌ଟିକୁ ନୃଶଂସଭାବେ ନିଆଁ ଭିତରେ ପକେଇ ଦେଇଛି । ଜଳିଯାଇଛି ସେଇଟା ।

 

ଚମତ୍କାର !

 

ଥଣ୍ଡା ପବନ । ଆଃ ! ମୁଁ ଉଠିଯାଇ ଝରକା କବାଟ ବନ୍ଦ କରିଦେଇ ଆସି ପୁଣି ନିଶ୍ଚିନ୍ତ ଭାବରେ ବସିଗଲି । ବର୍ତ୍ତମାନ ଏ ସ୍ୱଳ୍ପାଲୋକିତ, ଉଷ୍ମ କୋଠରୀ ଭିତରେ କେବଳ ମୁଁ ମୋ ନିଜ ସାଙ୍ଗରେ କଥାବାର୍ତ୍ତା କରି ଡାଇରୀ, ରଙ୍ଗୀନ୍‌ ଫଟୋ ଏବଂ ଚିଠିମାନଙ୍କୁ ଦେଖେଇ ଦେଉଛି ।

 

ଏପରି ଉଷ୍ମତାରେ କ’ଣ କରିବାକୁ ହୁଏ ସେମାନେ ଜାଣନ୍ତି । ସେମାନେ ଜାଣନ୍ତି ଉଷ୍ମତାକୁ ଉଷ୍ମତାରେ ଜଳେଇ କିପରି କଲବଲ କରିଦିଆଯାଇପାରେ । ସେମାନେ ଜାଣନ୍ତି ଏମିତି ଅନ୍ଧାରକୁ ଅନ୍ଧାର ଭିତରେ କେମିତି ଏକ ନିରୀହ ପାଶବିକତାର ସହ ହଜେଇ ଦିଆଯାଇପାରେ । ଏପରି ମୁହୂର୍ତ୍ତରେ ଅନୁରାଧା ମନେପଡ଼େ ନିଷିଦ୍ଧ ଫାଳକୁ ଚାଖିଲେ ଯେ ଏକ ନିଶା ଆସେ–ଏକ ମୃଦୁ ଅଥଚ ଆମୋଦଦାୟକ ଦହନରେ ମନ୍ଥି ହେବାକୁ ହୁଏ, ଜଳିଯିବାକୁ ହୁଏ, ତା’ ମୋତେ ଅନୁରାଧା ଶିଖାଇଥିଲା । ଏକଥା ମୋତେ ଶିଖେଇଥିଲେ ଅନୁରାଧାର ଦେହର ପ୍ରତ୍ୟେକ ଅଙ୍ଗ । ମୋର ସ୍ନାୟୁମାନେ ଅନ୍ଧାରରେ ମାଂସର ପ୍ରତିମାଟିଏ ହିଁ ଯେମିତି ଦେଖୁଥିଲେ । ଓଃ, ତାର ସେ ପ୍ରଥମ ଆକ୍ରମଣ ! ମୋର ନିରୀହ କୌମାର୍ଯ୍ୟ ଉପରେ ତାର ଜାନ୍ତବ ଆକ୍ରମଣ ! ଏକ ଜ୍ୟୋତିର୍ମୟ ଆଲୋକ ପଥରୁ ସେ ମୋତେ ଶୂନ୍ୟ ମହାଶୂନ୍ୟ ଦେଇ ପାତାଳର ଅନ୍ଧାର ସାଙ୍ଗରେ ପରିଚିତ କରେଇ ଦେଇଛି । ସେ ଏକ ବିଗତ ଯୌବନା । ସେ ଏକ ଶୋଚନୀୟ ଭାବରେ ପରାସ୍ତ ବିକଳ ପଳାଶ ।

 

ବିକଳ ପଳାଶ ଥିଲା ସରିତା, ଯେ ମୋତେ ଅନ୍ଧାର ଓ ବିଛଣା ସହ ସଂଲଗ୍ନ ଦେବାକୁ ବାଧ୍ୟ କରିଥିଲା । ଥରେ ମାତ୍ର ! ମାତ୍ର ଥରେ ସେଇ ମସୃଣ ଆସ୍ୱାଦ–ଏକ ନିର୍ଜନ ସୈକତର ମଧୁର ବଂଶୀ ଧ୍ୱନି । ତା’ପରେ ତୁମେ ମୋଠାରୁ ସମ୍ପର୍କ ଛିନ୍ନ କରିନେଇଥିଲ । ଦେହର ପାହାଚ ଡେଇଁ ବିଦେହର ଗୀତ ଗାଇଥିଲ । ମୁଁ କିନ୍ତୁ ପାଗଳ ! ତମ ପଛରେ ଘୂରି ତୁମଠାରୁ ପାଗଳ ନାମ ପାଇଲି ସିନା, ତୁମକୁ ହରେଇ ବସିଥିଲି ।

 

ପାଗଳ ହୋଇଥିଲି ମୁଁ ସଞ୍ଜୁକ୍ତାର ପାଇଁ । କଲେଜ ଜୀବନରେ ଶ୍ୟାମଳାର ଆଖି ଆଉ ବେକର ହଳଦିଆ ଗୋଲାପଟିଏ ପଲ୍ଲିଶ୍ରୀର ତନୁବଲ୍ଲରୀର ଉଷ୍ମ ପ୍ରବାହ ମୋତେ ଯେତେ ଉତ୍ତପ୍ତ କରିନଥିଲା, ସେତେ ଉତ୍ତପ୍ତ କରିଥିଲା ସଞ୍ଜୁକ୍ତାର ଭେନିସୀୟ ଶରୀର । ତାର କଦମ୍ବ-ଶରୀର–ବର୍ଷାରେ ଭିଜିଭିଜି ଯେଉଁଦିନ ସେ ଡେଇଁଡେଇଁ କଲେଜ ବାରଣ୍ଡାକୁ ଉଠି ଆସିଥିଲା, ମୁଁ ବିସ୍ମୟରେ ହତବାକ୍‌ ହୋଇ ଉଠିଥିଲି । ନାରୀ ଶରୀରର ଲାବଣ୍ୟ ଯେ ଏତେ ଚମତ୍କାର ହୋଇପାରେ, ତା’ ମୁଁ ବା ମୋର କବିତ୍ୱ, କେହି କଳ୍ପନା କେବେ କରିନଥିଲେ । ତାରୁଣ୍ୟର ନିରର୍ଥକ ଉନ୍ମାଦନା ମଧ୍ୟରେ–ସମସ୍ତ ଫୁଲ ଏବଂ ପତ୍ର ମଧ୍ୟରେ ସଞ୍ଜୁକ୍ତା ଶରୀରର ନିରୋଳା ମାଦକ ବାସ୍ନା ମୁଁ ଆଘ୍ରାଣ କରିବାକୁ ଚାହୁଁଥିଲି । ସଞ୍ଜୁକ୍ତା ଶେଷରେ ପଥଭ୍ରଷ୍ଟା ହେଲା । ପ୍ରଥମେ ତ ମୁଁ ବିଶ୍ୱାସ କରିନଥିଲି । ରାତ୍ରିର ପ୍ରଥମ ପ୍ରହରରରେ ଅନେକଥା ରସାୟନଶାସ୍ତ୍ରର ଜନୈକ ଅଧ୍ୟାପକଙ୍କ କୋଠରୀରୁ ବାହାରୁଥିବାର ଅନେକେ ଦେଖିଛନ୍ତି ବୋଲି ଶୁଣିଥିଲି । ମୁଁ କିନ୍ତୁ ବିଶ୍ୱାସ କରିପାରୁନଥିଲି । କିନ୍ତୁ ଯେତେବେଳେ ଖରା ଛୁଟିପରେ ସେ ଫେରିଲା, ପୁଣି ଗୁଜବ ହେଲା ଯେ ସେ ଗର୍ଭପାତ କରାଇଛି । ଅକାଳରେ ବୃଦ୍ଧା ହୋଇଯାଇଥିଲା ସେ । ତା ଆଖି ତଳର କଳାକଳା ଗାରମାନ, ସତେ ଯେପରି କଳଙ୍କର କେତୋଟି ସ୍ୱପ୍ନ ରେଖା । ମୁଁ ତାକୁ କିଛି ପଚାରିଲି ନାହିଁ । ତାର ନଷ୍ଟ ଚେହେରା ଓ ଆଖିତଳର ଗାରମାନେହିଁ ସବୁ କଥା କହିଦେଇଗଲେ ।

 

ଆଖିମାନେ ହିଁ ମୋତେ କବି କଲେ–ସ୍ୱପ୍ନଚାରୀ କଲେ । ବସ୍ତୁତଃ ପାଗଳ କଲେ । ମୁଁ ଲେଖିଲି–‘ତା ଗହଳ କେଶର ଅନ୍ଧାରେ ଖାଲି ଚକ୍‌କକ୍‌ ଦୁଇଆଖି/ ସତେ ଅବା ବିସ୍ତୀର୍ଣ୍ଣ ସାଗରେ ଦୁଇ ନାମହୀନ ଦ୍ୱୀପ ।’ ଆଖି ମୋର ଦୁର୍ବଳତା । ଝିଅମାନଙ୍କର ଆଖିମାନେ ସତେ କେତେ ରୋମାଣ୍ଟିକ୍‌, କେତେ କଥାକୁହା ! ନମ୍ର, ବ୍ରୀଡ଼ାବନତ ଦୁଇ ଆଖି.... ଆଃ.... ଆଖି... ଆଖି.... ଆଖି.....

 

ଆଖି ଚମତ୍କାର ଥିଲା କାନନବାଳାର । ତା ଦେହର ଆକର୍ଷଣ ନୁହେଁ–ମନର ଆକର୍ଷଣରେ ମୁଁ ତା’ ପାଖକୁ ଟାଣି ହୋଇ ଚାଲି ଆସୁଥିଲି । ତା’ର ଆଖିର ଦର୍ପଣରେ ନିଜ ମୁହଁ ଦେଖିବାକୁ, ନିଜକୁ ମାର୍ଜିତ କରିବାକୁ । ଶେଷ ପର୍ଯ୍ୟନ୍ତ ତା’କୁ ମୁଁ ବୁଝିପାରିଲି ନାହିଁ । ଏକ ଅଛିଣ୍ଡା ସରଳକର ଯେମିତି । ତାକୁ କଣ ସତରେ ମୁଁ ଭଲ ପାଉଥିଲି ? ସ୍ନେହ କରୁଥିଲି ? ଭକ୍ତି କରୁଥିଲି-? ନିଜକୁ ହିଁ ନିଜେ ମୁଁ ପଚାରୁଚି–ମୁଁ (= ଶୁଭେନ୍ଦୁ ମୁଣ୍ଡ) ତର୍ଜମା କରୁଛି । ସେ କଣ କେବଳ ବାନ୍ଧବୀ ଥିଲା ? ଆଜି ମୁଁ ସତ କହିବି । ସତ, ସତ; କେବଳ ସତ କହିବି । ସତ ଛାଡ଼ି ମିଛ କହିବି ନାହିଁ । ମୋର କଲମ ସାକ୍ଷୀ । ମେର ହୃଦୟ ସାକ୍ଷୀ । ମୁଁ ତାକୁ ପ୍ରେମ କରୁଥିଲି । ମୋ ଭିତରେ ଅଜସ୍ର ଭଲପାଇବାର କାମନା ନେଇ ମୁଁ ତା ପାଖକୁ ଘଣ୍ଟା ଘଣ୍ଟା କଥା କହୁଥିଲି, ହସୁଥିଲି, ଝଗଡ଼ା କରୁଥିଲି । କିନ୍ତୁ ଦିନେ ହେଲେ ତାକୁ ମନ ଖୋଲି କିଛି କହିପାରି ନାହିଁ । ନିଜକୁ ଧିକ୍‌କାରେ-। ନିଜ ଉପରେ ଅନାସ୍ଥା ଆସେ । ଏକ ଅବୁଝା ପ୍ରହେଳିକା । ଏଇ ଝିଅଟି । ମୋର ଏବଂ ତାର ସମ୍ପର୍କକୁ ବୁଝାଇବାପାଇଁ କୌଣସି ଶବ୍ଦ ନାଇଁ–ଭାଷା ନାହିଁ ଏ ଜଗତରେ ସେ ଏକ ଶୁଦ୍ଧ ଚେତନାମୟ–ନିଶ୍ଚେତନ ଜଗତର ନିଶ୍ଚଳ ଅତିଭୌତିକ ସମ୍ପର୍କ ।

 

ସମ୍ପର୍କ ମୋର ଘନେଇ ଉଠିଥିଲା କାନ୍ତି ସହ । ସେ ଏବେ କେଉଁଠି ? ଶହଶହ କ୍ରୋଶ ଦୂରରେ, କୌଣସି ଏକ ସହରରେ ବର୍ତ୍ତମାନ ସେ ନିଜ ସ୍ୱାମୀ ସହ ଅବସ୍ଥାନ କରୁଛି । ଚମତ୍କାର ସୌନ୍ଦର୍ଯ୍ୟ ତାର କା’ ପରି ? ନାଃ, ତାର ଆଉ ତୁଳନା ନାହିଁ । ତାର ତୁଳନା ସେଇ ନିଜେ । ଏକ ଉନ୍ମାଦଗ୍ରସ୍ତ ଭାବେ ମୁଁ ତାକୁ ପ୍ରେମ କରିବାକୁ ଆରମ୍ଭ କଲି–ପରୀକ୍ଷାରେ ଫେଲ୍‌ ହେଲି । ପରୀକ୍ଷାରେ ଫେଲ୍‌ ହେଲି, କିନ୍ତୁ ଉତ୍ତୀର୍ଣ୍ଣ ହେଲି ତାର ମନର ପରୀକ୍ଷାରେ । ତାର ଅସଂଖ୍ୟ ଚିଠି ଓ ଫଟୋ ଏବେ ସୁଦ୍ଧା ସତେଜ । ମୋର ସ୍ନାୟୁମାନଙ୍କରେ ତାରହିଁ ବେହାଗ ରାଗିଣୀ । ତାକୁ ପ୍ରେମ କରି ମୁଁ ବୁଝିଲି ପ୍ରେମ ଏକ ଉନ୍ମାଦନା ନୁହେଁ; ଉତ୍ତେଜନା ନୁହେଁ ପ୍ରେମ ଏକ ତ୍ୟାଗ । ଏକ ନିରୀହ, ଦ୍ୱିଧାହୀନ ତ୍ୟାଗ । ଆଃ, ସେ ମଧୁର ମୁହୂର୍ତ୍ତଗଣ ! ବୁଝିହୁଏ, ବୁଝେଇ ହୁଏ ନାହିଁ । ଏକ ନିର୍ଜନ ରାତିରେ ସେ ମୋତେ କହିଲା, ‘‘ଏ ଦେହ, ଏ ମନ ସବୁ ତୁମର । ତୁମର ପାଦତଳେ ସବୁ ମୁଁ ଅଜାଡ଼ି ଦେଉଛି ଅକୁଣ୍ଠ ଭାବରେ ।’’ ମୁଁ ନିତାନ୍ତ ଆଦର୍ଶବାଦୀ କୌଣସି ଉପନ୍ୟାସ/ ନାଟକ/ ସିନେମାର ନାୟକ ପରି କହିଲି ‘ତୁମ ଦେହ ମୋ ପାଇଁ ଏକ ପାହାଚ ନୁହେଁ, କାନ୍ତି ତୁମ ମନର ବୈରଖ ତଳେ ମୋତେ ସ୍ଥାନ ଦିଅ ।’’ ନିଃସଙ୍ଗ ମୁହୂର୍ତ୍ତମାନଙ୍କରେ, ସିଗାରେଟ୍‌ର କଳାଧୂଆଁ ର ଆସ୍ତରଣ ମଧ୍ୟରେ ମୁଁ ତାର ସ୍ମୃତିକୁ ଏମିତି ଭାଙ୍ଗିମୋଡ଼ି ଶୂନ୍ୟକୁ ଫିଙ୍ଗି ଦେବାକୁ ଚାହେଁ–ପରାସ୍ତ ହୁଏ । ପରାଜିତ ହେଇଛି କିଏ ? ମୁଁ ନା ସେ ? ଗଭୀର ଅସ୍ୱସ୍ତିର ଆକାଶରେ ମନର ପାରାବତ ଦିଗହଜା ହୁଏ । ଆଚମ୍ବିତ କଥା ! ତଥାପି ସେ ମୋ ଜୀବନର ଦିଗନିର୍ଣ୍ଣୟକ ଧୃବତାରା । ଏକ ଚମତ୍କାର କଠିନ ପରୀକ୍ଷା । ସେ ମୋ ପାଇଁ ଏକ ଐତିହାସିକ ଚରିତ୍ର, ଏବେ ସେ ମୋର ନମସ୍ୟା-। ସେ ମୋର ନମସ୍ୟା ସେ ମୋର ନମସ୍ୟା ।

 

ହଠାତ୍‌ ଉଦ୍‌ଭାନ୍ତ ଭାବରେ ହାତମାନେ ମୋର ଫିଙ୍ଗିବାକୁ ଲାଗିଲେ ସମସ୍ତେ ଡାଏରୀ/ ଫଟୋ/ ପ୍ରେମପତ୍ର ସେଇ ଜଳନ୍ତା ନିଆଁ ଭିତରକୁ । ପ୍ରତିହିଂସା ? ଯେଉଁ ଜ୍ୱଳନରେ ମୁଁ ଜଳୁଛି–ତା’ ତୁମେମାନେ ବୁଝିପାରିବ ନାହିଁ । ଏକ ରକ୍ତ ପିଆଲାର ଦୀର୍ଘନିଃଶ୍ୱାସରେ ଭାରାକ୍ରାନ୍ତ ମୋର ଅନ୍ତର୍ମନ ଏଇ ଚିଠି ଇତ୍ୟାଦିକୁ ଭସ୍ମୀଭୂତ କରି ଦେଇ ସାରି ମୁଁ ଭାବୁଛି, ଏ ଜ୍ୱଳନର ଧାସ କଣ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ ? ମୋ ଜ୍ୱଳନ କଣ କେବେ ଊଣା ହେବ । ବରଂ ଟାଂଟାଲସ୍‌ ପରି ମୁଁ ସଦା ତୃଷାର୍ତ୍ତ । ତୃଷା... ତୃଷା... ତୃଷା... ତୃଷାର ଜ୍ୱଳନରେ ଯେମିତି ଓଠ ଦୁଇଟା ଖଣ୍ଡଖଣ୍ଡ ହୋଇ ଫାଟିଗଲାଣି । ରକ୍ତ ଧାରଧାର ହୋଇ ବହି ଆସୁଛି ଓଠର କ୍ଷତମାନଙ୍କରୁ–ତୃଷାରେ ଆତୁର ଜିଭ ମୋର ଅସ୍ଥିର ଭାବେ ଓଠ ଉପରେ ବୁଲି ଯାଉଛି–ଚାଟି ଯାଉଛି । ମୋ ନିଜର ରକ୍ତତ ମୁଁ ଚାଖି ନଥିଲି କେବେ । ତୃଷା କିନ୍ତୁ ମେଣ୍ଟୁ ନାହିଁ... ତୃଷାକୁ ଲାଗିଛି ତୃଷା....ଏ ଅଛିଣ୍ଡା ଗୁଣନ ଭଳି ଚଢ଼ିଚାଲିଛି ସେ ଏବଂ ମୁଁ ଓ ମୋର ଜିଭ ନିଳ ଓଠରୁ ରକ୍ତ ଚାଟିବାରେ ଲାଗିଛୁ !

Image

 

ସେ

 

ସନ୍ଧ୍ୟା ସମ୍ପୂର୍ଣ୍ଣ ଯାଇନାହିଁ । ରାତି ସମ୍ପୂର୍ଣ୍ଣ ଆସିନାହିଁ ।

 

ଗୋଧୂଳି ବେଳ । ଧୂସର ଆକାଶର ପଶ୍ଚିମ ଦିଗନ୍ତରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଅସ୍ତ; ଅଥଚ ଲାଲିମା ଏ ଯାଏଁ ରହିଛି ।

 

ଏମିତି ସମୟରେ ଇସ୍ମାଇଲ୍‌ ପାର୍କରେ ବସିବାକୁ ଭଲପାଏ । ଦିନ ସାରା ବ୍ୟସ୍ତତା, କଲେଜ୍‌ ନେତାଗିରୀ ଇତ୍ୟାଦିଠାରୁ ଅନେକ ଦୂରରେ ଇସ୍ମାଇଲ ପାର୍କର ଏକ ନିର୍ଜନ କୋଣରେ ଏକ ବାଲ୍ୟ ବିଧବା ପରି ପଡ଼ିରହିଥିବା ସିମେଣ୍ଟର ନାତିଶିତୋଷ୍ଣ ବେଞ୍ଚରେ ବସି ରାତ୍ରିର ପ୍ରଥମ ପ୍ରହରକୁ ଅପେକ୍ଷା କରେ । ଚାର୍ମିନାରର ଗାଢ଼ ନୀଳ ଧୂଆଁର କୁଞ୍ଚିତ ମେଘ ଆଉ ସନ୍ଧ୍ୟାର ଅନ୍ଧାର ଧିରେ ଧୀରେ ଏକାତ୍ମ ହୋଇଉଠନ୍ତି । ରାତ୍ରି ଆଉ ଏଞ୍ଜେଲିନା ପ୍ରାୟ ଏକ ସଙ୍ଗରେ ଆସନ୍ତି ।

 

ଏଞ୍ଜେଲିନା ଡାକ୍ତରଖାନାରେ ନର୍ସ । କ୍ଳାନ୍ତ, ମୃତ୍ୟୁକାତର ରୋଗୀମାନଙ୍କ ସଙ୍ଗରେ ରହିରହି ଏଞ୍ଜେଲିନାର ମୁହଁ ପ୍ରାୟ ପାଣ୍ଡୁର–ସାଦା । କିନ୍ତୁ ଚମତ୍କାର ତାର ଦୁଇଟି ନୀଳ ଆଖି । ନିର୍ଜନ ରାତିରେ ବଂଶୀର ଏକ କରୁଣ ରାଗିଣୀ ପରି ଉଦାସ..... ନରମ... ମଧୁର ।

 

କମ୍ରେଡ୍‌ ଇସ୍ମାଇଲ ସେଇ ଆଖି ପାଇଁ ପାଗଳ ।

 

ସେଦିନ ।

 

ସନ୍ଧ୍ୟାର କ୍ଳାନ୍ତ ପବନ ବହି ମଧ୍ୟ ବହି ପାରୁନଥାଏ ଯେପରି । ସନ୍ଧ୍ୟାର ସେଇ ଛାୟାନ୍ଧକାର ପରିବେଶରେ ନାମ ଜଣାନଥିବା ଚଢ଼େଇମାନଙ୍କ ଉଲ୍ଲସିତ କୋଳାହଳ ମଧ୍ୟରେ ସହରର ଲୋକଙ୍କ କ୍ଳାନ୍ତ ଗୁଞ୍ଜରଣ । ଏଞ୍ଜେଲିନାର ଶେମ୍ପୁକରା ବାଳ ପବନରେ ଫୁରଫୁର ଉଡ଼ୁଛି । ତାର ଚମ୍ପା ଫୁଲ ରଙ୍ଗର ବାଳକୁ ସଜାଡ଼ୁ ସଜାଡ଼ୁ ଇସ୍ମାଇଲ ତନ୍ମୟ ହୋଇ ପଡ଼ିଲା ।

 

ଇସ୍ମାଇଲର ଆତ୍ମ ବିସ୍ମୃତ ସେହି କ୍ଷଣରେ ଏଞ୍ଜେଲିନା ଘୋଷଣା କଲା ଯେ ସେ ଗର୍ଭବତୀ । ଇସ୍ମାଇଲର ପ୍ରତିରୂପ ତାର ଜରାୟୁରେ । ତାର ପ୍ରସ୍ତାବ : ଅତି ଶୀଘ୍ର ବିବାହ ହେଇଯାଉ । କିନ୍ତୁ ଇସ୍ମାଇଲ ଆଉ ଏଞ୍ଜେଲିନା ମଧ୍ୟରେ ମନୁଷ୍ୟ କୃତ ଏକ ବିରାଟ ପ୍ରାଚୀର ।

 

: ସିଭିଲ୍‌ ମେରେଜ୍‌ ?

 

: ମଣିଷର ଗଢ଼ା ଗୋଦାମ ରଦ୍ଦି ଆଇନକାନୁନ୍‌ ମୁଁ ମାନେ ନା ।

 

: କିନ୍ତୁ.....

 

: ସେଇ ତଥାକଥିତ ଆଇନର କଳଙ୍କିତ ଛତ୍ରଛାୟାତଳେ ମୁଁ ମୋର ‘ଭଲପାଇବା’କୁ ସମାଜସ୍ୱୀକୃତ କରିବାକୁ ଚାହେଁନା-

 

: ଗୀର୍ଜ୍ଜା... ବା ମସ୍‌ଜିଦ୍‌....

 

: ଭଗବାନ ମାନେ ଏକ ପ୍ରତାରଣା, ଏକ କିମ୍ଭୂତକିମାକାର ଛଳନା ।

 

: କିନ୍ତୁ ଭଗବାନ ସୃଷ୍ଟି, ପାଳନ ଓ ସଂହାର.......

 

: ଧର୍ମ ଏକ ଅଫିମ ।

 

: କିନ୍ତୁ ମୋ ପେଟରେ.....

 

: ଏବର୍ସନ....

 

: ନା ! ଚିତ୍‌କାର କରି ଉଠିଲା ଏଞ୍ଜେଲିନା ।

 

ଦୁଇଟି ସମାନ୍ତର ସରଳରେଖାକୁ ଇନ୍‌ଫିନିଟିରେ ସେମାନେ ମିଶିବାକୁ ଛାଡ଼ିଦେଲେ ।

 

କୌଣସି ଏକ ଅବଚେତନ ମୁହୂର୍ତ୍ତରେ କିପରି ବାସନ୍ତୀ ଇସ୍ମାଇଲକୁ ଭଲପାଇ ବସିଲା.... ତା’ ସେହିଁ ଜାଣେ । ଅତ୍ୟନ୍ତ ଭାବପ୍ରବଣ କିନ୍ତୁ ଏଇ ଝିଅଟି । ତାର ଶରୀର ପାଇଁ କି ଭାବପ୍ରବଣତା ପାଇଁ କେଜାଣି ଇସ୍ମାଇଲ ମଧ୍ୟ ତା’ ପ୍ରତି ଆସକ୍ତ ହୋଇ ଉଠିଲା । ଇସ୍ମାଇଲର ଅନ୍ୟମନସ୍କତା, ଅପରାଧି ପରି ଆଖି.... ଏବଂ ରୋଜୀ ! ରୋଜୀକୁ ମଧ୍ୟ ହଠାତ୍‌ ଭଲ ପାଇ ବସିଲା ଇସ୍ମାଇଲ୍ । ବାସନ୍ତୀ ଭାବିଥିଲା ଇସ୍ମାଇଲ ସହ ବାହାସାହା ହୋଇ ଏକ ସୁଖର ସଂସାର ଗଢ଼ିବ ସେ !

 

କିନ୍ତୁ ଇସ୍ମାଇଲ......

 

ବାସନ୍ତି ସହିପାରିଲାନି, ତାର ପ୍ରେମିକ ଆଉ କାହାରି ବାହୁବନ୍ଧନରେ ନିଜକୁ ହଜାଇଦେଉ ! ନାରୀ ସହଜେ ଈର୍ଷାପରାୟଣା । ଇସ୍ମାଇଲ ସହ ସଂବଧ ବିଚ୍ଛେଦ କରିବାବେଳେ ସେ ଲେଖିଲା : ‘‘ଇସ୍ମାଇଲ, ଜାଣିନଥିଲି, ତୁମେ କୁନ୍ତୀ ବା ଦ୍ରୌପଦୀ ପରି ଏକ ପୁରୁଷ ବେଶ୍ୟା । ଆଉ କେତେଜଣ ତୁମ ଟାର୍ଗେଟ୍‌ ? ଭଲ ପାଇବା ତୁମ ପାଇଁ ଏକ ଖେଳ ହୋଇପାରେ, କିନ୍ତୁ ମୋ ପାଇଁ ପ୍ରେମ ମୋର ଦେହଠାରୁ ଆହୁରି ମୂଲ୍ୟବାନ । ମୋ ସାଙ୍ଗରେ ତୁମେ ଆଉ କୌଣସି ସମ୍ପର୍କ ରଖିବା ଦରକାର ନାହିଁ ।’’

 

ପ୍ରତିମା–କେତେ ନମ୍ବର ପ୍ରେମିକା ଇସ୍ମାଇଲର ? ଏଠି କିନ୍ତୁ ଧୋକା ଖାଇଲା ଇସ୍ମାଇଲ-। ବାହା ପୂର୍ବଦିନ ରାତିରେ ପ୍ରତିମା ଇସ୍ମାଇଲକୁ ଚିଠି ଲେଖିଥିଲା : ‘‘ତୁମେ ମୋ ପାଇଁ ଯୋଗ୍ୟ ନୁହଁ ବୋଲି ନକହି, ଆମେ ଦୁହେଁ ଜୀବନରେ ବୁଝାମଣା ସହ ବଞ୍ଚିପାରିବୁନି ବୋଲି ବରଂ ଲେଖୁଛି-। ମୋର ଜୀବନରେ ତୁମ ସମ୍ପର୍କଜନିତ ଅନେକ ରତିର ଦାଗକୁ ଲିଭେଇ ମୁଁ ସତୀତ୍ୱର ସିନ୍ଦୂର ମାଖିବାକୁ ଯାଉଛି । ଆଶାକରେ, ମୋତେ ଭୁଲିଯିବ ।’’

 

ଇସ୍ମାଇଲ ପ୍ରତିଶୋଧ ନେଲା ନିଜ ପ୍ରତି, ତାର ପ୍ରେମିକାମାନଙ୍କ ପ୍ରତି । ପ୍ରତିମାର ସାନ ଭଉଣୀ ନିର୍ମଳା... ଏକ ଅନାଘ୍ରାତା ଫୁଲର ସୁରଭି.... ଏକ ନିର୍ଜନ ଦ୍ୱୀପର ଝାଉଁବତୀର ସ୍ୱର... ତା’ ଉପରେ ପ୍ରତିଶୋଧ ନେଲା ଇସ୍ମାଇଲ । ଘରେ କେହି ନଥିବା ଅବସ୍ଥାରେ । ଦିନେ ନିର୍ମଳା ଓ ଇସ୍ମାଇଲ ଏକା ସାଙ୍ଗରେ ଥିବାବେଳେ ନିର୍ମଳାର ବାପା ହଠାତ୍‌ ଦେଖି ପୋଲିସରେ ହେଂଡ୍‌ଓଭର୍‌ କରିଦେଲେ ।

 

ନିରାଶ ପ୍ରେମିକ, ବିପ୍ଳବୀ ଇସ୍ମାଇଲ ବିଶ୍ୱ-ବିଦ୍ୟାଳୟ ପରୀକ୍ଷାରେ ବାରମ୍ବାର ଅକୃତକାର୍ଯ୍ୟ ହେବାପରେ ନିଜ ଗାଁକୁ କର୍ମକ୍ଷେତ୍ର ବାଛିନେଇ ଜମି ଦଖଲ, ଫସଲ ଦଖଲ ଆନ୍ଦୋଳନରେ ସକ୍ରିୟଭାବେ ଭାଗନେଲା । ଫଳତଃ ବାରମ୍ବାର ଜେଲର ଅତିଥି ହୋଇ ତାର ପ୍ରତିଶୋଧପରାୟଣତା ଦୋହଲିଗଲା ।

 

ଶେଷରେ ନିଜ ଜାତିର ଏକ ଅନାମଧ୍ୟେୟ ଷୋଡ଼ଶୀକୁ ବିଭା ହେଲାବେଳେ ସେ ଘୋଷଣା କଲା : ଏଇ ବିବାହ ମୋ ପାଇଁ ଏକ ଖୁସିର ଉତ୍ସବ ! କାରଣ ଆଜି ମୋର ବୈପ୍ଳବିକ ଜୀବନ ପାଇଁ ଜଣେ ସାଥି ମିଳିଗଲା ।

 

ହିପ୍‌ଟୋଜେନ୍‌ / ମୋଦକ ଆଉ ଦାଢ଼ି ଲମ୍ବେଇ ସହର/ ଗ୍ରାମ/ ଜନପଦମାନଙ୍କରେ ବିପ୍ଳବ କରୁଥିବା ଇସ୍ମାଇଲ ବର୍ତ୍ତମାନ ଶାସକ ଦଳର ଏକ ଟ୍ରଂପ୍‌କାଡ଼୍‍ ।

Image

 

ଏକାନ୍ତ ଗୋପନୀୟ

 

ଏତେବେଳକୁ ମୁଁ ରାଗି ଗଲିଣି । ରାଗିବା କଥା ନୁହେଁ କି ? ବସ୍‌ ଚାଲିବା କଥା ଏତେବେଳକୁ । ଜାଣନ୍ତି ନାଇଁ ସେମାନେ, ମୋ ପାଖରେ ସମୟର ମୂଲ୍ୟ କେତେ ! ଆଃ, ଏକା କ୍ଷେପାକେ ଯଦି ପହଞ୍ଚିଯା’ନ୍ତି ଗାଁରେ ମୋର ଲୋଭନୀୟ ଗାଁରେ ! କେତେ ମଜ୍ଜା ନ ହୁଅନ୍ତା ସତରେ ! କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ଦେଖ, ଏପର୍ଯ୍ୟନ୍ତ ବସ୍‌ ଷ୍ଟାଟ୍‌ ବି କରିନି ! ଅନ୍ତତଃ ଇଞ୍ଜିନର ସଁ ସଁ ମନୋଟନୀ ଏକ ଛନ୍ଦ ସୃଷ୍ଟି କରନ୍ତା ଗତିର, ପ୍ରତ୍ୟୟର । ଅବଶ୍ୟ ଇଚ୍ଛାକଲେ ବସ୍‌କୁ ମୁଁ ଗଡ଼େଇ ଦେଇପାରେ । ଡ୍ରାଇଭର୍‌କୁ ଡରେଇ ଦେଇପାରେ–‘ଦେଖ ବାପଧନ, ଭଲ ଗତି ଅଛି ତ ସିଧା ଗାଡ଼ି ଚଲାଅ । ତୁମ ନିଶକୁ ଆଉ ମଦୁଆ ଆଖିକୁ ମୁଁ ଡରେନାଇଁ । ମୁଁ ଏବେ ଇଚ୍ଛାକଲେ ଅନତିଦୂରରେ ଥବା ବନ୍ଧୁମାନଙ୍କୁ ଡାକି ହୈଚୈ ସୃଷ୍ଟି କରି ଦେଇପାରେ । ଆଜି କେତେ ଭିଡ଼ । ମଣିଷ–ମଣିଷ ଚିପାଚିପି । ଧସ୍ତାଧସ୍ତି । ଅନେକ ଦେହର ମିଶ୍ରିତ ଗନ୍ଧ । ଝାଳ, ଅତର, ପାନ, ସିଗ୍ରେଟ, ତେଲ–ସବୁର । ମୋ ପାଖରେ ବସିଥିବା କୃଶକାୟ ଲୋକଟି ! ତା’କୁ ମୁଁ ଦୟା କରିବାକୁ ଆରମ୍ଭ କରିଛି । ଲୋକଟିର ବାଳ ଅସ୍ତବ୍ୟସ୍ତ–ଅବ୍ୟବହୃତ ଗୋଚର ପଡ଼ିଆ ପରି । ଆଖିମାନ ‘ଖୋଜୁଛି, ପାଉନାଇଁ’ ଭଙ୍ଗୀରେ ଆନତ । ତଳ ଓଠ ଲମ୍ବି ଯାଇଛି ଖରାମାସର ଶୁଖିଲା ଗାଡ଼ିଆ ପରି । ଶିରାଳ ବାହୁ । ଅସଂଯତ ପୋଷାକ । ତା’ ପାଖର ଲୋକଟିକୁ ଦେଖିଲେ ମନେହେବ, ନାକଟିକୁ ବାଦଦେଲେ ତା’ର ବ୍ୟକ୍ତିତ୍ୱଇ ନାଇଁ । ଆଖିମାନ ଲେନ୍‌ସ ତଳେ ‘ରକ୍ଷାକର ହେ ମନ୍ଦର ଗିରିଧର’ ଭଙ୍ଗୀରେ ଜୁଳୁଜୁଳୁ । ପାଖରେ ଜଣେ ଭଦ୍ରଲୋକ ‘ଆଜ୍ଞା ଟିକେ ଆଡ୍‌ଜଷ୍ଟ କରିନେବା’ ଭଙ୍ଗୀରେ ଅନେକ ବେଳୁ ଠିଆ ହେଇଛନ୍ତି । ତା ଆଗକୁ ପଛକୁ ଲୋକ ଧାଡ଼ି ଧାଡ଼ି ସୁନ୍ଦର ମାଇଝିଟାଏ ବି ଠିଆ ହେଇଛି । ଉପର ଛାତରୁ ଲଟକିଥିବା ବାର୍‌କୁ ଡାହାଣ ହାତରେ ମୁଠେଇ ଧରି ବାଆଁ ହାତକୁ ନିକଟତମ ସିଟ୍‌ର ବାଡ଼ରେ ଥୋଇଛି । ଗୋଲାପି ରଙ୍ଗର ପତଳା ଶାଢ଼ି । କାଖରେ ଝାଳ । ସୁସ୍ଥ-ସୁନ୍ଦର ଦେହ । ୟେ କିଏ ? ତାର ବାପା, ସ୍ୱାମୀ କିମ୍ବା ପ୍ରେମିକା କାହାନ୍ତି ? ସେ ଏଇଠି ବସନ୍ତା କି ! ମୋ ପାଖରେ । ଆଃ, ଏ ବାଜେ ଲୋକଗୁଡ଼ାକ ଏଠି ବସି ନଥାନ୍ତେ କି ! ତା’ର ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ତା’କୁ ଜାଗାଖଣ୍ଡେ କରିଦେବା ଦରକାର । ବସ୍‌ ଷ୍ଟାର୍ଟ ହେଲାଣି । ହର୍ଣ୍ଣ ଦେଉଛି । ମାନେ ଯଦି ଆଉ କିଏ ଆଡ୍‌ଡ଼ା ମାରୁଛ, ଆସ । ଯିବାବେଳ ହେଲା । କଣ୍ଡକ୍ଟରମାନେ ସବୁବେଳେ ଅଭଦ୍ର । ଯଦି ମହିଳା ସିଟ୍‌ ଭରତି ହୋଇଗଲା, ଜାଗା ସୃଷ୍ଟିକର । କିନ୍ତୁ ଯଦି ଏକଥା ମୁଁ ସଚେତନ କରେଇ ଦିଏ, ବସ୍‌ଯାକ ସମସ୍ତେ ଭାବିବେ ମୁଁ ଦେଖେଇ ହେଉଛି । ଅବଶ୍ୟ କାହାର କଥାକୁ ମୁଁ କେୟାର୍‌ କରିବା ଲୋକ ନୁହେଁ । ଅନ୍ତତଃ ଏ ରୁଟ୍‌ରେ । ଶଳା ଯେଉଁଠି ବୋଇଲେ ସେଇଠି ଧରି ଦୁଇ ବକ୍‌ସିଂ ଲଗେଇ ଦେବି । ସେ କଥାକୁ ଡର ନାଇଁ ଯେ, କଥା ହେଲା ମାଇଝିଟା କ’ଣ ଭାବିବ ! ମୁଁ ତାକୁ ପଟଉଛି ବୋଲି ଭାବିପାରେ । ନାଃ, ବରଂ ଏପରି ଏକ ଛୋଟ କଥାରେ ମୁଣ୍ଡ ନ ଘୂରେଇଲେ ଭଲ । ବସ୍‌ ଏବେ ଚାଲିବାକୁ ଆରମ୍ଭ କଲାଣି । ବାଃ ବାଃରେ ମଦମସ୍ତ ଚାଲି ! ଏଠୁ ଘର ଏକଚାଳିଶ ମାଇଲ । ଯଦି ଗାଡ଼ି ଅନ୍ତତଃପକ୍ଷେ କୋଡ଼ିଏ ମାଇଲ ଗତିରେ ଯାଏ, ଦୁଇଘଣ୍ଟା । ଷ୍ଟପେଜ ଧର ଘଣ୍ଟାଏ: ଏମିତି ତିନିଘଣ୍ଟା । ବୋଇଲେ ଦଶଟା ବେଳକୁ ଷ୍ଟେସନରେ । ସେଠୁ ସାଇକେଲରେ ତିନି ମାଇଲ । କୋଡ଼ିଏ ମିନିଟ୍‌ । ମୋଟାମୋଟି ସାଢ଼େ ଦଶ ବେଳେ ଘରେ । ବାପା ଏବେ କ୍ଷେତରେ ଥିବେ । ମା’ ରନ୍ଧାଘରେ ବସି ପରିବା କାଟୁଥିବ, ଆଉ ବୋହୂ କରେଇରେ କ’ଣ ଗୋଟାଏ ଛୁଁ ଛାଁ ଚଲେଇଥିବେ । ରାଜୁ ଆଉ ମିନୁ ସ୍କୁଲ ଯାଇଥିବେ । ଦାଦା ଭଲ । ଦୁଇଟି ସନ୍ତାନବାଲା । ବୋହୂକୁ ଦେଖୁନ । କିଏ ଦେଖିଲେ କହିବ ବାହାହେଇ ଏଗାର ବର୍ଷ ହେଲାଣି, ଦୁଇଟା ଛୁଆ ହେଲେଣି ବୋଲି ? ଚକାମକା ଓସାର ପିସାର ମୁହଁ । ଛାଞ୍ଚରେ ଗଢ଼ାସବୁ ଯେମିତି । ଏତେ ବଡ଼ ସିନ୍ଦୂର ଟୋପା । ଈଷତ୍‌ ଶ୍ୟାମଳ ଦେହ ରଙ୍ଗ; ଭାଦ୍ରବ ମାସର ଧାନ କିଆରି ଭଳି । ଦେଖିଲେ କିପରି ମା’ ମା’ ପରି ଲାଗେ । ମୋତେ କେତେ ଭଲ ପାଆନ୍ତି । ମା’ର ଇଚ୍ଛା ଆସନ୍ତା ବର୍ଷ ମୋର ବାହା କରେଇ ଦିଅନ୍ତା । ଛି ଛି, ଏତେ ଜଲଦି ! ଏଇ ବର୍ଷ ତ କଲେଜକୁ ପଶିଚି, ବୋହୂ ବିରଝେଇ କରି କହନ୍ତି, ‘‘ସବୁ ସମ୍ଭାଳି କରି ରଖିଥା’ ହୋ ବାବୁ, ନହେଲେ ପଛେ ଜମିରେ ହାଡ଼ିପାଣ ଧାନ ବୁଣିଦେବେ !’’ କେତେ ଲାଜ କଥା । ମା’ ବୋହୂକୁ କହିଲା, ‘ଛିଃ ଏପରି କଥା କହନା ।’ ବାପା ଚାରା ଚାରିଟା ଆଣିଥିଲେ ରୋପିବାପାଇଁ । ମୁଁ କହିଲି, ‘ମୋର ହାତରେ ଗଛ ଜୀଏଁ ନାଇଁ ।’ ବୋହୂ କହିଲେ, ‘ତୁମ ହାତରେ ଗଛ ତ ଜୀଉଁନି, କିଛି ଜୀଇଁବନି ତା’ ହେଲେ । ଧେତ୍‌, ଏମିତି ହାତ ତୁମର-!’ ମୁଁ କିଛି ବୁଝିବା କହିବା ପୂର୍ବରୁ ମା, ଧପଡ଼େଇଦେଲେ । ଏଃ, ମାଇଝିଟା ଶୋଇପଡ଼ିଲା ନା କଣ-? ୟା’ର ଅସହାୟତାରେ କିଏ ଯଦି ଫାଇଦା ଉଠାଏ ! କାହାର ସାହସ ଅଛି ? ନାଃ, କିଛି କେହି କରି ପାରିବେନି । କେହି ସାହସ କଲେ ଦେବି ଯେ ମୁଥେ, ନାଗରପଣ ଛାଡ଼ିଯିବ । ଏ ପୁଣି ଗୋଟେ କି ଷ୍ଟେସନ ? ବୋରିଂ । ଭିଡ଼ ଊଣା ପଡ଼ିଗଲାଣି । ପାଖ ଲୋକମାନେ ଉଠୁଛନ୍ତି-। ତାଙ୍କୁ ଡାକିବି କି ? ଆହା, କେତେ ସୁବାସ ତାଙ୍କ ଦେହରେ, ଅତର କି ପାଉଡ଼ର ଲଗେଇଛନ୍ତି ଯେ-! ଏଠି ବସନ୍ତେ କି ? ଆସନ୍ତୁ ଆଜ୍ଞା, ସିଟ୍‌ ଖାଲିହେଲା । ସେ ଈଷତ୍‌ ହସୁଛନ୍ତି । ‘ହଉ, ବୁଝିଗଲି’ ଭଙ୍ଗୀରେ ମୁଣ୍ଡକୁ ଲାଡୁଛନ୍ତି । ଏପରି କହିବାର ଅର୍ଥ କ’ଣ ? ସେ କଣ ମୋତେ ସନ୍ଦେହ କରୁଛନ୍ତି-? ଝର୍କା, ପାଖରେ ବସିବେ ? ବସନ୍ତୁ, ବସନ୍ତୁ ।’ ଚାଃ ଭିକ୍ଟରୀ ! ମାଇଝିଟାରେ କେଡ଼ଷ ଦେହ; ଘଷି ହୋଇଗଲା ଆଣ୍ଠୁରେ । ଠିକ୍‌ ଭାଉଙ୍କ ଛାତି ଆଉ ପିଚା ପରି । ଆଉ ବର୍ଷ ଦୁଇଟା ପରରେ ପୁଷ୍ପା ବି ଏମିତି ମୋଟୀ ହୋଇଯିବ କି ? ଝିଅମାନେ ସ୍ଳିମ୍‌ ହେବା ଦରକାର । ଅବଶ୍ୟ, ଭାଉଜ, ପୁଷ୍ପା, ଏ ମାଇଝି–କେହି ମଧ୍ୟ ମୋଟୀ ନୁହନ୍ତି; ବରଂ ମାଂସଳ, ସୁଶ୍ରୀ ଦେହ କୁହାଯାଇପାରେ-। ଆରେ ଦେଖ, ମୁଁ ପୁଷ୍ପାକୁ ଭୁଲିଯିବାର ଓଥ୍‌ ନେଇ ବି ତା କଥା ଭାବିଦେଲି । ସେ ବାରମ୍ବାର ମନେ ପଡ଼ୁଛି । ପୁଷ୍ପାର ବାହାଘର ଏ ବର୍ଷ । ମୁଁ ତାକୁ କହିଚି, ନିଜେ ଯୋଗ୍ୟ ନହେଲା ପର୍ଯ୍ୟନ୍ତ ତାକୁ ବିବାହ କରିପାରିବିନି । ତା’ର ବାପା ମା’ କିନ୍ତୁ ଭାରି ହରବର । ଝିଅ କୁଆଡ଼େ ଘରଯୋଗ୍ୟା ହୋଇ ରହିଗଲେ ଗନ୍ଧେଇଯାଏ । ଛି, କି ଅଜବ ଧାରଣା ! ସହରରେ ଝିଅମାନେ କେତେ ସ୍ମାଟ୍‌-! ଆମ କ୍ଲାସର ସନ୍ଧ୍ୟାକୁଇ ଦେଖ ! କେମିତି ଏକ୍‌ଷ୍ଟ୍ରୋଭଟ୍‌ । କେତେ ସୁନ୍ଦର କଥାବାର୍ତ୍ତା । ମୋତେ ନୋଟ୍‌ ମାଗେ । ମୁଁ ଭଲ ଛାତ୍ର ବୋଲି । ଶୁଣିଛି, ଝିଅମାନେ ନୋଟ୍‌ ମାଗୁମାଗୁ ପ୍ରେମ କରିବସନ୍ତି-। ମୁଁ ତୁମ ଫାନ୍ଦରେ ପଡ଼ିବା ଲୋକ ନୁହେଁରେ ବାବୁ । ବୁଝିଲ, ମୋର ଟ୍ରୁଲଭ୍‌ । ଉଆନ୍‌ସ ଲଭ୍‌ଡ଼, ଦେଟ୍‌ସ ଅ’ଲ୍‌ । ପୁଷ୍ପା, ମାଇ ପୁଷ୍ପା । ଆଇ ଲଭ୍‌ ୟୁ । ଓନ୍‌ଲି ୟୁ । ତୁମେ ବାହା ହେଇଯିବ-? ଚିନ୍ତା ନାଇଁ । ପ୍ରେମ ଅମର ! ଇଃ, ଜଙ୍ଘରେ କଣ ସଲସଲ ହେଉଚି ? ଉନ୍ମାଦନା । ସେନ୍‌ସେସନ୍‌-। ଭଦ୍ରମହିଳା ଜଣକ ଝରକା ବାଡ଼ରେ ହାତକୁ ଭାଙ୍ଗି, ବାହୁ ଉପରେ ମୁଣ୍ଡକୁ ଲଦି ଶୋଇ ଯାଇଛନ୍ତି, ଆଉ ବା ହାତଟା ସୂର୍ଯ୍ୟମୁଖୀ ଫୁଲ ପରି ହାତ) ମୋ ଜଙ୍ଘରେ ପଡ଼ିଛି । ମୁଁ ବର୍ତ୍ତମାନ କ’ଣ କରିବା ଉଚିତ ? କି ଚମତ୍କାର ଚେହେରା । ସୁନ୍ଦର ଦେହ । ଏପ୍ରିଲ୍‌ । ମୁଦ୍ରିତ ଆଖି । ପବନରେ ବାଳସବୁ ଉଡ଼ୁଛନ୍ତି । ବାଁ ଗୋଡ଼ ମୋର ଡାହାଣ ଗୋଡ଼ରେ ଆଉଜି ହୋଇ ରହିଛି । ମୁଁ ଏବେ ଇଚ୍ଛାକଲେ ତାଙ୍କର ଜଙ୍ଘ ଉପରେ ମୋର ଡାହାଣ ହାତକୁ ରଖିଦେଇପାରେ । ଶୋଇବାର ଅଭିନୟ କରି ମୋଡ଼ ବୁଲିବାବେଳେ ତାଙ୍କ ଛାତି ଉପରକୁ ବା କୋଳକୁ ଆଉଜି ଯାଇପାରେ । ମୁଁ ଶୋଇବାର ଅଭିନୟ କଲି । ତାଙ୍କ ହାତ ମୋ ଜଙ୍ଘ ଉପରେ ଏବଂ ମୋର ହାତ ତାଙ୍କ ଜଙ୍ଘ ଉପରେ-। ସେ ନିର୍ଲିପ୍ତ । ମୁଁ ତାଙ୍କ ଦେହକୁ ଆଉଜିଲି । ସେ ନିର୍ବିକାର । କି ଏକ ତାପରେ ଦେହଟା ଜଳି ଉଠୁଛି ଯେପରି । ଥରି ଯାଉଛି ଯେପରି ଲୁହର ମାଡ଼ରେ । ବସ୍‌ ଜର୍ଜ୍‌ ଦେଉଛି । ଅଦ୍‌ଭୁତ ଶୀହରଣ-। ମୁଁ ପୁଷ୍ପାକୁ କେବେ ଆଲିଙ୍ଗନ କରିନାଇଁ । ଥରେ ସେ ଶୋଇଥିବା ବେଳେ ଚୁମା ଦେଇଛି-। ସେ ଉଠିପଡ଼ି ତାର ଦେହକୁ ମୋ ଦେହରେ ମିଶେଇ ଦେଇଛି । କଟ୍‌ । ଲାଇଟ୍‌ସ୍‌ ଅନ୍‌ । ରଙ୍ଗବଦଳାଅ-। ହଉ ପୁଷ୍ପା, ତୁ ସୁଖୀ ହ’ । ଜୀବନ ଖୁବ ଲମ୍ବା । ତୋତେ ଭୁଲିଯିବି ନିଶ୍ଚୟ । ବାଁ ମୋଡ଼-। ସେ ମୋ ଉପରେ ସମ୍ପୂର୍ଣ୍ଣ ଭାବରେ । ସୌଭାଗ୍ୟକୁ ମୋ ବାଁ ପାଖରେ କେହି ବସିନାହାନ୍ତି-। ମୁଁ ଅଧା ପଡ଼ିଗଲି । ମୋ ଉପରେ ସେ । ଚେଇଁ ପଡ଼ିଲେ ସେ । ହସି ହସି କହିଲେ, ‘ରାଗିଲ କି-? ଶୋଇ ପଡ଼ିଥିଲି ।’ ମୁଁ କାହିଁକି ବା ରାଗନ୍ତି-? ଏ ତ ତାଙ୍କର ଦୋଷ ନୁହେଁ । ଦୋଷ ଶଳା ଡ୍ରାଇଭରର-। ଆଉ ୟେ ବି ଏମିତି ବେଧଡ଼କ୍‌ ଶୋଇବା ଉଚିତ ନଥିଲା । ସେ ଆଉ ଶୋଉ ନାହାନ୍ତି । ବାହାରର ଦୃଶ୍ୟ ଦେଖୁଛନ୍ତି-। ହଠାତ୍‌ ମୋଆଡ଼େ ଅନେଇ ପଚାରିଲେ, ‘କେଉଁଠି ଓହ୍ଲେଇବ ?’ ତାଙ୍କ କଣ୍ଠଟା କେମିତି ବର୍ଷାଭରା ବାଦଲ ପରି ଭିଜାଭିଜା କାହିଁକି ? ଏତେ ଉଦାସ ? ତା’ ପରେ ଆମର କଥାବାର୍ତ୍ତା । ଶଳେ, ଈର୍ଷା କରୁଛ-? ପଟଉଚି ବୋଲି ଭାବୁଛ ? ବୁଝିଲ ମାଇକିନାମାନଙ୍କ ଆଖିସବୁ X-Ray ଭଳି-। ତୁମକୁ ଦେଖୁଦେଖୁ ମନକଥା ଜାଣିନେବେ । ମୋ ପରି ଭଦ୍ର ଏବଂ ବିନୟୀ ଲୋକ ସାଙ୍ଗରେ କଥା ନ କହି ତୁମମାନଙ୍କ ସଙ୍ଗେ କଥାବାର୍ତ୍ତା ହେବେ ? ତୁମେମାନେ ଯା’ ପାଇଁ ମହୀଷି ଓ ମାଇକିନା ମଧ୍ୟରେ କିଛି ପ୍ରଭେଦ ନାହିଁ । ଏ ଭିତରେ ଦେଢ଼ଘଣ୍ଟା ବିତିଗଲାଣି-। ୨୮/୭ । ମାନେ ଆଉ ବାରମାଇଲ ଏକ ଫର୍ଲଙ୍ଗ । ମୁଁ ଓହ୍ଲେଇଯିବି, ସେ ରହିଯିବେ-। ପୁଣି ଗୋଟାଏ ଷ୍ଟେସନ । ୟା’ ପରେ ଆଉ ଗୋଟେ । ତା’ ପରେ ଆମ ଷ୍ଟେସନ । ସେ କହୁଛନ୍ତି ମିଠା ଆଣିବାକୁ । ହଁ, ଟିକେ ବୁଲାବୁଲି କରିଦେବା । ଏ ତ ବିବାହିତା ନୁହନ୍ତି ! କିଛି ପଚାରିବି କି-? ନାଁ, ଆଗ ମିଠା ଆଣେ । ଆରେ ମୋତେ ଖାଇବାକୁ ବାଧ୍ୟ କରୁଛନ୍ତି କିଆଁ ? ହଉ ଖାଇଦେବା-। କ’ଣ ପ୍ରଶ୍ନ କରାଯାଇପାରେ-? କିନ୍ତୁ ଏ ମାଇଝିର ମୁହଁରେ ସବୁ ପ୍ରଶ୍ନର ଉତ୍ତର ଆଗରୁ ଯେମିତି ଲେଖାହୋଇ ରହିଛି । ବାଃ ବାଃ, ଏତେ ଚମତ୍କାର ମାଇଝି । ଦେଖ୍‌ ପୁଷ୍ପା, ଏମିତି ବି ଥାନ୍ତି ଝିଅମାନେ । ମା’ ଦେଖନ୍ତା କି, ଏମିତି ଏକ ଝିଅ ମୋତେ ବାହା କରିଦିଅନ୍ତା । କିନ୍ତୁ ନା-। ଏବେ ନୁହେଁ । ଏତେ ବଡ଼ ଫ୍ୟୁଚର ପଡ଼ିଛି-। ତାକୁ ଉଜ୍ଜ୍ୱଳ କରିବାକୁ ହେବ । ଏସବୁ ବାଜେ ଚିନ୍ତା । ବିବାହ, ପ୍ରେମ ଇତ୍ୟାଦି ମୋ ପାଇଁ ବନ୍ଧନ-। ମୋତେ ବାନ୍ଧି ରଖିବ ? ମୁଁ ତ ଉଡ଼ନ୍ତା ଚଢ଼େଇ; ଆକାଶ କେତେ ଉଚ୍ଚ ଦେଖିବିନି ? ମୁଁ ତ ଭୀଷଣ ଶାର୍କ, ସମୁଦ୍ର କେତେ ଗଭୀର ଦେଖିବିନି-? ଏ ଝିଅ ମୋତେ କେମିତି ଲାଡ଼ କଲା ଭଙ୍ଗୀରେ ଚାହୁଁଚି । ୟା’କୁ ସହରରେ ନିଶ୍ଚେ ଖୋଜିବି-। ଯଦି ନ ପାଏ, ତଥାପି ଖୋଜିବି । ଆଚ୍ଛା ମହାଶୟା, ନମସ୍କାର । ମୋ ଷ୍ଟେସନ ଆସିଗଲା-। ଏଇଠୁ ସାଇକେଲରେ । ତିନି ମାଇଲ= ୨୦ ମିନିଟ-। ତୁମର ସ୍ମୃତିକୁ ସାଇତି ରଖିବି, ଦେବୀ-! ମୁହୂର୍ତ୍ତ ଭିତରେ ହିଁ ଚିରନ୍ତନ ସମୟ-ପ୍ରବାହକୁ ବାନ୍ଧି ରଖିଦେବି ।

Image

 

ବଞ୍ଚିବାର ପାଇଁ

 

ଜ୍ୱଳନ । ରିବିରିବି ହେଇ ଜଳିଯାଉଛି ତନୁମନ । ସବୁଠି ଜ୍ୱଳନ । କୋଠରୀଟି ମନେହେଉଚି ଏକ ନର୍କ ଏବଂ ବନ୍‌ଫାୟାର୍‌ରେ ମୁଁ ଜଳି ଚାଲିଚି କୌଣସି ଏକ କୃତପାପର ପ୍ରାୟଶ୍ଚିତ ପାଇଁ, ସତରେ କି ମୁଁ ପାପୀ ? ପାପର ସଂଜ୍ଞା କଣ ? ଚିତ୍ରଲେଖା କୁହେ, କୌଣସି କାର୍ଯ୍ୟକରି ଯଦି ପଶ୍ଚାତ୍ତାପ ହୁଏ, ତା’ହିଁ ପାପ । ଆଃ, କୌଣସି ନାମ୍‌କରା ଶିଳ୍ପୀ ଯଦି ଆଙ୍କନ୍ତା ମୋର ଆଗ୍ନେୟ ପୋର୍ଟ୍ରେଟ୍‌ । କୌଣସି ନାମ୍‌କରା କଥାକାର ଯଦି ମୋତେ ନେଇ ଲେଖନ୍ତା ଏକ ଜ୍ୱଳନ୍ତ ଗଳ୍ପ !

ମୋ ଆଗରେ କେଲେଣ୍ଡରଟି ଫଡ୍‌ଫଡ୍‌ ହେଉଚି ଅସହାୟ ଭାବରେ । ଏ କେଲେଣ୍ଡରଟିକୁ ହୁଏତ ମୁଁ ଦୁଇବର୍ଷ ତଳେ ଭଲ ପାଉଥିଲି । ସମୟ ସ୍ଥିର କି ? ବାୟୁ ସ୍ଥିର କି ?

ନିରାସକ୍ତ ନିର୍ଲିପ୍ତତା ମଧ୍ୟରେ ବି ଏତେ ଜ୍ୱଳନ ଥାଏ ? କୁହ ତୁମେମାନେ-ଯେଉଁମାନେ ମୋତେ ଏଇ ବନ୍‍ଫାୟାର୍‌ ଭିତରକୁ ନିକ୍ଷେପ କରିଚ । ଅପୂର୍ବ ଉଦାସ ଏଇ ମୋ ଦେହର ଛାଇ ଲମ୍ୱିଯାଇଛି ମୋ ପାଦଠାରୁ କାନ୍ଧ ପର୍ଯ୍ୟନ୍ତ-କାନ୍ଧରେ ଏକ କିମ୍ଭୂତକିମାକାର ସିଲ୍‌ହଟ । ଅତି କଦାକାର ଏକ କୃଷ୍ଣରଙ୍ଗ ଛାଇ ହିଁ ମୋର ଅସ୍ତିତ୍ୱ । ମନେହେଉଚି ମୁଁ ନୀଳକଣ୍ଠ–ଏଇ ବିଷାକ୍ତ ଶତାବ୍ଦୀର ବିଷକୁ ଆଞ୍ଜୁଳା ଭରି ମୁଁ ପିଇଚି–ଏବଂ ଯନ୍ତ୍ରଣାରେ ହେଉଚି ଛଟ୍‌ପଟ୍‌ ।

କେତେ ବା ମନକୁ ବୁଝେଇବି ଯେ ଆଗରେ ଅଛି ପରୀକ୍ଷା–ଜୀବନର ଶେଷ ଏବଂ ଚରମ ପରୀକ୍ଷା । ଘରେ ମୋର ଅକୃତଦାର ବୃଦ୍ଧ ପିତା ନିରୀହ ସଜଳ ଆଖିରେ ଅୟୁତ ସମ୍ଭାବନାର ଚମକ୍‌ ନେଇ ବସିଛନ୍ତି । ସମ୍ମାନର ଅତି ଉଚ୍ଚରୁ ମୋତେ ଯେମିତି ନିକ୍ଷିପ୍ତ କରିଦିଆଯାଇଛି ଅନ୍ତହୀନ ଏକ ଗହ୍ୱର ଭିତରକୁ । କେବଳ ମୋର ଅଧୋଗତି । ଚତୁର୍ଦ୍ଦିଗରେ ଅନ୍ଧାର-କେବଳ ଅନ୍ଧାର । ଭୀଷଣ ଅନ୍ଧାର । ଆଲୋକ ଗତିରେ ମୋର ନିଶ୍ଚେତକ ଦେହର ଅନବରତ ଗତି । ନିସ୍ତେଜ ସ୍ନାୟୁ । ଚେତନାର ଅବଲୁପ୍ତି ମଧ୍ୟରେ କ୍ଷୀଣ ଚେତନା । କୁହ ଲୀନା–ଏ ଗତି କି ତୁମକୁ ଭଲ ଲାଗୁଚି ? ସବୁ ଭାବପ୍ରବଣତା-ସବୁ ପ୍ରେମ-ଭଲ ପାଇବାର ଯେତେ କିଛି-ସବୁ ମିଛ । ସତ କେବଳ ଜୀଇଁବା । ବଞ୍ଚିବା ପାଇଁ ସଂଗ୍ରାମ କରିବା ଅଥବା ସାଲିସ୍‌ କରିବା–କିନ୍ତୁ ପଳାୟନ କରିବା ନୁହେଁ ।

ଏସବୁ ଜାଣି ସୁଦ୍ଧା ମୁଁ ଆତ୍ମହତ୍ୟା କରୁଥିଲି । ଆହାଃରେ, ମୋର ନିରୀହ ଆତ୍ମାପୁରୁଷ-! ଏଲିଅଟ୍‌ ବେକେଟ୍‌ କେମ୍ୟୁ ସାର୍ତ୍ରେ କେହି ମଧ୍ୟ ବାଟ ଓଗାଳିଲେ ନାହିଁ–ମନା କଲେନି-। ମାତ୍ର କେଇଟା ନିଦ ବଟିକାରେ ହୁଏତ ହଜିଯାଇଥାନ୍ତା ଜୀବନର ତରଙ୍ଗ । ଝାପ୍‌ସା ଝାପ୍‌ସା; ଏବେ ସବୁ ସାହିତ୍ୟ ସବୁ କବିତାର ଅକ୍ଷର ପୃଷ୍ଠା ଦେହରେ ଲେପି ହୋଇଯାଇଛନ୍ତି ଏବଂ ବହିମାନଙ୍କର କଳାକଳା ଅକ୍ଷରମାନ ସମ୍ପୂର୍ଣ୍ଣ ଅସ୍ପଷ୍ଟ ହୋଇଯାଇଛନ୍ତି ।

ମୁଁ ସବୁ ଜାଣୁଚି । ସବୁ ବୁଝୁଚି-ଅଥଚ ଏକ ଅବ୍ୟକ୍ତ ବେଦନାରେ ଛଟପଟ ହୋଇ ମୋର ମନ ମୁକ୍ତି ଖୋଜୁଛି–ଖୋଜୁଛି ମୁଠାଏ ପବନ-ବଞ୍ଚିବା ପାଇଁ-ସ୍ଥିତି ପାଇଁ । ମୋର ଯନ୍ତ୍ରଣା ମୋତେଇ ବାନ୍ଧି ଦେଇଚି ଅକ୍ଟୋପାସ୍‌ ପରି ।

ମନି କହୁଥିଲା, ତାର ଭଲପାଇବାର କୌଣସି ସଂଜ୍ଞା ନାଇଁ–କୌଣସି ସ୍ୱତନ୍ତ୍ର ବର୍ଣ୍ଣ, ଗନ୍ଧ, ରୂପ ନାଇଁ–ସେ ଏକ ଅବଲମ୍ୱନ–ଏକ କାତର ପଳାୟନ । ସେ ସେକ୍‌ସ୍‌ ଚାହେଁନା–କାରଣ ପ୍ରତ୍ୟେକଟି ରାତିକୁ ତାର ପତି ବାସର ରାତି କରି ତୋଳନ୍ତି ।

 

ମନିର କୋଳରେ ମୁଁ ଏକ ବାଧ୍ୟ ଶିଶୁପରି ମୁଣ୍ଡ ରଖିଦେଇଥିଲି । ତାର ଉତ୍ତପ୍ତ ଜାନୁରେ–ତାର କୋଳରେ । ତାର କୋଳର ସୁଖ ମୋତେ ମନେ ପକେଇଦିଏ ମୋ ମା’ର କୋଳ-! ଆଃ, ମୋ ମା ଆଜି ଆଉ ନାହାନ୍ତି । ମନି ମୋଠୁ କେତେ ବର୍ଷ ବଡ଼–ଦଶ ନା ବାର ବର୍ଷ-? ଅଥଚ ତାର ସେ ଭଲପାଇବା–ତାର ନିବିଡ଼ ଆଲିଙ୍ଗନ–ମୋର ବୁକୁ ଉପରେ, ଓଠ ଉପରେ, କପାଳରେ ତାର ଉତ୍ତେଜିତ ଚୁମ୍ୱନ । ମୋର ବୁକୁ ଉପରେ, ଓଠ ଉପରେ, କପାଳରେ ତାର ଉତ୍ତେଜିତ ଚୁମ୍ୱନ । ସେଇ ଅସଂଖ୍ୟ ଚୁମ୍ୱନ ମଧ୍ୟରେ ମୁଁ ନିଜକୁ ହଜେଇ ଦିଏଁ । ମନେହୁଏ ମା’ଙ୍କର ସ୍ତନରୁ ଥପ୍‌ଥପ୍‌ ଝରୁଥିବା ଦୁଗ୍‌ଧର ବର୍ଷା ମଧ୍ୟରେ ମୁଁ ବନ୍ଦୀ । ଲୋହିତ ପୁଲକରେ ମୁଁ ରୋମାଞ୍ଚିତ-। ମନିର ସାନ କୋଠରୀ, ଡବଲ୍‌ ବେଡ୍‌ ଓ ମୁଁ । ନା, ସେକ୍‌ସ୍‌ ନୁହେଁ–କେବଳ ନିବିଡ଼ତା-। ପ୍ରେମ ନୁହେଁ, କେବଳ ଅବଲମ୍ୱନ । ଯନ୍ତ୍ରଣା ନୁହେଁ, କେବଳ ମୁକ୍ତି । ଇମୋଶନ୍‌ରୁ ମୁକ୍ତ-

 

ଅଥଚ ମୁଁ କଳ୍ପନା ବି କରିନଥିଲି ଜୀବନର ଅର୍ଦ୍ଧାଧିକ ପଥ ଅତିକ୍ରମ କରିସାରିଥିବା, ପ୍ରେମ ବିବାହ କରିଥିବା, ତିନୋଟି ସନ୍ତାନର ଜନନୀ ମନି ମୋତେ ହଠାତ୍‌ ଏପରି ଆକ୍ରମଣ କରିବ-! ଅଦ୍‌ଭୁତ ଏ ସମ୍ପର୍କ । ଏବେ ବି ଉଦାସୀନଭାବେ ଡାଏରୀର ପୃଷ୍ଠା ଓଲଟାଉ ଓଲଟାଉ ନଷ୍ଟାଲ୍‌ଜିକ୍‌ କରିଦିଏ ମୋତେ । ଲୀନା ଯଦି ଗୋଟାଏ ବନ୍ୟ ହରିଣୀ ତା’ହେଲେ ମନି ଏକ ଅତିକାୟ ଅଜଗର । ରକ୍ତାକ୍ତ ଶୀତ୍କାରରେ ତାର ଆଲିଙ୍ଗିତ ବାହୁଯୁଗଳ ଅଜଗରର ନିର୍ଦ୍ଦୟ ବନ୍ଧନ ଯେମିତି । ପଳେଇବା ପାଇଁ ରାସ୍ତା ନାଇଁ । ତାର ଚୁମ୍ୱନ ତାର ତାତିଲା ନିଃଶ୍ୱାସ । ତାର ଦୁର୍ଦ୍ଦାନ୍ତ ଉତ୍ପୀଡ଼ନ ମଧ୍ୟରେ ମୁଁ ନିଜକୁ ହଠାତ୍‌ ନପୁଂସକ ମନେକରେଁ । ତାର ଉତ୍ତପ୍ତ ଆଲିଙ୍ଗନ, ଥରଥର ଦେହ ମଧ୍ୟରେ ମୁଁ ବରଫ ମୁଣ୍ଡା ପରି ହୋଇଯାଏଁ ଶୀତଳ ଓ ସଫେଦ୍‌ ! ଉତ୍ତେଜନାରେ ଲାଲ୍‌ଲାଲ୍‌ ତାର ଦୁଇ ଆଖିରେ ଏକ ହିଂସ୍ରତା ନେଇ ସେ ପଚାରେ–ତୁମେ ପୁରୁଷ ନା ଆଉ କିଛି-। କିଂକର୍ତ୍ତବ୍ୟବିମୂଢ଼ ହୋଇ ମୁଁ ତାର ଜବର୍ଦସ୍ତ ଅର୍ଗଳୀରୁ ନିଜକୁ ସତର୍କରୂପେ କାଢ଼ିନିଏ ଏବଂ କୁହେ ତୁମକୁ ପରା ସେକ୍‌ସ୍‌ ଦରକାର ନାଇଁ ? ଅଥଚ ତୁମେ ମୋର ପୌରୁଷକୁ ଚେଲେଞ୍ଜ କରୁଚ-? ଧରିନିଅ ମୁଁ ଏକ ନପୁଂସକ । ତାର କଣ୍ଠରେ ଅନେକ ଅଭିଯୋଗ ଭରି ସେ କୁହେ–ତୁମେ ମୋତେ ଭୁଲ୍‌ ବୁଝନାଇଁ, ତପନ୍‌ । ତୁମେ ମୋଠୁ ବୟସରେ, ଅଭିଜ୍ଞତାରେ ଖୁବ୍‌ ଛୋଟ । କିନ୍ତୁ ଯାହା କୁହ, ତୁମେ ଖୁବ୍‌ କୋଲ୍‌ଡ୍‌ । ଯେପରିକି ପୁରା ଫ୍ରିଜିଡ୍‌ । ମୋର ଆକ୍ରମଣରେ ତୁମେ ପ୍ରତିଆକ୍ରମଣ କରୁନ, ମୋ ଦେହକୁ ହଠାତ୍‌ ଛିନ୍ନଭିନ୍ନ କରିଦେଉନ ତୁମର ଉତ୍ତେଜନାରେ–ସେଥିଲାଗି ହିଁ ମୁଁ ବିସ୍ମିତ । ହୁଏତ ତୁମ ଦେହରେ କାମନା ହିଁ ନାଇଁ, ହୁଏତ ତୁମେ ଦେବତା !

 

ମୁଁ ଦେବତା କି ନୁହେଁ, ତା ମୁଁ ଜାଣିନି । କିନ୍ତୁ ଏକଥା ଜାଣିଚି ଯେ, ଅବଚେତନରେ ସେ ହୁଏତ ମୋର ଉଦ୍ଦାମ ରତିକ୍ରୀଡ଼ା ଚାହୁଁଥିଲା । କିନ୍ତୁ କି ଆବେଗ ଅଛି ଏ ରତିରେ ? କି ଆନନ୍ଦ ଅଛି ଏ ଦେହରେ ? ମନି ସହିତ ମୋର ଉଲଗ୍ନ କ୍ରୀଡ଼ା ଏବଂ ଦେହର ଘର୍ଷଣର ଅଶ୍ଳୀଳ ଚିନ୍ତାରେ ମୁଁ ସନ୍ତ୍ରସ୍ତ ହେଇପଡ଼ୁଥିଲି । ହୁଏତ ମୁଁ ଚାହୁଁଥିଲି, ତାକୁ ମୁଁ ଭଲ ପାଇବି କବିତାର ପରି ବା ସଂଗୀତର ଏକ ସୁର ପରି । ତାକୁ ମୁଁ ପାଇ ମଧ୍ୟ ନ ପାଇବାକୁ ଚାହୁଁଥିଲି । ପାଇ ହଜେଇବାକୁ ଚାହୁଁଥିଲି । ପ୍ରାପ୍ତି ଏବଂ ଅପ୍ରାପ୍ତିର ଏ ଆବଶ୍ୟମ୍ଭାବୀ ଦ୍ୱନ୍ଦ୍ୱରେ ହୁଏତ ପରାସ୍ତ ହୋଇଗଲି ମୁଁ, ଜିଣିଗଲା ସେ । ଏକ ପରାଜିତର ଆତ୍ମଗ୍ଳାନି ନେଇ ମୁଁ ସେଦିନ ଫେରିଆସିଲି ମନିର ଅନ୍ଧାରି ଗୁମ୍ଫାରୁ । ହୁଏତ ମୁଁ ଜିତିଛି । କିନ୍ତୁ ହାର୍‌ଜିତ୍‌ର ହିସାବନିକାଶ କିରବାକୁ ମୋର ଆଉ ଧୈର୍ଯ୍ୟ ନଥିଲା ।

 

ଲୀନାର ମାଂସଳ ଦେହର ଉଷ୍ମ ଅଶ୍ଳେଷ ମଧ୍ୟରେ ମୁଁ ଦିନେ ତାକୁ ପଚାରିଥିଲି : ଲୀନା ତୁମେ ମୋର ନା, ଆଉ କାହାର ? ନିତାନ୍ତ ବିଶ୍ୱସ୍ତଭାବେ ସେ କହିଥିଲା, ମୁଁ ତୁମର.... କେବଳ ତୁମର । ଅନେକ ବହିରେ ପଢ଼ିଥିବା ଓ ସିନେମାରେ ଶୁଣିଥିବା ଏ ଘଷରା ସଂଳାପ ବି ସେଦିନ ହୋଇଉଠିଥିଲା ପ୍ରାଣମୟ, ଆବେଦନମୟ । ସେଇ ଲୀନାର ଯେ ଅନେକ ଉପପ୍ରେମିକ ଥିଲେ, (ଯେମିତି କି ମନିର ଏକ ଅହିଂସା ଉପପତି ମୁଁ ନିଜେ) ତାହା ଆବିଷ୍କାର କରିବା ବେଳକୁ ଲୀନାର ବିବାହ କଲିକତାର କୌଣସି ଏକ ଅଜ୍ଞାତ ଯୁବକ ସହ ହୋଇଯାଇଥିଲା । ମନି କୁହେ–ଏଇ ଲୀନା ପଛରେ ତମେ କାହିଁକି ଲାଗିଛ ତପନ୍‌ ? ସେ ତୁମକୁ ଖାଇଦେବ । ତା ଦେହକୁ ଥରେ ପରୀକ୍ଷା କରିଦେବା ପରେ ତୁମେ ତା ପିଛା ଛାଡ଼ିଦିଅ ।

 

କିନ୍ତୁ ମୋର ବିଶ୍ୱାସ ଲୀନା ଆଉ ଯାହା କରିଥାନ୍ତା ପଛକେ, ମନି ପରି ତାକୁ ପଳେ ପଳେ ନିଃଶେଷ କରିଦେଇ ନଥାନ୍ତା । ଲୀନାର ପ୍ରେମରେ ହୁଏତ ଥିଲା ଶଠତା, କିନ୍ତୁ ସେଥିରରେ ଏକ ଇନ୍‌ଭଲ୍‌ଭ୍‌ମେଣ୍ଟ ଥିଲା । ମନେହୁଏ, ମନି ଏକ ଡାହାଣୀ ଟିକ୍‌ଟିକ୍‌ କରି ମୋର ମନକୁ, ଦେହକୁ ଖାଇଯାଉଥିଲା ସେ । ଆଉ ମୁଁ ନିଃସହାୟ ଭାବରେ ନିଜକୁ ନିରସ୍ତ୍ର କରିଦେଇଥିଲି ।

 

ଅଦ୍‌ଭୂତ ଦୁଃସାହସୀ ଥିଲା ମନି । ମୋର ସହ ତାର ସମ୍ପର୍କକୁ ସନ୍ଦେହ କରିବା ପୂର୍ବରୁ ହିଁ ସେ ସିଧାସିଧି ତାର ସ୍ୱାମୀକୁ ଜଣେଇଦେଲା–ଦେଖ, ମୋ ସହିତ ତପନର ସମ୍ୱନ୍ଧ ସମ୍ପର୍କରେ ତୁମଠାରୁ କୌଣସି ସନ୍ଦେହ ଯେପରି ମୁଁ ନ ଶୁଣେ । କଥାଦିଅ, ତା’ ସହିତ ମୋ ସମ୍ୱନ୍ଧକୁ ତୁମେ ନିହାତି ନର୍ମାଲ୍‌ଭାବେ ନେବ । ଅଙ୍କର ଏକ ନିର୍ଦ୍ଧାରିତ ସତ୍ୟ ପରି ଆମର ସମ୍ପର୍କ । ତା’କୁ ସଂଶୟର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦିବାକୁ ଚେଷ୍ଟା କରିବ ନାଇଁ ।

 

ବୋଧହୁଏ ମନିର ବିଶ୍ୱସ୍ତ ସ୍ୱାମୀ ଏ ସତର୍କବାଣୀର ଉତ୍ତରରେ ଏକ ଅନନ୍ୟୋପାୟ ଦୀର୍ଘଶ୍ୱାସ ତ୍ୟାଗ କରିଥିବେ ।

 

ମନି, ଲୀନା ! ମୁଁ ଜାଣେନାଇଁ ତୁମେମାନେ ବର୍ତ୍ତମାନ କେଉଁଠି । ମୁଁ କିନ୍ତୁ ଏଇଠି–ନିବିଡ଼ ଏକ ଜ୍ୱଳନରେ ଦେହର ସମସ୍ତ ଅକ୍ଷାଂଶ ଦ୍ରାଘିମାକୁ ଅଥର୍ବ କରି ମୁଁ ଏଇଠି ବସି ମୃତ୍ୟୁର ପଦଘାତ ଶୁଣିପାରୁଛି । ମୃତ୍ୟୁ ତୁମକୁ ଭୟ ଦିଏ କି ମନି ? ବୋଧହୁଏ ତୁମେ ଜୀବନକୁ ଭାରି ଭଲପାଅ । କିନ୍ତୁ ମୁଁ ମୃତ୍ୟୁକୁ ସ୍ୱୀକାର କରିନେଇଛି ଏକ ଇନ୍‌ଏଭିଟେବ୍‌ଲ୍‌ ସତ୍ୟ ରୂପେ । ତଥାପି ତୁମେ ବିସ୍ମିତ ହେବ ମନି, ମୁଁ ବଞ୍ଚିବାକୁ ଚେଷ୍ଟା କରୁଛି । ମୁଁ ବଞ୍ଚିବି । ବଞ୍ଚିବି ତୁମପାଇଁ ନୁହେଁ, ଲୀନାପାଇଁ ନୁହେଁ–କୌଣସି ଦୁର୍ବଳ ମୁହୂର୍ତ୍ତର ସ୍ମୃତିରେ ନୁହେଁ–କେବଳ ମୋ ନିଜ ପାଇଁ । ବଞ୍ଚିବାକୁ ଏକ ଅବଲମ୍ବନ ଦରକାର ମନି । ମୋର ତ କୌଣସି ଅବଲମ୍ୱନ ନାଇଁ । କେଉଁ ଆଶାର ଝିଅକୁ ଧରି ଅବା ମୁଁ ବଞ୍ଚିଥାନ୍ତି ? ସେପରି କୌଣସି ଅବଲମ୍ୱନ ତ ନାଇଁ–ତଥାପି ମୁଁ ବଞ୍ଚିଥିଲି, ବଞ୍ଚିଚି ଓ ବଞ୍ଚି ରହିଥିବି । ବଞ୍ଚି ରହିଥିବି ସ୍ଥିତି ପାଇଁ–ବଞ୍ଚିବାର ପାଇଁ ।

Image

 

ବତୀଘର

 

ବାପା ଏଥର ରାଗରେ ଚିହିଁକି ଉଠିଲେ । ଆଖିକୁ ଏଡ଼େ ଏଡ଼େ କରି ସେ ମୋ ଉପରେ ପୁଣି ଶୋଧା ଆରମ୍ଭ କରିଦେଲେ । ରାଗରେ ଜଲଦି ଜଲଦି କଥାମାନ କହିଲାବେଳେ ଛେପ ସବୁ ଅଶ୍ଳୀଳଭାବେ ବିଛୁଡ଼ି ପଡ଼ୁଥିଲା ।

 

ବାପା କହିଲେ: ତମେସବୁ କୁଳାଙ୍ଗାର । ହ୍ୟାପ, କିରାଣୀ ଚାକିରିରେ ଜୀବନ ସାରା ମୁଣ୍ଡକୋଡ଼ି ଯେଉଁ ଦୁଇ ପଇସା ପାଉଥିଲି, ସେଥିରେ ଘର ଚଳଉଥିଲି, ତମମାନଙ୍କ ପଢ଼ା ଖରଚ ତୁଲଉଥିଲି । ନିମକ୍‌ହାରାମଗୁଡ଼ା, ପାଠ ଦି’ଅକ୍ଷର ପଢ଼ିଦେଲ ବୋଲି ନିଜକୁ ସରଗର ଇନ୍ଦ୍ର ଭାବୁଚ-! ଏଇଆ ଦେଖିବାକୁ ଯମ ମୋତେ ଏ ବୁଢ଼ା କାଳେ ବଞ୍ଚେଇ ରଖିଥିଲା ? ଛିଛି, ଏ ଜୀବନରୁ ତ ମରଣ ଭଲ । ମଲ ନାଇଁରେ ସଗର ପୁତ୍ର ଗୁରା !

 

ମୁଁ ଉତ୍ତ୍ୟକ୍ତ ହୋଇ ଉଠୁଥିଲି । କ’ଣ କରେ ! ସତ କଥା ତ । ଯୁଆନ୍‌ ହୋଇ, ଶିକ୍ଷିତ ହୋଇ, ବଳବଅସ ପାଇବି ମୁଁ ବେକାର । ନ୍ୟୁନ ଭାବରେ କହିଲି : କ’ଣ ଆଉ କରିବି ? ଦେଖୁଚ ତ, ଚାକିରି ଖୋଜି ଖୋଜି ଦି’ ବରଷ ହେଲା, ନିକୁଛ ପକ୍ଷେ କିରାଣୀଟେ ବି ହୋଇପାରିଲିନି ।

 

‘‘ଦେଖ ହୋ, ମେଜେଷ୍ଟରକୁ ! ହ୍ୟାପ, କହୁଚି କଣ ନା, ଚାକିରିତ ଚାକିରି, କିରରାଣୀଟିଏ ବି ହୋଇପାରିଲି ନାଇଁ !’’ ବାପା ଚିହିଁକି ଉଠିଲେ । ‘‘ହଇରେ, ତୋ ବୋପା ବି କିରାଣୀ ଚାକିରି କରୁଥିଲା । ପେଟ କାଟି ଖୋଇପେଇ ମଣିଷ ହେଲାପରେ ବାବୁଙ୍କର ମହାଭାରତ ବଖଣା ହେଉଚି !’’

 

ମୁଁ ଅପ୍ରସ୍ତୁତ ହେଲି । ବୁଝାଇଲି ! ଦେଖ ବାପା, ସେ କାଳ କଥା ଆଉ ଅଛି ନା ! ସେ ଯୁଗ ଗଲା । ସେ କାଳେ ଡାକିହାକି ଚାକିରି ଯଚା ହେଉଥିଲା । ଏବେ ଆଉ ସେମିତି ହେଉଚି ? ଆଖି ଆଗରେ ଦେଖୁନ, ଏମ୍‌. ଏ.ମାନେ ବେକାର ବସିଚନ୍ତି, ଆଉ ମୁଁ ତ ଗ୍ରାଜୁଏଟ୍‌ ! ମାମୁଲି ବି. ଏ. ।

 

: ଯା’, ଯା’, ଶାହାସ୍ତ୍ର ଶୁଣାନା । ଭଉତ ଶୁଣିଚି । ହଇହୋ, ବସି ଖାଇବାରୁ ଆଉ ସୁଖ ଅଛି ନା ! ଏମାନେ କିଆଁ ପରିଶ୍ରମ କରିବେ ହୋ !

 

ମୁଁ ସେଠୁ ଉଠି ଆସିବାହିଁ ଉଚିତ ମନେକଲି । ମୁଁ ଜାଣେ ତାଙ୍କ ଭିତରେ ଏକ ଆଧୁନିକ ଯୁବକର ଫ୍ରଷ୍ଟ୍ରେସନ ବିଦ୍ୟମାନ । ତାଙ୍କର ଭାଷଣ ଥରେ ଆରମ୍ଭ ହେଲା ତ, ଚାଲିଲା । ବାଡ଼-ବତା, ଲୋକ-ବାକ କିଛି ମାନିବେ ନାହିଁ । ଏମିତିଆ ଏକଧଡ଼ସିଆ ଲୋକଙ୍କ ସଙ୍ଗରେ ଯୁକ୍ତି କରିବାଠୁ, ନୀରବ ହୋଇ ଉଠିଆସିବା ଅଧିକ ସମୀଚିନ ।

 

ରନ୍ଧାଘରପଟେ ମୁହେଁଇଲି । ଖାଇବା ବେଳ ହେଲାଣି । ପିଉସୀ ଭାତ ଗାଳୁଥିଲେ । ମୋର ପାଦଶବ୍ଦ ଶୁଣି, ପଛକୁ ନ ଚାହିଁ, କହିଲେ, ‘‘କ’ଣ କିରେ ଅବନୀ, ଆଜି ଭାରି ସଅଳ ଯେ !’’ ପିଉସୀଙ୍କ କଥାତକ ମୋତେ ଛୁଞ୍ଚି ଫୋଡ଼ିଲା ପରି ଲାଗିଲା । ମାଆଙ୍କର କେବେ ମୃତ୍ୟୁ ହେଲା, ମୁଁ ଜାଣିନାଇଁ । ବୋଧହେବା ଦିନୁ ଏ ପିଉସୀକୁ ଦେଖି ଆସୁଚି । ରନ୍ଧାବଢ଼ା, ଦେଖରେଖ କରନ୍ତି । ତାଙ୍କ କଥାରୁ ମନେ–ହେଲା, ଯେମିତି ପିଉସୀ ବି ଉଲୁଗୁଣା ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ମୁଁ କିଛି ନ କହି ଶୋଇଲା ଘରକୁ ଚାଲିଲି । ପଛରୁ ଶୁଣିଲି, ପିଉସୀ କହୁଛନ୍ତି, ‘‘ଆରେ ପୁଅ, ଭାତ ଗାଳି ସାରିଲାଣି । ଗରମ ଗରମ ମୁଠେ ଖାଇନବୁ, ଆ’ !’’

 

ଅନ୍ଧାର କୋଠରୀ ଭିତରେ ମୁହଁମାଡ଼ି ମୁଁ ଶୋଇପଡ଼ିଲି । ନିଦରେ ନୁହେଁ । କ୍ଷୋଭ ଏବଂ ଅସହ୍ୟ ବେଦନାରେ ଅସ୍ଥିର ଆଖିକୁ ନିଦ ଆସିବ କୁଆଡ଼ୁ ? ଶୋଇ ଶୋଇ ଭାବିଲି ବାପାଙ୍କ କଥା, ଭାଇଙ୍କ କଥା । ଆମଘର ଗମ୍ଭୀରରୁ ଭଇନାଙ୍କ ବାଟ ଦେଇ ମୋର ହସ୍ତଗତ ହୋଇଥିବା, ମା’ଙ୍କର ଫଟୋ । ନିରୀହ ଏବଂ କରୁଣ । ହଠାତ୍‌ କେମିତି ଦୟାହୁଏ । ଆଃ ! ଭାଇନାଙ୍କ ସ୍ମୃତି ଏବେ ବି ତ ଆଖିକୁ ଭିଜାଇ ଦିଏ । କିଏ ଜାଣେ ସେ ବର୍ତ୍ତମାନ କେଉଁଠି ? ଜୀବିତ ନା ମୃତ ! ଏଇ ଛୋଟ ଘରଟା ଆମର ଭାଇନା ଆସିଲେ ପୁରି ଉଠୁଥିଲା । ବାପା ଶହଶହ ହୋଇ ସାହିପଡ଼ିଶାଙ୍କୁ କହୁଥିଲେ: ‘‘ଦେଖ ଅମୁକ, ଭବାନୀକୁ ଦେଖ ! ପିଲାଟା କେମିତି ସଜ ହେଇଚି । ମୁଁ ସିନା ମୋ ଦିହକରେ ହେଡ୍‌ କିରାଣୀରୁ ଅଧିକ ଉଞ୍ଚା ଚଢ଼ିପାରିଲିନି, ମୋ ପୁଅ କିନ୍ତୁ ସାଇବ ହେବ । ଅନ୍ତାଗଡ଼ ହରି ନାୟକ ପୁଅ ନୀଳମଣି ପରି । ପାଠ ବି କମ୍‌ ଭଲ ପଢ଼ୁଚି ? ଫି ବର୍ଷ କ୍ଳାସ ଚଢ଼ୁଚି । ସବୁବେଳେ ଫାଷ୍ଟ୍‌ ଡିଭିଜନ୍‌ ।’’ ତା’ପରେ କିଛିକ୍ଷଣ ରହିଯାଇ ପୁଣି କୁହନ୍ତି ଆବେଗଭରା କଣ୍ଠରେ–‘‘ଏତେବେଳକୁ ଭବାନୀ ବୋଉ ଯଦି ବଞ୍ଚିଥାନ୍ତା, ଆହା, କେତେ ସୁଖ ନ ପାଆନ୍ତା ! ଚାରି କ୍ଷେପାକେ ସାରା ଗାଁଟା ବୁଲି ଆସନ୍ତା ।’’ ତା’ ପରେ ଏକ ଦୀର୍ଘନିଃଶ୍ୱାସ ତାଙ୍କର ପାତଳା ଛାତିକୁ ଥରେଇ ଉଠିଆସେ ଓ ତାଙ୍କର ପଥୁରିଆ ଅସମତୁଲ ଚେହେରାର ଚମମାନେ କେତେକଥା କୁହାକୁହି ହୋଇଯାଆନ୍ତି । ବୁଢ଼ାଙ୍କ ଆଖି ପାଇବା ଆଉ ହଜେଇବାର ମିଶାମିଶି ଦ୍ୟୋତନାରେ ଅର୍ଥପୂର୍ଣ୍ଣ ହୋଇପଡ଼େ ।

 

ଆହା, ସେ ଭବାନୀ ଭାଇନା ! ସୁନା ପଦକଟା ଗଳାରେ ଝୁଲାଇ ସେଦିନ ସେ କେତେ ସ୍ନେହରେ ଚଉଦ ବର୍ଷର ଅବନୀ ମୁଣ୍ଡରେ ବାଳଅରାକ ଆଉଁଷି କହିଥିଲେ : ଭଲକରି ପଢ଼୍‌ ଅବନୀ-! କିଛିବର୍ଷ ପରେ ତୋତେ ଏମିତି ସୁନା ପଦକ ଝୁଲାଇବାର ମୁଁ ଯେମିତି ଦେଖେ !

 

ସେଇ ଭବାନୀ ଭାଇ ? ଯା’ର ମାଗୁରଗୋରିଆ ମୁହଁରେ, ଉଞ୍ଚ କପାଳରେ ଧାଡ଼ିଏ ଅଲରା ବାଳ ସବୁବେଳେ ଝୁଲୁଥାଏ ଆଉ ସେ କଥା କହୁଥିଲାବେଳେ କେମିତି ଅନ୍ୟମନସ୍କଭାବେ ତାକୁ ସେ ଛାଟି ଦେଉଥାନ୍ତି ! ଛୁଟି ଦିନରେ ନଈକୂଳେ ବୁଲା, ଆମ୍ବ ଚୋରି, ଗପଶୁଣା, ଦେଶବିଦେଶ କଥା–

 

ସେଇ ଭବାନୀ ଭାଇ ପୁଣି ଚାକିରି ପାଇଲେନି । ବାପା ସବୁବେଳେ ଖିଟ୍‌ଖିଟ୍‌ । ଦିନ ନାଇଁ ରାତି ନାଇଁ । ହର୍‌ହମେଶା କହୁଥିବେ : ଏତେ ପାଠ ପଢ଼ିଲେ କଣ ହେଲା ! ଅସତ୍‌ ପାଠ–ଏବେ ଚାକିରି ମିଳିବ କୁଆଡ଼ୁ ?

 

ଏମିତି ଦିନେ ‘‘ଚାକିରି ଖୋଜିବାକୁ ଯାଉଚି–ଚାକିରି ମିଳିଲେ ଏ ଘରକୁ ଫେରିବି, ନ ହେଲେ ନାଇଁ’’ ବୋଲି ଭୀଷ୍ମ ଶପଥ କରି ଯୋଉ ଚାଲିଗଲେ, ତ ଯାଇଛନ୍ତି । ଆଉ ଫେରିନାହାନ୍ତି । ଯେପରିକି ରୁକୁଣାରଥ ।

 

କୋଠରୀର ଅନ୍ଧାର ବଢ଼ୁଚି । ରନ୍ଧାଘରୁ ବାପାଙ୍କର ସଡ଼ସଡ଼ କରି ତୋରାଣି ପିଇବାର ଶବ୍ଦ ଶୁଭୁଚି । କି ଖରା–କି ବର୍ଷା–ବାପା ସବୁଦିନ ପଖାଳ ଖାଇବେ । ପଖାଳ କୁଆଡେ ଓଡ଼ିଆଙ୍କର ଜାତୀୟ ଖାଦ୍ୟ । ବାପା ପଚାରୁଛନ୍ତି–

 

: ଅବନୀ ଖାଇଲଣି କି ?

 

: ନା । ପିଉସୀଙ୍କ ଉତ୍ତର ।

 

: ହୁଁ ।

 

: ଡାକିବି ଯାଉଚି ।

 

: ତୋତେ କିଆଁ ଗରଜ ପଡ଼ିଚି, ଡାକିବୁ ! କୋଉ ନ ଖାଇଲେ ମରିଯିବ ଯେ ?

 

: ଛିଃ, ସେମିତି କୁହନ୍ତି ! ଜନ୍ମକଲା ପୁଅ ପରା !

 

: କ’ଣ ବା ସ୍ୱର୍ଗସୁଖ ପାଇଗଲି ସେଠୁ ? କହିଲା କଣ ନା ଜନ୍ମକଲା ପୁଅ । ଗୋଟେ ତ ଗଲା ଯେ ଯାଇଚି ? ମଲା କି ହଜିଲା, ଖବର ଅନ୍ତର ନାଇଁ । ଲାଗ୍‌ଲାଗ୍‌ କୋଡ଼ିଏ ପଚିଶ ବର୍ଷ ଖୁଏଇଲି, ପିନ୍ଧେଇଲି, ପଢ଼େଇଲି, ମଣିଷ କଲି । ସେମାନେ ମୋତେ କଉ ସୁଖରେ ବୁଡ଼େଇ ଦେଇଛନ୍ତି ଯେ ତାଙ୍କ ସୁଖ-ଦୁଃଖକୁ ମୁଁ ଟାକି ବସିଥିବି ?

 

ବାପାଙ୍କର ଏଇଟା ବାର୍ଦ୍ଧକ୍ୟ-ଜନିତ ଦୋଷ ନା ମାନକଅସୁସ୍ଥତା ? ପୁଅକୁ ୨୦।୨୫ ବର୍ଷ ପୋଷିଲି ବୋଲି ତୁମର ଦାବୀ ଯେ ତୁମକୁ ମଧ୍ୟ ସେ ଖୁଏଇବ, ପିଏଇବ ? ବାପ ପୁଅ ମଧ୍ୟରେ ଠିକ୍‌ ସମ୍ପର୍କ କଣ ଦେବା ଓ ନେବାର ନିକୁଛ ହିସାବ କିତାବ ଭିତରେ ସୀମାବଦ୍ଧ ? ବାପା କଣ ତାଙ୍କର ପ୍ରତିକ୍ରିୟାର ସୀମାରେ ଆବଦ୍ଧ ? ଭବାନୀ / ଅବନୀ କଣ କିଛି କରିନପାରିବାର ଜଡ଼ତା ମଧ୍ୟରେ ବନ୍ଦୀ ? ସମସ୍ତେ ସୀମାବଦ୍ଧ ? ନିଜ ଗୋଡ଼ ଗୋଇଠିକୁ କେନ୍ଦ୍ରକରି ଏକ ସଂକ୍ଷିପ୍ତ ବୃତ୍ତରେ ଜନ୍ମରୁ ମରଣଯାକେ ଖାଲି ସୀମାବଦ୍ଧ ଘୂର୍ଣ୍ଣନର ଅନ୍ୟନାମ ଜୀଇଁବା ? ଗଲା ଏବଂ ଆଇଲା ଭିତରେ ଯେଉଁ ଟିକକ ରହିଲା, ତା’ କଣ ସାଲିସର ଜୀବନ ?

 

ଛିଣ୍ଡା କନ୍ଥାର ଦେହରେ ନିଜକୁ ଆହୁରି ନିବିଡ଼ କରିଦେଇ ମୁଁ ଆଖିପତା ବନ୍ଦ କରିଦେଲି-। କନ୍ଥା ଦେହରୁ କେମିତି ଏକ ବିଶୁଦ୍ଧ ଗନ୍ଧ ଆସି ନାସାରନ୍ଧ୍ରରେ ଧକ୍‌କା ମାରି ପ୍ରବେଶ କରୁଛି ଏବଂ କ୍ରମେ ସେଇ ପୁରୁଣା ଜୀର୍ଣ୍ଣ ଦୁର୍ଗନ୍ଧ ମୋର ସମଗ୍ର ଦେହ ମନ ଭିତରେ ସଞ୍ଚରି ଚାଲିଛି–ସମଗ୍ର ସ୍ଥିତି ଭିତରେ–ସମଗ୍ର ସତ୍ତା ଭିତରେ । ଜମା ଇଚ୍ଛାନାଇଁ ଖାଇବାକୁ । ଶୋଇବା ପାଇଁ ଇଚ୍ଛାନାହିଁ-। ମୁଣ୍ଡଟା ଟିକ୍‌ ଟିକ୍‌ କରି ଭାଙ୍ଗିଗଲା ରକମ ଲାଗୁଛି ।

 

ବାପା ହୁଏତ ଖାଇ ସାରିବେଣି । ପିଉସୀ ବୋଧହୁଏ ଏଇ ଆଡ଼କୁ ଆସୁଛନ୍ତି ଖାଇବା ପାଇଁ ମୋତେ ଡାକିବାକୁ । ମୁଁ ନିଘୋଡ଼ ନିଦରେ ଶୋଇପଡ଼ିବାର ଛଳନା କଲି । ପିଉସୀ ପାଖକୁ ଆସି କଅଁଳେଇ ଡାକିଲେ : ‘‘ଅବନୀ, ଏୟ ଅବନୀ ! ଉଠ୍‌ ବାପ, ଦି’ଗୁଣ୍ଡା ଖାଇନବୁ ।’’ ଟିକେ ରହିଯାଇ ପୁଣି ଡାକିଲେ, ‘‘ଏ କ’ଣ ନୂଆ କଥା ଯେ ମୁହଁ ଫୁଲେଇଚୁ ? ଆ, ସୁନା ବାପାଟା ପରା, ଖାଇଦେବୁ, ମୁଠାଏ ।’’

 

ମୁଁ ତଥାପି ନୀରବ ।

 

ଆଉ ଡାକେ ଦି’ଡାକ ଦେଇ ପିଉସୀ ଫେରିଗଲେ । ମୁଁ ମୁହୂର୍ତ୍ତକ ପାଇଁ ସ୍ୱସ୍ତିର ନିଶ୍ୱାସ ମାରିଲି । ମୁଁ ସତରେ କଣ ଶୋଇପଡ଼ିଥିଲି ? ଭୋକ ନଥିଲା ? ଅଭିମାନ କରିଥିଲି ?

 

ରାତିସାରା ଆଉ ଶୋଇନି । ପାହାନ୍ତା ହେଇ ଆସିଚି । ବାପାଙ୍କର ଖଟରୁ ଅବିରତ କାଶିବାର ଶବ୍ଦ ଆସୁଛି । ମୋର ଦେହ ଓ ମନରେ ଆଳସ୍ୟ ବା କ୍ଳାନ୍ତିର ଚିହ୍ନ ବି ନାହିଁ । ଏକ ବିରାଟ ସମୁଦ୍ର ପରି ଶାନ୍ତ ହେଇପଡ଼ିଚି ହଠାତ୍‌ । ସମସ୍ତ ଶକ୍ତିକୁ ଅସ୍ୱୀକାର କରିଚି । ହଠାତ୍‌ କଣ ଇଚ୍ଛାହେଲା କେଜାଣି, ମୁଁ ଉଠି ବସିଲି । କୁଆଡ଼େ ଗୋଟେ ଚାଲଯିବାକୁ ଇଚ୍ଛାହେଲା । କିନ୍ତୁ ଯିବି କୁଆଡ଼େ :

 

କେଉଁଠିକି ?

 

କେଉଁଟା ମୋର ପଥ ?

 

ପୁଣି ବାପାଙ୍କ କଥା ମୋର ମନେପଡ଼ିଲା । ‘‘ଚାକିରି ଅଭାବ ବୋଲି କିଏ କହିଲା ହୋ-! କୁଲିକାମ କଲେ କି ମାଟି ବୋହିଲେ କଣ ପେଟ ଅପୋଷା ରହିଯିବ ?

 

ତା’ ପରେ ମୁଁ ଚାଲିଲି ।

 

ଏଥର କଣ କରାଯାଏ ? କାହାକୁ ଏପ୍ରୋଚ୍‌ କରିବି ? ଅଧିକାଂଶ ବନ୍ଧ ବେକାର ବସିଛନ୍ତି । ଯେଉଁମାନେ ଧନୀଘର ପୁଅ, ବାପର କଅଁଳ ଗଦି ଆବୋରି ସାରିଲେଣି । ଯେଉଁମାନେ ଯେନତେନ ପ୍ରକାରେ ଚାକିରି ପାଇଗଲେଣି । ମୋତେ ଭୁଲିସାରିଥିବେଣି ।

 

ଅଞ୍ଜନା ବି କଣ ମୋତେ ଭୁଲିସାରିଥିବ ?

 

ଓଡ଼ିଶା ରାଜ୍ୟର ଏଇ ସହରର ଏକମାତ୍ର ଓଡ଼ିଆ ଲୁଗା ଦୋକାନୀ ଝିଅ ସେ । କେଜାଣି, ଏଇ ଦୁଇବର୍ଷ ଭିତରେ ବାହା ବି ହେଇସାରିଥିବଣି । ଏ ଦୁଇବର୍ଷ ଭିତରେ ମୁଁ ଅଞ୍ଜୁକୁ ପ୍ରାୟ ମନେପକେଇନି । ବୋଧେ ସେପରି ଦୁର୍ବଳ ମୁହୂର୍ତ୍ତ ହାତଗଣନ୍ତା କେଇଥର ଆସିଥିବ । କଲେଜ ବେଳର କେତୋଟି ମୁହୂର୍ତ୍ତକୁ ଯଦି ସଞ୍ଚି ରଖି ବସେ, କିଛି ଲାଭ ହେବନାଇଁ ମୋର । ତା’ ଛଡ଼ା ବାପାଙ୍କର ରୋଗ, ଭାଇଙ୍କର ଅନ୍ତର୍ଦ୍ଧାନ, ନିଜର ବେକାରୀର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏ ଧରଣର ‘ପ୍ରେମ’ ବିସ୍ମରଣ ହେବାକୁ ବାଧ୍ୟ । ଖାଲି ପେଟରେ କଣ ପ୍ରେମ କରିହୁଏ ? ଦୁଇବର୍ଷ ଭିତରେ କେଇଥର ଏ ସହରକୁ ଯେ ନ ଆସିଚି, ଏମିତି ନୁହେଁ । ଅନ୍ତତଃ ଇଣ୍ଟର୍‌ଭ୍ୟୁ ଦେବାକୁ ଆସିଛି କେତେଥର । କେଜାଣି କାହିଁକି, ଅଞ୍ଜୁ ପାଖକୁ ଯିବାକୁ ଇଚ୍ଛା ହୋଇନି କେବେ । ଆଜି କିନ୍ତୁ ହଠାତ୍‌ ଉଦାସ ଲାଗିଲା–ନିଜକୁ ମନେହେଉଚି ଅସହାୟ, ନିଃସଙ୍ଗ, ଏକାଏକା ସ୍ନେହକାତର ଏକ ମଣିଷ ଭଳି ।

 

ଗଳି ଶେଷ ମୁଣ୍ଡରୁ ପୁରୁଣାକାଳିଆ ଏକତାଲା ଘରଟି ଅଞ୍ଜୁର । ଗେଟ୍‌ ଖୋଲି ଭିତରକୁ ପଶିଲି । ଡାକିଲି, ‘‘ଆଜ୍ଞା, ଆଜ୍ଞା !’’

 

ଚାକରାଣୀଟିଏ ପଦାକୁ ବାହାରି ଆସିଲା । ପଚାରିଲା–

 

: କାହାକୁ ଖୋଜୁଛନ୍ତି ?

 

: ଅଞ୍ଜୁକୁ ଅଞ୍ଜନା ମହାପାତ୍ରକୁ ।

 

: ଚାକରାଣୀଟି ଥରେ ମୋର ନୁଖୁରାବାଳ, ବଢ଼ିଲାରୂଢ଼, ଫଟା ମଇଳା କୁର୍ତ୍ତା ଜାମାକୁ ଅବଜ୍ଞା ଦୃଷ୍ଟିରେ ଚାହିଁ ଭିତରକୁ ଚାଲିଗଲା । କିଛି ସମୟ ପରେ ଭିତରେ ଚପଲ ଶବ୍ଦ ଶୁଭିଲା ।

 

ଅଂଜୁ ବାହାରକୁ ଆସିଚି । ପଚାରୁଚି : କିଏ ?

ମୁଁ କହିଲି କାକୁସ୍ଥ କଣ୍ଠରେ : ମୁଁ ଅବନୀ । ଅବନୀନ୍ଦ୍ର ସାମଲ ।

ଓଃ ! ଭିତରକୁ ଆସୁନ ।

ମୁଁ ଭିତରକୁ ଗଲି ।

ଆଉ, ଆଜି କାଲି କେଉଁଠି ? ଗୋଟିଏ ଚୌକିରେ ନିଜେ ବସି ଆଉ ଏକ ଚୌକିରେ ମୋତେ ବସିବାକୁ ଇଶାରା ଦେଉ ଦେଉ ଏଇ ପ୍ରତ୍ୟାଶିତ ପ୍ରଶ୍ନଟା ତା’ ପାଟିରୁ ବାହାରି ପଡ଼ିଲା ।

ଗାଁରେ ।

କ’ଣ, ଚାଷବାସ ? ଆମକୁ ତ ପୁରା ଭୁଲିଗଲି ! ବାପା ତୁମ କଥା କେତେ ପଚାରନ୍ତି ।

(ପଚାରିବାକୁ ଇଚ୍ଛା ହେଲା, ତୁମେ ମୋତେ ମନେ ପକେଇଚ ଅଂଜୁ !)

ନା, ଚାଷବାସ ନୁହେଁ ଯେ.....

ଆଉ, ପଲିଟିକସ୍‌ କରୁଚ ?

ସେ କାମ ତ ମୋ ଦେଇ ହବନି, ତମେ ଜାଣିଚ । ବେକାର ବସିଚି–ଶିକ୍ଷିତ ବେକାର । ନିଜର ଅସହାୟତାକୁ ଏଇ ତିନି ଅକ୍ଷରର ଶବ୍ଦ ଭିତରେ ବୁଡ଼େଇ ଦେବାକୁ ଚେଷ୍ଟାକରି ଅଂଜୁ ନିକଟରେ ଧରା ପଡ଼ିଗଲି ।

 

ଓଃ–ଚାକିରିବାକିରି ଲାଗି ଚେଷ୍ଟା କରୁଛ କି ନାଇଁ ?

କରୁଚି ।

ତମକୁ ଏମିତି ଦେଖିଲେ ଦୁଃଖ ଲାଗୁଚି, ଅବନୀ ! ମୋତେ ଟିକିଏ ଖବର ଦେଇ ପାରିଲନି ? ଆମ ସମ୍ପର୍କଟା କଣ ଖାଲି କଲେଜର ଚୌହଦୀ ଭିତରେ ସୀମାବଦ୍ଧ ହୋଇ ରହିଯିବାର ଥିଲା-

ମୁଁ କିଛି ଉତ୍ତର ଦେଇ ପାରିଲି ନାଇଁ ।

ଆରେ, ଦେଖ ତ ! କଥା ନହସରେ ଚା’ଟିକେ ବି ପିଏଇ ପାରିନି । ହେ ଗୌରୀ, ଚା ଦି’ କପ୍‌ ଆଣ୍‌ ଜଲଦି । ଆଚ୍ଛା ଅବନୀ–ଗୋଟାଏ କଥା ପଚାରିବି, ଯଦି ତୁମେ କିଛି ମନେ ନକର ।

ପଚାରୁନ !

ଅଂଜୁର ଓଠ ଥରି ଉଠିଲା । ହାତର ଆଙ୍ଗୁଠିମାନେ ତାର ଚୌକିର ହାତ ଉପରେ ନାଚୁଥିଲେ ଅସ୍ଥିର ଭାବରେ । ଆଖି ଦୁଇଟି ତାର ନଇଁଗଲା କେଉଁ ଏକ ଅଜଣା ବେଦନାର ବୋଝରେ ! କେଉଁ ଦୂରରୁ, ବହୁ ଦୂରରୁ ତାର ସ୍ୱର ଯେମିତି ଭାସି ଆସିଲା–‘ଏଇ ଦୁଇ ବର୍ଷ ଭିତରେ ମୁଁ କଣ ଥରେ ହେଲେ ବି ତୁମର ମନେ ପଡ଼ିନି ?’

ଭୋକିଲା କେବଳ ଅନ୍ନକୁ ମନେ ପକାଏ, ଅଂଜୁ । ଆଉ ସବୁ କଥା ତା ନିକଟରେ ତୁଚ୍ଛ-! ପଥୁରିଆ ଶବ୍ବମାନେ ଯେମିତି ଚଟାଣରେ ବାଡ଼େଇ ହେଇଗଲେ । ଅଂଜୁର ଆଖିପତା ଭିଜୁଚି-। ଉଠି ଆସୁଥିଲି । ଅଂଜୁ କହିଲା, ‘ଚା’ ଟିକେ ଖାଇଯିବ ରୁହ ।’

ପୁଣି ଟିକେ ରହିଯାଇ କହିଲା, ‘ବାପାଙ୍କୁ ତୁମ କଥା କହିଥିବି । ତୁମେ ସନ୍ଧ୍ୟାରେ ଟିକେ ଆସିବ ।’

ସନ୍ଧ୍ୟାରେ ଶୁଣିଲି, ଅଂଜୁର ବାପା ମୋ ଉପରେ ଦୟାପରବଶ ହୋଇ ତାଙ୍କ ଦୋକାନରେ ସେଲ୍‌ସ୍‌ମେନ୍‌ କାମ ଦେଇଛନ୍ତି । ଠିକ୍‍ ତ ! ଝିଅର ଦୁଃସ୍ଥ ବନ୍ଧୁକୁ ୟାଠାରୁ ଅଧିକ ଆଉ କି ସାହାଯ୍ୟ କରାଯାଇ ପାରେ ?

ପାଦମାନେ ମୋର କେମିତି ଓଜନିଆ ମନେ ହେଉଛନ୍ତି । ଏଇ ଛକରେ ଫୁଟ୍‌ପାଥ୍‌ରେ ଠିଆ ହୋଇ ରହିଚି ମୁଁ ଦୁଇଘଣ୍ଟା କାଳ । ଏଠିକୁ ଆସି ଶୁଣୁଚି, ଭାଇ କୁଆଡ଼େ ସଂନ୍ତ୍ରାସବାଦୀ ହୋଇଗଲେଣି–ପୋଲିସ୍‌ ତାଙ୍କୁ ଖୋଜୁଛି ।

ମୁଁ ଏଇଠି ଠିଆ ହୋଇ ଭାବୁଚି, ଏବେ କୁଆଡ଼େ ଯିବି ?

Image

 

ବିବର୍ତ୍ତନ

 

‘‘ଏୟ ପିଲା ! ଏ ଏ ଏ ୟ ପିଇଇଇ ଲ୍‌ଲା !’’

 

କଣ୍ଠଟି ଆଗଭଳି ଆଉ ଗମ୍ଭୀର ନାହିଁ । କଥାଟି ହଠାତ୍‌ ତାଙ୍କର ହୃଦ୍‌ବୋଧ ହେବାପରେ ଅବସର ପ୍ରାପ୍ତ ଅଧ୍ୟାପକ ସୁନ୍ଦର ନାରାୟଣ ବେହେରା ପୁଣି ଥରେ ମ୍ରିୟମାଣ ହେଲେ । ଏଇ କଣ୍ଠଟାକୁ ପୁଞ୍ଜି କରି ହିଁ ସେ ଛାତ୍ରନେତା ସାଜିଥିଲେ; ନାନା ବକ୍ତୃତା ପ୍ରତିଯୋଗିତାରେ ପ୍ରଚୁର ତାଳି ଆଉ ଶିଲଉ୍‌ ଲାଭ କରିଥିଲେ; ପରେ ଅଧ୍ୟାପକ ହେଇ ନାଁ କରିଥିଲେ । ଅତଏବ ଏ କଣ୍ଠଟା ହିଁ ତାଙ୍କର ପୁଞ୍ଜି । ତାକୁ ନେଇ ହିଁ ତାଙ୍କର ବ୍ୟକ୍ତିତ୍ୱ । ତା’ ବି ଏବେ ଗଲା ।

 

ପିଲାଟା ବୋଧହୁଏ ତାଙ୍କ ଡାକ ଶୁଣୁଛି; ଶୁଣି ନ ଶୁଣିଲା ପରି ରହିଛି । କେଆର୍‌ କରୁନି-। ପିଲାଟାର ବୟସ ବୋଧହୁଏ ବାର, ବେଶୀ ହେଲେ ଚଉଦ । ତା’ ଠୁ ଅଧିକ ହେବନି-। ଅନ୍ୟମନସ୍କ ପିଲାଟା–ବାଦମ ବିକୁ ବିକୁ ଥକିପଡ଼ି ବସି ଯାଇଚି, ନହେଲେ ବସି କଣ ଗୋଟାଏ ଭାବୁଚି, ଶୁଣି ପାରିନି । ହଁ–ବୋଧହୁଏ ପିଲାଟା ଶୁଣି ପାରିନି । ନହେଲେ ନିଶ୍ଚୟ ଆସନ୍ତା ଏବଂ ଅତିକମ୍‌ରେ ‘ଗରମ ଭାରତ ବାଦାମ୍‌, ବାଦାମ୍‌ ବାଦାମ୍‌ !’ କହି ଉଠନ୍ତା ସେଇ ଚିନ୍ତାପ୍ରବଣ ବାଦାମ–ବିକାଳି ବାଳକ ।

 

ଏକା ଏକା ବସି, ସୁନ୍ଦର ନାରାୟଣବାବୁ କେମିତି କ୍ଳାନ୍ତ ଅବସନ୍ନ ମନେ କରୁଥିଲେ । ହଠାତ୍‌ କିଶୋରଟିକୁ ଦୟା ହେଲା ତାଙ୍କର ।

 

ଏବଂ ଧୀରେ ଧୀରେ ପଢ଼ା ସମୟରେ ଗପବହି ପଢ଼ୁଥିବା ପୁଅକୁ ଧମକେଇଲା ପରି ସ୍ୱରରେ କହିଲେ–ଏୟ ପିଲା ! ହେଃ, ଉଠ, ଶୋଉଚୁ କ’ଣ ! ଉଠ୍‌, ଚଣା ବିକ୍‌ । ବାଦାମ ବିକିବୁନି-!

 

ପିଲାଟା ଉଠିଲା । ମାନେ ଇହରାଜ୍ୟକୁ ଫେରି ଆସିଲା । ଘଡ଼ିଏ ବଲବଲ କରି ଇଆଡ଼େ ସିଆଡ଼େ କ’ଣ ନିର୍ବୋଧ ଆଖିକୁ ବୁଲେଇଲା ଏବଂ ତା’ପରେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ବେହେରାଙ୍କ ଜ୍ଞାନ-ଗମ୍ଭୀର ମୁହଁରେ ଥୋଇଦେଲା । ରେଡ଼ିଓରେ ଅନାବନା ଷ୍ଟେସନ୍‌ରେ କଣ୍ଟା ବୁଲେଇ ଶେଷରେ ଏବେ ଶୋଇବାକୁ ଯାଉଥିବା ଷ୍ଟେସନ୍‌ରେ ଆପାତତଃ ରଖିଦେଲା ଭଳି । ସୁନ୍ଦର ନାରାୟଣବାବୁ ସନ୍ତୁଷ୍ଟ ହେଲେ ଯେ ପିଲାଟା ଚୈତନ୍ୟ ଲାଭ କଲା । ବିରକ୍ତ ହେଲେ ଯେ, ପିଲାଟାର ଆଖି ଏମିତି ନିର୍ବୋଧ କିଆଁ ! ତାଙ୍କ ଉପରେ ନିବଦ୍ଧ ରହିଯାଇଚି କାହିଁକି ତାର ଆଖି–ସେ ରୀତିମତ ଅପ୍ରସ୍ତୁତ ହୋଇ ପଡ଼ିଲେ । ତା’ପରେ ତାକୁ କଅଁଳେଇ ପଚାରିଲେ, ‘ନିଦ ଲାଗୁଚି କିରେ ! ରାତିରେ ଶୋଇନୁ ! ଥକି ଯାଇଚୁ ?’

 

ପିଲଟାର ନିର୍ବୋଧ ଆଖି !

 

‘‘ସେକେଣ୍ଡ ସୋ ସିନେମା ଯାଇଥିଲୁ ?’’

 

‘‘ବାଦାମ୍‌–ବାଦାମ୍‌ ନେବ ?’’ ଏଥର ପିଲାଟାର ପାଟି ଖୋଲିଲା । କିନ୍ତୁ ମୁହଁରେ ଆଖି ଯୋଡ଼ିକ ସ୍ଥିର । ଯେମିତି ମଟରଟିଏ ଯାଉ ଯାଉ ଅଟକି ଯାଇଚି ! ବତୀ ଲିଭା ହୋଇନି ।

 

ସୁନ୍ଦର ନାରାୟଣବାବୁ ପୁଣି ବିରକ୍ତ ହେଲେ । ଆଚ୍ଛାକଥା, ବାଦାମ କିଣିଲେ ଯାଇ କଥା ହେବୁ ତୁ ? ହଉ, ଦଶ ପଇସାର ବାଦାମ କିଣାଯାଉ, ଏଇଠି ବସି ବସି ଖିଆଯାଉ ଏବଂ ୟା’ ସାଙ୍ଗରେ ଗପାଯାଉ । ଏପରି ଏକ କାର୍ଯ୍ୟକ୍ରମ ସ୍ଥିର କରି ସେ ନିଶ୍ଚିନ୍ତ ହେଲେ ଏବଂ ଦଶ ପଇସିଟିଏ ପକେଟ୍‌ରୁ କାଢ଼ି ବଢ଼େଇ ଦେଇ କହିଲେ, ‘‘ଦଶ ପଇସାର ବାଦାମ ଦେ’ ।’’ ପିଲାଟା ତାର ଛିଣ୍ଡା ମୁଣି ଭିତରୁ ବାଦାମ ପୁଡ଼ିଆଟିଏ ବାହାର କଲା ଏବଂ ତାଙ୍କୁ ଦେଲା । ମୋଡ଼ିମାଡ଼ି କାହାଳୀ ପରି କାଗଜରେ ପୁଞ୍ଜାଏ ଚିନାବାଦାମ ।

 

ଅନେକ ଦିନପରେ ଏମିତି ରାସ୍ତାଘାଟରେ ଦଶପଇସିଆ ବାଦାମ କିଣି ଖାଇବାର ହେଲା । ସୁନ୍ଦର ନାରାୟଣ ବାବୁ ଦାନ୍ତକୁ ସନ୍ଦେହ କଲେ । ହୁଏତ ଖାଇ ହୋଇ ନପାରେ । ବୟସ କଣ ଆଉ ଛାଡ଼େ ସେ ଓକିଲ, ଡାକ୍ତର, ଏ ଅମୁକ, ସେ ଢମୁକ ବୋଲି ? ତଳପାଟିର ଛାମୁଦାନ୍ତ ଆଉ ନାହିଁ । ବାକି ସବୁ ଦାନ୍ତ ଦୁର୍ବଳ ହେଇ ଗଲେଣି । ଅନେକ ଦିନ ତଳେ, ଛୁଆବେଳେ, ହୁଏତ ଏଇ ପିଲାର ବୟସ ବେଳେ, ଗାଁ ସ୍କୁଲରେ ପାଠ ପଢ଼ୁଥିଲାବେଳେ ଯେଉଁ ଭଳି ଚିନାବାଦାମ ଖିଆ ହେଉଥିଲା, ମନେ ପଡ଼ିଲା ତାଙ୍କର ବାଦାମ ଉପୁଡ଼ା ହେବାବେଳେ, ଆଠ ଦଶ ବୁଦା ବାଦାମ ଗଛ ଚୋରେଇ, ପାଳ ଦି’ କେରା କେଉଁଠୁ ସଂଗ୍ରହ କରି, ଗାଁ ରାସ୍ତାକଡ଼େ ଗଦା ହେଇଥିବା ମୋରମର ଉଞ୍ଚଛାତିରେ ରଖି, ଲଦାଟିଏ ସଂଗ୍ରହ କରି ଅଗ୍ନି ସଂଯୋଗ କରାଯାଏ । ପହିଲେ ମୁଠିଏ ପାଳ ବିଛେଇ ଦିଆହେବ; ତା’ପରେ ଗଛ ସମେତ ବାଦାମ ସବୁ; ତା’ ପରେ ମୁଠିଏ ପାଳ । ଲଦାକୁ ଫୁଙ୍କି ଫୁଙ୍କି ପାଳଗଦାରେ ନିଆଁ ଲଗାହୁଏ । ପାଳ ଜଳେ ହୁତ୍‌ହୁତ୍‌ ହୋଇ । ଲମ୍ବା ଡାଙ୍ଗଟିଏ ଧରି ବାଦାମ ସବୁକୁ ଘଣ୍ଟା ହେବ, ଏପଟ ସେପଟ କରାହେବ । ତାପରେ ସେଇ କଳା କଳା ପାଉଁଶ ଭିତରୁ ପୋଡ଼ା ଚିନାବାଦାମମାନଙ୍କୁ ବାହାର କରି, ଖିଆଯିବ । କି ମିଠା ! ଏବେ ଆଉ ସେ ବୟସ ଅଛି ନା, ଆବେଗ ଅଛି ଯେ । ତାଙ୍କର ହଠାତ୍‌ ଇଚ୍ଛା ହେଲା, ସେ ପିଲାବେଳେ ଗାଁରେ ଯେମିତି କରୁଥିଲେ, ଏବେ ବି ସେମିତି କରନ୍ତେ ।

 

ପିଲାଟି ପୁଣି ଧ୍ୟାନମଗ୍ନ ହୋଇଗଲାଣି । ପାଟିକୁ ମେଲାକରି ଏକଲୟରେ ଦେଖୁଚି ତ ଦେଖୁଚି । ପଲକ ବି ପଡ଼ିବାକୁ ନାଇଁ । ଏଥର ଗୋଡ଼ମାନଙ୍କୁ ସଙ୍କୁଚିତ କରି ଦେଇଛି । କଳା ମଇଳା ହାପ୍‌ପେଣ୍ଟ୍‌ ଭିତରୁ ତାର ଗୋଡ଼ ଦୁଇଟି ଲମ୍ବି ଆସିଚି ପରିବା ବେଗ ଭିତରୁ ଖଡ଼ାଗଛ ଦି’ଟା ଭଳି । ପିଲାଟିର ଧ୍ୟାନଭଗ୍ନ କେବେ କି ନା, ଭାବୁଥିଲେ ସୁନ୍ଦର ନାରାୟଣ ବାବୁ । ପିଲାଟିକୁ ଉଠେଇ, ମାନେ ପ୍ରକୃତିସ୍ଥ କରି ତାର ନା’, ସେମାନେ କେତେ ଭାଇ ଭଉଣୀ କେଉଁଠି ରୁହନ୍ତି, ବାପା ମା’ କଣ କରନ୍ତି, ପାଠ କିଆଁ ପଢ଼ୁନି, ଏମିତି ମେଡ଼ିଟେସନ୍‌ କଲା ରକମ କିଆଁ ହେଉଛି; ଇତ୍ୟାଦି କେତେଟା ସ୍ୱାଭାବିକ ପ୍ରଶ୍ନ, ପଚାରିବାର ଇଚ୍ଛାକୁ ପ୍ରାଣପଣେ ଦମନ କଲେ ସେ ।

 

କାହାଳୀ ଭିତରୁ ଗୋଟେ ବାଦାମ ବାହାର କରି, ଥରଥର ହାତରେ ବୁଢ଼ା ଆଙ୍ଗୁଠି ଆଉ ମଧ୍ୟମା ମଝିରେ ରଖି ସମସ୍ତ ଶକ୍ତି ଖଟେଇ ଚିପି ଦେଲେ ସେ । ବାଦାମଟା ସାଧାରଣ ଭାବରେ ‘‘ଫଟ୍‌’’ କରି ଫାଟିଗଲା ଏବଂ ‘ଆଁ’ କଲା । ଦୁଇହାତ ଲଗେଇ ସେ ବାଦାମ ଚୋପାକୁ ସମ୍ପୂର୍ଣ୍ଣ ଅଲଗା କରିଦେଲେ । ହାଃ ହାଃ–ଭିତରଟା ପୁରା ଖାଲି । ଫାଙ୍କା ? ଚିନାବାଦାମ କିଣିବା ତାକୁ ଫଟେଇବା ଏବଂ ଫାଙ୍କା ପାଇବା ଘଟଣା ସବୁ ଭାରି ଆମୋଦକର ମନେ ହେଲା ତାଙ୍କୁ । ଶଳା ଜୋକ୍‌ କରୁଚି ମୋ ସାଙ୍ଗରେ ।’ ଏୟା ଭାବିଲେ ସେ ଏବଂ ଏଇ ‘ଶଳା’ ପିଲାଟିଉତ୍ତମ ଧରଣର ଜୋକ୍‌ କରି ପାରୁଥିବା କଥା ଆବିଷ୍କାର କରି ସେ ପୁଣି ହସିଲେ । ତାଙ୍କର ଈଷତ୍‌ ପୃଥୁଳ ଦେହ, ଯତକିଞ୍ଚିତ୍‌ ଫୁଲି ଆସିଥିବା ପେଟକୁ ପ୍ରଚଣ୍ଡ ହଲେଇ ହସ ସବୁ ଭକ୍‌ଭକ୍‌ ହୋଇ ବାହାରି ଆସିଲା ତାଙ୍କ ମୁହଁରୁ ।

 

ଧ୍ୟାନମଗ୍ନ ପିଲାଟିଏ ଅଭାବିତ ହସରେ ପ୍ରକୃତିସ୍ଥ ହେଲା ଏବଂ ନିରୀହ ଆଖିରେ ଏଇ ଅପରିଚିତ ବୃଦ୍ଧଙ୍କୁ ଅନେଇଲା । ଦେଖିଲା ଯେ ଏଇ ଅନ୍ୟଥା ଗମ୍ଭୀର ବୃଦ୍ଧ ଜଣକ କୌଣସି କାରଣରୁ ଅତର୍ଚ୍ଛ ଭାବେ ହସୁଛନ୍ତି । ଅଥଚ ହସିବାର ସେମିତି ସିଧାସିଧି କାରଣ ଆବିଷ୍କାର କରି ନ ପାରି ପିଲାଟିର ଆଖି ପୁଣି ନିର୍ବୋଧ ହୋଇ ଉଠିଲା । ନିଜ ଦେହର ସମସ୍ତ ଅଙ୍ଗ ଉପରେ ସତର୍କ ଦୃଷ୍ଟି ବୁଲେଇ ନେଇ ସେ ଆଶ୍ୱସ୍ତ ମନେ କଲା ନିଜକୁ ଏବଂ ଏଇ ବୃଦ୍ଧଙ୍କର ଲୋଚାକୋଚା ମୁହଁର ସମସ୍ତ ହସନ୍ତ ବକ୍ରରେଖାକୁ ପଢ଼ିବାକୁ ଚେଷ୍ଟାକଲା । ସୁନ୍ଦର ନାରାୟଣ ବାବୁ ପିଲାଟିକୁ ଏକରକମ ଝାଙ୍କିଦେଲେ ଏବଂ ତାଙ୍କ ହାତରେ ଅଦ୍ୟାପି ଥିବା ସେଇ ଖାଲି ବାଦାମ ଚୋପାଟାକୁ ଦେଖାଇ ପୁଣି ବହେ ହସିଗଲେ । ଏମିତି ଅନର୍ଗଳ ହସିବାର କାରଣ କଣ, ଆଉଥରେ ଖୋଜିବାକୁ ଚେଷ୍ଟାକରି ପିଲାଟି ବିକଳ ହେଲା ଏବଂ ଅଗତ୍ୟା ତାର ନିରୀହ ଆଖିରେ ଛୋଟିଆ ପ୍ରଶ୍ନ ଚିହ୍ନଟି ସୃଷ୍ଟି କରି ପଚାରିଲା କ’ଣ ହେଲା ! ଏମିତି ହସୁଚ ଯେ !

 

ସୁନ୍ଦର ନାରାୟଣ ବାବୁ ପୁଣି ହସିଲେ ।

 

ପିଲାଟି ଅପାତତଃ ଧରିନେଲା ଯେ, ସେ ଆଉ କିଛି ପଚାରିବ ନାଇଁ । କ୍ରମେ ସୁନ୍ଦର ନାରାୟଣ ବାବୁଙ୍କ ଉଦ୍ଦାମ ହସର ପ୍ରବାହ ସାମାନ୍ୟ ଉଣା ପଡ଼ିଲା । ସେ କହିଲେ, ‘‘ପୁଡ଼ିଆ ଖୋଲି ପହିଲା ବାଦାମଟିକୁ ଫଟେଇଲାବେଳକୁ ଫୁସ୍‌ ହାଃ ହାଃ ହାଃ କିଛି ନାଇଁ ସେଥିରେ, ଫାଙ୍କା ।’’

 

ଏଥିରେ ହସିବାର କଣ ଥାଇପାରେ, ବୁଝି ପାରିଲାନି ସେ । କିଛିଟା ତାଙ୍କୁ ଉତ୍ସାହିତ କରିବା ପାଇଁ ଓ କିଛିଟା ବୃଦ୍ଧଙ୍କର ନିର୍ବୋଧତାରେ ସେଇ ପିଲାଟି ମଧ୍ୟ ଏକ ସଂକ୍ଷିପ୍ତ କୁଣ୍ଠିତ ହସ ହସିଲା ଏବଂ ସାନ୍ତ୍ୱନା ଦେବା ଭଙ୍ଗୀରେ କହିଲା, ‘‘ଆହୁରି ଥିବ ଯେ, ଭଲ ଥିବ ।’’ ଏବଂ ପ୍ରମାଣ ହେଲା ଭଳି ତଳେ ଗଡ଼ୁଥିବା ପୁଡ଼ିଆରୁ ବାଦାମଟିଏ କାଢ଼ି ତାର ହାତରେ ଫଟେଇଲା ଏବଂ ‘ଏଇ ଦେଖ’ କହିବା ଭଳି ମୁହଁ କରି ସୁନ୍ଦର ନାରାୟଣ ବାବୁଙ୍କ ଆଖି ଆଗରେ ତାର ପାପୁଲିଟିକୁ ଦେଖେଇଲା । ତାର ଶେଥା ଛୋଟ ପାପୁଲିଟିରେ ବଡ଼ ଛୋଟ ହୋଇ ତିନିଟି ମଞ୍ଜି, ସଜେଇଲା ପରି । ସୁନ୍ଦର ନାରାୟଣ ବାବୁ ହଠାତ୍‌ ଖୁସିଟାଏ ହେଲେ ଏବଂ ସେଇ ପାପୁଲିରୁ ମଞ୍ଜିଟିଏ ନେଇ ପାଟିରେ ପକେଇ କହିଲେ, ‘ଯେ ଦି’ ଟା ମଞ୍ଜି ତୁ ଖା’ ।’

 

ପିଲାଟି ସାମାନ୍ୟ ଗୁଁ ପୁଁ ହେଲା, ପରେ ଦୁଇଟିଯାକ ମଞ୍ଜିକୁ ଟପ୍‌ଟାପ୍‌ ପାଟି ଭିତରକୁ ଡିଏଁଇ ଦେଲା ଏବଂ ଅବଲୀଳାକ୍ରମେ ଉଦରସ୍ଥ କରିନେଲା । ପ୍ରାଣନ୍ତକ ଚେଷ୍ଟା କରି ସୁନ୍ଦର ନାରାୟଣବାବୁ ବାଦାମଟିକୁ ଖାଇଲେ; ମୋଟାମୋଟି ପାକୁଳେଇ ପାକୁଳେଇ ଗିଳିଦେଲେ ଏବଂ ଠିକ୍‌ ବୁଝିଗଲେ ଯେ ଏ ବାଦାମତକ ସେ ଖାଇ ପାରିବେ ନାହିଁ ।

 

ପିଲାଟିକୁ ସେ ପଚାରିଲେ, ଆଉ ଖାଇବୁ ?

 

ପିଲାଟିକୁ ନାଇଁ କରି ମୁଣ୍ଡ ଲାଡ଼ିଲା ।

 

ଖାଉନୁ !

 

ତମେ କିଣିଚ । ସେ ତମର । ମୁଁ କିମିତି ଖାଇବି ?

 

ମୁଁ ଦଉଚି ଯେ । ନେ ଖା’ । ଧର୍ ।

 

ତୁମେ ଖାଉନ ।

 

ଦାନ୍ତ । ବୁଝିଲୁ । ଦାନ୍ତ ଦରକାର ଏସବୁ ଖାଇବା ପାଇଁ । ମୋର ଦାନ୍ତ ଦେଖ୍‌ । କହି ସେ ତଳପାଟିର ମେଲା ସ୍ଥାନ ଦେଖେଇ ଦେଲେ । ଆଉ ଉପରପାଟିର ଦାନ୍ତକୁ ହାତରେ ହଲେଇ ଦେଲେ ।

 

ପିଲାଟି ସବୁ ବୁଝିଲା ପରି ମୁହଁ କଲା ।

 

କିନ୍ତୁ ସବୁ ଖାଇବିନି । ସେ କହିଲା ।

 

କାହିଁକି ?

 

ତୁମ ଘରେ କଣ କେହି ନାହାନ୍ତି ।

 

ଅଛନ୍ତି । ଦି’ଟା ନାତି । ଚାରି ବର୍ଷର, ବର୍ଷକର । ପୁଅ, ବୋହୂ, ଝିଅ ।

 

ତ’ ସେମାନେ ଖାଇବେ । ନାତିମାନେ, ତୁମ ଲୋକବାକ ।

 

ନେ ତୁ ଖା, ମୁଁ ଦଉଚି ତତେ । ହଉ, ଦି’ଟା ନେ, ଖା’ ।

 

ପିଲାଟି ଗଣିଲାପରି ଦୁଇଟା ବାଦାମ ଉଠେଇ ନେଲା ।

 

ପାର୍କର ବତୀସବୁ ଜଳିଲାଣି । ଏବେ ଏଠି ଅନେକ ଲୋକ । ପିଲା, ବୁଢ଼ା, ଯୁବକ, ଯୁବତୀ । ଦଳଦଳ, ଯୋଡ଼ିଯୋଡ଼ି ।

 

ବାଦାମ ବିକିବୁ ନାଇଁ ?

 

ବିକିବି ତ ।

 

ଯାଉନୁ, ଲୋକ ତ ଜମିଲେଣି !

 

ହଉ ।

 

ପିଲାଟି ଉଠିଲା । ଭିଡ଼ିମୋଡ଼ି ହେଲା । ହାଇଟିଏ ଛାଡ଼ିଲା । ମୁଣାଟିକୁ କାନ୍ଧରେ ପକେଇଲା । ପୁଞ୍ଜାଟିଏ ହେବ, ହାତରେ ଧରିଲା ଏବଂ ‘ବାଦାମ, ଗରମ ଭାରତ ବାଦାମ’ କହି ଲମ୍ବିଗଲା ଏ କୋଣରୁ ସେ କୋଣ ।

 

ଅବଶିଷ୍ଟ ବାଦାମକୁ ପକେଟରେ ଭର୍ତ୍ତିକଲେ ସୁନ୍ଦର ନାରାୟଣ ବାବୁ ।

 

ଲୋକେ ଏପଟେ ବି ଚଳପ୍ରଚଳ ହେଲେଣି । ରଜନୀଗନ୍ଧା ମହକିଲାଣି । ବେଞ୍ଚର ପିଠିରେ ଆଉଜି ସୁନ୍ଦର ନାରାୟଣବାବୁ ଟିକେ ଆରାମ କଲେ । ଘଡ଼ି ଦେଖିଲେ, ସାତଟା ପାଖାପାଖି ହେଲାଣି ।

 

ଏଥର ଫେରିଲେ ହୁଏ । ପିଲାଟି ଆଉ ଦିଶୁନି । ତାର କଅଁଳିଆ ସ୍ୱର ଶୁଭୁଛି–କେମିତି ଫାଟିଗଲା । ଭଳିଆ ।

 

ସୁନ୍ଦର ନାରାୟଣ ବାବୁ ଉଠିଲେ ।

 

ତାଙ୍କର ଫେରିବା ବେଳ ହେଲାଣି ।

Image

 

Unknown

ବସ୍‌ ଆସିବା ପୂର୍ବରୁ

 

ଅଧଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ବସ୍‌ ନ ଆସିଲେ କୋଉ ଲୋକର ଧୈର୍ଯ୍ୟ ବା ରହିବ ! ବସ୍‌ ତ ବସ୍‌–ତାର ବାସ୍ନା ସୁଦ୍ଧା ନାହିଁ । ୟାର ଅର୍ଥ–ପୁଣି ପ୍ରତୀକ୍ଷା, ଅଜଣା ସମୟର ପାଇଁ-। ଯେହେତୁ ମୁଁ ବସ୍‌ରେ ଯିବାକୁ ବାଧ୍ୟ, ମୁଁ ବସ୍‌କୁ ନିଶ୍ଚୟ ଅପେକ୍ଷା କରିବି ଏବଂ ବସ୍‌ ଆସିବ ତା ସୁବିଧା ଅନୁସାରେ ଭବିଷ୍ୟତର କୌଣସି ଏକ ମୁହୂର୍ତ୍ତରେ ।

 

ରାସ୍ତାଭର୍ତ୍ତି, ଅଚିହ୍ନା ଲୋକ । ବହିଟିଏ ବି ମୁଁ ମୂର୍ଖ ଆଣିଲି ନାହିଁ । ସୂର୍ଯ୍ୟ ବର୍ତ୍ତମାନ ଠିକ୍‌ ମୁଣ୍ଡ ଉପରେ ! ତୀକ୍ଷ୍ନବର୍ଚ୍ଛା ଭଳି ଖରା ଭେଦି ଯାଉଛି ଦେହରେ ଏବଂ ଦେହ ଖୋଜୁଛି ଛାଇ ।

 

ଏମିତି ଗୋଟାଏ ରବିବାରଟାରେ କୌଣସି ଏକ ନିର୍ଜନ ଜାଗାରେ କୃଷ୍ଣଚୂଡ଼ାର ଲାଲଫୁଲର ଛାଇତଳେ ବସି ବସି ତା ସାଙ୍ଗରେ ଗପ, ଅର୍ଥହୀନ ଗପ କଥା ବର୍ତ୍ତମାନ ଚିନ୍ତା ବି କରି ହେଉ ନାହିଁ । ଏମିତି ସବୁବେଳେ ପ୍ରେମିକାକୁ ମନେ ପକାଇବା ସୁସ୍ଥ ଲୋକର କାର୍ଯ୍ୟ ନୁହେଁ ବୋଲି ରାଜେନ୍ଦ୍ର କହୁଥିଲା । ଏହାଦ୍ୱାରା କୁଆଡ଼େ କିଛି ଲାଭ ବି ହୁଏ ନାହିଁ । କିନ୍ତୁ ଲାଭକ୍ଷତିର ହିସାବ ନିକାଶ କରି କଣ ପ୍ରେମ କରାଯାଏ ? ପ୍ରେମ ତେବେ କେମିତି କରାଯାଏ ? ପାଗଳ ଭାବରେ ପ୍ରେମ କରିଯିବା, ହୃଦୟକୁ କ୍ଷତାକ୍ତ କରିବା ଯନ୍ତ୍ରଣା, ନିଜର କଷ୍ଟ ଭୁଲି ନପାରିବାର ଯନ୍ତ୍ରଣା, ବଞ୍ଚିବାର ଯନ୍ତ୍ରଣା, ପ୍ରେମରେ ନିରାଶ ହୋଇ ଉଦ୍‌ଭଟ ଗଳ୍ପ ଏବଂ ଦୁର୍ବୋଧ୍ୟକବିତା ଲେଖିବା–ଶଳା ବସ୍‌କୁ ଜଗିବା ।

 

ରିକ୍‌ସାରେ ଯାଉଛନ୍ତି ଦୁଇଜଣ । ବୋଧହୁଏ ସ୍ୱାମୀ ସ୍ତ୍ରୀ । ମହିଳା ଜଣଙ୍କ କୋଳରେ ଛୋଟ ଛୁଆ । ସେ ବି କେମିତି ବିଭାହୋଇ ପାରିଲା କେଜାଣି । ନାଃ ମୁଁ ଆଉ ତାକୁ ମନେ ପକାଇବି ନାଇଁ । ହୁଏତ ତାକୁ ଦୟା କରିପାରେ । କରିପାରେ କିଞ୍ଚିତ୍‌ କରୁଣା । ନିଜକୁ ବି ! ନିଜେ ମୁଁ ନିଜକୁ ଦୟା କରୁଛି ହୁଏତ । ତାର ବିଭାବେଳକୁ ବିଚାରୀ କେତେ କନ୍ଦାକଟା କରି ନଥିବ । ସେ ଲେଖିଥିଲା ତାର ଅନଭ୍ୟସ୍ତ ପ୍ରେମ ଚିଠି : ତମକୁ ହିଁ ଯେତେବେଳେ ମୋ ଜୀବନରେ ଦେବତା ରୂପେ ମାନି ନେଇଛି, ଆଉ କିଏ କଣ ମୋ ମନର ଚୌହଦୀ ଭିତରକୁ ପ୍ରବେଶ କରିପାରେ । ଆହାଃ ତାକୁ ଦୟା କରାଯାଉ । ସେ ସୁଖରେ ରହୁ, ସୁଖରେ ।

 

ଏ ଧୁ ଧୁ ଦିପହରଟାରେ ବସ୍‌କୁ ଅପେକ୍ଷା କଲାବେଳେ, ପ୍ରେମିକାକୁ ମନେ ପକାଇବା ଛଡ଼ା ଆଉ କଣ ବା କରାଯାଇ ପାରେ ? ମନଟା ହଠାତ୍‌ ଓଜନିଆ ହୋଇ ଯାଉଛି । କାନ୍ଦ କାନ୍ଦ ଲାଗୁଛି ବହୁତ । ବହୁତ ଖାଲି ଲାଗୁଚି । ଖାଲି ଖାଲି ଖାଁ ଖାଁ । ମଧ୍ୟାହ୍ନର ଶ୍ମଶାନ ପରି ଉଦାସିଆ । ମୁଁ ଜୋରଜବରଦସ୍ତି କୌଣସି ଏକ ଫିଲ୍‌ମ ଗୀତ ଗୁଣୁ ଗୁଣେଇବାକୁ ଇଚ୍ଛା କଲି । ଏମିତି ସମୟରେ ଶଳା ଗୀତ ବି ମନେ ପଡ଼େ ନା ! ତା ପରେ ମୁଁ ଏକ ନିଷ୍ଠ ହୋଇ କାନ୍ଥର ପୋଷ୍ଟର୍‌ ଓ ପ୍ରଚାରମାନଙ୍କୁ ପଢ଼ିଲି ।

 

ନକ୍‌ସଲ ବାର୍ବରି ଜମ୍‌ ଡାଉନ୍‌ ଡାଉନ୍‌

କିଏ କରିବ ଦୋଶ ଅଖଂଡ଼ / ଭାରତୀୟ ଜନ ସଂଘ

ମେରା ନାମ ଜୋକର । ଦୁର୍ନୀତିକୋ ମାରୋ ଠୋକର

ବିପ୍ଳବ ଆସୁଚି ଆସୁ ମାଡ଼ି ଯାଉ ଧରଣୀକୁ ଥରେ

ଜାଲିମ୍‌ଲୋସନ, ଦାଦ୍‌ ଖୁଜୁଲି କି ଦବା

ବିବାହିତ ଭାଇମାନେ, ଗୋଟାଏକୁ ପାଞ୍ଚ ପଇସା, ତିନିଟାକୁ ପନ୍ଦର

ଗଣତାନ୍ତ୍ରିକ ସମାଜବାଦର ପ୍ରତିଷ୍ଠା ପାଇଁ ଇନ୍ଦିରାକୁ ଭୋଟ ଦିଅନ୍ତୁ

ବର୍ବର ପାକିସ୍ଥାନ

ଚୀନର ଦଲାଲଗଣ ସାବଧାନ ସାବଧାନ

‘ଭାଇ ଭାଇ’ ତୃତୀୟ ସପ୍ତାହ

ରେଣୁ + ମୋହନ = ହାଃ ହାଃ ହାଃ

 

ଏହାପରେ କ’ଣ କରାଯିବ । କ’ଣ କରାଯିବ ? କ’ଣ କରାଯିବ । କ’ଣ କରା ? କଣ କ ? କ’ଣ ? କ ? ୦୦୦ ? ୦୦୦ ?

 

ମୁଁ ଏମ୍‌ତି ଠିଆରହି ବର୍ତ୍ତମାନ କଣ କରିବି ବୋଲି ଭାବୁଭାବୁ ପାନ ଦୋକାନୀକୁ ଯାଇ ପାନ ମାଗିଲି । ଖଇରିଆ ଜର୍ଦା । ଅଳେଇଚ ଦେବ । ବଙ୍ଗଲା ପତା । ମେଂଥଲ ଦେବ ନାହିଁ । ବସ୍‌ କେତେବେଳେ ଆସେ ? ସମୟ ହେଲାଣିକି ? ଏମିତି ଡେରି କରନ୍ତି ଆଜ୍ଞା । ବସ୍‍ବାଲା ପରା ! ଲୋକଙ୍କୁ ହଇରାଣ ନକଲେ ମନ ଶାନ୍ତି ହେବ କୁଆଡ଼ୁ ? ବାନ୍ଧି ଦେବି ନ ଖାଇବେ ? ସିଗାରେଟ ଦେବି ? ପାନାମା ? ନାଃ, ଥାଉ ! କାନ୍ତି ? ଛାଡ଼, ମୁଁ ତା’କୁ ମନେ ପକାଉ ନାଇଁ । ମୁଁ ତାକୁ ଭୁଲିଯାଉଛି । ସିଗାରେଟ ଦିଅ । ଦିଆସିଲି । ରାସ୍ତାରେ ଝିଅଟେ ଆସୁଛି । ଫିକା ସାବଜା ଶାଢ଼ି । ସାବନା ରଙ୍ଗ ଫିକା ଫିକା ଚେହେରା । ଆଃହା ! ଥୁଃ, ଜାଫ୍‌ରାନୀ ଟିକେ ଦେଲ ।

 

ରାସ୍ତାମାନ ନିଶୂନ୍‌ । ମୋତେ ଏକୋଇଶ ବର୍ଷ ହେଲାଣି କି ନାଇଁ ? ପରୀକ୍ଷା ପାଖ ହେଲା । ଏଥର ପରୀକ୍ଷା ଘୁଞ୍ଚିବ ନାହିଁ । ବାପା ‘ଏଥର ଲେଖାଲେଖି ଧନ୍ଦା ଛାଡ଼ । ପାଠ ପଢ଼, ପାଠ । ବଡ଼ଲୋକ ହେବ, ନା’ ପଛରେ ଇଂରାଜୀ ଏମେ. ବୋଲି ଲେଖିବ । କଲେଜରେ ମାଷ୍ଟ୍ର ହେବ । ବାହାସାହା ହେବ ବଂଶରକ୍ଷା କରିବ । ବୁଢ଼ାହେବ । ପେନ୍‌ସନ୍‌ ନେବ । ତା ପରେ ମରିବ-। ଛଅ ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା । ‘କୋଣାର୍କ’ ସିନ୍ଦୂର ! ଭଉଣୀ ! ଆପଣଙ୍କର କାଚ ସିନ୍ଦୁର ଅକ୍ଷୟ ହେଉ । ସରୋଜିନୀ ମହାପାତ୍ରର ଚଉଡ଼ା କପାଳରେ ସିନ୍ଦୂର ଚମତ୍କାର ଦିଶୁଥିଲା-। ସେ ବର୍ତ୍ତମାନ କେଉଁଠି । ଝିଅଟା ପାଖକୁ ଆସୁଛି ! ଛାଇ ଲିଭି ଗଲାଣି । ଛାଇ ଓ ମୋର ଏକତ୍ୱ ନାହିଁ । ବର୍ତ୍ତମାନ ଛାଇର ଦୈର୍ଘ୍ୟ ବଢ଼ୁଛି । ଆଲୋକ, ଏତେ ନୀଳ ଶାଢ଼ି ନୀଳ ଆଖି... ନାଃ, ନାଃ ମୁଁ ‘ତାକୁ’ ମନେ ପକାଇବି ନାହିଁ । ବିଲ୍‌କୁଲ୍‌ ନୁହେଁ । ତା’ ପରେ ମୁଁ ମୋଟେ ନୁହେଁ ବୋଲି ପାଟି କରି କରି ମୁଣ୍ଡକୁ ଲାଡ଼ିଲି । ‘କଣ ଆଜ୍ଞା’ ବୋଲି ପାନବାଲା ପଚାରୁଛି । ‘କିଛି ନାହିଁ ଏମିତି’ ବୋଲି କହି ମୁଁ ତାକୁ ସନ୍ତୁଷ୍ଟ କଲି । ସମୁଦ୍ରର ରଙ୍ଗ ନୀଳ ! ମୁଁ ସମୁଦ୍ର ଦେଖିନାହିଁ । ପୁରୀ ଦେଖିନାହିଁ-। କୋଣାର୍କ ଦେଖିନାହିଁ । ପିଲାବେଳେ ମା ଓ ବାପାଙ୍କ ସଙ୍ଗେ କୋଣାର୍କ, ପୁରୀ, ଖଣ୍ଡଗିରି, ଉଦୟଗିରି ଯାଇଥିଲି ବୋଲି ଶୁଣିଛି । ସେତେବେଳେ ମୁଁ ସମୁଦ୍ର ଦେଖିଥିବି । ମୁଁ ରେଳରେ ଗଲାବେଳେ ଚିଲିକା ଦେଖିଛି । ଉଣେଇଶ ଏକସ୍ତରୀ ଫେବୃୟାରୀ ଚଉଦ ରବିବାର ଦିନ କାରରେ ହୀରାକୁଦ ପିକ୍‌ନିକ୍‌ ଗଲାବେଳ ହୀରାକୁଦ ଡେମ୍‌କୁ ଦେଖିଛି ! ନୀଳ ନୀଳ ! ମୃତ୍ୟୁନୀଳ-! ନୀରବତାର ନୀଳ ! ସେଦିନ ମରିଯିବାକୁ ଇଚ୍ଛା ହେଲା । ଖୁବ ଇଚ୍ଛା ହେଲା ! ଗାନ୍ଧିମୀନାରକୁ ଚଢ଼ି ଘୂରନ୍ତା ଅବସ୍ଥାରେ ହନୁମାନ ପରି ସିଧା ଡେମର ଶହଶହ ଫୁଟ ଗଭୀର ପାଣିକୁ ଡେଇଁବାକୁ ଇଚ୍ଛା ହେଲା । କିନ୍ତୁ ହାୟ ? ଆମେମାନେ ରାଇଟ୍‌ ଡାଇକ୍‌କୁ ଗଲୁ । ଫଟୋ ନେଲୁ । ମାଛ ଖାଇଲୁ-। ହୁଲି ଡଙ୍ଗାରେ ଚଢ଼ୁଚଢ଼ୁ ଚିପା ପେଣ୍ଟ ଓ ଜୋତାକୁ କାଦୁଅ କଲୁ । ମୁଁ ଅନେକ ଥର ଡଙ୍ଗାରେ ଚଢ଼ିଛି-! ଏଥର କିନ୍ତୁ ଖୁବ୍‌ ଡର ଲାଗିଲା । ଡେମ୍‌ର ଉଁଚା ଉଁଚା ଲହରୀମାନ ଓ ହୁଲି ଡଙ୍ଗା ? ଆହା, ମୁଁ ନିଜକୁ ରକ୍ଷା କରିବି ନା ଡଙ୍ଗାକୁ ଦୟା କରିବି ? ମୋର ଦେହ ଥରୁଛି । ବସନ୍ତସଢୁ କହିଲେ, ଡର ନାଇଁ, ଡର ନାଇଁ । କିଛି ହେବ ନାଇଁ । ଏପରିକି ଗୁରୁଦେବ ନିମାଇଁ ପଣ୍ଡା ଏବଂ ପେରୀମେସନ୍‌ ପ୍ରଫୁଲ୍ଲ ବାବୁ ମଧ୍ୟ ବୁଡ଼ିଗଲେ ରକ୍ଷା କରିବାର ପ୍ରତିଶୃତି ଦେଲେ । ମୁଁ କିନ୍ତୁ ଚିତ୍କାର କଲି, ମୁଁ ପହଁରା ଜାଣେ ନାଇଁ, ମୁଁ ମରିଯିବି । ଡଙ୍ଗା ବୁଡ଼ିଯିବ । ଡଙ୍ଗାରେ ପାଣି ପଶୁଛି । ମୁଁ ବୁଡ଼ିଯିବି-। ଡଙ୍ଗା ଫେରା । ଫର୍‌ ଗଡ଼ସ୍‌ ସେକ୍‌, ଡଙ୍ଗା ଫେରାଅ, ପ୍ଳିଜ୍‌ । ମୁଁ କଣ ମୃତ୍ୟୁକୁ ଭୟ କରେ । ଏଇ ଭୟ ସାମୟିକ ହାସ୍ୟ ଯୋଗାଇଥିଲା ବନ୍ଧୁମାନଙ୍କୁ ! ତା’ପରେ ନିଜକୁ ସର୍କସ । କ୍ଳାଉନ୍‌ ଭାବିଲି ମୁଁ–ଏକ କ୍ଳାଉନ୍‌ ! ହାଃ ହାଃ !

 

ଖରା ଚାଉଁ ଚାଉଁ ମାରୁଛି । ଶଳା ବସ ଏପର୍ଯ୍ୟନ୍ତ ଆସିଲା ନାହିଁ । ରାଗ ମାଡ଼ିଲାଣି । ଏ ନପୁଂସକ କ୍ରୋଧର କିଛି ଅର୍ଥ ନାହିଁ ହୁଏତ । ମୁଁ ମୃତ୍ୟୁକୁ ଭୟ କରେ । ମୁଁ ଏକ ଦୁର୍ବଳ ପୁରୁଷ । କା ପୁରୁଷ । ଦୁର୍ବଳ ପ୍ରେମିକ । ତୁମେ କେମିତି ଆତ୍ମହତ୍ୟା କରିବାକୁ ସଂକଳ୍ପ କରିଥିଲ ! ଆଶ୍ଚର୍ଯ୍ୟ ! ଜୀବନ କଣ ତମକୁ ଭଲ ଲାଗେନା ! ଏଇ ହସ, ଏଇ ଫୁଲ, ଏଇ ଝିଅମାନେ, ଏହି ପାନ ସିଗାରେଟ୍‌, କୀଟସ, ଏଲିଅଟ, ଜଗନ୍ନାଥ ଦାସ କି ଗୁରୁମହାନ୍ତି କି ସୌଭାଗ୍ୟ ମିଶ୍ର, ଏଇ ନଦୀ କିଛି ଭଲ ଲାଗେ ନା । ଦୁଃଖ, ଅଶ୍ରୁ, ମୃତ୍ୟୁ, ମୁକ୍ତି, ଆଃ ମୁଣ୍ଡଟା ବୁଲେଇଲାଣି ରିମ୍‌ଝିମ୍‌ । ମୋତେ ପ୍ରତି ମୁହୂର୍ତ୍ତରେ ମରିବାକୁ ଦିଅ, ମୃତ୍ୟୁକୁ ଅପେକ୍ଷା କରି କରି ବଞ୍ଚିବାକୁ ଦିଅ.... ଓଃ ବଞ୍ଚିବାକୁ ଦିଅ, ମୃତ୍ୟୁ ଦିଅ... ମୃତ୍ୟୁ.... ବସ୍‌ କୁଆଡ଼େ ଗଲା ବସ୍‌–ବସ୍‌ ଆସୁଛି... ଆସୁଛି ଢଳି ଢଳି ଢଳି, ସତର୍କ ପଦ ପାତରେ, ସ୍ଥିର ଅବିଚଳ ଭାବରେ । ଏକ ନିଶ୍ଚିତତା ସହ ଆଖିପତା ବୁଜିହେଇ ଆସୁଛି । କ୍ରମଶଃ ଆଖି ଆଗରେ ଯେମିତି ଅନ୍ଧାରର ଅନେକ ସ୍ତର । ଗେଲନ୍‌ ଗେଲନ୍‌ ମଦ ପିଇଲା ପରି ଟଳମଳ ଅସ୍ପଷ୍ଟ ଆକୃତି ଏକ କ୍ଷୀଣ ଗର୍ଜନ ସହ ଆସୁଛି... ବସ୍‌ ଆସୁଛି ।

Image

 

ବିକ୍ଷିପ୍ତ

 

ହଠାତ୍‌ ଏମିତି ହୋଇପାରେ ଯେ, କବାଟ ଖୋଲୁ ଖୋଲୁ କୌଣସି ଏକ କିଂଭୂତକିମାକାର ପ୍ରାଣୀ ବା ଏକ କଦାକାର ଛାଇ । ଆପଣ ଚାହିଁବେ କବାଟଟା ଧଡ୍‌ କରି ବନ୍ଦ କରିଦେବାକୁ ବା ଚିତ୍କାର କରିବାକୁ ।

 

କିନ୍ତୁ ସେମିତି ହୁଏ ନାଇଁ ।

 

କେବଳ ପବନ ଝର୍କାଟାକୁ ଖଡ୍‌ଖଡ୍‌ କରେ, ତୁଚ୍ଛାଟାରେ । କେବଳ ଅନ୍ଧାର ହୁଏ । ବତୀଖୁଣ୍ଟମାନେ ଲିଭିଯାନ୍ତି । ସକାଳ ହୁଏ । ଆପଣ ବିଛଣାରୁ ଉଠନ୍ତି ।

 

ପ୍ରେମିକାମାନେ ବହୁଦିନ ପରେ ବି ମାରାତ୍ମକ ଭାବେ ମନେ ପଡ଼ନ୍ତି । ସେଇ ମୁହୂର୍ତ୍ତଟି ଅସଂଭାବ୍ୟ ନୁହେଁ–ହଠାତ୍‌ ଆସିଯାଏ । ଆପାତତଃ ଅନେକ ଅସଂପୃକ୍ତ ଚିନ୍ତାର ସଂଯୋଗକାରୀ ଖିଅ ଆପଣ ଯେମିତି ପାଇ ଯାଆନ୍ତି ହଠାତ୍‌ ।

 

ସେପରି ।

 

ସକାଳ । ଖରାବେଳ । ଦ୍ୱିପ୍ରହର । ଯେ କୌଣସି ସମୟରେ । ଯାହା କିଛି ଘଟି ଯାଇପାରେ । ଆପଣ ହୁଏତ ସିନେମାହଲ୍‌ରେ କିମ୍ବା ବସ୍‌ରେ ଅଜ୍ଞାତ ଲୋକମାନଙ୍କ ହାତରୁ ମାଡ଼ ଖାଇ ପାରନ୍ତି । ଆପଣଙ୍କର ମୁହଁରେ ଆଶ୍ଚର୍ଯ୍ୟ ଝଲସୁଚି ?

 

ପର ମୁହୂର୍ତ୍ତରେ ସେଇ ଅଚିହ୍ନା ମୁହଁମାନେ ଚିହ୍ନା । ସେମାନେ କୌଣସି ମୋଟାମୋଟା ବ୍ୟବସାୟୀ ସଙ୍ଗେ ଚା’ ପିଇ ଲାଞ୍ଜ ହଲଉଛନ୍ତି । କିଛି ସମୟ ପରେ । କଳାବଜାରରେ ସେମାନେ ଚଢ଼ା ଦରରେ ଗ୍ରୋସରି କିଣୁଛନ୍ତି । କିଛି ସମୟ ପରେ । ପରୀକ୍ଷା ହଲ୍‌ରେ କପି କରି ଧରା ପଡ଼ିଛନ୍ତି । କିଛି ସମୟ ପରେ । ଛକରେ ସିଟିମାରି ଟୋକୀମାନଙ୍କୁ ଠାରୁଛନ୍ତି ।

 

ମାନେ କିଛି ବି ଅସମ୍ଭବ ନୁହେଁ ।

 

ତୁମେ ସତକଥା କହୁଚ ? ତୁମକୁ ସତ କହିବାକୁ ଦିଆଯିବ ନାହିଁ । କଂପ୍ରୋମାଇଜ୍‌ କର-

 

ସାର୍‌ ?

 

କୁହ ।

 

ମୁତିଯିବି....

 

(ହାଃ ହାଃ ହାଃ)

 

ହ୍ୱିସିଲ୍‌ । ରକୀ ହେ ନାମ୍‌ ମେରା । ମୁଁ କଖଗ ମଯ । ମୋତେ ଭୋଟ୍‌ ଦେଇ ଜିଣାଇଲେ କପିକରି ପାରିବେ, ଝିଅଙ୍କୁ.....

 

ଆକାଶରେ ଗତ ତିନି ଦିନ ଧରି ମେଘ ।

 

କେତେ ନବୁ ?

 

ପାଞ୍ଚ ଟଙ୍କା ।

 

ଉତ୍ତେଜନା ହୀନ ପୃଥିବୀ । ବଞ୍ଚିଛି ବୋଲି ପ୍ରମାଣ ଦିଅ । ମୁଁ ପ୍ରମାଣ ଦେଉଛି ବନ୍ଧୁ, ମାନେ, ମୁଁ ବଞ୍ଚିଛି ।

 

ଜଗା ! କାଳିଆ ! ତୋ ହସକୁ ମୁଁ ବୁଝି ପାରେନା । ତୋ ଆଖିକୁ ମୁଁ ବୁଝି ପାରେ ନା; ନିରାପଦ ଜାଗାରେ ବସି କେବେଠୁ ହସୁଚୁ ଯେ, ହସୁଚୁ ।

 

ମୋନାଲିସା ! ତୁମ ପାଇଁ ଆତ୍ମହତ୍ୟା କେତେ ଜଣ କଲେଣି ?

 

ଶ୍ୟାଲେ, ଅନ୍ଦର୍‌ ଘୁସ୍‌ତା ହୈ ?

 

ଚୁପ୍‌, ହରାମ୍‌ଜାଦା ।

 

ଠାଏଁ । ଠାଏଁ ।

 

ତାଜମହଲ୍‌ର କଥା । କଅଁଳ ଜହ୍ନରେ ତାଜ୍‌ । ମସୃଣ ଜଂଘ ଯେମିତି ତେଲ ଜରଜର । ଅଶୋକ ଚନ୍ଦନ ଓ ମୁଁ । ଗରମ, ଭିଡ଼ । ଗୋଲ ଗପ୍‌ପା, କୁଲଫି, ପାନ ଓ ରାବିଡ଼ି । ହୁଏତ ଏଠି କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପ । ହୋଇପାରେ । ସବୁ ରକ୍ତ–ରକ୍ତମାନେ ହିଁ ଭଗ୍ନ ବୁକୁ । କାଲର୍‌ କପୋଲେ ଏକ୍‌ ବିନ୍ଦୁ ଅଶ୍ରୁ......

 

ତୁମେ କିଏ ଏଠି ବସିଚ । ଅନେକ ଦିନରୁ ? ତୁମେ କି ମୋ କଥା ଶୁଣୁଚ ? ମୋ କବିତା, ମୋ ଗପ ପଢ଼ୁଚ ? ମୁଁ ଏସବୁ କାହାପାଇଁ ଲେଖୁଚି । ଏଇ ଜଗନ୍ନାଥ ଦେଶର ନୀରିହ ଜନତା ପାଇଁ, ନା ମୋର ପ୍ରେମିକ, ପ୍ରେମିକା ଗଣଙ୍କ ପାଇଁ ? ତୁମେ କି ମୋର ଛାଇ ? ମୋର ଅନ୍ତରଙ୍ଗ ? ମୋର ପ୍ରାଣର ଦୋସର ?

 

ତମ ହସ ମୋତେ ପାଗଳ କରେ । ମୁଁ ତୁମକୁ ଭଲପାଏଁ । ତୁମେ ମୋର–ଏକାନ୍ତ ନିଜର । (କେତେ ଥର ଏ ସଂଳାପ ବାୟୁରେ ଘୁରିଚି) ଗୋଲାପ ! ତୁମେ ତଥାପି ସୁନ୍ଦର, ଅନୁପମା-। ଏମିତି ଦିନ ବିତିଯାଏ । ଆମେ ଯେଉଁଠି, ସେଇଠି । ଠିଆ ହୋଇ ରହିଥାଉଁ । ସମୟକୁ ଦୋଷ ଦେଉଁ । ବଙ୍ଗାଳୀ ବା ତେଲଗୁଙ୍କୁ ଗାଳି ଦେଉ, ନହେଲେ କଟକୀ, ସମ୍ବଲପୁରୀ, ବ୍ରହ୍ମପୁରୀର ତାଧିନ୍‌ ତାନ୍ନାନ୍ନାରେ ମାତୁଁ । ମୋଟ ଉପରେ ଆମେମାନେ ଅସ୍ଥିର ।

 

ପ୍ରଫେସର ଦାଶ । ୟୁ ଆର୍‌ ରାଇଟ୍‌ । ଆମର ଜାତୀୟ ଚରିତ୍ର ହେଲା ସିଫ୍‌ଟିଂ ଅଫ୍‌ ରେସ୍ପନ୍‌ ସିବ୍‌ଲିଟି । ବିରାଟ କଲେଜ । ଅସଂଖ୍ୟ ରଙ୍ଗର କୋଲାଜ୍‌ । କୋଳାହଳ ଧିରେ ଧିରେ ନଏଁ-। ବିରାଟ ପଡ଼ିଆ ।

 

ସନ୍ଧ୍ୟା ଧୂଆଁ ଉଠେ । ଅତୀତ, ବର୍ତ୍ତମାନ, ଭବିଷ୍ୟତ କିଂଦିରିବାରେ ଲାଗନ୍ତି ଗୋଟାଏ ବୃତ୍ତରେ । ଆଖି ବୁଝି ପାରେନା । କଣ୍ଠ ଅସଂଯତ ହୁଏ । ମସ୍ତିଷ୍କ କ୍ରିୟାହୀନ ହୁଏ ଓ ଆମେ ଭାବୁ ଆମେ ବଞ୍ଚିଚୁ । ଆମେ ଠକିଦେଲୁ ଜରଦ୍‌ଗବମାନଙ୍କୁ ଆମେ ପ୍ରତିଶୋଧ ନେଉଛୁଁ ଏ ପୃଥିବୀରେ ଆତଯାତ ହେଉଥିବା ପ୍ରାଣୀମାନଙ୍କଠାରୁ ।

 

ହଠାତ ଆପଣଙ୍କୁ ଏକ ଅତିକାୟ ଅଜଗର ଆକ୍ରମିପାରେ–ନାଃ ଭୁଲ ହୋଇଗଲା । ହୁଏତ ଆପଣ ସମୟ ସ୍ରୋତରେ ଭାସି ଯାଉ ଯାଉ ମୁହାଣରେ ପଡ଼ିବେ–ଆଉ ସେ ମୁହାଣ, ସୁମଦ୍ରର ଦରଜା ନୁହେଁ–ଏକ ବିରାଟ ଡ୍ରାଗନ ଆଁ କରି ବସିଛି–ଆପଣ ସମ୍ପୂର୍ଣ୍ଣ ହଜିଗଲେ ସେଇ ଆଁ ଭିତରେ–ଯେ କୌଣସି ମୁହୂର୍ତ୍ତରେ ।

 

ଅନ୍ଧାର ଘୋର ଅନ୍ଧାର ନିବିଡ଼ ଅନ୍ତରଙ୍ଗ ନିଜର ଏକାନ୍ତ ଆପଣାର ପ୍ରେମିକା ବନ୍ଧୁ ଭାଇ ଏକାକାର ସ୍ୱପ୍ନ ସତ୍ୟ ଅନୁଭବ ରତି କ୍ରନ୍ଦନ । ମୁଁ ତୁମକୁ ଭଲ ପାଏଁ, ଘୃଣା କରେ । ମୋତେ ତୁମେ ହତ୍ୟାକର । ମୋତେ ତୁମେ ଆଲିଙ୍ଗନ କର ମୁଁ ଦୁର୍ବଳ, ମୁଁ ଭାସୁଛି ଆଃ......

Image

 

ଶୀତଳ ହ୍ରଦ

 

ଶ୍ୟାମସୁନ୍ଦର ବାବୁଙ୍କର ଆଜି ହଠାତ୍‌ ମନେହେଲା, ଯେପରି ସାରା ସଂସାରର ଛୋଟ ବଡ଼ ସଭିଏଁ ମିଶି ତାଙ୍କ ବିରୁଦ୍ଧରେ ଏକ ଚିରସ୍ଥାୟୀ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଏଇ ଷଡ଼ଯନ୍ତ୍ର ବର୍ଷେ ବା ତିନିମାସ ପାଇଁ ନୁହେଁ, ବରଂ ସାରା ଜୀବନ ପାଇଁ । ଆଜି ସକାଳୁ ଉଠି ଦୈନିକ ସମ୍ବାଦପତ୍ର ପଢ଼ି ସାରିବା ପରେ ହିଁ ସେ ଭାବି ନେଇଥିଲେ ଯେ, ସାରା ଭାରତକୁ ନେଇ ଏକ ଭୀଷଣ ଷଡ଼ଯନ୍ତ୍ର ରଚାଯାଇଛି ଏବଂ ନିରୀହ ଭାରତ କିଛି ଜାଣି ପାରୁନି । ଭାରତ–ପାକ୍‌ ଯୁଦ୍ଧ ପରେ ପରେ ହିଁ ଆମେରିକା ସମେତ ବିଶ୍ୱର ଅନେକ ତୁଙ୍ଗ ରାଷ୍ଟ୍ର ଯେମିତି ଭାରତର ଭୌଗୋଳିକ ସତ୍ତାକୁ ନଷ୍ଟ କରିଦେବାକୁ ବଦ୍ଧ ପରିକର । ପୁଣି ଦେଶରେ ବିଭିନ୍ନ ଦଙ୍ଗା, ଧର୍ମଘଟ, ଅନ୍ତର୍ଘାତୀ କାର୍ଯ୍ୟ, ଘେରାଉ, ଚୋରି, ଡକାୟତି ଇତ୍ୟାଦି ଏକ ଏକ ସ୍ଥିର ଚିତ୍ର ହୋଇ ତାଙ୍କ ଆଖି ଆଗରେ ଅନ୍ତତଃ ଦଶ ସେକେଣ୍ଡ ଲାଗି ରହିଲେ ଏବଂ ଶେଷରେ ଏକ ବିରାଟ୍‌ ବଲ୍‌ବ୍‌ ଭଳି ତାଙ୍କ ଆଖି ଆଗରେ ଜଳି ଉଠିଲା, ନକ୍‌ସଲମାନଙ୍କ ଆତଙ୍କ । କ’ଣ ଏଇ ପଂଝାକ କେଜାଣି, ଖାଲି ହତ୍ୟା କରୁଛନ୍ତି ଏବଂ ଲୁଣ୍ଠନ କରୁଛନ୍ତି । ଶ୍ୟାମସୁନ୍ଦରଙ୍କର ଭୟାକୁଳ ମନ ଆତଙ୍କରେ ଜଡ଼ସଡ଼ ହେଉଥିଲା । କେବଳ କଲିକତା ନୁହେଁ, ପାଟଣାରୁ ଆରମ୍ଭ କରି ଚଣ୍ଡିଗଡ଼ ପର୍ଯ୍ୟନ୍ତ ଏବଂ ଏବେ ଘର ପାଖ ଶ୍ରୀକାକୁଲମ, କୋରାପୁଟ ଏବଂ ଗଞ୍ଜାମରେ ବି । ତାଙ୍କର ମନେହେଲା, ଏଇ ଅରାଜକତାର ସ୍ତାବକମାନେ ହଜାର ଲକ୍ଷ ସଂଖ୍ୟାରେ ମଶାଲ, ଲାଠି, ବନ୍ଧୁକ, ବୋମା ଆଦି ଧରି ମାଡ଼ି ଆସୁଛନ୍ତି ଏବଂ ବାଟରେ ଯାହା ପାଉଛନ୍ତି ଭସ୍ମସାତ୍‌ କରି ଦେଉଛନ୍ତି ଏବଂ କୌଣସି ଏକ ହିନ୍ଦୀ ସିନେମାର ଖଳନାୟକ ପରି ‘ହାଃ ହାଃ ହାଃ’ କରି ହସୁଛନ୍ତି । ତାଙ୍କ ଆଖିମାନେ ଜଳୁଛନ୍ତି ରଡ଼ ନିଆଁ ପରି, ଅଥବା ଶିବଙ୍କର ତୃତୀୟ ନୟନ ପରି । ସବୁ ଜାଳି ଦେବାକୁ–ସବୁ ଧ୍ୱଂସିବାକୁ । ରକ୍ତର ବନ୍ୟା ଛୁଟୁଛି ଏବଂ ଶହଶହ କବଂଧ ସେଇ ସୁଅରେ ଭାସି ଯାଉଛନ୍ତି ଅତି ଅସହାୟ ଭାବରେ । ସେମାନେ ସମସ୍ତେ ଆସୁଛନ୍ତି... ଆସୁଛନ୍ତି... ଏବଂ ନିଶ୍ଚିତ ପଦକ୍ଷେପରେ... ଧୀରେ ଧୀରେ... ଆଉ ଶ୍ୟାମସୁନ୍ଦରଙ୍କ ଛାତିର ଦୁକ୍‌ଦୁକ୍‌ ଉପରେ ବାୟୋନେଟ୍‌ ଖୁତେଇ ପଚାରୁଛନ୍ତି–କୁହ ତୁମେ ପୁଞ୍ଜିପତି ନା ଶ୍ରମିକ ? ସଂଗ୍ରାମ ନା ସାଲିସ୍‌ ? କୌଣସି ଉତ୍ତର ଭାବିବା ପୂର୍ବରୁ ଶ୍ୟାମବାବୁ ମନକୁମନ ପୁଣି କହନ୍ତି, ‘ନାଃ, ଆମକୁ କିଆଁ ମାରିବେ ଏମାନେ ! ନିମ୍ନ ମଧ୍ୟବିତ୍ତମାନଙ୍କୁ । ମାରିବେ ସେଠ୍‌ମାନଙ୍କୁ-ଧନି, ପୁଞ୍ଜିପତିମାନଙ୍କୁ, ଲାଭ ଖୋର୍‌ କଳାବଜାରିଙ୍କୁ । ଆମକୁ କିଆଁ ମାରିବେ ? ପୁଣି ଭାବନ୍ତି, ସାଧୁତା ତ ଆଉ ନାହିଁ । ଆଦର୍ଶ ତ ନାହିଁ । କେଉଁ ଦଦରା ନାବରେ ତ ଭଲା ଦରିଆ ପାରି ହେବ ଏ ସମାଜ, ଏ ଶତାବ୍ଦୀ ! ମୁଁ ସଂଗ୍ରାମ କରିଚି । ମୁଁ ସଂଗ୍ରାମୀ । ବିପ୍ଳବୀ ହେବି, ଆଉ ସମସ୍ତଙ୍କୁ ମାରିବି । ଅଫିସର ବଡ଼ ବଡ଼ ସାହେବ ସମେତ ସମସ୍ତେ ଯେଉଁମାନେ ମୋତେ ହଇରାଣ କରିଛନ୍ତି–ଠକିଛନ୍ତି, ମୋର ଭଲ ପଣିଆର ସୁଯୋଗ ନେଇଛନ୍ତି ।’ ଏହାପରେ ସେ କିପରି ବଡ଼ବାବୁ ଇତ୍ୟାଦିଙ୍କୁ ଶାସ୍ତି ଦେବେ ଭାବିଲେ । ନିଜକୁ ନକ୍‌ସଲ ବୋଲି ଧରିନେଲେ ଏବଂ ନକ୍‌ସଲଙ୍କର ଟାର୍ଗେଟ୍‌ ଏଣୁ ହେବେ ନାହିଁ ବୋଲି ଭାବିନେଲେ, ନିତାନ୍ତ ଆଶ୍ୱସ୍ତ ହେଲେ ଏବଂ ଖଟଟାରେ ଆଉ ଟିକେ ଆରାମରେ ଆଉଜି ଭାବିଲେ, ତାହେଲେ ସେ ବଡ଼ବାବୁଙ୍କୁ କହିବେ: ବାବୁ, ତମ ରାଜତ୍ୱ ଗଲା । ବୁରୋକ୍ରେସି ଡାଉନ୍‌ ଡାଉନ୍‌ । ବୁଝିଲ ? ଏଥର ଗାଦିରୁ ଉଠ । ନିତାନ୍ତ ବହୁତ ହେଲା (‘ନିତାନ୍ତ’ ଶ୍ୟାମବାବୁଙ୍କ ଆଳୁଦୋଷ) । ଏଥର ଆଉ ପ୍ରଶ୍ରୟ ଦିଆଯିବନି । ତୁମେ ଏ ମଧ୍ୟରେ ଯାହାସବୁ କର୍ମ କରିଛ, ତାରି ଶାସ୍ତି : ମୃତ୍ୟୁ ! ହାଃ ହାଃ ହାଃ ! ମୃତ୍ୟୁ । ଏବଂ ‘ଆ...’ କରି ବଡ଼ବାବୁ ନିତାନ୍ତ ଅସହାୟ ଭାବରେ ଶ୍ୟାମବାବୁଙ୍କ ପାଦତଳେ ଗଡ଼ୁଛନ୍ତି ଓ ତାଙ୍କର ଦୟାଭିକ୍ଷା କରୁଛନ୍ତି । ଅଥବା କଳାବଜାରୀ ଆଦି ବାଜେ ଲୋକେ ତାଙ୍କ ପାଦତଳେ ମୃତୋନ୍ମୁଖ ହୋଇ ଗଡ଼ୁଛନ୍ତି ଏବଂ ତାଙ୍କ କରୁଣାସାଗରୁ ବୁନ୍ଦାଏ ଜଳ ପାଇଁ ଗୋଲ୍‌ ଗୋଲା ହଉଛନ୍ତି ଏବଂ ଶ୍ୟାମବାବୁ ଯୁଗପତ୍‌ ଘୃଣା ରାଗ ଏବଂ ଏକ ରକ୍ତାକ୍ତ ଆନନ୍ଦରେ ତାଙ୍କର ପ୍ରଥମ ରକ୍ତ ସଂଗ୍ରାମ ସୁରୁ କରୁଛନ୍ତି ।

 

ତା’ ପରେ ସେ ମନେମନେ ପାନକୁ ପାଞ୍ଚରୁ ସାତ ପଇସା ଦାମ ବଢ଼େଇଥିବା ପାନବାଲାମାନଙ୍କୁ, ପାଣିରେ ଦୁଧ ମିଶେଇ ଠକୁଥିବା ଗୁଆଲାମାନଙ୍କୁ, ସିନେମାରେ ବ୍ଳାକ୍‌ କରୁଥିବା ଗୁଣ୍ଡାମାନଙ୍କୁ, ଗୋଲ୍‌ ବଜାରରୁ ବଡ଼ବଜାର ଯିବାପାଇଁ ଦୁଇଟଙ୍କା ଦାବି କରୁଥିବା ଦୁର୍ବିନୀତି ରିକ୍‌ସାବାଲାମାନଙ୍କୁ ଅବଲୀଳାକ୍ରମେ କ୍ଷମା କରିଦେଲେ ଏବଂ ତାଙ୍କର ବିଶାଳ ହୃଦୟରେ ସେ ସହାନୁଭୂତିର ସହ ସେମାନଙ୍କ ସ୍ଥିତି ବିଚାର କଲେ ଏବଂ ସିଦ୍ଧାନ୍ତ ଗ୍ରହଣ କଲେ ଯେ, ବିଚରାମାନେ ନିତାନ୍ତ ଦରିଦ୍ରତା ଯୋଗୁଁ ଏପରି ଅନ୍ୟାୟ କାର୍ଯ୍ୟ କରୁଛନ୍ତି ସିନା ।

 

ତା’ ପରେ ଶ୍ୟାମବାବୁ ନିଜକୁ ଭାରି ହାଲୁକା ମନେ କଲେ ଏବଂ କ୍ରମେପି ଅନେକ ସଂଗ୍ରାମୀ ଚିନ୍ତନରେ ବୁଡ଼ିଗଲେ । ଏଇ ଷଡ଼ଯନ୍ତ୍ରକାରୀମାନଙ୍କୁ ବାଛି ବାଛି ଖତମ୍‌ କରିବାକୁ ହେବ ବୋଲି ସେ ମନେ ମନେ ଠିକ୍‌ କରି ଦେଇଛନ୍ତି, ଏତିକିବେଳେ ସ୍ତ୍ରୀ ଶ୍ୟାମଳୀ ଦେବୀ ଆସି ପଚାରିଲେ କିଓ ଆଜି ଅଫିସ ନାଇଁ କି ? ସେତିକିବେଳକୁ ଶ୍ୟାମବାବୁ ତାଙ୍କ କଳ୍ପନାରାଜ୍ୟରେ ହତ୍ୟାଫତ୍ୟା କରି ଫେରିଛନ୍ତି ଏବଂ କୌଣସି ଏକ ନିଗୂଢ଼ ଜଙ୍ଗଲର ଏକ ଅନ୍ଧାରୀ ଗୁମ୍ଫାରେ ନିଜ କମ୍ରେଡ଼ମାନଙ୍କ ସହ ବସି ଆଗାମୀ କାଲିର ହତ୍ୟା ଖସଡ଼ା ପ୍ରସ୍ତୁତ କରୁଛନ୍ତି । ମହମବତୀଟିଏ ଦକ୍‌ ଦକ୍‌ ହୋଇ ଜଳୁଛି ଏବଂ ସେମାନଙ୍କ ଆଖିମାନେ ଜଳୁଛନ୍ତି ଦପ୍‌ ଦପ୍‌ କରି । ଜୁଳୁଜୁଳିଆ ପୋକ ପରି । ଏଇ ସମୟରେ ହଠାତ୍‌ ତାଙ୍କର ଧର୍ମପତ୍ନୀ ତାଙ୍କୁ ତାଙ୍କ ନିଜର ପୃଥିବୀକୁ ଟାଣି ଆଣିଛନ୍ତି । ବାସ୍ତବର ଦୁନିଆକୁ । ଦୁଷ୍ଟ ସ୍କୁଲପିଲା ସ୍କୁଲ ନଯାଇ ଆମ୍ବଦୋଟାରେ ଡୁ ଡ଼ୁ କି ବୋହୁଚୋରି ଖେଳିଲାବେଳେ ଶିକ୍ଷକ କିମ୍ବା ଗୁରୁଜନ ଜଣେ ପହଞ୍ଚି ଯାଇ ହଠାତ୍‌ କାନ ଦୁଇଟା ଟାଣି ଦୁଇ ଚାରି ଥାପଡ଼୍‌ ବଜେଇ ଦେଲାପରି ଶ୍ୟାମବାବୁ ଅନୁଭବ କଲେ ।

 

: କିଓ, ଆଜି ଅଫିସ୍‌ ଯିବନାହିଁକି ? ପୁଣି ଥରେ ଶ୍ୟାମଳୀ ଦେବୀ କହିଲେ ।

 

: ବିପ୍ଳବ–ସଂଗ୍ରାମ–ହାଃ ହାଃ ହାଃ । ନିଦରେ ବିଳିବିଳେଇଲାପରି ହେଲେ ଶ୍ୟାମବାବୁ । ଏସବୁର ଅର୍ଥ ବୁଝି ନ ପାରି ଶ୍ୟାମଳୀ ଦେବୀ କହିଲେ–

 

: କିଓ, କାଲି ରାତିର ଭାଙ୍ଗନିଶା ଏଯାଏଁ ଛାଡ଼ିନିକି ?

 

: ତୁମେ ବୁଝ ଶ୍ୟାମଳୀ । ଏକ ନୂତନ ଯୁଗ ସୃଷ୍ଟି ହେବାକୁ ଯାଉଛି । ନୂତନ ସମାଜ । ଶ୍ରେଣୀହୀନ ସମାଜ । ତା’ ସୃଷ୍ଟି ହେବ ବିପ୍ଳବ ଜରିଆରେ–ରକ୍ତର ତର୍ପଣ ପରେ । ବୁଝିଲ ? ଏକ ସ୍ଥିତପ୍ରଜ୍ଞ ପରି ଘୋଷଣା କଲେ ଶ୍ୟାମବାବୁ ।

 

: ସାଢ଼େ ନ ବାଜିଲାଣି । ନିସ୍ପୃହ ଭାବେ ଶ୍ୟାମବାବୁଙ୍କୁ ସମୟ ସଚେତନ କରାଇ ଦେଲେ ଶ୍ୟାମଳୀ ଦେବୀ ।

 

ଅଗତ୍ୟା ନିତାନ୍ତ ବିରକ୍ତିର ସହ ଶ୍ୟାମବାବୁ ଉଠିଲେ । ଦେହରେ ତେଲ ମାଖିଲେ, ଟୁନାକୁ ଟିକେ ଗେଲ କଲେ, କୁନିକୁ ଗାଧଉ ନ ଥିବାରୁ ଗାଳି ଦେଲେ ଟୁନୁର ପ୍ରୋଗ୍ରେସ ରିପୋର୍ଟ ମାଗି ପଢ଼ିଲେ, ଗାଳି ଏବଂ ମନ୍ତବ୍ୟ ଦେଲେ । ଶ୍ୟାମଳୀକୁ ଭଜା ନ ଭାଜିବାକୁ କହିଲେ । ଏସବୁ କାମ ସେ ତେଲ ମାଖୁମାଖୁ କଲେ । ତା’ ପରେ ତରବର ହୋଇ ଦି ଚାରି ଗଡୁ ପାଣି ଦେହରେ ଢାଳି ଦେଇ, ପୋଛାପୋଛି ହେଇ ଗାମୁଛା ପିନ୍ଧିଲେ । ଶୋଇବା ଘରକୁ ଆସି ଗାମୁଛାକୁ ଲେଙ୍ଗୁଟି କରି ପିନ୍ଧି ଶ୍ରୀକୃଷ୍ଣଙ୍କ ଫଟୋକୁ ସଭକ୍ତି ଜୁହାର କରି, ଧୂପଖାଡ଼ିଟିଏ ଜଳେଇଲେ । ତା’ ପରେ ପେଣ୍ଟ, କୁର୍ତ୍ତା ପିନ୍ଧିଲେ ଓ ଖାଇ ବସିଲେ । ଶ୍ୟାମଳୀଙ୍କୁ ଉପଦେଶ ଦେଲେ ଯେ ଏଥର ଘରେ କେବଳ ସକାଳ ଓଳିଟା ଡାଲି ହେବ । ରାତି ବେଳଟା କେବଳ ରୋଟି ଏବଂ ସନ୍ତୁଳା । ସୋମବାର ରାତିରେ ଘରର ବୟସ୍କ ସଭ୍ୟବୃନ୍ଦ (ଅର୍ଥାତ୍‌ ପତିପତ୍ନୀ ଦୁଇଜଣ) ଉପବାସ କରିବେ । ଏସବୁ କହିବା ମୂଳରେ ଶ୍ୟାମବାବୁଙ୍କ ଦ୍ୱିମୁଖୀ ଉଦ୍ଦେଶ୍ୟ କାର୍ଯ୍ୟ କରୁଥିଲା । ପ୍ରଥମତଃ ସେ ଅଗଣିତ ବୁଭୁକ୍ଷୁଙ୍କୁ ସହାନୁଭୂତି ଦେଖାଉଥିଲେ ଏବଂ ଦ୍ୱିତୀୟତଃ ଆଗାମୀ କଷ୍ଟପ୍ରଦ ସଂଗ୍ରାମ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ବାଟରେ ସେ ପାନ ଚାରିଟା ଧରିଲେ ଏବଂ କାଲିଠୁ ପାନ ଛାଡ଼ିଦେବାର ଦୃଢ଼ ପ୍ରତିଜ୍ଞା କଲେ ଏବଂ ଅଫିସରେ ପହଞ୍ଚିଲେ ।

 

ଅଫିସ୍‌ରେ ପହଞ୍ଚି ଟିକିଏ ବେଳ କାମ କରିଛନ୍ତି, ଜଣେ ବିରାଟ ବ୍ୟବସାୟୀ ପହଞ୍ଚିଲେ–ତାଙ୍କ ନାମ କିଷନ୍‌ଲାଲ । ପହଞ୍ଚିଲେ ଏବଂ ତାଙ୍କ କାମ ହେଇଚି କି ନା ପଚାରିଲେ । ଶ୍ୟାମବାବୁ ଉତ୍ତର ଦେଲେ ଯେ କାମ ହେଇଯାଇଛି । ଏବଂ କେବଳ ବାବୁଙ୍କର ଦସ୍ତଖତ ବାକି ଅଛି । ଚିରାଚରିତ ଭାବେ ଟେବୁଲ ତଳୁ ସେଇ ବ୍ୟବସାୟୀ ଜଣକ ଏକ ଓଜନିଆ ଲଫାପା ଶ୍ୟାମବାବୁଙ୍କ ହାତରେ ଧରେଇ ଦେଲେ । ଏଇଟା ପାପ କିମ୍ବା ଦୁର୍ନୀତି ନୁହେଁ–ଏକ ବୁଝାମଣା, ଏକ ଆବଶ୍ୟକତା ବୋଲି ଅଫିସ୍‌ର ସମସ୍ତଙ୍କ ବିଶ୍ୱାସ । କିନ୍ତୁ କଥାଟା ଆଜି ଟିକେ ଭିନେ ରକମ ହୋଇଗଲା । ଶ୍ୟାମବାବୁ ଏକ ବିରାଟ ଦୁଃସାହସିକତା କରି ବସିଲେ । ସେ ଲଫାଫାଟିକୁ ଖୋଲିଲେ ଓ ଅତ୍ୟନ୍ତ ସତର୍କତାର ସହ ଗଣି ଦେଖିଲେ, ସେଥିରେ ହଜାରେ ଟଙ୍କା ଅଛି । ଏତିକିରେ କାମ ଚଳିଯାଏ । ବଡ଼ବାବୁଙ୍କ ଦୁଇଶପଚାଶ, ତିନିଜଣ ସାନବାବୁଙ୍କର ଶହେ ଲେଖାଏଁ ଏବଂ ଶ୍ୟାମବାବୁ ଅନ୍ୟାନ୍ୟ ଅଧସ୍ତନ କିରାଣୀ ଏବଂ ପିଅନଙ୍କର ବାକି ଚାରିଶ ପଚାଶ । ଏଥିରୁ ଶ୍ୟାମବାବୁଙ୍କ ଭାଗ ମୋଟେ ଷାଠିଏ ଟଙ୍କା । ଶେଠ୍‌ର ଦଶ ହଜାରର କାମ, ଅର୍ଥାତ୍‌ ୧୦% । ନାଃ, ହେବନି । ଶ୍ୟାମବାବୁ ଭାବିଲେ । ଶଳା କାମ ହେବ ତା’ର ଦଶହଜାରର, କେତେ ବେଇମାନୀ କରିଥିବ, ଅଥଚ ବିଲ ପାସ୍‌ କଲାବେଳକୁ ଜମା ଦଶ ପରସେଣ୍ଟ୍‌ କମିଶନ୍‌ ! ନା, ସେ କୋଡ଼ିଏ ପରସେଣ୍ଟ ଦଉ ନ ହେଲେ ବିଲ୍‍ ପାସ୍‍ କରାଯିବନି । ଲଫାଫାଟିକୁ ଶେଠ୍‌ଙ୍କର ହାତରେ ଧରେଇ ଦେଇ ଶ୍ୟାମବାବୁ କହିଲେ : ‘ଆଉ ଏତିକି ।’ ଏବଂ ଅତି କାର୍ଯ୍ୟବ୍ୟସ୍ତତା ଦେଖେଇ ଫାଇଲ୍‌ ଘଣ୍ଟାଘଣ୍ଟି କଲେ ।

 

: ସାର୍‌, ଏତିକି ତ ସବୁଦିନ ଚଳେ ।

 

: ଆଜିଠୁ ହେବନି । ନବବିପ୍ଳବୀ ଶ୍ୟାମସୁନ୍ଦର ବାବୁ କହିଲେ ।

 

: ଅନ୍ୟାୟ ସାର୍‌ ।

 

: ଆଉ ତମେ ବେଇମାନୀ କରୁନ ? କୁହ କେତେ ପାପ ତୁମେ ସୁବଦିନ କରୁଛ, ତା’ର ହିସାବ ରଖିଛ ? ଚାଲ, ସବୁ ସାବାଡ଼ ହେଇଯିବ ଯେ ।

 

: ହେଲା, ହଉ ସାର୍‌, ବୁଝିଲି ।

 

ଶେଠ୍‌ ପକେଟରୁ ଗଣି ଗଣି ପଚାଶ ଟଙ୍କା ବାହାର କରି ଶ୍ୟାମବାବୁଙ୍କ ହାତରେ ଗୁଞ୍ଜିଦେଲେ, ଏବଂ କହିଲେ, ‘ସାର୍‌, ଏତକ ଖାସ୍‌ ଆପଣଙ୍କ ପାଇଁ । କେବଳ ଆପଣଙ୍କ ପାଇଁ ।

 

ଅଫିସ୍‌ର ଅନ୍ୟ ବନ୍ଧୁମାନଙ୍କ ତୀର୍ଯ୍ୟକ ଦୃଷ୍ଟିମାନ ଚାଏଁ ଚାଏଁ କରି କେଞ୍ଚି ହେଉଥିଲେ ଶ୍ୟାମବାବୁଙ୍କ ଦେହରେ । କହିଲେ :

 

: ଆଉ ଅନ୍ୟମାନଙ୍କ କଥା ?

 

: ଅନ୍ୟମାନଙ୍କ ସାଙ୍ଗରେ ଆପଣଙ୍କର କି ତାଲୁକାତ୍‌ ? ଫିସ୍‌ ଫିସ୍‌ କରି କହିଲେ ସେଠ୍‌-। ଶ୍ୟାମବାବୁଙ୍କ ମନଟା କ୍ଷଣେ ପାଇଁ ଭାତ ହାଣ୍ଡି ପରି ଟକ୍‌ ଟକ୍‌ ହେଇ ଫୁଟି, ପୁଣି ଶାନ୍ତ ହେଇଗଲା ।

 

କହିଲେ : ହଉ, ଦିଅନ୍ତୁ ।

 

ଶେଠ୍‌ଜୀ ଅଶ୍ୱସ୍ତ ହେଲେ ।

 

ଶ୍ୟାମବାବୁ ଭାବିଲେ, ଏମିତି ବିପ୍ଳବ ହୁଏନି । ଚିନ୍ତା ନାଇଁ, ଧୈର୍ଯ୍ୟ ରଖିଲେ ହେଲା । ସଞ୍ଚୁ, ଶଳା ରଖୁ ପଇସା । ଦିନ ଆସିବ ସେଇ ପଇସା ତା’ଠୁ ଲୁଟି କରି ଅଣାଯିବ । ତା’ରି ପଇସା ଆମ ପାଖକୁ ହିଁ ଆସିବ ।

 

ସେ ତାପରେ ଫାଇଲଟାକୁ ଧରି ବଡ଼ବାବୁଙ୍କ ଅଫିସ୍‌ ପାଖରେ ନକ୍‌ କଲେ ।

 

: ସାର.... ।

Image

 

ଯୋଗ ଏବଂ ବିଯୋଗ

 

ତାପରେ ନିସ୍ତବ୍‌ଧତା, ଶାନ୍ତି ଏବଂ ଏକାନ୍ତ–

 

ସେମାନେ ଯଥା ଦୁଧବାଲା, ଘରବାଲା ଇତ୍ୟାଦି ଚାଲିଗଲା ପରେ ମୁଁ ନିହାତି ରୋଗମୁକ୍ତ ପରି ମନେ କଲି । ଦୁଧବାଲା ନିର୍ଭରଯୋଗ୍ୟ ଭାବରେ ରାଣ ପକାଇ କହିଛି, ସେ ଆଉ କେବେହେଲେ ଜୀବନରେ ଆସିବନି ପଇସା ମାଗିବାକୁ । ଦୀର୍ଘ ଚାରିମାସ ବାକିଥିବା ଛୟାଳିଶ ଟଙ୍କା ଅଶି ପଇସା ମାଗିବାକୁ ଆଉ ସେ ଆସିବ ନାହିଁ । କାରଣ ମୋର ପରି ନିର୍ଲ୍ଲଜଠାରୁ ସେ ଆଉ ପଇସା ଗ୍ରହଣ କରିବାକୁ ଇଚ୍ଛା କରେ ନାହିଁ । ପୁଣି ଘରବାଲା–ଟଙ୍କା ମାଗିଲା ଏବଂ ପ୍ରାପ୍ତିର ଆଶା ନ ଦେଖି ଉତ୍ତମମଧ୍ୟମ ଭାବେ ଶୋଧି ଦେଇଗଲା ।

 

ମୁଁ ନିର୍ଲ୍ଲଜ୍ଜ, ନିଲଠା ପରି ସେମାନଙ୍କ ଗାଳିସବୁ ଶୁଣିଗଲି । କାରଣ ମୁଁ ଜାଣେ ଏ ଝଡ଼ ପରେ ଶାନ୍ତି ବ୍ୟାପିଯିବ ।

 

ବ୍ୟସ୍ତ ରାସ୍ତା ପରେ ଏକ ମାଲବାହୀ ଲରୀକୁ ରାସ୍ତା ଦେଇ ସାରିବା ପରେ ଯେଉଁ ଆତ୍ମବିଶ୍ୱାସ ନିଜ ଉପରେ ସେଇ ଆସ୍ଥା ଆସିବ ବୋଲି ମୁଁ ଅନୁଭବ କଲି ।

 

ଏବେ ସମ୍ପୂର୍ଣ୍ଣ ନୀରବତା । କିଛି କାମ ନାହିଁ କରିବାକୁ । କିଛିକ୍ଷଣ ପୁଣି ନିର୍ଜୀବ ଭାବେ ଦଦରା ଖଟିଆରେ ଶୁଆଯାଇପାରେ x x

 

ସମୟ ଯଦିଓ ନ’ଟା, ଉଠିବାରେ କିଛି ହେତୁ ନାହିଁ । ସେଇ ଚିରାଚରିତ ଜୀବନ । ସକାଳରୁ ରାତିଯାଏ ଅଫିସରୁ ଅଫିସ୍‌ ଘୂରିବା–ନିହାତି ଗୋଟାଏ ଯାଯାବରର ଜୀବନ ।

ଯାଯାବର-ହୁତ୍‌–ଛେ ! ପଞ୍ଚମ ନା ଚତୁର୍ଥ ଶ୍ରେଣୀରେ ପଢ଼ିଥିବା ଯାଯାବରମାନଙ୍କ କଥା-। ସେଠି କୁଆଡ଼େ ସେମାନେ ଆଶ୍ରୟ ପାଇଁ ବୁଲନ୍ତି ! କିନ୍ତୁ ! ଆଶ୍ରୟ ନୁହେଁ, ମୁଁ ଅନ୍ୟ କିଛି ଖୋଜୁଛି-। ଚାକିରି ।

ଉଃ । ଓଡ଼ଷ ।

ମୁଁ କିଏ ? ମୁଁ ଯାଯାବର ନୁହେଁ । ତେବେ ମୁଁ କିଏ ? ଆରେ ଶୁଣୁଛ କବି ଅବନୀନ୍ଦ୍ର–ଶୁଣୁଛ ମୋ ଭିତରର କବି, ଲେଖକ, ଶିଳ୍ପୀମାନେ ? ମୁଁ ପଚାରୁଛି ମୁଁ କିଏ ?

ଏମିତି ଜୀବନରେ ଖାଲି ଛପରଆଡ଼େ ଚାହିଁ ଚାହିଁ ଓଡ଼ଷର ଆକ୍ରମଣର ତୀବ୍ର ସ୍ୱାଦ ଅନୁଭବ କରାଯାଇ ପାରେ ଭାବିବାରେ ବି ଗୋଟେ ପ୍ରକାର ଆନନ୍ଦ ମିଳେ ।

ବର୍ତ୍ତମାନ ଖଣ୍ଡିଏ ଖଣ୍ଡିଆ ଚାର୍ମିନାରରେ ନିଆଁ ଲଗାଇ ପିଆଯାଇପାରେ । ସିଗ୍ରେଟରୁ ଧୂଆଁ ଉଠୁଛି । ଶ୍ରେଣୀହୀନ, ରୁଚିହୀନ, ଅସଂଘବଦ୍ଧ ଧୁଆଁଗୁଡ଼ିକ । କିଛି ଗୋଟାଏ ନିଜ ଭିତରେ ସାମଞ୍ଜସ୍ୟ ନାହିଁ–ମୋର ଚିନ୍ତାଗୁଡ଼ାକ ପରି ।

ବେଶ୍‌ କିଛି ହାଲୁକା ଲାଗିଲା । ଲାଗିବା କଥା । ନିଜକୁ ବୁଝେଇବାର ୟା’ଠାରୁ ବଳି ସୁବିଧା ଉପାୟ ଥାଏ କି ? ଏ ‘ହାଲୁକା ଲାଗିବାଟା ରାସ୍ତାରେ ଗଲାବେଳେ ରିକ୍‌ସା ଭିତରୁ ବସିଥିବା ଝିଅଟାକୁ ଦେଖିଲା ପରେ ଯେଉଁ ହାଲୁକା ଲାଗେ–ତା’ ସହିତ ବହୁ ଦୃଷ୍ଟିରୁ ସମାନ ।

 

ନାଃ । ଉଠି ଟିକେ ବୁଲାଯାଇ ପାରେ–ଭୋଜନର ବ୍ୟବସ୍ଥା ତ ପୁଣି କରିବାର ଅଛି ।

 

ବାଃ ବାଃରେ କବି, ଶିଳ୍ପୀ ଅବନୀନ୍ଦ୍ର ! ବିହାରୀ ହେଲେ ମାର୍ଗର, ମାର୍ଗଣ କମାଣ ଧର, ମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର......’’

 

‘‘କିଓ ବନ୍ଧୁ, କୁଆଡ଼େ ବାହାରିଲ ?

 

‘‘ଏଇ ଭାଇ ବଜାର ପର୍ଯ୍ୟନ୍ତ– ।’’

 

‘‘କ’ଣ, କିଣା କିଣି ପାଇଁ ନା ?’’

 

‘‘ହଁ, ରୀତା ପରା ମାଛ ନ ହେଲେ ଖାଏନି !’’

 

ବାଃ ବାଃ ମାଛ । କଣ୍ଟାଯୁକ୍ତ, ବେଶ୍‌ ସୁସ୍ୱାଦୁ । ଖାଇଚୁ ଅବନୀନ୍ଦ୍ର କେବେ ? ଖାଇଚୁ ନିଃସ୍ୱ ?

 

‘‘ଆରେ ଆରେ, ଅପୂର୍ବ, କୁଆଡ଼େ ବନ୍ଧୁ ?’’

 

‘‘ବୁଲୁଚି ଭାଇ-’’

 

‘‘ଅଫିସ ଯାଇନ ଯେ-’’

 

‘‘ହଅଅ-ଗଲେ କେତେ ନଗଲେ କେତେ ? ମାସ ଶେଷକୁ ସାତଶ’ ଥୁଆ । ବରଂ ଆସ, ଏଇ ରେସ୍ତୋରାଁ ରେ ଚା’ଟିକେ ପିଆଯାଉ ।’’

 

ଏ ବି ଗୋଟାଏ ଚାନ୍‌ସ । ଚାଲ ଅବନୀନ୍ଦ୍ର ଚାଲ । ବନ୍ଧୁ ଚା’ ପିଆଇବେ । ଚା’, ବାଃ ଚା’-। ସାଙ୍ଗରେ ଅନ୍ୟ କିଛି ବି ଆସି–

 

‘‘ହଁ, ଆଉ କ’ଣ ବନ୍ଧୁ । କେଉଁଠି କାମ କରୁଛ ଆଜିକାଲି ?’’ କୁହ, କୁହ, କି କାମ କର ଅବନୀନ୍ଦ୍ର ।

 

‘‘ଚୁପ୍‌ ରହିଲ ଯେ–’’

 

‘‘ନାଇଁ, କାମ ଫାମ ନାଇଁ; ଘରେ ବସିଚି, ବେକାର ।’’

 

‘‘ବେଶ୍‌ ବେଶ୍ । ଲେଖିବାକୁ ଯଥେଷ୍ଟ ସମୟ ମିଳୁଥିବ । ହଁ, ତୁମର ଅଭାବ କ’ଣ ଯେ, ଗୋଟାଏ ଲେଖା ପ୍ରକାଶ ହେଲେ ତ ଟଙ୍କା ।’’

 

ବାଃ । ଲେଖା ଏବଂ ଟଙ୍କା ।

 

ଗୋଟାଏ ମୁଦ୍ରାର ଦୁଇଟି ଦିଗ x x

 

ଆରେ, ଏ ଝିଅଟି ପୁଣି କିଏ ? ହଉନା କିଏ । ଆରେ, ଏ ମୋ ଆଡ଼େ ଦେଖି ହସୁଚି ନା କ’ଣ । ଏଇତ, ନମସ୍କାର କଲାଣି । ବାଃ ବାଃ ଅବନୀନ୍ଦ୍ର One step forward.

 

‘‘ଆପଣ କବି ଅବନୀନ୍ଦ୍ର ?’’ ବାଃ କି ଗଳା, କୋଇଲିର କୁହୁପରି ।

 

‘‘ହଁ, ମୁଁ ସେଇ ଅଭାଗା ।’’

 

‘‘ଛି ଛି । କିଏ କହେ ଆପଣ ଅଭାଗା ? ଆପଣ ମୋର ପ୍ରିୟ କବି ।’’

 

ଅବନୀନ୍ଦ, ଶୁଣୁଚୁ । ସାବାସ ଅଭୁକ୍ତ କବି ।

 

‘‘ହିଁ ହିଁ ହିଁ ହିଁ....’’ (ଗୋଟେ ଅଭଦ୍ର ହସ, ମୋଦ୍ୱାରା) ।

 

ଆରେ, ଆପଣ ହସୁଛନ୍ତି ଯେ ।’’ ଅପମାନିତ ହେଲା ବୋଧେ ଝିଅଟା ବେଶ୍‌ ଗୋଲଗୋଲିଆ ଝିଅଟା କିନ୍ତୁ । ଯାଃ ଚାଲିଗଲା ।

 

‘‘ନମସ୍କାର ।’’

 

ଏ ପୁଣି କିଏ, ଦନ୍ତ ବିକଶିତ କରି । ଓହୋ ସମ୍ପାଦକ ବନ୍ଧୁ ।

 

‘‘କ’ଣ, ଦେଖା ଦର୍ଶନ ମିଳୁନାଇଁ ।’’

 

‘‘ମିଳିବ, ଢେର ଦର୍ଶନ ମିଳିବ ।’’

 

‘‘ବେଶ୍‌ ରସିକ ପୁରୁଷତ ଆପଣ ।’’

 

‘‘ଧନ୍ୟବାଦ ।’’

 

‘‘ଲେଖା ଫେଖା ଦଉନାହାନ୍ତି-’’

 

‘‘ଦେବା ଦେବା ।’’

 

‘‘ଧନ୍ୟବାଦ–ଆସୁଚି ।’’

 

ଚାଲିଗଲେ । ଭଦ୍ରବ୍ୟକ୍ତି ଚାଲିଗଲେ । ପଚାରିଲେ ମଧ୍ୟ ନାହିଁ । ମୁଁ ଭୁକ୍ତ କି ଅଭୁକ୍ତ । କିଛି ଦେବାକୁ ସ୍ପୃହା ନାଇଁ, ନେବାକୁ ହସ୍ତ ପ୍ରସାରିତ । ସବୁଥିରୁ ବଞ୍ଚିତ କରି କେଉଁ ଯଶୋବାନା ଉଡ଼ାଇବହେ ?

 

ସୂର୍ଯ୍ୟ ମୁଣ୍ଡଉପରକୁ ଚଢ଼ିଲେଣି; ରେଡ଼ିଓରୁ ଗୀତ ଶୁଭୁନାଇଁ । ଦୋକାନ ବଜାରରୁ ହୋ ହା ଶୁଭୁନାଇଁ । କୁକୁରମାନେ ଛାଇତଳେ ଧକୋଇଛନ୍ତି ଶୋଇ ଶୋଇ । ବୁଲା ଷଣ୍ଢ ପାକୁଳି କରୁଚି-। ହୋଟେଲରେ ଲୋକମାନେ ଶତଯୁଗର ବୁଭୁକ୍ଷୁପରି ଖାଉଛନ୍ତି ।

 

କିନ୍ତୁ-

 

ଦେଖେ, ପାଇପରୁ ପାଣି ଆସୁଛି କି ନା । ଫୁସ–ଧେତ୍‌ରେ ମ୍ୟୁନିସିପାଲଟି ।

 

କବି ଅବନୀନ୍ଦ୍ର । ସମସ୍ତେ ବିଶ୍ରାମ ନେଲେ । ତମେ ବି କୌଣସି ଗଛର ଛାଇତଳେ ବସି ବିଶ୍ରାମ ନିଅ, ଧକାଅ, ପାକୁଳି କର.... ଆମି ଶ୍ରାନ୍ତ ଆମି କ୍ଳାନ୍ତ, ଆମାକେ ବିଶ୍ରାମ....

Image

 

ମାଛି ଓ ମଣିଷ

 

ଏତେବଡ଼ ଜଗତ । ଜଗତ ଭିତରେ କେତେ ନଗ୍ର ଜନପଦ । କେତେ ମଣିଷ, ଜୀବଜନ୍ତୁ ! ସେଇ ଛପନକୋଟି ଜୀବଭିତରୁ ସୁମନ ଅନ୍ୟତମ । ବିଶାଳ ଜଗତର ଏକ କ୍ଷୁଦ୍ରାଦପି କ୍ଷୁଦ୍ର ବିନ୍ଦୁଟିଏ !

 

ସୁମନ ଖଟଉପରେ ପେଟେଇ ଶୋଇ ଆଉ ଏକ ଜୀବର ମୃତ୍ୟୁଦୃଶ୍ୟ ଦେଖୁଥିଲା । ମାଛିମାନଙ୍କର ଜେନୋସାଇଡ଼କୁ ଏକ ଜାନ୍ତବ ତୃପ୍ତିର ସହ ଉପଭୋଗ କରୁଥିବାବେଳେ ସେ କୌଣସି ଏକ ରୋମାନ୍‌ କଲସିୟମରେ ବସି ମୃତ୍ୟୁଯୁଦ୍ଧ ଦେଖୁଥିବା ସମ୍ରାଟ ଭଳି ମନେ କରୁଥିଲା ଯେମିତି ।

 

ନାଲି ଦାନା କେତୋଟି–ତହିଁ ଉପରେ ପାଣି କେଇବୁନ୍ଦା । ବେଶ୍ । ଲୁବ୍‌ଧ ମାଛିମାନଙ୍କର ମହାଯାତ୍ରା ପର୍ବର ଶୁଭାରମ୍ଭ । ମାଛିମାନେ ଉଡ଼ି ଉଡ଼ି, ଚକ୍‌କର ମାରି ମାରି ଆସୁଛନ୍ତି–ସନ୍ତର୍ପଣତାର ସହ ଚହଁରେଇ ହେଇ ଦେଖୁଛନ୍ତି–କି ବସ୍ତୁ–ମିଠା ବାସ୍ନା ଶୁଙ୍ଘୁଛନ୍ତି । ପୁଣି ନିଶ୍ଚିନ୍ତ ଭାବରେ ବସିଯାଇ ସେମାନଙ୍କର ଛୋଟ ଛୋଟ ଶୁଣ୍ଢମାନଙ୍କରେ ନିଶବ୍ଦରେ ଚାଟୁଛନ୍ତି ସେଇ ଲାଲ୍‌ ଆମନ୍ତ୍ରଣକୁ–ମୃତ୍ୟୁର ଆମନ୍ତ୍ରଣକୁ ! ତା’ପରେ ସେମାନଙ୍କ ଭିତରେ କଣ ଘଟିଯାଏ, ସେଇଟା ସେମାନଙ୍କର କିମ୍ବା ସୁମନର ବୁଝିବା ବାହାରେ । କେତୁଟା ସେଇଠି ଭେଟେସରି ଗଡ଼ିଯାନ୍ତି । ଥୋକାଏ ଉଡ଼ା ମାରନ୍ତି ଖୁବ୍‌ ଦମ୍ଭରେ, ଫଡ଼ଫଡ଼ାନ୍ତି ଏବଂ ପୁଣି ସମ୍ଭାଳି ଦିଅନ୍ତି ନିଜକୁ, ଟିକେ ଖଣ୍ଡିଉଡ଼ା ଦିଅନ୍ତି, ତଳେ ପଡ଼ିଯାନ୍ତି । ଡେଣା ଫଡ଼ଫଡ଼୍‌ କରି ଓଲଟି ଯାନ୍ତି । ନୀରବରେ ।

 

ଏମିତି ତାଙ୍କର ମରଣ ।

 

ଏତେ ସହଜ ।

 

ସହଜ ଓ ସୁଖଦ ବୋଧହୁଏ । କୋଠରୀ ସାରା ମଲାମାଛି । ମାଛି ମରୁଛନ୍ତି–ପୁଣି ଆସୁଛନ୍ତି ଦଳେ । ପ୍ରଖର ଜୀବନୀ ଶକ୍ତିରେ ଭରପୁର ମାଛିମାନେ ।

 

ଏଇ ମୃତ୍ୟୁର ଯେମିତି ଶେଷ ନାହିଁ ।

 

ସୁମନର କଲେଜରେ ପଢ଼ୁଥିବା ସାନ ଭଉଣୀ ନୀଲମ୍‌ବି ଆସି କେତେବେଳୁ ଠିଆହୋଇ ଏଇ ପ୍ରାଚୀନ ରୋମୀୟ ଦୃଶ୍ୟ ଉପଭୋଗ କରୁଛି । ଅବଶେଷରେ ନୀଲମ୍‌ ବହି ଶେଲଫ୍‌ରୁ ବହିଟିଏ କାଢ଼ିଲା–ସୁମନ ପଢ଼ିଲା ନା’ଟି–‘‘ଦି ଫ୍ଳାଇ ।’’

 

ଇସ୍‌, ଏ ମାଛିମାନେ କି ବୁଦ୍‌ଦୁ । ଏତେ ମରୁଛନ୍ତି, ତଥାପି ନ ଜାଣି ଆସି ପୁଣି ଝଁପେଇ ହେଉଛନ୍ତି ।

 

ସୁନାମ ଅନ୍ୟମନସ୍କ ଭାବେ ‘ହୁଁ’ ଟିଏ କଲା । ନୀଲମ୍‌ ଆହା ଚୁଚୁ କଲା କିଛି ସମୟ–ପୁଣି ଚାଲିଗଲା ସେଠୁ ।

 

ଏତେଗୁଡ଼ିଏ ମାଛି ମାରିବା ପାପ କି ? ପିଲାବେଳୁ ଶୁଣି ଆସିଥିବା ‘ସକଳ ଘଟେ ନାରାୟଣ’ ଏବଂ ‘ମାଛିର ଅପକାରିତା’ ଭିତରୁ କେଉଁଟା ଠିକ୍‌ ? ସ୍ୱାସ୍ଥ୍ୟରକ୍ଷା ବହି କଥା ମନେ ପଡ଼ିବାରୁ ସୁମନ ସାମାନ୍ୟ ଆଶ୍ୱସ୍ତ ବୋଧକଲା । ପାଉଁଶିଆ–କଳା ରଙ୍ଗର ଅସଂଖ୍ୟ ମଲାମାଛିମାନଙ୍କ ଗହଣରେ ତାର ମନେହେଲା ଯେମିତି ସେ ବି ଏକ ‘‘ବିନାଶାୟ ଚ ଦୁଷ୍ଟତାନାମ୍‌’’ କାର୍ଯ୍ୟରେ ଲାଗିଥିବା ଧର୍ମ ସଂସ୍ଥାପକ । ମାଛିମାନେ ଯେଭଳି ଭାବେ ଏଇ କିଛିଦିନ ଘରେ ଖାଇବା ବେଳେ, ଶୋଇବାବେଳେ–ମୋଟାମୋଟି ସବୁ ସମୟରେ ବିରକ୍ତ କରିଥିଲେ ସେକଥା ମନେ ପକେଇ ପ୍ରତିଶୋଧ ନେବା ଭଙ୍ଗୀରେ ପୁଣି ଥରେ ସେ ବିଷର କାଳିନ୍ଦୀକୁ ଖଡ଼ିକାଟିଏରେ ଖେଳାଇ ଦେଲା ।

 

ଠିକ୍‌ ଏତିକି ବେଳକୁ କୋଠରୀ ଭିତରକୁ ପଶିଆସିଲେ ଅପ୍ରମେୟ ବାବୁ । ନିଜର ମହୀଷି ଭଳି ଦେହକୁ ଟେକିଟାକି ସେ ଚୌକି ଉପରେ ଗଦେଇ ଦେଲେ ଏବଂ ଛେଳିପରି ପାନ ଚୋବେଇ ଲାଗିଲେ । ଚୌକିରେ ଥଇଥାନ ହୋଇ ସାରିବା ପରେ ସେ ନିଜର ଘଡ଼ଘଡ଼ି ଭଳିଆ କଣ୍ଠରେ ଘୋଷଣା କଲେ ! ବୁଝିଲ ବାବୁ–ୟେ ଦେଶ ଧ୍ୱଂସ ଆଡ଼ିକି ଯାଇଛି ।

 

ଅପ୍ରମେୟ ବାବୁଙ୍କର ପ୍ରାତ୍ୟହିକ ମହତ୍‌ବାଣୀ ମଧ୍ୟରୁ ଏ ଅନ୍ୟତମ । ରେଡ଼ିଓରୁ ପାଣିପାଗ ଶୁଣିବା ଭଙ୍ଗୀରେ ସୁମନ କହିଲା–ନୂଆ କଥା କିଛି ଶୁଣାନ୍ତୁ, ଆଜ୍ଞା, ଏତ ବହୁଦିନୁ ଧ୍ୱଂସ ହେବାକୁ ଆରମ୍ଭ କଲାଣି ।

 

ତମକୁ ଥଟ୍ଟା ଲାଗିଚି, ହଇ ହୋ ? ଦେଖୁ ଥା’, ସଭିଏ ମରିବା ଯେ । ଧ୍ୱଂସ ହୋଇଯିବା ଯେ । କଳ୍‌କୀ ଆଉ କଣ କି ? ଏଇତ । ବଜାରକୁ ଯିବ ଜିନିଷ କିଣିବା ପାଇଁ–ଜିନିଷ ଉଭାନ । ଯଦିବା ଥିବ ଭେଜାଲ୍‌ ।

 

ସୁମନ ଲମ୍ବାକରି ହୁଁଟିଏ କରି ଜଣେଇ ଦେବାକୁ ଚାହିଁଲା ଯେ, ସେ ଭୀଷଣ ବୋର୍‌ ହେଉଛି । କିନ୍ତୁ ଭଦ୍ରଲୋକ ସମର୍ଥନ ମନେକରି ଉତ୍ସାହିତ ହୋଇ ପୁଣି ଆରମ୍ଭ କଲେ–‘‘ନାଇଁ, ନାଇଁ, ବାବୁ–କହୁନ । ଦେଶ ଆସି କ’ଣ ହେଲାଣି ।’’ ପାନଛେପ ଢୋକି ପୁଣି କହିଲେ, ‘‘ଦୁର୍ନୀତି କଣ ?’’ ନାଟକୀୟ ଭାବେ କିଛି ସମୟ ପଜ୍‌ ନେଇ ସାରା ଦୁନିଆକୁ ପଚାରିବା ଭଙ୍ଗୀରେ ଉଚ୍ଚାରଣ କଲେ–କ’ଣ ?

 

ଏଇ ଗପୁଡ଼ି, ମୁଖ୍ୟତଃ ଭାଷଣପ୍ରିୟ ଲୋକଟିକୁ ଦେଖୁ ଦେଖୁ ସେ ବିରକ୍ତ ହୋଇ ସାରିଥିଲା–ଏବେ ତାଙ୍କର ଭାଷଣ ଆରମ୍ଭ ହୋଇ ଯାଇଥିବା ଦେଖି ପ୍ରାୟ ରାଗିଗଲା କିନ୍ତୁ କଣ୍ଠକୁ ନିର୍ଲିପ୍ତ କରି ପଚାରିଲା–ଆଜ୍ଞା, ଆପଣଙ୍କର ସେ କଣ୍ଟ୍ରୋଲ୍‌ ଗହମ କେସ୍‌ଟାର କଣ ହେଲା ?

 

ଏଥୁଅନ୍ତେ ଅପ୍ରମେୟ ବାବୁ ନିମିଷେ ଗୁମ୍‌ମାରି ବସିଗଲେ । ପୁଣି କହିଲେ । ଯାଏଁ–ଘୋଷ ବାବୁ ଆସିବାକୁ ସମୟ ଦେଇଥିଲେ–ପୁରା ଭୁଲି ଯାଇଥିଲି ।

 

ନିଜର ଅପ୍ରମିତ ଦେହକୁ ଟେକିଟାକି ସେ ଚାଲିଗଲେ ।

 

ସୁମନ ପୁଣି ମାଛିମାନଙ୍କୁ ଦେଖିଲା । ଶୋଇଥିବା ବେଳେ ଯେଉଁ ମାଛିମାନେ ତାର ନାକ, ଆଖି, ଗାଲ, କାନ, ପାଟି ପାଖରେ ଉଡ଼ିବୁଲନ୍ତି, ବସନ୍ତି, ଫଡ୍‌ଫଡ଼ ହୁଅନ୍ତି, ଦିନସାରା ଚାକିରି ଖୋଜି ଖୋଜି କ୍ଳାନ୍ତ, କ୍ଷୁଧାର୍ତ୍ତ ହୋଇ ଖାଇାକୁ ବସିଥିବା ବେଳେ ଯେଉଁ ମାଛିମାନେ; ତାକୁ ଖୁଏଇ ପିଏଇ ଦିଅନ୍ତି ନାହିଁ–ସେମାନଙ୍କ ଭିତରୁ କେତୋଟି ମାଛିକୁ ସେ ମାରି ପାରିଛି ? କେତେ ପୁଣି ଅଛନ୍ତି ?

 

ଜୀବନ ସଂଗ୍ରାମରେ ଆରମ୍ଭରୁ ହିଁ ନୈରାଶ୍ୟକୁ ପ୍ରତୀକ୍ଷା କରିଥିବା ସୁମନ ଭାବୁଥିଲା, ମାଛିମାନେ ବୋକା ବୋଲି ଏତେ ସଂଖ୍ୟାରେ ଆସି ଆପେ ଆପେ ମୃତ୍ୟୁ–ହ୍ରଦରେ ଝାସ ଦେଉଛନ୍ତି ।

 

ମାଛି । ମାଛି ଉପରେ ମାଛି । ପୁଣି ମାଛି । ମାଛିମୟ ଏ ଜଗତରେ କେତେ ମାଛି ସେ ମାରିଦେଇ ପାରିବ ? କେତେ ଲକ୍ଷ, କେତେ କୋଟି ମାଛି ? ଏଠି ତ ଅଜସ୍ର ମାଛି । ଯେମିତି କି ମାଛିମାନେ ରକ୍ତବୀର୍ଯ୍ୟ କିମ୍ବା ଅଯୋନିସମ୍ଭୂତ ।

 

ମାଛି ଏକ ହୀନ, ଦୃଷ୍ଟ, ଛୋଟ, କ୍ଷତିକାରକ, ଘୃଣ୍ୟ ଜୀବଟିଏ–କିନ୍ତୁ ମୃତ୍ୟୁକାତର ନୁହେଁ-। ସେ ଅପରାଜେୟ–ହଠାତ୍‌ ଯୁକ୍ତିର ଏଇ ପକ୍ଷଟିକୁ ମଧ୍ୟ ହାବୁଡ଼ିଗଲା ସୁମନ । ବଞ୍ଚିବା ପାଇଁ ସେମାନେ ହୁଏତ ସବୁଠାରୁ ଶକ୍ତିଶାଳୀ ଜୀବ ମଣିଷର ଶତୃ । କିନ୍ତୁ ଜୀବନ ଯୁଦ୍ଧ କ୍ଷେତ୍ରରେ ସେ ସବୁକିଛି ଜାୟଜ୍‌ । କୌଣସି ଟ୍ରମ୍ଫକାର୍ଡ ବେଆଇନ ନୁହେଁ ।

 

ସେଥିପାଇଁ ତ ପୃଥିବୀରେ ଏପର୍ଯ୍ୟନ୍ତ ମାଛିଜାତି ଧ୍ୱଂସ ପାଇଯାଇ ନାହାନ୍ତି ।

 

ସୁମନ ଓଠରେ ଏକ ଅର୍ଥପୂର୍ଣ୍ଣ ହସ ଉକୁଟି ଉଠିଲା ।

 

ସତ କଥା ତ । ଜୀବନ ଯୁଦ୍ଧର ମଇଦାନ୍‌ରେ ସବୁ ଠିକ୍‌ । ମରିଗଲେ ବି ପରବା ନେହିଁ-। ତେବେ ମରିବା ପାଇଁ ନମରି, ବଞ୍ଚିବା ପାଇଁ ମରିବା ଭଲ ।

 

ସୁମନ ନୂତନ ବିଶ୍ୱାସର ସହ ବିଛଣାରୁ ଉଠିଲା ।

 

ସହର, ଅସ୍ପଷ୍ଟ ଚେହେରାର ଭିଡ଼ ଏବଂ ସେମାନେ

 

ସେଦିନ ନୀଳକଣ୍ଠର ‘ଚରିତ୍ରହୀନତା’ ସମ୍ପର୍କରେ ତା’ ପରିବାରର ସମସ୍ତ ସଭ୍ୟ ସଚେତନ ହୋଇ ପଡ଼ିଥିଲେ ଯେମିତି । ଶହ ଶହ ବର୍ଷର ପରମ୍ପରା ଏବଂ ସଂସ୍କୃତିକୁ ଉପଜୀବ୍ୟ କରିଥିବା ନୀଳକଣ୍ଠର ବାପା ବାଷ୍ପରୁଦ୍ଧ କଣ୍ଠରେ ତାକୁ ଏକ ନାତି ଦୀର୍ଘ ଭାଷଣ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ସେ–ଜୀବନରେ ସବୁ ପ୍ରକାରର ସୀମାବଦ୍ଧତାକୁ ସ୍ୱୀକାର କରି ନେଇଥିବା ଏକ ଆକାଂକ୍ଷାହୀନ ଜୀବନର ଶେଷ ପାହାଚରେ ସେ ଆଉ କଣ ବା କରିପାରିଥାନ୍ତେ । ନୀଳକଣ୍ଠ କିନ୍ତୁ ସବୁବେଳେ ଭାବେ ଯେ ପରଂପରା ଶିକ୍ଷାଯାଏନି–ରକ୍ତରେ ମିଶି ଯାଇଥାଏ ।

 

ସେ କହିଲା, ‘‘ଯଦି ମୋ ରକ୍ତ ଭିତରେ ପରମ୍ପରା ପ୍ରବାହିତ ହେଉନି, ତେବେ ସେ କି ପରମ୍ପରା ? ସେପରି ପରମ୍ପରାକୁ ମୁଁ ଅସ୍ୱୀକାର କରୁଛି ।’’

 

ନୀଳକଣ୍ଠ ସେଠାରୁ ନାଟକୀୟ ଭାବେ ଚାଲି ଆସିଥିଲା । ଫେରନ୍ତା ରାସ୍ତାର ଲୋକ ଗହଳିରେ ବାପାଙ୍କର କାଚ ଆଖିର ପାଣିଚିଆ ଯେମିତି ବୋଳି ହୋଇ ଯାଇଥିଲା । ଅଜସ୍ର ଚିହ୍ନା ଅଚିହ୍ନା ଲୋକଙ୍କ ମୁହଁର ଶୋଭାଯାତ୍ରା ଭିତରେ ନୀଳକଣ୍ଠ ଯେମିତି ହଜି ଯାଇଥିଲା ।

 

ନୀଳକଣ୍ଠର ଆଶ୍ରୟ ଏଇଠି । ଜାଗ୍ରତ ନିଶାସକ୍ତ ସମୟର ଅନେକ ଲହରୀ ତା’ର ଏଇଠି କୂଳ ଛୁଏଁ । ସେଇଠି ଥା’ନ୍ତି ତାର ‘ପ୍ରାଣର ଦୋସର’–ସତାର, ଫଣୀନ୍ଦ୍ର ଏବଂ ଇସ୍ମାଇଲ । ସହରର ଜନାକୀର୍ଣ୍ଣ ଛକ ପାଖରେ ଥିବା ପେଟ୍ରୋଲ–ପମ୍ପ୍‌ ପାଖରେ ଠିଆ ହୋଇ ସେମାନେ ସିଗାରେଟ୍‌ର ଧୂଆଁ ଫିଙ୍ଗୁଥିଲେ ପୃଥିବୀର ଛାତି ଉପରକୁ । ନୀଳକଣ୍ଠ ଆସି ସେଇଠି ନୀରବରେ ଠିଆହେଲା । ଇସ୍ମାଇଲ୍‌ ପଚାରିଲା, ‘‘ନୀଳକଣ୍ଠ ଏ ଭିଡ଼ ଭିତରେ ତୁ ନିଜର ସ୍ଥିତିକୁ ବୁଝିପାରୁଛୁ ତ-!’’ ନୀଳକଣ୍ଠର ମନେହେଲା ସତେ ଯେମିତି ସେ ଏକ ଗାଉଁଲି ଯାତ୍ରା ଦେଖାଳୀ, କୌଣସି ଆଟ୍‌ ଗେଲେରୀକୁ ଭୁଲରେ ପଶିଯାଇଛି ଏବଂ ଦେଖୁଛି ଅଦ୍‌ଭୂତ ବର୍ଣ୍ଣସମ୍ଭାର । ଅବୁଝା, ଅଦ୍‌ଭୂତ-। ସବୁ ଉଦ୍‌ଭଟ, ଝାପ୍‌ସା ଝାପ୍‌ସା ସବୁ ଜିନିଷର ସୂତ୍ର ଯେମିତି କେଉଁଠି ହଜି ଯାଇଛି ।

 

ନୀଳକଣ୍ଠ କ୍ଳାନ୍ତ କଣ୍ଠରେ କହିଲା, ‘ସବୁ ଉଦ୍‌ଭଟ–ଅବୋଧ୍ୟରେ ଇସ୍ମାଇଲ୍‌ । ମୁଁ କେଉଁଠି-? କେଉଁଠି ମୁଁ ?’

 

ଫଣୀନ୍ଦ୍ର ବିରକ୍ତ ହୋଇ କହିଲା, ତୁମେମାନେ କଥିତ ଭାଷାରେ କଥାବାର୍ତ୍ତା ନକରି ଦର୍ଶନର ଭାଷାରେ କିଆଁ ହୁଅରେ ? ଇସ୍ମାଇଲ ଉତ୍ତର ଦେଲା, ‘ଜୀବନର ଭାଷା ହିଁ ଦର୍ଶନର ଭାଷା-।’ ସତାର ପାଟିକଲା, ଆବେ ହଟ୍‌ । ମସ୍ତ ହେଇ ବଞ୍ଚ । ଦର୍ଶନ କଣ ବେ ? ପୋଥି କଣ ବେ-? ଶଳା ସବୁ ପୋଥି, ସବୁ ଦର୍ଶନ ମିଛ । ସବୁ ବହି ଫାଙ୍କି । ସବୁ ଗାଲୁ ଗଳ୍ପ । କେବଳ ଜୀଇଁବା ହିଁ ସତ୍ୟ । ଏକମାତ୍ର ସତ୍ୟ ।’

 

ଫଣୀନ୍ଦ୍ର ସନ୍ଦେହ କଲା–‘କଣ ତା’ ହେଲେ ପୃଥିବୀରେ ଧର୍ମ, ପ୍ରେମ, ଦର୍ଶନ, ଆଦର୍ଶ କିଛି ନାହିଁ ?’

 

‘କିଛି ନାହିଁ’ । ସତାର ଚିଲେଇଲା । ‘ଶଳା ସବୁ ମିଛ । କେହି ଶଳା ପ୍ରେମ କରେନି । ପ୍ରେମ କଣ ବେ ? ପ୍ରେମ ଫ୍ରେମ କିଛି ନାଇଁ କେଉଁଠି । ସବୁ ଦେହ ।’ ଫଣୀନ୍ଦ୍ର ଏକରକମ କାନ୍ଦ କାନ୍ଦ ହୋଇ କହିଲା, ‘ଦେଖୁଚୁ ନୀଳକଣ୍ଠ । ଏ ଲୋକଟା କେମିତି ପର୍‌ଭଟେଡ଼ ହେଇଗଲାଣି ।’

 

‘ନୀଳକଣ୍ଠ ଦେଖିବ କଣ ?’ ଇସ୍ମାଇଲ୍‌ କହିଲା, ‘ସେ ତ ବାବା ମା’ମାନଙ୍କ ମହତବାଣୀ ମୁଖସ୍ଥ କରିବାରେ ବ୍ୟସ୍ତ ।’

 

ସେମାନେ ନିଜ ନିଜର ଅଜ୍ଞାତରେ ଚାଲିବା ଆରମ୍ଭ କରି ଦେଇଥିଲେ । ଆତ୍ମଲୀନ ନୀଳକଣ୍ଠ ବଡ଼ ପାଟିରେ ଚିନ୍ତାକଲା ଭଳିଆ କହିଲା, ‘ନା, ଆଉ ବାବା ନୁହେଁ, କି ମା’ ନୁହେଁ । ସେ ସବୁକୁ ମୁଁ ପାରିକରି ଆସିଲିଣି । ବର୍ତ୍ତମାନ ମୁଁ ଏକ ‘ନୋ ମେନ୍‌ସ ଲେଣ୍ଡ’ରେ । ମୁଁ କାହାରି ନୁହେଁ, ହୁଏତ ସମସ୍ତିଙ୍କର ମଧ୍ୟ । ମୁଁ କିଛି ଠିକ୍‌ କରି କହିପାରୁନି । ଅସ୍ଥିରତା ହିଁ ଏବେ ମୋର ସ୍ଥିରତା । ସ୍ଥିତି-ହୀନତା ହିଁ ମୋର ସ୍ଥିତି । କେବଳ ବିସ୍ମୟ ହିଁ ଏବେ ମୋର ମନ୍ତ୍ର । ଦେଖ । ଏଇ ଦେଖ । ଏମାନେ ସମସ୍ତେ ଯେଉଁ ଦଉଡ଼ୁଛନ୍ତି, ଖାଉଛନ୍ତି, ହସୁଛନ୍ତି, ରାଗୁଛନ୍ତି–କି ଉଦ୍ଦେଶ୍ୟରେ ।’

 

‘ବଞ୍ଚିବାପାଇଁ ।’ ସତାର ଚଟ୍‌କିନି କହିଲା । ‘କେବଳ ବଞ୍ଚିବାପାଇଁ । ସବୁ ପ୍ରହସନ, ସବୁ ଘଟାଟୋପ, ସବୁ ନାଟ–ଜନ୍ମଠାରୁ ମୃତ୍ୟୁ ଯାକେ ଏଇ ଅଦରକାରୀ ଅମରୀଲତା ପରି ମାଡ଼ି ଯାଇଥିବା ଜୀବନ ନାମକ ବସ୍ତୁପାଇଁ ।’

 

ସେମାନେ ପୁଣି ଚୁପ୍‌ ହୋଇଗଲେ । ରାସ୍ତାରେ ସାମ୍ନାପଟୁ ଆସୁଥିବା ଦୁଇଟି ନାତିସୁନ୍ଦର କିଶୋରୀଙ୍କୁ ଦେଖି ଫଣୀନ୍ଦ୍ର ଏବଂ ସତାର ଅନ୍ୟମନସ୍କ ହେଲେ । ଇସ୍ମାଇଲ ବିରକ୍ତ ହେଲା ଏବଂ ନୀଳକଣ୍ଠ ଏମାନଙ୍କୁ ଦେଖି ହସିଲା । ଇସ୍ମାଇଲ ବଜର ବଜର ହୋଇ କହିଲା, ‘ପୃଥିବୀରେ ଅତି କମ୍‌ରେ ଦୁଇଶହ କୋଟି ସ୍ତ୍ରୀଲିଙ୍ଗୀ ମଣିଷ ଅଛନ୍ତି । ଏମାନେ ବି ଏମିତି ଅଦ୍‌ଭୂତ ଜୀବ ଯେ ତୁମେମାନେ ସେମାନଙ୍କୁ ଏମିତି ଅନଉଥାଅ ।’

 

ସେ ଡିସେମ୍ବରର ଏକ ଶୀତୁଆ ରାତି । କାଲିଠୁ ବ୍ରେକ୍‌ ଆଉଟ୍‌ ହେବ । ନା, ବୋଧହୁଏ ଲୋଡ଼୍‍ ଶେଡ଼ିଂ ! ପାଓ୍ୱାର କଟ୍‌ ନା ବ୍ଳେକ୍‌ଆଉଟ୍‌ ? ସତାର କହିଲା ।

 

‘ମଜ୍‍ଜା ହେବ । ଅନ୍ଧାର ଭିତରେ ଧନ୍ଦିହେବାକୁ ମଅସ୍ତ ଲାଗିବ ।’

 

‘ଅନ୍ଧାର ହେବ ? କାହିଁକି ?’

 

‘ବେକ୍‌ ଆଉଟ୍‌ ।’ ନୀଳକଣ୍ଠ କହିଲା ।

 

‘କାହିଁକି ହେବରେ ବ୍ଲେକ୍‌ଆଉଟ୍‌ ?’ ଫଣୀନ୍ଦ୍ରର ନିରୀହ ପ୍ରଶ୍ନ ।

 

‘ଯୁଦ୍ଧଫୁଦ୍ଧ କଣ ଗୋଟାଏ ହଉଥିବ ।’ ସତାରର ନିର୍ଲିପ୍ତ ଉତ୍ତର ।

 

‘ଫେର ଶଳେ ଲଢ଼ିବେ । ଥୋଡ଼ାଏ ମରିବେ ପୁଣି । କିଛି କାରଣ ନଥିବ ଏଇ ମରିବାରେ । କିନ୍ତୁ ଏମିତି ଯୁଦ୍ଧଫୁଦ୍ଧ ମଝି ମଝିରେ ହେଉ ନଥିଲେ ବୋଧହୁଏ ମଣିଷକୁ ସମ୍ଭାଳି ହୁଅନ୍ତା ନାହିଁ ।’

 

‘ମେଣ୍ଢା ଲଢ଼େଇ ହେବ, ମେଣ୍ଢା ଲଢ଼େଇ । ବୁଝିଲ ।’ ଇସ୍ମାଇଲ କହିଲା ।

 

ନୀଳକଣ୍ଠ କଣ ଭାବୁଥିଲା କେଜାଣି, ହଠାତ୍‌ କହିଲା, ‘‘ହେ ପ୍ରଭୁ । ଏ ସନ୍ଧ୍ୟା ପୃଥିବୀର ଶେଷ ସନ୍ଧ୍ୟା ହେଉ ।’’

 

ଫଣୀନ୍ଦ୍ର ଡରିଯାଇ ପଚାରିଲା, ‘କାହିଁକି ?’’

 

ନୀଳକଣ୍ଠ ବିରକ୍ତ ହୋଇ କହିଲା, ‘‘ସବୁ କଥାରେ କଣ କାରଣ ଥାଏ ? ଇଚ୍ଛା ହେଲାତ, କଥାପଦେ କହିଦେଲି । ତାର କାରଣ ବତେଇବା କଣ ଜରୁରୀ ।’’

 

ବାରଲାଇଟ୍‌ଗୁଡ଼ିକ କିଶୋରୀମାନଙ୍କ ଆଖିପରି ଜଳୁଥିଲେ । ସେମାନେ ପୁଣି କିଛି ସମୟ ସହରର କୋଳାହଳକୁ ନୀରବତାର ସ୍କେଲ୍‌ରେ ମାପି ଚାଲିଲେ । ଏକ ନୀରବ ଶୋଭାଯାତ୍ରା ପରି ସେମାନଙ୍କର ଗତି । ପ୍ରତ୍ୟୟହୀନ, ସ୍ୱପ୍ନହୀନ, ଆଶାହୀନ ! ‘ଆଃ, ଏମିତି ବିଞ୍ଚିବା କି ବିରକ୍ତିକର !’ ନୀଳକଣ୍ଠ ସ୍ୱଗତୋକ୍ତି କଲା । ତା କଣ୍ଠରେ ଏବଂ ତା ବନ୍ଧୁମାନଙ୍କ ମୁହଁରେ ପରାଜିତ ସୈନିକର ଗ୍ଳାନି ! ଉଦ୍ଦେଶ୍ୟହୀନ ଭାବରେ ସେମାନେ ଚାଲୁଥିଲେ । ଲକ୍ଷ୍ୟ ତାଙ୍କର ଅନିର୍ଦ୍ଦିଷ୍ଟ । ହଠାତ୍‌ ସମସ୍ତେ କେମିତି ଗମ୍ଭୀର ହୋଇ ଯାଇଥିଲେ । ସତାର ଚୁପ୍‌ଚାପ୍‌ ରହିବାକୁ ଭଲପାଏ ନାହିଁ । ଥଟ୍ଟା କଲା ଭଳି ପଚାରିଲା, ‘ହଇରେ ନୀଳକଣ୍ଠ ! ତୋର ସେ ନୂଆ ପ୍ରେମିକାର ଖବର କଣ ?’

 

‘ମାନୀ କଥା କହୁଚୁ ତ ? ନୀଳକଣ୍ଠ ପଚାରିଲା ।’ ‘ମାନୀ କଥା ଟିକେ ଅଲଗା । ଆଗେ ସବୁ ଶଳା ପ୍ରେମିକା ଆଗରୁ ପଚାରି ପକାଇଥିଲେ, ବାହା ହେବ ତ ! ୟେ କିନ୍ତୁ କହୁଚି, ମୁଁ ଜାଣେ, ନୀଳକଣ୍ଠ, ତମେ ମୋତେ ବାହା ହେବନି ତଥାପି ମୁଁ ତୁମକୁ ଭଲ ପାଏଁ । ମୁଁ ତା ସାମ୍ନାରେ କନ୍‌ଫେଶ୍‌ କରି କହିଚି, ଦେଖ୍‌ ମାନୀ ! ମୁଁ ଗୋଟାଏ ଦୁଶ୍ଚରିତ୍ର ଲୋକ । ମୁଁ ନିଶାଦ୍ରବ୍ୟାଦି ସେବନ କରିଥାଏ । ବେଶ୍ୟାଗମନ ମଧ୍ୟ କରିଚି ମୋର ଚାକିରି ବାକିରି ନାଇଁ । ମୋର ଡିଗ୍ରୀର ମୂଲ୍ୟ ନାଇଁ-। ବାପାଙ୍କ ପକେଟରୁ ନହେଲେ ମା’ଙ୍କ ହାତ ବାକ୍‌ସରୁ ପଇସା ଚୋରାଇ ବଦଖର୍ଚ୍ଚ କରେ-। କିନ୍ତୁ ସେ ଟୋକୀ ଡରିବା ଜନ୍ତୁ ନୁହେଁ । ସେ କଣ କହିଲା ଜାଣିଚ, ବନ୍ଧୁଗଣ, ସେ କହିଲା, ନୀଳକଣ୍ଠ । ତୁମଠୁ ଅଧିକା ମୁଁ ତମର ଯନ୍ତ୍ରଣାକୁ ଭଲପାଏ । ତୁମର ବେଦନା ମହାନ ନୀଳକଣ୍ଠ-। ତୁମ ଭିତରର କବିଟାହିଁ ମହାନ ।’

 

ସତାର୍‌ ହୋ ହୋ ହୋଇ ହସି ଉଠିଲା । ‘ଜିନିଅସ୍‌ଟେ । ଟୋକୀ ପଛରେ ଗୋଡ଼େଇ ବରବାଦ ହୋଇଗଲା ।’ ଇସ୍ମାଇଲ୍‌ ଟିପ୍‌ପଣୀ କଲା । ସତାର କହିଲା, ‘ତୋର କଣ ଗଲା ବେ ? ତୋ ନିଜ କଥା କହୁନୁ ।’

 

ଇସ୍ମାଇଲ ଚିଡ଼ି ଯାଇଥିଲା । କହିଲା ‘ମୁଁ ଏତେ ଦୁର୍ବଳ ନୁହେଁ ଦୋସ୍ତ । ଲାଳିଆମୀ ମୋ ପାଖରେ ନାଇଁ । ଏଇ ତଥାକଥିତ ପ୍ରେମ ମୋ ପାଇଁ ଏକ ବିଳାସ ନୁହେଁ, ଆବଶ୍ୟକତା ।’

 

‘ତୁ କଣ ସତରେ ଅଙ୍କ କଷିଲା ଭଳି ପ୍ରେମ କରୁ ।’ ଫଣୀନ୍ଦ୍ର ପଚାରିଲା । ଇସ୍ମାଇଲ ହସିଲା ଏଥର । କହିଲା, ଜଞ୍ଜେଇ ଖାଇ ଖାଇ ତ ତୋ ମୁଣ୍ଡକୁ ତୁ ଖାଇ ସାରିଲୁଣି ବେଟା । ତୁ ଆଉ କହିବୁ ଛେନାଗୁଡ଼ ।’

 

ପୁଣି ହଠାତ୍‌ ସେମାନେ ନିଶ୍ଚୁପ ହୋଇଗଲେ । ବତୀଖୁଣ୍ଟ ପରେ ବତୀଖୁଣ୍ଟ । ରାସ୍ତା ପରେ ରାସ୍ତା । ଗଳି ପରେ ଗଳି । ସହରର ଯେପରି ଶେଷ ନାହିଁ । ସହର ସରେ ନାହିଁ, ଆରମ୍ଭ ହୁଏ ନାହିଁ । ସହର ହିଁ ଯେପରି ମହାଜାଗତିକ ଯନ୍ତ୍ରଣାର ପ୍ରତୀକ । ସ୍ଥିତିପାଇଁ ସଂଗ୍ରାମ ଓ ସାଲିସ୍‌ର ଏକ ମଇଦାନ୍‌ । ସମସ୍ତେ ଏଠି ବ୍ୟାକୁଳ ମୃତ୍ୟୁର ଜୀବନ ଜୀଇଁବା ପାଇଁ ।

 

ନୀଳକଣ୍ଠ ବୋଧହୁଏ ମାନୀ କଥା ହିଁ ଭାବୁଥିଲା । ସେ ଚିନ୍ତାର ଯେମିତି କୌଣସି ନିର୍ଦ୍ଦିଷ୍ଟ ରୂପରେଖ, ଆକାରପ୍ରକାର ନାହିଁ । କେତୋଟି ବିଚ୍ଛିନ୍ନ, ଖଣ୍ଡିତ ମୁହୂର୍ତ୍ତର ଫଟୋଗ୍ରାଫ୍‌ । ଏସବୁକୁ ସଜେଇବା ପାଇଁ କୌଣସି ସୂତ୍ର ସେ ପାଉ ନଥିଲା । ସତାର, କୌଣସି ଏକ ଝିଅର ବା ଅନେକ ଝିଅଙ୍କର କଳ୍ପିତ ଶରୀର ବିନ୍ୟାସ କରୁଥିଲା ଓ ଶୀହରିତ ହେଉଥିଲା । ଫଣୀନ୍ଦ୍ର ଚିନ୍ତା କରିବାକୁ ଭୟ କରେ । ଏଣୁ ସେ, ‘ମୁଁ କିଛି ଭାବିବି ନାହିଁ । ମୁଁ କିଛି ଭାବୁ ନାହିଁ’ ବୋଲି ଭାବୁଥିଲା ଏବଂ ଭାବୁ ଭାବୁ ଦୂରରେ ଦିଶୁଥିବା ପାନ ଦୋକାନରେ ତାପାଇଁ ଯେ ନିଶ୍ଚିତ ରୂପେ ‘ମାଲ୍‌’ ମିଳିଯିବ, ଏଇ ଆଶାରେ ଉଚ୍ଚାଟ ହେଉଥିଲା ତା’ ମନ । ଇସ୍ମାଇଲ ପାର୍ଟି କଥା ହିଁ ଚିନ୍ତା କରୁଥିଲା । ପାର୍ଟିର ମୁଖ୍ୟ ମରିଯିବା ପରେ ଦଳ ଭିତରଟା ଫାଟି ଯିବାକୁ ବସୁଥିଲା । ଏହି କଥା ଚିନ୍ତା କରୁକରୁ, ହଠାତ୍‌ ତା ମନର ଚୌହଦୀ ଭିତରକୁ ଯେ କେମିତି ଭାବେ ତା’ର ପ୍ରେମିକା ରୋଜୀ ପ୍ରବେଶ କରିଗଲା, ସେ ନିଜେ ବି ଜାଣିପାରିଲା ନାହିଁ । ରୋଜୀର ଚିନ୍ତାକୁ ନିଜ ମନଭିତରୁ ବହିଷ୍କାର କରିଦେବାକୁ ଚେଷ୍ଟା କରି ବିଫଳ ହେଲା ଏବଂ ଅଗତ୍ୟା ସିଟି ମାରୁଥିଲା ।

 

ଫଣୀନ୍ଦ୍ରର ଉଦ୍ଦିଷ୍ଟ ଦୋକାନରେ ପହଞ୍ଚି ଯାଇଥିଲା । ଫଣୀନ୍ଦ୍ର ସମସ୍ତଙ୍କୁ ଠିଆହୋଇ ରହିବା ପାଇଁ ଠାରିଲା । ହଠାତ୍‌ ଯେମିତି ସମସ୍ତେ ଏକ ହଜି ଯାଇଥିବା ଖିଅ ଖୋଜି ପାଇଲେ । ଫଣୀନ୍ଦ୍ର ‘ମାଲ୍’ ନେଇ ଆସିବାବେଳେ ଅନ୍ୟମାନେ ତାକୁ କୃତଜ୍ଞ ଭାବେ ଦେଖୁଥିଲେ ।

 

ଚାରିହେଁ ପୁଣି ଆଗେଇଲେ । ନୀରବରେ । ଏଣିକି ଅଧା ଅନ୍ଧାରର ନିଶ୍ଚୁପ ପୃଥବୀ । ସେମାନଙ୍କର ଲକ୍ଷ୍ୟସ୍ଥଳ ବୋଧହୁଏ ଏଇଠାରେ । ଏଇଠି ନୀରବ ଗଛମାନଙ୍କ ଅନ୍ଧାରୁଆ ମେଲଣରେ ଅନେକ ଦୀର୍ଘଶ୍ୱାସର ଭ୍ରମ ସୃଷ୍ଟି ହୁଏ ।

 

ଏ ହେଉଛି କବରଖାନା ।

 

ଅନେକ ଦେହ ଏଠି ଶୋଇ ଯାଇଛନ୍ତି ମାଟିର ଶେଯ ଉପରେ ମାଟିର ପାଛୁଡ଼ା ଘୋଡ଼ି ହୋଇ । ଅନେକ ଛୋଟ ବଡ଼ ଗଛ, ବୁଦା । ଅନେକ ଛୋଟ ବଡ଼ କ୍ରଶ୍ । କେମିତି ଅଦ୍‌ଭୂତ ଭାବରେ ଶାନ୍ତ, ନିଶ୍ଚେତନ ସହରର ଏହି ସ୍ଥାନଟି ।

 

ଏଇଠି ଅନ୍ଧାର । ସର୍ବବ୍ୟାପୀ ଅନ୍ଧକାର ।

 

ସେଇ ଅନ୍ଧକାର ଭିତରେ ଅଭ୍ୟସ୍ତ ହାତମାନେ, ଆଙ୍ଗୁଠିମାନେ ଚିଲମ ତିଆରିରେ ଲାଗିଗଲେ । ସତାର ଅନାସକ୍ତ ଭାବରେ ଗୋଇଠି ଠୁକଉଥିଲା କୌଣସି ଏକ ପଥର ଉପରେ । ଇସ୍ମାଇଲ୍‌ର ହ୍ୱିସିଲ ଝିଙ୍କାରୀର ଝିଁ ଝିଁ ସାଙ୍ଗରେ ସୁର ମିଳେଇଥିଲା ।

 

ରାତି କେତେ ହେଲାଣି କେଜାଣି । ହୁଏତ ରାତି ନ’ଟା, ହୁଏତ ମଧ୍ୟରାତ୍ରି । ସେମାନେ ଘଡ଼ି ଦେଖିବାକୁ ଚେଷ୍ଟା କରିନାହାନ୍ତି । ଶୀତୁଆ ପବନ ଆସି ସେମାନଙ୍କ ଦୁର୍ବଳ ଦେହରେ ଧକ୍‌କା ଦେଉଥିଲା । କବରମାନେ ନିଶ୍ଚେଷ୍ଟ । ସେମାନେ ଯେଉଁ କବର ଉପରେ ବସିଥିଲେ, ତା’ ବେଶ୍ ବଡ଼ । ଫର୍ଚ୍ଚା । ବୋଧହୁଏ ମାର୍ବଲ ପଥରରେ ଖୋଦା ହେଇଛି ଏପିଟାଫ୍‌ ।

 

ଫଣୀନ୍ଦ୍ର ଓଠରେ ଲଗେଇଲା ଚିଲମ୍‌ । ନୀଳକଣ୍ଠ ଲାଇଟର ଜଳେଇଲା । ଚିଲମରେ ନିଆଁ ଲାଗି ଯାଇଥିଲା । ଭକ୍‌ କରି ପୁଳେ ଧୂଆଁ ପାଟିରୁ ବାହାର କରି ଫଣୀନ୍ଦ୍ର ଚିଲମ ବଢ଼େଇଦେଲା ସତାର ହାତକୁ ।

 

ନୀଳକଣ୍ଠର ହାତର ଲାଇଟର୍‌ଟି ତଥାପି ଜଳୁଥିଲା । କଅଁଳିଆ ପବନରେ ଥରୁଥିଲା ଶିଖାଟି । ନୀଳକଣ୍ଠ ଲାଇଟର୍‌ ଶିଖାରେ ଏପିଟାଫ୍‌ ପଡ଼ିଲା । ସେ ଶୋଇଛି । କୋଳାହଳ କରି ତା’କୁ ଉଠାଅ ନାହିଁ ।

 

ନୀଳକଣ୍ଠ ଲାଇଟର ଲିଭେଇ ଦେଲା ।

 

ନିବିଡ଼ ଅନ୍ଧାରରେ କେବଳ ଚିଲମର ସାମୟିକ ନିଆଁ–ଦପ୍‌ ଦପ୍‌ ଦପ୍‌...... ।

Image

 

ଦୋସର ଆବାଜ

 

ମନ ତୋହର ନିଜ ଗୁରୁ । । ଉଦ୍ଧବ କେତେ ତୁ ପଚାରୁ ?

 

ଠିକ୍‌ କହିଲେ ଆଜ୍ଞା ! ଜୀବନର ଅର୍ଥ ଖୋଜୁ ଖୋଜୁ କେଉଁ ବାଗରେ ଜୀବନ ଆଞ୍ଜୁଳା ସନ୍ଧିରୁ ଝରିଯାଇଚି–ଜାଣିହେବ ନାଇଁ । ଜୀବନଟା ଛୋଟ ମହାଶୟ–

 

ନୁହେଁ ତ ଆଉ କ’ଣ ?

 

ଆଉ ମରଣଟା ସର୍ବଶ୍ରେଷ୍ଠ ଜ୍ଞାନ–

 

ନା ଅଙ୍ଗୀକାର ?

 

ହେଁ ହେଁ ହେଁ ହେଁ ।

 

ଝଲକ । ସେ ଦର୍ପଣରେ ମୁହଁ ଦେଖୁଛି । ଓଠ ତାର ଓଦା ଓଦା । ସଦ୍ୟ ଫେରିଚି ବାଥ୍‌ରୁମ୍‌ରୁ । ତଥାପି ଝାଳ–କପାଳରେ, ନାକତଳେ, କାଖ ସନ୍ଧିରେ । ସେ କସ୍‌ମେଟିକ୍‌ସ୍‌ ଲଗଉଚି-

 

ଆଉ ବାପ, ପରୀକ୍ଷା ପରା....

 

ମାସେ ରହିଲା ।

 

ମୋରାଲ୍‌ସ ଆଉ କାହିଁ ? ସବୁ ଧ୍ୱଂସ ହେଇଗଲା ବାପ । ଆମ ବେଳେ....

 

ତା’ର ଯିବା ଆସିବା । ତା ଅସଂଖ୍ୟ ଛୋଟ ଭାଇ ଭଉଣୀ, ତାର ମା’ । ତା’ ବାପା । ତା’ ଅପା । ଏବଂ ମୁଁ । କେତେଟା ଅଭିନେତାର ପ୍ରକ୍‌ସି ପକଉଚି ?

 

ବାପ ଏଥର ଶୀଘ୍ର ବାହାସାହା ହେଇପଡ଼ ।

 

ହବା ।

 

ଛେନା ପୋଡ଼ ରଖିଚି ତୁମ ପାଇଁ ।

 

ତା’ ଦିହସାରା, ସନ୍ଧିମାନଙ୍କରେ ଝାଳ । ଯୁଆନ କସ୍‌ମସ୍‌ ଦେହ । ବୀଭତ୍ସ ଚିନ୍ତା, ଯୌନତା । କାମନା ସବୁ ଅଶ୍ଳୀଳ ।

 

ମୁଖା ଖୋଲି ଦେଲେ ଯାହା ରହିଯାଏ, ତାହା ଦେହ । ବଲ୍‌ବ କାଢ଼ି ନେଲେ ଅନ୍ଧାର । ତା’ ଭିତରେ ଶ୍ଳୀଳ ଅଶ୍ଳୀଳ ସବୁ ଏକାକାର । ଭେଦାଭେଦର ବିଚାର ନାଇଁ । ଭାଷା ସେଠି ଅର୍ଥହୀନ । ଶବ୍ଦର ଅର୍ଥ ନଥାଏ । ବୁଝି ହୁଏନା, ବୁଝାଇ ହୁଏନା । ଚମର ତକଜନ ସୁଷ୍ଟା କିମାନା ତୁହଁ, କାଡ଼ୁକା କେରେକେଟ କିଟୁକି ତାନା କୁହୁଁ । ପୋଷାକ–ଅଙ୍ଗର ଅନୁରଣନ । ନିଷିଦ୍ଧ, ନିଷିଦ୍ଧ ।

 

‘ଏନ୍‌ସିଏଣ୍ଟ୍‌ ମେରିନର’ ଟିକେ ବୁଝେଇ ଦିଅନ୍ତ ନାଇଁ ?

 

ପଇସା ପଡ଼ିବ ।

 

ବାଃ, ଏବଠୁ ଏମିତି ଅଧ୍ୟାପକ ହେଲେ ତ ଆଉ....

 

.......ପ୍ରବେବିଲିଟିକୁ ନେଇ ତ ଆମେ ବଞ୍ଚୁ । ‘କଣ ଘଟିଥାନ୍ତା, ବା ଘଟିଛି–ସବୁ ଏକ’ ।

 

ତମେ ଆଜିକାଲି ଅନେକ ଉଦାସ ଦିଶୁଛ ।

 

ନା’ ତ ! ମୁଁ ତୁମକୁ ଉଦାସ ଦିଶିଲି–ଆଶ୍ଚର୍ଯ୍ୟ !

 

ତୁମେ ଯେତେ ପ୍ରଗଳ୍‌ଭ ଜଣାପଡ଼–ସେତେ ନୁହଁ । ତୁମର ପ୍ରତି ହସ ମୋତେ ଦୁଃଖର ଏକ ଭୟଙ୍କର ପରମାଣୁ ବେମା-ବିସ୍ଫୋରଣ ପରି ମନେହୁଏ ।

 

ଷ୍ଟ୍ରେଂଜ୍‌ ।

 

ମୋତେ କହିବନି ? ସୁଖରୁ ନ ହେଲା ନାଇଁ, ଦୁଃଖରୁ ହେଲେ ଭାଗ ଦେଇପାରିବ ନାଇଁ ?

 

କିଏ କହିଲା ମୁଁ ଦୁଃଖୀ ! ହାଃ ହାଃ ! ମୋ’ଠୁ ସୁଖୀ ଲୋକ ତୁମେ ଜଗତରେ ପାଇବନି-

 

ହଉ, ନ କୁହ, ତୁମପରି କଂପ୍ଲେକ୍‌ସ ଲୋକକୁ ବୁଝାଇବା ଯେତେ ନୁହେଁ, ବୁଝିାବା ତହୁଁ ବଳି କଷ୍ଟକର ।

 

ଚୁପ କିଆଁ ରହୁଛ ? କୁହ, କିଛି ହେଲେ କୁହ, ପ୍ଲିଜ୍‌ ! ତୁମେ ଚୁପ୍‌ ହେଲେ ମନେହୁଏ ଯେମିତି ପୃଥିବୀର ସବୁ ଭାଷା ସରିଯାଇଛି ।

 

ଭାଷା ବି ଗୋଟାଏ ମୁଖା । କଣ୍ଠନଳୀ ଭିତରେ ଶବ୍ଦମାନଙ୍କର ଅନ୍ଧକୂପ ହତ୍ୟା ହୁଏ । ଓଃ ଡାର୍କ ଡାର୍କ ଡାର୍କ । ସୃଷ୍ଟିର ଯନ୍ତ୍ରଣା । ଅଳସ ଆଖି । କ୍ଳାନ୍ତି, ପୁନରାବୃତ୍ତି । ବୃତ୍ତ... ବୃତ୍ତପଥ । ଘୂର୍ଣ୍ଣନ । ଶେଷହୀନ । ସମୟର ଶେଷ ଓ ଆରମ୍ଭ ଏ ହିପ୍‍ ଅଫ୍‌ ବ୍ରକେନ୍‌ ଇମେଜସ୍ ।

 

ତୁମେ ଏକ ଗଳ୍ପହୀନ ଗଳ୍ପ । ଏକ କବିତା ହୁଏତ, ହୁଏତ ଏକ ଚନ୍ଦ୍ରହୀନ ରାତି । ମୁଁ ତୁମକୁ ପଚାରୁଚି, କୁହ ତୁମେ କିଏ ? ମୁଁ ତୁମକୁ ହୁଏତ ଭଲପାଏ । ତୁମେ ହୁଏତ ମୋତେ ଭଲପାଅ । ଏଇ ଆପାତ ସତ୍ୟ ଛଡ଼ା ତୁମର ବା ଆଉ କି ପରିଚୟ ଅଛି ? ତୁମ ନାଁ ଆଉ କିଛି ହୁଏତ ହେଇଥାନ୍ତା । ହୁଏତ ତୁମେ ମୋତେ ପ୍ରେମ ନକରି ଆଉ କାହାକୁ ଏବଂ ମୁଁ । ହୁଏତ, ହୁଏତ ....ୟା’ ଭିତରେ ସବୁ କଥା ସତ । ପଏଣ୍ଟ ଟୁ ଓ୍ୱାନ୍‌ ଏଣ୍ଡ୍‌ ।

 

ଚିଅସ । ଲଫ୍‌ ଏଣ୍ଡ୍‌ ବି ଗ୍ଳୁମି । ମୁଁ ତୁମକୁ ମୁଠାଏ ଧୂଳିରେ ଭୟ ଦେଖେଇ ପାରିବି । ହାଃ ହାଃ, ଫମ୍ପା ଆବାଜ । କେବଳ ଅର୍ଥହୀନ ଧ୍ୱନିର ଫମ୍ପା ମନୋଟନୀ, ବିରକ୍ତି । ଏଠାରେ, ସେଠାରେ ସବୁଠାରେ । ଏ ଦୁଃଖକୁ ତୁମେଇ ତ ବରି ନେଇଚ ବନ୍ଧୁ । ଦି ଏୟାର୍‌ ଇଜ୍‌ ଫୁଲ ଅଫ୍‌ ଆଓ୍ୱାର କ୍ରାଇଜ୍‌ ।

 

ସସେମିରା

 

ସସେମିରା

 

ସେମିସରା

 

ମିରାସେସି

 

ରାସିମିରା

 

ହୁଏତ ତୁମେ ଏକ ଆବଶ୍ୟକତା ।

 

ଏକ ଅବଲମ୍ବନ । ମୁଁ କାହାରି ନୁହେଁ ।

 

ଜଙ୍ଗଲ ନଦୀ ଆକାଶ ସମୁଦ୍ର କ୍ଷିତି ।

 

ବିକ୍ଷିପ୍ତ ଧୂଳି, ମାଟି ତୃଷାଚ୍ଛନ୍ନ । ବଞ୍ଚିବା ପାଇଁ ବ୍ୟାକୁଳ ।

 

ପାପ କଣ ? ସୌଦାଗର ପୁଚ୍ଛା କଲା ।

 

ଯାହା ଲୁଚେଇ କରାଯାଏ ।

 

ହେ ଭଗବାନ ! ପାପୀମାନଙ୍କୁ କ୍ଷମା କର, ସେମାନଙ୍କୁ ମୁକ୍ତି ଦିଅ । ଦିଅ ପ୍ରଜାପତିର ମୃତ୍ୟୁ । ତୃପ୍ତ ମୁକ୍ତି । ସୃଷ୍ଟି ଓ ସଂହାର । ସବୁ ଏକ । ଏକାକାର । ସବୁ ଏକାକାର ।

Image

 

ଛାଇ ଆଲୁଅ

 

ଅତିଷ୍ଠ ହୋଇପଡ଼ିଲା ଅସୀମା ନା, ବିଲ୍‌କୁଲ୍‌ ହେଉନି । ଏମିତି ଏକ ଜାଗାରେ କୁଣ୍ଡେଇ ହେବାର କି ଆବଶ୍ୟକତା ଥିଲା ? ଯେତେ ଚେଷ୍ଟା କଲେ ବି ହାତ ପାଉନି । ଇଆଡ଼େ ଜାଗାଟି ଅଦ୍‌ଭୂତ ଏକ ପ୍ରତିକ୍ରିୟା ସୃଷ୍ଟି କରୁଛି । ଗୋଡ଼ ଆଉ ହାତର ଆଙ୍ଗୁଠିମାନେ ଅତିଷ୍ଠ ହୋଇ ଉଠୁଛନ୍ତି-। ହଠାତ୍‌ କୁଦିପଡ଼ି ବେତାଳିଆ ନାଚିଯିବାକୁ ଇଚ୍ଛା ହେଉଛି । ଅଗତ୍ୟା ଅସୀମା ପାନିଆଟିକୁ ଡ୍ରେସିଂ ଟେବୁଲ୍‌ର ଅସ୍ତବ୍ୟସ୍ତତା ଭିତରୁ ଖୋଜି ବାହାର କଲା ଏବଂ ଖୋଜି ପାଇଯିବା ପରେ ଗଡ଼ ଜିଣିଯିବା ଭଙ୍ଗୀରେ ତାକୁ ମୁଠେଇ ଧରି ସେଇ ଅବିଦିତ ସ୍ଥାନକୁ ଦରାଣ୍ଡିଲା । ସେଇ ନିର୍ଦ୍ଦିଷ୍ଟ ସ୍ଥାନକୁ କୁଣ୍ଡେଇବାର ପ୍ରକ୍ରିୟାରେ ତା’ର ଆଖପାଖ ସ୍ଥାନକୁ ମଧ୍ୟ ରାଂପୁଡ଼ି ପକାଇଲା । ନାଃ–ମଜାଟା ପୁରାଭାବରେ ଆସିଲା ନାହିଁ । ବ୍ଲାଉଜ୍‌କୁ ତରତର କରି ଖୋଲିପକାଇ ସେ ପାନିଆର ଅଗଟିକୁ ପିଠର ଠିକ୍‌ ମଝିକୁ ନେଇଯାଇ ରୀତିମତ ରାଂପୁଡ଼ିବାରେ ଲାଗିଲା । ଏକ ଅଦ୍‌ଭୂତ ଆନନ୍ଦରେ ସେ ଶିହରୀ ଉଠିଲା । କୁଣ୍ଡେଇ ହେଉଥିବା ଜାଗାର ଖଣ୍ଡମଣ୍ଡଳ ରକ୍ତାକ୍ତ ହୋଇଗଲା ସିନା, ତାର ପାନିଆର ଗତି ବନ୍ଦ ହେଲାନାହିଁ । ଅସୀମାର ଜିଭରୁ ଲାଳ ବୋହିପଡ଼ିଲା, ଆଖିବନ୍ଦ କରି ସେ କାମଟିରେ ଲାଗିରହିଲା । ହଠାତ୍‌ ସେଇ ନିର୍ଦ୍ଦିଷ୍ଟ ଜାଗାଟିରେ ଜ୍ୱଳନ ସୃଷ୍ଟି ହେବାକୁ ଲାଗିଲା-। ଭୟଭୀତ ହେବାଭଳି ସେ ପାନିଆର ଗତିକୁ ହଠାତ୍‌ ବନ୍ଦ କରି, ପାନିଆଟିକୁ ମୁହଁ ଆଗକୁ ଧରିଆଣି, ସନ୍ତର୍ପଣତାର ସହ ଆଖି ଖୋଲିଲା । ପାନିଆର ଆଗରେ ରକ୍ତ ନେସି ହୋଇଯାଇଛି-। ଏଇ ପରିଶ୍ରମ ସାପେକ୍ଷ ପ୍ରକ୍ରିୟା ଯୋଗୁଁ ଟୋପିଟୋପି ଝାଳ ଫୁଟିବାରେ ଲାଗିଛି ଏବଂ ସେଇ ଜାଗାଟି ଏକ ଅସହ୍ୟ ଜଳାପୋଡ଼ାରେ ଯେମିତି କି ହୁ ହୁ କରୁଛି ।

 

ଅସୀମା ହଠାତ୍‌ ଅବଶ ହୋଇ ପଡ଼ିଲା ଯେମିତି ।

 

ନାକତଳେ ଏବଂ କପାଳରେ ଫୁଟିଉଠିଥିବା ଝାଳବିନ୍ଦୁମାନଙ୍କୁ ଲୁଗାକାନିରେ ପୋଛିପକାଇ, ଯନ୍ତ୍ରଣାକୁ ଦାନ୍ତଚିପି ସହିନେବାର ଚେଷ୍ଟା କରୁ କରୁ, ସେ କୌଣସି ଏକ ସୁଲଭ ଉପାୟ ଖୋଜି ବାହାର କରିବାରେ ମନେମନେ ଲାଗିଗଲା, ଯାହାଦ୍ୱାରା ସେଇ ନିର୍ଦ୍ଦିଷ୍ଟ ସ୍ଥାନର ଝାଳ ଏବଂ ରକ୍ତକୁ ପୋଛାଯାଇ ପାରିବ । ହାତମୁଠାରେ ଲୁଗାକାନିକୁ ମୁଠେଇଧରି, ବାରମ୍ବାର ଆଖି ଖୋଲି ବନ୍ଦ କରି ସେ ଅସହାୟ ଭାବରେ ଚିନ୍ତା କରିବାକୁ ଲାଗିଲା । ଲୁଗାକାନିଟା ହିଁ ଏଇ କାର୍ଯ୍ୟ ଠିକ୍‌ ଭାବରେ କରି ପାରିବ ବୋଲି ଠିକ୍‌ କରି ସେ ଲୁଗାକାନିଟିକୁ ଦୁଇ ହାତରେ ଧରି ଅବଲୀଳାକ୍ରମେ ଏପଟ ସେପଟ କରି ଘଷିବାକୁ ଲାଗିଲା ପିଠିରେ । ବୋଧହୁଏ ଝାଳ ଏବଂ ରକ୍ତ ସାଧାରଣ ଭାବରେ ପୋଛି ହୋଇଗଲା ନିରାପତ୍ତା ଦୃଷ୍ଟିରୁ ସେଇ ଜାଗାରେ ଡେଟଲ୍‌ କିମ୍ବା କ୍ରେଷ୍ଟ ଟିକେ ଲଗେଇ ଦେଲେ ଭଲ ହେବ, ସେ ଭାବିଲା । ଭଲ ହେବ ବୋଲି ଭାବୁ ଭାବୁ ପୁଣି ଝାଳ ବୋହିଲା ଏବଂ ପୁଣି ଜାଗାଟି ପୋଡ଼ିଲା । ଅସୀମା ଅନୁଭବ କଲା ଯେ ତାର କାଖତଳେ ଏବଂ ଛାତି ମଧ୍ୟ ଭାଗରେ ସ୍ୱେଦବିନ୍ଦୁମାନ ଫୁଟି ଉଠିଛନ୍ତି । ଡ୍ରେସିଂ ଟେବୁଲ୍‌ ପାଖରୁ ଉଠି ଆସି ଅସୀମା ସିଲିଂଫେନ୍‌ର ସୁଇଚ୍‌ ଦେଲା ଏବଂ ଫେନ୍‌ର ଠିକ୍‌ ତଳେ ଠିଆ ହୋଇ ପଡ଼ିଲା । ଜାଗାଟିକୁ ପୁଣିଥରେ ପୋଛି, ସେ ଅନ୍ୟାନ୍ୟ ସ୍ଥାନମାନଙ୍କୁ ମଧ୍ୟ ଭୀଷଣ ବିରକ୍ତିର ସହ ପୋଛିଲା ଏବଂ ସମ୍ବଲପୁରର ଗ୍ରାମକୁ ଅଭିଶାପ ଦେଲା । ପଣତର ଶେଷ ଭାଗଟି ଝାଳ ଆଉ ରକ୍ତର ମିଶାମିଶି ଗନ୍ଧ ସହ ଏକ ବିକାରିଆଭାବ ସୃଷ୍ଟି କରୁଥିଲା । ପଣତଟିକୁ ତଳକୁ ଛାଡ଼ିଦେଇ ଅଧା ବନ୍ଧା ହୋଇଥିବା ଜୁଡ଼ାକୁ ଯେନତେନ ପ୍ରକାରେଣ ଖୋଷାଟିଏ କରିଦେଲା ଏବଂ ପିଠିର ସେଇ ଅଂଶଟି ଠିକ୍‍ ଭାବରେ ପବନ ପାଇବ ବୋଲି ଅଣ୍ଟା ଭାଙ୍ଗି ନଇଁପଡ଼ିଲା । ଝାଳବିନ୍ଦୁମାନଙ୍କ ଉପରେ ପବନ ଆସି ଧକ୍‌କା ହେଉଥିବା ବେଳେ, ଝାଳ ଶୁଖିଯିବାର ପ୍ରକ୍ରିୟାରେ, ଅତିମାତ୍ରାରେ ତୃପ୍ତ ହେଲାଭଳି ଅସୀମା ଆଖି ବନ୍ଦ କରି ଉପଭୋଗ କରିବାରେ ଲାଗିଲା । ତା’ର ମନେ ହେଉଥିଲା, ପବନ ଯେମିତି ତାର ଉଷୁମ ଥଣ୍ଡା ଜିଭ ବୁଲେଇ ତା’ ଦିହସାରା ଝାଳ ଚାଟି ନେଉଛି ବେଶ୍‌ ସୁଖପ୍ରଦ ଭାବରେ । ଆଖି ବନ୍ଦ କରି ସେମିତି ଲଇଁ ରହିଥାଏ ସେ ଆଉ ମଜା ଲାଗୁଥାଏ ତା’କୁ । ସୁଖ ଲାଗୁଥାଏ । ହଠାତ୍‌ ସେ ଭାବିଲା–ଏମିତି ଅବସ୍ଥାରେ ନିରଞ୍ଜନ ତାକୁ ଦେଖିଲେ କଣ ଭାବନ୍ତା ? କଣ ଭାବନ୍ତା ? ସେ ଯେମ୍‌ତି ଲୋକନା, ପ୍ରଥମେ ବିସ୍ମିତ ହେବାଭଳି ଆଖି ମିଟ୍‌ ମିଟ୍‌ କରି, ପାଟି ହା ମେଲା କରି ଦେଖନ୍ତା ଘଡ଼ିଏ–ପରେ ହୋ ହୋ ହୋ ହୋଇ ହସନ୍ତା ଖାଲି । ହସୁଥାନ୍ତା ଖାଲି; କିଛି କଥାବାର୍ତ୍ତା ନାଇଁ; ଖାଲି ହସୁଥାନ୍ତା ଯେ ହସୁଥାନ୍ତା । ତା’ପରେ ସେମିତି ହସିଉଠି ତା’ ପାଖକୁ ଚାଲିଆସନ୍ତା, ଆଉ ଛିଃ ସେ ଯେମ୍‌ତି ଲୋକନା, ତାର ଦିନ କଣ, ରାତି କଣ ! ନିଜ ଚିନ୍ତାରେ ନିଜେ ଲାଜେଇଗଲା ଅସୀମା ।

 

ତାର ଆସିବାବେଳ ତ ହୋଇଗଲାଣି । ଏବେ ତାର ନାଲ୍‌ଦିଆ ଜୋତା ମଚ୍‌ମଚ୍‌ ଠକ୍‌ଠକ୍‌ କରି ଆସିବ–ଏଁ–ବାହାର ଦୁଆର ଅସୀମା ମେଲା ରଖି ଦେଇଚି ଯେ–ଯଦି କେହି ଆସିଯାଏ । ନୀତା ଦିପହରସାରା ଗପିଗପି ଫେରିଗଲା ପରେ ଅସୀମା ଭୁଲରେ ଦୁଆର ଆଉ ବନ୍ଦ କରିନି । ନୀତା ଯେ କେମିତିଆ ଝିଅ ! ଇସ୍‌ ଖାଲି ଗପୁଥିବ ଯେ ଗପୁଥିବ । କଲେଜ୍‌ରେ ତାଙ୍କର ଷ୍ଟ୍ରାଇକ୍‌ ଯେ ମଜା କରୁଛି ଘରେ ବସି । ବିଭୂତି ପଟ୍ଟନାୟକର ଉପନ୍ୟାସ ପଢ଼ୁଛି, ନ ହେଲେ ଅସୀମାକୁ ଆସି ବୋର୍‌ କରୁଛି । କଲେଜ୍‌ ଗପ ଖାଲି । ପିଲାଏ କେମ୍‌ତି କମେଣ୍ଟ୍‌ ମାରନ୍ତି, ନୋଟ୍‌ ବହି ଯାଚିକରି ଦିଅନ୍ତି, ଏକାନ୍ତ ବଶମ୍ବଦ ଭଳି କଥା କୁହନ୍ତି–ପୁଣି ଝିଅଟିଏ କଣ ଟିକେ ଅନୁରୋଧ କରି ଦେଲେ ହନୁମାନ ଭଳି ଏକା କ୍ଷେପାକେ ଯାଇ କାର୍ଯ୍ୟରେ ପରିଣତ କରି ପୁଣି ସାମ୍ନାରେ ଠିଆ ହୋଇ ଲାଞ୍ଜ ହଲାନ୍ତି । ଅସୀମା ମନେମନେ ଭାବେ, ସତେ ଯେମ୍‌ତି ତାଙ୍କ ବେଳକୁ ଆଉ କମେଣ୍ଟ୍‌ ହେଉ ନଥିଲା ! ବି. ଏ. ପଢ଼ୁଥିବା ବେଳେ ଅସୀମାକୁ ଛତରା ବଜାରୀ ଟୋକାଟେ ଦୋଅକ୍ଷରୀ କମେଣ୍ଟ୍‌ କରିବାରୁ ପ୍ରଶାନ୍ତ ବୋଲି ପିଲାଟିଏ ତାକୁ ମୁଥ ମାରିଥିଲା ଏବଂ ରୀତିମତ ଅସୀମା ପିଛା ଧରିଥିଲା । ନୋଟ୍‌ବହି ଭିତରେ ଚିଠିପତ୍ର ଦିଆନିଆ ହୋଇତ ନିରଞ୍ଜନ ସାଥିରେ ପ୍ରେମ ହେଲା ଅସୀମାର । ଏଡ଼େ ଚାଇଲ୍‌ଡ଼ିଶ୍‌ ନିରଞ୍ଜନ । କବିତା ଲେଖି ଦେଇଥିବ ନୋଟ୍‌ ଖାତାରେ । ସେ କବିତା ବି ପୁଣି କଣ ! କବିତା କିନ୍ତୁ ଚମତ୍କାର ଲେଖୁଥିଲା ସତ୍ୟ ମିଶ୍ର । ବିଚରା ସୁତପାକୁ କେତେ ପ୍ରେମ କରୁ ନଥିଲା ସତରେ । ସିଧାସିଧି ସୁତପାକୁ ଏକ ପ୍ରେମ-କବିତା ବୋଲି ଲେଖି ଓଡ଼ିଆ ପତ୍ରିକାରେ ଛପେଇଦେବ । ବିଚରା ସୁତପାକୁ ପାଇପାରିଲାନି ଯେ ଦାଢ଼ି ଲମ୍ବେଇ ଦିନାକେତେ ବୁଲିଲା ଏବେ କୁଆଡ଼େ ମରିହଜି ଗଲାଣି ।

 

ଦାଣ୍ଡ କବାଟଟି ଯାଇ ବନ୍ଦ କରି ଦେଇ ଆସିଲେ ହୁଅନ୍ତା । ଯଦି ପ୍ରକାଶ କି ସୁଦିତ୍‌–‘ନାନୀ, ନାନୀ’ କି ‘ଭାଉଜ, ଭାଉଜ’ ଡାକି ଡାକି ପଶି ଆସନ୍ତି ଘର ଭିତରକୁ ଆଉ ତାକୁ ଏମ୍‌ତି ଅବସ୍ଥାରେ ଦେଖିପକାନ୍ତି ନା.... ଛି ଛି, କଣ ଭାବୁଛି ଯେ ସେ । ନିଜକୁ ଧିକ୍‌କାରିଲା ଅସୀମା-। ଏବଂ କଣ ଭାବୁଥିଲା ମନେ ପକେଇବାରେ ଲାଗିଲା । ତା’ ପରେ ସେ ଧୀରେ ଧୀରେ ଚଟାଣ ଉପରେ ବସିଗଲା ଏବଂ ଆଙ୍ଗୁଠି ଫୁଟେଇଲା । ମୁଣ୍ଡସାରା ଝାଳ । ଇଃ, ସମ୍ବଲପୁରରେ ଏତେ ଗରମ । ଯା’ ଘରେ କୁଲର୍‌ ଅଛି ନା, ତାର ମଜା । କାଲି ବେଣାଚେର କିଣିବାକୁ ହେବ । ରବିବାର ଦିନସାରା ନିରଞ୍ଜନ କୁଆଡ଼େ ଯିବ ନାଇଁ–ଶୋଇବ ନହେଲେ ଗପିବ । ନହେଲେ ରୋଷେଇ ଘରେ ବସିଯିବ ରୀତିମତ । ଗଜା ତାକୁ ଭଲ ଲାଗେ ଯେ ଗଜା ଡବାକୁ ଦରାଣ୍ଡୁ ଥିବ, ଟୁକ୍‌ଟୁକ୍‌ କରି ପାଟିରେ ପକେଇ ଖାଉଥିବ । ଗପୁଥିବ, ପାଣି ପିଉଥିବ, ବାଥ୍‌ରୁମ୍‌କୁ ଘନଘନ ଯାଉଥିବ ଏବଂ ପୁଣି ଆସି ଗପୁଥିବ । ମୁହୂର୍ତ୍ତେ ଛାଡ଼ିବନି ତାକୁ ।

 

ଗୁଡ଼ିଏ ଦିନ ହେଲା ସିନେମା ଦେଖା ହେଇନି । ଆଜି ସେକେଣ୍ଡ ସୋ ଗଲେ ହୁଅନ୍ତା । ଆରାମରେ ଶାଓ୍ୱାର ତଳେ ପନ୍ଦର ମିନିଟ୍‌ ଠିଆ ହୋଇ, ସଫା ହୋଇ ପାତଳା କଟନ୍‌ ଶାଢ଼ିଟିଏ ପିନ୍ଧି (ନିରଂଜନ ପାଇଜାମା ଆଉ ଫୁଲପକା ପଞ୍ଜାବୀ ପିନ୍ଧନ୍ତା) ଧୀରେ ଧୀରେ ଗପ କରି କରି ବୁଲିବାକୁ ଯାଆନ୍ତେ ସେମାନେ ଆଉ ମହାନଦୀ କୂଳରେ ବାଲିବନ୍ଧା ପାଖରେ କିଛି ସମୟ ବସି, ଛିଃ, ମହାନଦୀ କୂଳରେ ଏଠିତ ବସିବାକୁ ଜାଗା ଖଣ୍ଡେ ନାଇଁ । ଯେଉଁଠି ସଫା ଦିଶୁଥିବ, ସେଇଠି ହଗି ଦେଇଥିବେ । ସେଇଠି କୋଉଠି କିଛି ସମୟ ବସି, ତା’ପରେ ହୋଟେଲରେ ଖାଇ, ସେପଟୁ ନାଇଟ୍‌ ଶୋ ଚାଲିଗଲେ ହୁଅନ୍ତା । ନିରଞ୍ଜନ କିନ୍ତୁ ମନା କରିବ ନିଶ୍ଚୟ–କହିବ, ପଇସା ଏମିତି ଭାବରେ ବଦଖର୍ଚ୍ଚ ହେବ ନାହିଁ । ଏଇମାସ ଜରୁର୍‌ ଚେସ୍‌ କିଣା ହେବ । ନାଃ ଆଜି କିନ୍ତୁ ସିନେମା ଯିବେ ସେମାନେ । ନିରଞ୍ଜନକୁ ରାଜି ହେବାକୁ ହେବ । ଅସୀମା ଆଜି ନିରଞ୍ଜନକୁ ସିନେମା ଦେଖେଇବ–ତା’ଠି କଣ ପଇସା ନାହିଁ ? ଲୁଚେଇ କରି ଜମେଇଚି ସେ । ତା’ ପରେ ଟହଲି ଟହଲି ଫେରି ଆରାମରେ.... ଇଃ, ଇଲୋ ବୋଉଲୋ, ଥୁଃ ଥୁଃ ତମେ କେତେବେଳେ ଆସିଲ ମ ଦେଖିଲ କେମତି ବୋକୀ ହେଇ ବସି ରହିଚି ମୁଁ, ଇସ୍‌ ଏମିତି ଚାହୁଁଚ କାଇଁକି, ରୁହ ରୁହ ଛିଃ ଛିଃ ଏମ୍‌ତି କଣ... ଓଃ.....

Image

 

ପଳାତକ

 

ସେ ମୋ ହାତ ଉପରେ ହାତ ରଖିଲା । ପଚାରିଲା, ତମେ ସତେ କଣ ଏବର୍ଷ ଜୟପୁର ଛାଡ଼ି ଚାଲିଯିବ ?

 

ହଁ । ମୁଁ କହିଲି । ତା ହାତର ସ୍ପର୍ଶରେ ଦେହଟା କିମିତି ଶିରିଶିରେଇ ଉଠିଲା । ମୁଁ ତାର ହାତ ଉପରେ ହାତ ବୁଲେଇ ଆଣୁ ଆଣୁ ପଚାରିଲି, ତମେ ମୋତେ ଭୁଲିଯିବ ନାଇଁ ତ, ମଧୁମିତା !

 

ତାର ନରମ ନରମ ଆଙ୍ଗୁଳି ମୋର ଓଠ ଉପରେ ରଖି ସେ କହିଲା, ଛିଃ, କଣ ଯେ ତୁମେ କୁହ !

 

ଝିଅମାନେ ଗୋଟେ ପ୍ରେମିକକୁ ମନେରଖିବା ଯେତେ କଷ୍ଟକର, ଭୁଲିଯିବା ସେତେ ସହଜ ।

 

ତା ହେଲେ, ତୁମ ବିଶ୍ୱାସ କଣ ଏତିକିରେ....

 

କେବଳ ପ୍ରେମ ଜୀବନର ସବୁକିଛି ନୁହେଁ । ଜୀବନର ସ୍ୱତନ୍ତ୍ର କିଛି ମୂଲ୍ୟ ଅଛି ।

 

ତା’ ହାତଟା ସେମିତି ମୋ ଉପରେ ହାତ ପଡ଼ି ରହିଥିଲା । ମୁଁ ତା କେଶ ଗହଳିରେ ଅଙ୍ଗୁଳି ଚଳାଇଲି ।

 

ତମେ ଯେ କୌଣସି ଯୁବକକୁ ପ୍ରଲୁବ୍‌ଧ କରିବା ପାଇଁ ଯଥେଷ୍ଟ ରୋମାଣ୍ଟିକ୍‌ ।

 

ମୁଁ ଏକ ବେଶ୍ୟା ନୁହେଁ ।

 

ତମକୁ ବେଶ୍ୟା କହିବାରେ ଆପତ୍ତି ଅଛି ତ ? ତୁମେ ପ୍ରେମ କର ମୋତେ, ଅଥଚ ବିବାହ କରିବ କୌଣସି ଏକ ପୁରୁଷକୁ : ଯାହାର ନାମ ବି ତୁମେ ଜାଣ ନାହିଁ ।

 

ମୁଁ ଯାହାକୁ ବିବାହ କଲେ ବି, ସବୁଦିନେ ତୁମର ।

 

ତୁମର ଏଇ ଘଷରା ଡାଇଲଗ୍‌ ଯେ କୌଣସି ନିର୍ବୋଧକୁ ପ୍ରେମିକ କରି ଦେଇପାରେ, ମୁଁ କିନ୍ତୁ ପୁରୁଷ ହେବାକୁ ଚାହେଁ ।

 

ସେ ତାର ଦୁଇ ହାତ ମୋର ଗଳାରେ ଆବେଷ୍ଟନ କଲା ଏବଂ ମୋର ଅମସୃଣ ଗାଲରେ ତାର ଓଦା ଜିଭ ବୁଲେଇ ଆଣିଲା ।

 

ମୋର ମଧ୍ୟ ଏକ ପୁରୁଷ ଦରକାର ଶୁଭେନ୍ଦୁ ।

 

ମୁଁ ପୁରୁଷ ନା ପ୍ରେମିକ ? ମୁଁ ଯେମିତି କି ପାଗଳ ହୋଇଗଲି । ଦୃଢ଼ଭାବରେ ତାକୁ ଆଲିଙ୍ଗନ କଲି । ସେ ଅଣନିଃଶ୍ୱାସୀ ହୋଇ କହିଲା :

 

ଓଃ, ମାରିଦେବ ନା କଣ ?

 

ମୁଁ ତାର ଆଖିପତା ଉପରେ ଏକ ଚୁମ୍ବନ ଦେଲି । ମୋତେ ଆଖି ଭଲ ଲାଗେ । ମୁଁ ତାର ଗହଳ କେଶର ଅନ୍ଧାରରେ ଚୁମ୍ବନ ଦେଲି । ମୋତେ କେଶ ଚମତ୍କାର ଲାଗେ । ତାର ନରମ ଆଙ୍ଗୁଳିଗୁଡ଼ିକ ବେଶ ଅଶ୍ଳୀଳ । ମୁଁ ତାକୁ ଆହୁରି ନିବିଡ଼ କଲି । ତା ଓଠରେ ଚୁମ୍ବନ ଦେଲି ।

 

ମୁଁ ପ୍ରେମିକା ନା ପୁରୁଷ ? ମୁଁ କହିଲି ।

 

ଥାଉ ।

 

ସେ ତାର ଦୁଇ ଓଠରେ ମୋର ତଳ ଓଠକୁ କାମୁଡ଼ି କହିଲା, ତୁମେ ଭାରି ଚମତ୍କାର ।

 

ମୁଁ ତା’ଠାରୁ ଦୂରେଇ ଯାଇ କହିଲି, ଥାଉ, ମୁଁ ଦୁର୍ବଳ ହେବାକୁ ଚାହେଁ ନାହିଁ ।

 

ସେ କହିଲା, ଶୁଭେନ୍ଦୁ, ଦୂରେଇ ଯାଉଛ କାହିଁକି ?

 

ମୁଁ ତା’କୁ ସଂଯତ କରିବାକୁ ଚେଷ୍ଟା କରି କହିଲି, ମୁଁ ତୁମକୁ ନଷ୍ଟ କରିବାକୁ ଚାହେଁନା । ମୁଁ ପ୍ରେମିକ ନା ପୁରୁଷ ?

 

ଆମେ ଦୁହେଁ ସେଇଠି ଏକା । ତାର ଉତ୍ତମ ଦେହରେ ସମର୍ପଣର ସଙ୍ଗୀତ । ଅଥଚ ମୁଁ କହୁଚି, ଏସବୁ ବିବାହ ପରେ । ତାର ଆଖି ଦୁଇଟି କିମିତି ଲାଲ, ରଡ଼ ନିଆଁ ପରି । ନିଜ ଦୁଇ ଓଠ ଉପରେ ଜିଭ ବୁଲାଇ ସେ ପୁଣି ପଚାରିଲା, ତୁମେ ପ୍ରେମିକ ନା ପୁରୁଷ ?

 

ପ୍ରେମିକ କଣ ପୁରୁଷ ନୁହେଁ ? ମୁଁ ଉତ୍ତର ଦେଲି କୌଣସି ମତେ ।

 

ସବୁ ପ୍ରେମିକ ପୁରୁଷ ନୁହନ୍ତି ।

 

ମାନେ ?

 

ଯେପରି ତୁମେ ।

 

ଗ୍ଳାନି କ୍ରୋଧରେ ମୁଁ ଆତୁର । ଅଜଣା ନାସ୍ତିବୋଧରେ ସନ୍ଦିହାନ ମୋ ପୁରୁଷତ୍ୱ, ତାର ଦେହର ଜଙ୍ଗଲରେ ଯେପରି କେଉଁଠି ବିଲୀନ ହେଇ ଯାଇଛି । ଆଃ, ସେଠି କେବଳ ଅନ୍ଧାର । କେବଳ ଦେହ ଏବଂ ଦେହ । ତାର ଦେହର ମାଦକ ସୁଗନ୍ଧ, ଅଥଚ ମୋର ପୁରୁଷତ୍ୱ ଭ୍ରଷ୍ଟ । ସେଠି ଇଚ୍ଛା ନାହିଁ; ବିରାଟ ଆକାଶର ବ୍ୟାପ୍ତ-ଶାନ୍ତ-ନୀଳିମା ମଧ୍ୟରେ ଇଗଲର ସତ୍ତା ପରି ! ହୁଏତ ବିସ୍ତୃତ ବିହୀନ । ହୁଏତ ଏକ କୃଷ୍ଣବିନ୍ଦୁ, ବିପୁଳ ନୀଳାୟତନରେ ପରିଚୟହୀନ ଏକ ବିନ୍ଦୁ । ସେଇ ଆକାଶ ବା କଣ ? ସେଇ ନୀଳିମା କଣ ? ସେଇ ବ୍ୟାପ୍ତି କଣ ?

 

ମୁଁ ତାର ଆଖିପତା ଉପରେ ଏକ ଅନାସକ୍ତ ଚୁମ୍ବନ ଦେଲି । ସେ ପଚାରିଲା ।

 

ତୁମେ ମୋ ଆଖି ଉପରେ କାହିଁକି ଚୁମା ଦେଉଛ ?

 

ତୁମର ଆଖି ଭଲ ଲାଗେ ବୋଲି !

 

ସତେ ?

 

ବିଶ୍ୱାସ କରୁନ ?

 

ତମେ ବଡ଼ ସେନ୍‌ସିଟିଭ୍‌ । ତୁମ ପରି ଲୋକଙ୍କୁ ମୋର ଭାରୀ ଭୟ ।

 

ସୁଶାନ୍ତ..... ?

 

ତମେ ବଡ଼ ସନ୍ଦେହୀ ।

 

ସତ କଥା ସବୁବେଳେ ଖରାପ ଲାଗେ ।

 

ତମେ ଇନ୍‌ଫିରିଅରିଟି କମ୍‌ପ୍ଳେକ୍‌ସରେ ଆକ୍ରାନ୍ତ ।

 

ମିଥ୍ୟା ମଧ୍ୟରେ ସତ୍ତା ଖୁବ୍ ତୀକ୍ଷ୍‌ଣ !

 

ସୁଶାନ୍ତ ଏକ କାଳ୍ପନିକ ଚରିତ୍ର । କେବଳ ତୁମକୁ ହିଁ ମୁଁ ଭଲପାଏ, ବିଶ୍ୱାସ ହଉନି ? ସୁଶାନ୍ତ ଏକ ଭୟର ସୃଷ୍ଟି । ତୁମ ଭୟର, ଅବିଶ୍ୱାସର, ଅନାସ୍ଥାର । ଦେଖ; ମୋର କେଶ, ଆଖି, ଭୁରୁ, ସ୍ତନ.... ଚୁମ୍ବନ ଦିଅ । ଏ ସମସ୍ତ ତୁମର । ମୋ ରାଣ, ଅବିଶ୍ୱାସ କରନି ! ସନ୍ଦେହ କରନି । ସନ୍ଦେହ ଓ ଅବିଶ୍ୱାସ କଲେ ମୁଁ ବଞ୍ଚିବି କିପରି ? ନିଅ, ଏ ଦେହ ତୁମର । ଆମ ଦୁହିଁଙ୍କ ଦେହର ସତ୍ୟ ମଧ୍ୟରେ ସମସ୍ତ ଭୟ, ଶଙ୍କା, ନାମ ଲୁଚିଯାଉ ।

 

ମୁଁ ତା’ର ସ୍ତନରେ ଚୁମ୍ବନ ଦେଲି । ମୁଁ ପୁରୁଷ ନା ପ୍ରେମିକ ?

 

ଶୁଭେନ୍ଦୁ, ତୁମେ କେବଳ ଏକ ପ୍ରେମିକ ହୋଇ ପାରିଲ; ପୁରୁଷ ନୁହେଁ ।

 

ତମେ ମୋତେ ଭଲ ପାଅ, ନା ? ମନକୁ, ନା ଦେହକୁ ?

 

ମୁଁ ଯାଉଛି । ମୁଁ ଉଦାସୀନ ଭାବେ କହିଲି ।

 

ଏତେ ଶୀଘ୍ର । ମୁଁ ତୁମକୁ କିଛି ପଚାରିଥିଲି ଯେ....

 

ଡରୁଛି ।

 

ଡରୁଛ । ମୋତେ ନା ମୋ ଦେହକୁ ।

 

ମୁଁ ବୋଧହୁଏ ନିଜର ଗ୍ଳାନିବୋଧକୁ ହିଁ ଭୟ କରୁଥିଲି । ନିଜକୁ ଘୃଣା କରି ପାରୁନି । ମୁଁ ନିଜକୁ ଖୁବ୍ ଭୟ ପାଏ । ନିଜ ଉପରେ ହଠାତ୍ ଅନାସ୍ଥା ଜ୍ୱଳନର ମଧ୍ୟରେ ମୁଁ ସେଠୁ ଚାଲି ଆସିଲି-। ନିଜଠାରୁ ପଳାୟନ କରିବା ପାଇଁ ।

 

ପଛରେ ତାର ଉତ୍ତପ୍ତ ଦେହ ।

Image

 

ବିନୁ ମାଉସୀ

 

ହଠାତ୍‌ ସବୁ ଝିଅମାନଙ୍କ ଭଳି ବିନୁ ମାଉସୀ ମଧ୍ୟ ବାହା ହୋଇଗଲା । ଏବଂ ମୁଁ ଆଶ୍ଚର୍ଯ୍ୟ ହେଲି, ମୋ ବିନୁ ମାଉସୀ ବି ବାହା ହେଲା ! କଣ ସବୁ ଝିଅ ଏମିତି ବାହା ହେବାକୁ ବାଧ୍ୟ-? କିନ୍ତୁ ଝିଅମାନେ ବାହାହେଲେ ଖୁବ୍‌ ସୁନ୍ଦର ଦିଶନ୍ତି ।

 

ମୁଁ ବିନୁ ମାଉସୀକୁ ଦେଖିବାକୁ ଗଲି । ଗୋଟାଏ କୋଣରେ ଜାକିଜୁକି ହୋଇ ବସିଥିବା ସ୍ତ୍ରୀ ଲୋକଟି ନିଶ୍ଚିତ ବିନୁ ମାଉସୀ, କାରଣ ମୁହଁଟା ତାର ସମ୍ପୂର୍ଣ୍ଣଭାବେ ଆବୃତ୍ତ ହୋଇ ରହିଛି ଓ ଗୋରାଗୋରା ସାନସାନ ପାଦରେ ରକ୍ତ ବର୍ଣ୍ଣର ଅଳତା ପ୍ରାଚୀ ଦିଗ୍‌ବଳୟରେ ଉଦୟ-ସୂର୍ଯ୍ୟର କିରଣ ସମୂହର ଭ୍ରମ ସୃଷ୍ଟି କରୁଛି ।

 

ସେଇ ପାଖରେ ଠିଆ ହୋଇଥିବା ଅସଂଖ୍ୟ ନାରୀ ସମସ୍ତେ ଚେଷ୍ଟାକରି ମୁଁ ଆସିଥିବା ଖବର ମୋ ବିନୁ ମାଉସୀକୁ ଦେବାକୁ ବ୍ୟଗ୍ର ହୋଇ ଉଠିଲେ ଯେମିତି । ନରମ ନରମ ଗୋଲାପ ପାଖୁଡ଼ା ପରି ତାର ଆଙ୍ଗୁଠିମାନେ ଶନୈଃ ଶନୈଃ ଓଢ଼ଣାଟିକୁ ଉଠେଇବାକୁ ଉଦ୍ୟମଶୀଳ ହେଲେ-। ଚୁଡ଼ିର ରୁଣୁଝୁଣୁ ଶବ୍ଦରେ କୋଠରୀ ଛନକି ଉଠିଲା ।

 

ଆଉ ମାତ୍ର କିଛିଟା ମୁହୂର୍ତ୍ତ । ଏହାପରେ ମୁଁ ମୋ ଆଦରର ବିନୁ ମାଉସୀକୁ ଦେଖି ପାରିବି । ମୁଁ ତା ମୁହଁକୁ ଅନେଇସାରି କିପରି କରିବି, ଭାବିଲି । ହଠାତ୍‌ ଖୁସି ହୋଇଯିବା ଭଳି ଦେଖାଗଲେ ସମୟୋପଯୋଗୀ ହେବ ନାହିଁ ଭଳି ମୋର ହୃଦ୍‌ବୋଧ ହେଲା । ଦୁଃଖ ପ୍ରକାଶ କରିବା ମଫସଲି ହୋଇଯିବ ବୋଧହୁଏ । ତେବେ..... ପ୍ରଥମେ ଜୁହାରଟେ କରାଯାଉ । ଏବଂ ଓଢ଼ଣା ସମ୍ପୂର୍ଣ୍ଣ ଭାବେ ଉଠି ସାରିଲାଣି ଓ ମୁଁ ସ୍ପଷ୍ଟ ଦେଖିପାରୁଛି ବିନୁ ମାଉସୀର ମୁହଁ ।

 

ହେ ଭଗବାନ୍‌ ! ଏ ସେଇ ବିନୁ ମାଉସୀ ? ଇସ୍‌, କେତେ ଗମ୍ଭୀର ହେଉଛି ତୁଚ୍ଛାକୁ । ଆଖି ଯୋଡ଼ିକ ଲାଲ୍‌ ଦିଶୁଛି ନା କଣ ? ଫୁଲିଚି ବୋଧହୁଏ ଆଖିପତା । କାନ୍ଦି କାନ୍ଦି । ମୋର ଠିକ୍‌ ମନେଅଛି, ଥରେ ହାତ ନଚେଇ ନଚେଇ କଥା ହେଉ ହେଉ ମୁଁ ବିନୁ ମାଉସୀର ଆଖିରେ ଆଙ୍ଗୁଠି ଗେଞ୍ଜି ଦେଇଥିଲି; ଫଳରେ ସେ କାନ୍ଦିଥିଲା ଓ ଆଖି ଇମିତି ନାଲି ହୋଇ ଫୁଲି–ଯାଇଥିଲା । କିନ୍ତୁ ସେ କାନ୍ଦ ଆଉ ଏ କାନ୍ଦ ଭିତରେ କେତେ ପାର୍ଥକ୍ୟ ସତେ ।

 

ଝିଅମାନେ ମା’ଘର ଛାଡ଼ି ବିଦା ହେବାବେଳେ ଏତେ କାନ୍ଦନ୍ତି କାହିଁକି ? ଆଚ୍ଛା, ବିନୁ ମାଉସୀ ବି କଣ ଜୋରରେ ମଫସଲୀ ମାଇକିନାଙ୍କ ଭଳି କାନ୍ଦି ପାରିଲା ?

 

ଆରେ ମୁଁ ଯେ ଖାଲି ମନକୁମନ ଭାବି ଚାଲିଛି । ବିନୁ ମାଉସୀ ମୋଆଡ଼କୁ ଖାଲି ଚାହୁଁଛି, ମୁହଁ ତଳକୁ କରୁଛି ଓ ଗୋଡ଼ ବୁଢ଼ାଆଙ୍ଗୁଠି ନଚଉଚି ।

 

ଇସ୍‌, ବିନୁ ମାଉସୀ ବୋହୂ ବେଶରେ କି ସୁନ୍ଦର ଦିଶୁଛି । ବାପା ମା’ଙ୍କର ବିବାହ ବେଳର ଫଟୋ ମୋର ଆଖି ଆଗରେ ଦିଶି ଯାଉଚି । ବିନୁ ମାଉସୀ ବି ଠିକ୍‌ ମା’ ପରି ଦିଶୁଛି । ଏ ବି ମା’ ନା କଣ ? ସବୁ ମାଉସୀମାନେ ମା’ କି ? ଆରେ ଯାଃ; ମୋ ମା’ ତ, ଏଗାର ବର୍ଷ ହେଲା ଏ ଦୁନିଆ ଛାଡ଼ିଲାଣି । ତେବେ, ଏ ବି ଗୋଟାଏ ମା’ କି ?

 

ବିନୁ ମାଉସୀଟା କି ଗୋରା ମ ! ଉପାସ ପାଇଁ କି ଲାଜ ପାଇଁ କେଜାଣି, ମୁହଁଟା ଲାଲ ଦିଶୁଚି ବିଦେଶୀ ଝିଅଙ୍କ ଭଳି । ଆଖିର କଜ୍ଜ୍ୱଳ ଗାରଟା ବି ଏତେ କଳା କାହିଁକି ହେଇଚି କେଜାଣି । ସୁନ୍ଦର ବୋହୂମାନଙ୍କୁ କୁଆଡ଼େ ଡାଆଣୀମାନେ ଆଖି ପକେଇ ଦିଅନ୍ତି । ହେ ଭଗବାନ । ମୋ ବିନୁ ମାଉସୀକୁ ଘଣ୍ଟ ଘୋଡ଼େଇ ରଖିଥା’ ।

 

ବିନୁ ମାଉସୀ କିଛି ଗୋଟେ କହିବି କହିବି ହଉଚି କି ? ମୁଁ କଣ କଥା ହେବା କଥା ପହିଲେ ? କଣ ବୋଲି କଥା ହେବି ? ନାଃ ବରଂ ଏମିତି ଚୁପ ରହିଥିବା ଭଲ ।

 

ବାପ୍‌ରେ, ମଧ୍ୟାହ୍ନର ସୂର୍ଯ୍ୟକିରଣ ଝରକା ଫାଙ୍କରୁ ଆସି ବିନୁ ମାଉସୀ ମୁହଁରେ ପଡ଼ୁଛି । ଆଲୋକ ବିଚ୍ଛୁରିତ ହେବାଭଳି ଜଣାପଡ଼ୁଛି ତା’ ମୁହଁରୁ ବିନୁ ମାଉସୀର ମୁହଁ ଗୋଟେ ଦର୍ପଣ କି ? କପାଳରେ କୁଙ୍କୁମର ବହଳ ଟୀକା, ଲମ୍ବି ଯାଇଥିବା ଚନ୍ଦନ ଟୋପିମାନ । ପୂର୍ଣ୍ଣିମା ରାତିର ଜହ୍ନ ଓ ତାର ଚାରିପାଖ ତାରାମାନଙ୍କ ଭଳି ।

 

ଏଇ–ବିନୁ ମାଉସୀର ଆଖିରେ ଲୁହ କାହିଁକି ଭରି ଆସୁଚି ? ଥାଇ, ଥାଇ ଓଠର ଫାଙ୍କରୁ ହସର ଫୁଲମାନେ ବି ଫୁଟୁଛନ୍ତି ଯେମିତି । ବେଶ୍‌ ତ କାନ୍ଦୁଚି ନା ହସୁଚି ଇଏ ? କି ସୁନ୍ଦର ମା’ ମା’ ଭଳି ଦିଶୁଚି ଏଇ ବିନୁ ମାଉସୀ ମ ? ମାଉସୀଗୁଡ଼ିକ ମା’ ପରି କାହିଁକି ଦେଖାଯାଆନ୍ତି ଯେ-! ମା ନଥିଲେ ମାଉସୀ କି ପରା ମା’ କହି ହୁଏ ।

 

କେତେ ନାଇଁ କେତେ ଲୋକ ବୋହୂ ଦେଖି ଆସୁଛନ୍ତି ଆଉ ମୁଁ ଜଳକା ହୋଇ ଖୁଣ୍ଟପରି ଠିଆ ହୋଇ ରହିଚି ଏଠି । କଥା ହେବି କି ନାହିଁ ? କିନ୍ତୁ କି କଥା ହେବି ? କେମିତି ମ ଏଇ ବିନୁ ମାଉସୀଟା ? ବାହା ଆଗରୁ ତ ମୁହଁ ବନ୍ଦ ହେଉ ନଥିଲା । ଏବେ କିମିତି ତୁଣ୍ଡକୁ ସିଲେଇ କରିଦେଇ ବସିଚି ? ଓହୋ, ବୋହୂପରା ! ଝିଅମାନେ ବାହାହେଲେ ଖୁବ୍‌ ସୁନ୍ଦର ଦେଖାଯାଆନ୍ତି ସତରେ । ବିନୁ ମାଉସୀ ଆମର କିନ୍ତୁ ସୁନ୍ଦର ଥିଲା ବାହା ଆଗରୁ ବି । କାଇଁ ଇମିତି ତ କେବେ ଦିଶୁ ନଥିଲା ।

 

ବରଂ ମୁଁ ଚାଲିଗଲେ ଭଲ । ବିନୁ ମାଉସୀ ଖରାପ ଭାବିପାରେ । ମନଦୁଃଖ କରିପାରେ, କାନ୍ଦି ବି ପାରେ । ବିନୁ ମାଉସୀ କଥା–କଥାକୁ ଅଭିମାନ କରି କାନ୍ଦିବାର ଅନେକ ଦୃଷ୍ଟାନ୍ତ ରହିଛି ।

 

ବିନୁ ମାଉସୀ ଭଲା କଥା ହୁଅନ୍ତା । ମୁଁ ଆଜିକାଲି ବେଶୀ ସିନେମା ଦେଖୁଚି କି ନାଇଁ ପଚାରନ୍ତା, ଗାଳି ଦିଅନ୍ତା, ରେଡ଼ିଓ ଶୁଣିବାକୁ ଡାକନ୍ତା କିମ୍ବା ସେ ରନ୍ଧାବଢ଼ା କଲାବେଳେ ଗପିବାକୁ ଡାକନ୍ତା । ଆଚ୍ଛା, ସମାନ ବୟସର ହୋଇ ମଧ୍ୟ ଝିଅମାନେ ଏତେ ଗମ୍ଭୀର ହୋଇ ପାରନ୍ତି କିମିତି-? ଗାଳି ଦେଇ ପାରନ୍ତି, ଶାସନ କରି ପାରନ୍ତି କେମିତି ?

 

ବରଂ ମୁଁ ଚାଲିଯିବା ଉତ୍ତମ ହେବ ଏପରି ଠିଆ ହୋଇ ରହିବାଠାରୁ ।

 

ବିନୁ ମାଉସୀ ଖରାପ ଭାବିପାରେ–ଭାବୁ । ମୁଁ କିନ୍ତୁ ଚାଲିଯିବି । ବିନୁ ମାଉସୀ ଧମକେଇ କରି ବି କହୁନାହିଁ କାହିଁକି କିଛି ? ଏଡ଼ିକି ଗଧଟେ ବିନୁ ମାଉସୀ ! ବୋକାଙ୍କ ଭଳି ଓଢ଼ଣା ତଳୁ ଜୁଳୁଜୁଳୁ ହୋଇ ଚାହିଁଚି ତ ଚାହିଁଚି । ନୂଆ ନୂଆ ଉଡ଼ି ଶିଖୁଥିବା ଘରଚଟିଆ ପରି କରୁଣ ତାର ଆଖିମାନେ ।

 

ବିନୁ ମାଉସୀ ଏମିଚି ଚୁପ୍‌ମାରି ବସି ରହିବ–କାରଣ ସେ ନୂଆବୋହୂ । ମଜା ହେବ କିନ୍ତୁ ! ଝଗଡ଼ା କରି ପାରିବନି ଜମା ଏବେ । ତାର ଓଢ଼ଣା ପୁରା ଟେକିଦେଇ ଜିଭ କାଢ଼ି ଖତେଇ ହେବି କି ତାକୁ ? ନାକ କାନରେ କାଗଜ ମୋଡ଼ି ଗେଞ୍ଜିଦେବି କି ? ନା, ନିହାତି ପିଲାକଥା ହୋଇଯିବ । ଯଦି ବିନୁ ମାଉସୀ ଭେଁକରି କାନ୍ଦି ଦିଏନା, ଭାରି ଅସୁବିଧା ହେବ ।

 

ବରଂ ମୁଁ ଚାଲିଯାଏ । ହେ ଭଗବାନ ! ବିନୁ ମାଉସୀ ଆଉ ତାଙ୍କର ଲକ୍ଷେ ବର୍ଷ ବଞ୍ଚନ୍ତୁ-। କିନ୍ତୁ ମୁଁ ଚାଲିଗଲେ ଏଠୁ ଏମିତି ଭାବରେ–ସେ ରାଗିବକି ? ରାଗୁ ପଛେ । ମୁଁ କିନ୍ତୁ ତାକୁ ଦେଖି ଦେଖି ଏମିତି ଠିଆହୋଇ ରହିପାରିବି ନାହିଁ, କାରଣ ମୁଁ ମଧ୍ୟ ମୋ ଆଖି କୋଣରେ ପାଣିଆ ଜିନିଷର ଉପସ୍ଥିତି ଅନୁଭବ କରି ପାରିଲେଣି ।

Image

 

ଏକ ଆତ୍ମହତ୍ୟାର ବିବରଣୀ

 

ସେ ଗତକାଲି ଆତ୍ମହତ୍ୟା କଲେ । ମାନେ ନିଜକୁ ନିଜେ ହତ୍ୟା କଲେ ।

 

ସବୁଦିନ ସକାଳୁ ଉଠି ସେ ବିଛଣଣାରେ ଶୋଇ ଶୋଇ ଖବରକାଗଜ ପଢ଼ନ୍ତି, ଗରମ ଗରମ ଚା’ ସିପ୍‌ କରନ୍ତି ଏବଂ ସିଗ୍ରେଟ୍‌ ପିଅନ୍ତି । ତା’ପରେ ପୁଣି ଏକ ସିଗ୍ରେଟ୍‌ ଲଗେଇ ବାଥରୁମ୍‌କୁ ପଶିଯାନ୍ତି ଏବଂ ବାହାରିଲା ବେଳେ ପୁରା ତୟାର । ତା’ ପରେ ସେ ଲାଇଟ୍‌ ବ୍ରେକଫାଷ୍ଟ କରନ୍ତି । ବ୍ରେକ୍‌ଫାଷ୍ଟ କଲାବେଳେ ନିଜର ସ୍ପେନିଏଲ୍‌ ରୋଜୀ ସହିତ ଖେଳୁଥାନ୍ତି । ତା’ ପରେ ଘଣ୍ଟାଏ ଫାଇଲପତ୍ର ଦେଖି ଦଶଟା ତିରିଶିରେ ଅଫିସ ।

 

ଶୁଣାଯାଏ, ସେ କୌଣସି ଏକ ସୁନ୍ଦରୀ ତରୁଣୀଙ୍କୁ ଏକଦା ପ୍ରେମ କରିଥିଲେ । କୌଣସି କାରଣରୁ ଦୁହେଁ ଦୁହିଁଙ୍କୁ ଶେଷରେ ସନ୍ଦେହ କଲେ । ସେଦିନୁ ସେ ବିବାହ କରିବେ ନାହିଁ ବୋଲି କୁଆଡ଼େ ସିଦ୍ଧାନ୍ତ ଗ୍ରହଣ କରିଥିଲେ ।

 

ଅଫିସ୍‌ରେ ତାଙ୍କର ଯଥେଷ୍ଟ ନାମ । ସମାଜରେ ପ୍ରତିପତ୍ତି ।

 

ସେ ପ୍ରଚୁର ବହି ପଢ଼ନ୍ତି । ଏପରିକି ଅଫିସ୍‌ ଗଲାବେଳେ ବି କାର୍‌ରେ ସେ କୌଣସି ଏକ ବହି ପଢ଼ୁଥିବେ ।

 

ଏଠାରେ ଏକ ଲୋକ ଆତ୍ମହତ୍ୟା କଲେ ।

 

ତାଙ୍କର ଦିହଲଗା ପୁରୁଣା ଖାନସମା ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲା, ସର୍ବପ୍ରଥମେ । ସେ ଭାବିଥିଲା, ବାବୁ ଶୋଇଚନ୍ତି । ସନ୍ତର୍ପଣତାର ସହ ଟି’ପଟ୍‌ ଟିପୟ ଉପରେ ରଖିଦେଇ ସେ ଅନୁଚ୍ଚ ସ୍ୱରରେ ଦୁଇଚାରିଥର ଡାକିଲା ପରେ ବି ସେ ଉଠିଲେ ନାହିଁ ।

ନୀଳ ଚଦରଟିରେ ସର୍ବାଙ୍ଗ ଆବୃତ କରି ସେ ‘ଶୋଇଥିଲେ’ ।

ଅଗତ୍ୟା ଖାନସମା ଜଣକ ବାହାରକୁ ଚାଲିଆସିଲା ।

ଏବଂ ଅଗତ୍ୟା କଲ୍‌ ବେଲ୍‌କୁ ଚିପିଲା ।

ଶବ୍ଦ ।

ସେ ଉଠିଲେ ନାହିଁ ।

ଶବ୍ଦ ।

ନା, ଏଥର ମଧ୍ୟ ନୁହେଁ ।

ସନ୍ଦେହ ସ୍ୱାଭାବିକ

ସେ ଯାଇ ଦରୁଆନ୍‌କୁ ଖବର ଦେଲା

ଦରୁଆନ୍‌ ଫୋନ୍‌ କଲା ପୋଲିସକୁ

 

ତା’ ପରେ ସହରର ସମସ୍ତେ ଜାଣିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି ।

 

ତା.......

 

ଆଜିବି ସକାଳ ହେଇଛି । ମୁଁ ଉଠିଚି । ଚା’ ପିଇଚି । ସିଗ୍ରେଟ୍‌ ଧରେଇଚି । ପେପର ପଢ଼ିଚି । ସମ୍ବାଦପତ୍ରରେ କଣ ବା ଥାଏ ଯେ ସକାଳୁ ମୁଁ ତାକୁ ପଢ଼େ ?

 

ଚା/ସମ୍ବାଦପତ୍ର/ ସିଗ୍ରେଟ୍‌

 

ଗୋଟିଏ ଦିନର ଟ୍ରାଜିକ୍‌ ଆରମ୍ଭ ।

 

ଧରନ୍ତୁ ମୁଁ ଯଦି ସବୁଦିନ ସକାଳୁ ଗୀତା ପଢ଼ନ୍ତି ? ବା ବାଇବଲ ବା କୌଣସି ଗୁଇନ୍ଦା କାହାଣୀ ?

 

ଆଜି ଅଫିସ୍‌ରେ ଭାରି କ୍ଳାନ୍ତ ଲାଗୁଥିଲା । ମୋର ପର୍ସନାଲ ସେକ୍ରେଟାରୀ କୁମାରୀ ସେଲିନା ଆଜି ଲାଲରଙ୍ଗ ସ୍କଟ୍‌, ନୀଳରଙ୍ଗର କୁର୍ତା ଏବଂ ବହୁରଙ୍ଗୀ ସ୍କାର୍ଫ ଗଳାରେ ପିନ୍ଧିଥିଲା । ହଠାତ୍‌ ଇଚ୍ଛା ହେଲା ତାକୁ ଧର୍ଷଣ କରନ୍ତି ।

 

ସଂଧ୍ୟାରେ ରୋଜୀ ସାଙ୍ଗରେ ଖେଳୁଛି ଏକ ତରୁଣୀ ଆସିଲେ । କହିଲେ, ତାଙ୍କର ସ୍ୱାମୀଙ୍କର ପ୍ରମୋସନ ହଉ । ମୁଁ ତାକୁ ଚୁମା ଦେଲି । ରାତିରେ ମୁଁ ସମ୍ପୂର୍ଣ୍ଣ ଉଲଗ୍ନ ହେଇ ଶୋଇଗଲି ।

 

ତା......

ମନେ ହେଉଛି ମୁଁ ଖାଲି ଜୀବନକୁ ଜୀଉଁଛି । ଏପରି କସ୍‌ମସ୍‌ ହେଇ ବଞ୍ଚିବା କି କ୍ଳାନ୍ତକର । ଏକଲା... ନିଃସଙ୍ଗ । ବିରକ୍ତି । ବିରକ୍ତିର ବିରକ୍ତି । ବିରକ୍ତି ଏବଂ ବିରକ୍ତି । ମୋର ଜୀବନର ବାଲୁବନ୍ତର ବାଲିମାନେ ଯେପରି ଉଡ଼ୁଛନ୍ତି କୌଣସି ଦୁର୍ଦ୍ଦାନ୍ତ ପବନର ଚୋଟରେ । ବିରକ୍ତିର ସମୁଦ୍ରରେ ଯେପରି ଫୁର୍‌ଫୁର୍‌ ଝାସ ଦେଉଛନ୍ତି ମୋର ଟୁକୁରାମାନେ ।

ମୋର ଜୀବନ ଜଳିଜଳି ଯେମିତି ପାଉଁଶ ମୁଠେ ହେଇଯାଇଛି । ଏବଂ ସେଇ ପାଉଁଶ ଉଡ଼ୁଛି ଅତର୍ଚ୍ଛ ଭାବେ ବିରକ୍ତିର ଆକାଶରେ ।

ଏ ଜୀବନ । ଆଃ ।

ତା.....

ଆଜି ସକାଳେ ଉଠିଲା ବେଳକୁ ଦେଖୁଛି ରୋଜୀ ମୋର ନୀଳରଙ୍ଗ ସୁଟ୍‌ଟାକୁ କାମୁଡ଼ି ଛିଣ୍ଡେଇ ଦେଇଛି ।

ମୁଁ ସୁଟ୍‌ଟାରେ ଅଗ୍ନି ସଂଯୋଗ କଲି ।

ଅଫିସରେ ପେପର କଟର୍‌ଟାକୁ ଧରି ଖେଳୁଛି, ସେଲିନା ଆସିଲା, ଓଠରେ ପେନ୍‌ସିଲ-। ଇଚ୍ଛା ହେଲା, ତାର ଓଠ ଦୁଇଟାକୁ ଚିରିଦେବି । ଆଖିକୁ ତାଡ଼ିଦେବି । ଜଙ୍ଘକୁ ଚିରି ଦୁଇଫାଳ କରିଦେବି । ତାର ଦୁଇଟି ସ୍ତନକୁ ଏପଲ୍‌ କାଟିଲା ପରି କାଟିବି ।

 

ରକ୍ତ । ମୁଁ ମୋର ବୁଢ଼ା ଆଙ୍ଗୁଠିଟାକୁ କାଟି ଦେଇଛି । ମୋର ଅନ୍ୟମନସ୍କତାକୁ ମୁଁ ଘୃଣା କଲି । ‘କଣ ହେଲା ସାର’ କହି ସେଲିନା ଦୌଡ଼ି ଆସିଲା ଏବଂ ମୋର ବୁଢ଼ା ଆଙ୍ଗୁଠିକୁ ପାଟିରେ ପୁରେଇ ଚୁଚୁମିଲା । ଏଠାରେ ରକ୍ତକୁ ଶୋଷିଲେ କୁଆଡ଼େ ରକ୍ତ ବହିବା ବନ୍ଦ ହେଇଯାଏ ।

 

କିନ୍ତୁ ମତେ ଏ କଥାଟା ପସନ୍ଦ ହେଲାନାଇଁ ।

 

ହଠାତ୍‌ ତାକୁ ପଚାରିଲି; ତମେ କାହାକୁ ପ୍ରେମ କର, ସେଲିନା ?

 

ସେ ହଡ଼ବଡ଼େଇଗଲା । ସାଧାରଣତଃ ମୁଁ ଗମ୍ଭୀର ଓ ବଦ୍‌ରାଗୀ । ମୁଁ ଏଥର ଚଢ଼ାଗଳାରେ ପ୍ରଶ୍ନକୁ ଦୋହରେଇଲି । ସେ କହିଲା : ହଁ ।

 

ମୁଁ ପଚାରିଲି : ତୁମେ ତା’ ସାଙ୍ଗରେ ଶୁଅ ?

 

ସେ ବିସ୍ମିତ । ଚୁପ୍‌ ରହିଲା । ମୁହଁ ତଳକୁ । ଆଖିଗୁଡ଼ାକ କେମିତି ସଂଧ୍ୟାର ଆକାଶ ପରି ଉଦାସ ହେଇଗଲେ । ପଲକ ଅସ୍ଥିର । ଟିକେ ସମ୍ଭାଳି ନେଇ, ମୋ ଆଖିରେ ଆଖି ମିଳେଇ ସେ କହିଲା : ହଁ ।

 

ମୋର ଚକ୍ଷୁରେ ଅଜସ୍ର ତରଙ୍ଗ । ଦେହରେ ମିଶ୍ରରାଗର ଶୀତ୍କାର । ମୁଁ ଅଫିସରୁ ଚାଲିଆସିଲି ।

 

ଘରକୁ ଫେରି ରୋଜୀକୁ ଡାକିଲି । ଗେଲ କରୁ କରୁ ଟିପୟରୁ ଫଳକଟା ଛୁରି ଆଣି ହଠାତ୍‌ ତାର ପେଟରେ ଭୁଷିଦେଲି ।

 

ରୋଜୀ ଏକ ଆର୍ତ୍ତଚିତ୍କାର କଲା–ଅସ୍ପଷ୍ଟ ।

 

ବାରମ୍ବାର ପେଟରେ ତାର ମୁଁ ଭୁଷିଲି ଛୁରି । ଆଖିକାନ ତାଡ଼ିଲି । ଏବଂ ଏକ ରକମର ତୃପ୍ତି ଅନୁଭବ କଲି ।

 

ଆଜି ବି ରାତିରେ ନିଦ ନାଇଁ ।

 

ପାହାନ୍ତିଆ ବେଳକୁ ନିଦ ଟିକେ ଲାଗିଲା । ସ୍ୱପ୍ନ ଦେଖିଲି ଯେ, ନାନା କିସମର ହଜାର ହଜାର କୁକୁର ହାତରେ ଗୋଟାଏ ଗୋଟାଏ ଛୁରି ଧରି ନିଜର ଛାତିରେ ଭୁଷି ଚାଲିଛନ୍ତି । କିନ୍ତୁ ସେମାନେ ମରୁନାହାନ୍ତି ।

 

କୋରସ୍‌ରେ ଖାଲି ଭୁକି ଚାଲିଛନ୍ତି ।

 

ଟିକେ ବିଳମ୍ବରେ ଉଠିଲି ।

 

ବ୍ରେକ୍‌ଫାଷ୍ଟ ଟେବୁଲରେ ରୋଜୀ ଟିକେ ମନେ ପଡ଼ିଲା ।

 

ଅମଲେଟକୁ ଛୁରିରେ କାଟୁ କାଟୁ ମୋତେ ମନେ ହେଲା, ମୁଁ ଯେପରି ମୋ ଜୀବନର ଶେଷ ଜନ୍ମ ଦିନର କେକ୍‌ କାଟୁଛି ।

 

ଆଜି ପେପର ପଢ଼ିନାଇଁ । ବ୍ରେକ୍‌ଫାଷ୍ଟ ଟେବୁଲରେ ବସିଲି ସିନା, କିଛି ଖାଇ ପାରିଲିନି-। କେବଳ ଦୁଇତିନି ଗ୍ଲାସ ପାଣି ପିଇଲି ।

 

ତା’ ପରେ ଚାଲି ଚାଲି ସହର ପରିକ୍ରମା କଲି । ଦେଖିଲି ବହିର ଆର ପାରେ ଏକ ଚମତ୍କାର ଦୁନିଆ ଅଛି–ବାସ୍ତବତାର ଦୁନିଆ । ମୁଁ ଧିରେ ଧିରେ ସୁସୁରି ମାରି ମାରି ବୁଲିଲି । ଜଣେ ବନ୍ଧୁଙ୍କର ଔଷଧ ଦୋକାନ । ସେ ପଚାରିଲା : ଏତେ ଝଡ଼ିଯାଇଚୁ କେମିତିରେ ? ନିଦ ହେଉନି, ଭୋକ ହେଉନି ?

 

: ନା ।

 

ଔଷଧ ନେଇଯିବୁ । ରାତି ଖାଇ ସାରିବା ପରେ ଗୋଟାଏ ଖାଇବୁ ଖବରଦାର, ଗୋଟେରୁ ଅଧିକା କେବେ ଖାଇବୁନି–ଏଇଟାରୁ ଅଧିକା ତ ବିଲ୍‌କୁଲ୍‌ ନାଇଁ, ବୁଝିଲୁ ?

 

: ହଉ ।

 

ମୋର ପାଦମାନେ ଓ ରାସ୍ତା । ରାସ୍ତା ପରି ରାସ୍ତା । ମଣିଷ ଆଉ ମଣିଷ ।

 

ମଣିଷ, ମଣିଷ, ମଣିଷ, ମଣିଷ ।

 

ଦିନ । ସୂର୍ଯ୍ୟ । ସୂର୍ଯ୍ୟ ମୁଣ୍ଡ ଉପରେ ।

 

ଢଳି ଯାଉଥିବା ସୂର୍ଯ୍ୟ । ନଇଁ ଯାଉଥିବା ଖରା । ଖରା ମହଳଣ । ଉଦାସ ଅପରାହ୍‌ଣ । ସକାଳେ ଏଇ ରାସ୍ତାରେ ହାଉଯାଉ ହେଉଥିବା ଲୋକେ ବର୍ତ୍ତମାନ କେଉଁ ଏକ ଯାଦୁକରର କାଉଁରୀ କାଠିର ସ୍ପର୍ଶରେ ଯେମିତି ଅଦୃଶ୍ୟ ।

 

ଆଜି ମୋ ଦେହରେ କ୍ଳାନ୍ତି ନାହିଁ । ଭୋଜ ନାହିଁ । ମୁଁ କଣ ଏକ ଅତିମାନବ ?

 

ସହରର ଧୂଆଁଧୂଳିର ଆକାଶରେ ବେଦରକାରୀ ଅନେକ ଅନାବନା ଚିତ୍ର ଆଙ୍କି କେଉଁଠି କେଜାଣି ଲୁଚିଗଲା ସୂର୍ଯ୍ୟ । ଦପ୍‌ଦପ୍‌ ଜଳିଉଠିଲେ ସହରର ବତୀମାନେ ।

 

ପୁଣି ମଣିଷ । ମଣିଷ । ମଣିଷ ।

 

ହଠାତ୍‌ ମୋର ଇଚ୍ଛା ହେଲା, ଏକ ନେପାମ୍‌ ବୋମା ଆଣି ଏ ସହର ଉପରେ ପକେଇ ଦିଅନ୍ତି । ନ୍ୟାୟଳୟ, ଅଫିସ୍‌, ସ୍କୁଲ କଲେଜ ସବୁ ଧ୍ୱଂସ ପାଇଯାନ୍ତା । ହୁଏତ ମୁଁ ବି ମରିଯାନ୍ତି । କିନ୍ତୁ ମୁଁ ତାହା କରିପାରିବି ନାହିଁ ।

 

ମୁଁ ମରିବି ।

 

ତ’ ମୁଁ ଆତ୍ମହତ୍ୟା କରିବି । ଆଉ ରାସ୍ତା କିବା ଅଛି ମୋ ?

 

ମୁଁ ନିରୁଦ୍ଦିଷ୍ଟ ବୁଲିଲି । ମଦିରା ପିଇବାକୁ ଇଚ୍ଛା ହେଲା, ଚାପି ଦେଲି । ନାରୀସଙ୍ଗ ଇଚ୍ଛା ହେଲା, ଚାପିଦେଲି । ନାଃ ଏସବୁର ଦିନ ଆଜି ନୁହେଁ । ଏକେତ ଏମାନଙ୍କୁ ହତ୍ୟା କରିବି, ନ ହେଲେ ନିଜେ ଆତ୍ମହତ୍ୟା କରିବି । ବିବିଧ ଦୋକାନ । ରଙ୍ଗବେରଙ୍ଗ । କୁର୍ତ୍ତାଜାମା ସାଲୁଆର ପେଣ୍ଟ... ଲାଲ ନୀଳ-ନୀଳ-ନୀଳ ନୀଳ..... ଆଃ, ଏତେ ରଙ୍ଗ ତୁମର ଦେହରେ, ସହର ! ଅଥଚ ଏତେ ଫିକା ଫିକା ।

 

ଏତେ ତାରା ଏ ଆକାଶରେ, ରାସ୍ତାର ବତୀ, କାର୍‌ ଆଲୁଅ । ଆକାଶ ଅନେକ ଦୂରରେ ଦିଶୁଚି । ଅନେକ ଦୂରରେ–ନୀଳିମବ୍ୟାପ୍ତିର ଆରପାରେ । ମୁଁ ଆତ୍ମହତ୍ୟା କରିବି ।

 

: ଆତ୍ମହତ୍ୟା ତ କରିବି–କାହାପାଇଁ ? କିଏ.....

 

: ମୁଁ ?

 

: ନୁହେଁ । ହଁ ।

 

: ତୁମେମାନେ ?

 

: (ନ) ହୋଇପାରେ ।

 

: ନୀଳସୁଟ ? କାର ? ରୋଜୀ ? ସେଲିନା ? ନା.....

 

ଆକାଶରେ ତାରା । ଲାଲ ନୀଳ ବତୀ । ଫାଟକ । ରାସ୍ତା । ଫୁଲ । ରଜନୀଗନ୍ଧା । ପୋଟିକୋ । ଦରୁଆନ୍‌ । ଗୁଡ଼୍‌ବାଇ ଓ ଜେଣ୍ଟଲମେନ୍‌ ଅବ୍‌ଦଜୁରୀ–ହେ ଦର୍ବାରର ପାତ୍ର ପ୍ରହରାଜ ଗଣ !

 

କୋଠରୀ । ମୋ କୋଠରୀ ।

 

କୋଠରୀ । ନୀଳାଲୋକ । ସ୍ୱପ୍ନ । କ୍ଳାନ୍ତ । କ୍ଳେଶ । ଅଥର୍ବତା ।

 

‘‘ଦର୍ପଣ ସାମ୍ନାରେ ମୁଁ ନିଷ୍ପ୍ରଭ । ଦର୍ପଣ ଭିତରେ ସାରା କୋଠରୀ ଦୃଶ୍ୟମାନ । ନୀଳିମାର ଆବେଷ୍ଟନୀରେ ମୁଁ ଏକ କ୍ଳାନ୍ତି ଆକାଶ ମଲ୍ଲୀ ଗଛ ପରି ଠିଆ ହୋଇଛି ।’’

 

ଟିପୟ ଉପରେ ଥୁଆ ହୋଇଛି ପାଣି ।

 

ଗୋଟେ ଢୋକ । ଔଷଧ ।

 

ନିଦ୍ରାର । ସ୍ୱାସ୍ଥ୍ୟର । ଶାନ୍ତିର ।

 

ଏକ୍‌.... ଦୁଇ..... ତିନି.... ଦଶ୍‌ ।

 

ମନେ ହେଉଛି ଯେମିତି ପେଟ ପୁରିଯାଇଛି ।

 

ଗ୍ଳାସେ ପାଣି ପିଇଦେଲି ।

 

ଆଜି ପୃଥିବୀର ବିଶେଷ ସମ୍ବାଦ କଣ ହୋଇପାରେ ?

 

ମୁଁ ବର୍ତ୍ତମାନ ଶୋଇବାକୁ ଯାଉଛି ।

 

ଗୁଡ୍‌ବାଇ । ବିଦାୟ !

Image

 

ନୀଳକଣ୍ଠ, ନୀଳରାତି ଏବଂ ନୀଳକଇଁ

 

ସେମାନେ ଚାରିଜଣ ରେସ୍ତୋରାଁର ନିଭୃତ କେବିନରେ ବସି ମଦଗିଲାସରେ ଓଠ ଲଗଉ ଲଗଉ ହୋ ହୋ ହେଇ ହସୁଥିଲେ । ଦର୍ଶନ ଆଲୋଚନା କରୁଥିଲେ । ସତାର କହିଲା, ବିଷ୍ଣୁ, ଆଲ୍ଲା, ଯୀଶୁ–ସମସ୍ତଙ୍କୁ ବେମାରେ ଉଡ଼େଇଦେବା ଚାହି । ଏ ସାମନ୍ତବାଦୀ ଭଗବାନମାନେ ଧନୀମାନଙ୍କର ବୋଲରେ ବସ୍‌ ଉଠ୍‌ ହୁଅନ୍ତି ।

 

ତା’ ପରେ ନିଶାସକ୍ତ–ତାର ଇସ୍ମାଇଲ୍‌, ନୀଳକଣ୍ଠ ଓ ଫଣୀନ୍ଦ୍ର, ଏଇ ଭଗବାନମାନଙ୍କ ମୃତ୍ୟୁ କାମନା କରି ଆଉ ଗୋଟାଏ ଲେଖାଏଁ ପେଗ୍ ଗର୍ଭସ୍ଥ କଲେ ।

 

ମଦ ତାର ପ୍ରଭାବ ଆରମ୍ଭ କରି ସାରିଥିଲା । ନୀଳକଣ୍ଠ ଅରବିନ୍ଦ ଦର୍ଶନରେ ଗଭୀର ଆସ୍ଥାବାନ । ଧର୍ମ ସଂସ୍ଥାପନ ପାଇଁ ଏଇ ପୃଥିବୀରେ ଶ୍ରୀ ଅରବିନ୍ଦ ଜନ୍ମଗ୍ରହଣ କରିଥିଲେ ବୋଲି ତା’ର ଦୃଢ଼ ବିଶ୍ୱାସ । ତା’ର ଧାରଣା ଯେ ଭକ୍ତିଯୋଗ ନୁହେଁ, କର୍ମଯୋଗ ଦ୍ୱାରା ହିଁ ଭଗବାନଙ୍କୁ ପାଇହେବ । ବିସ୍ମୟର କଥା, ସେ ବି ଦ୍ୱିରୁକ୍ତି ନ କରି ତା’ ଭାଗଟି ପିଇ ସାରିବା ପରେ କହିଲା–ଅରବିନ୍ଦ କିନ୍ତୁ ଯା’ ହେଲେ ବି ଅଲଗା !

 

ଇସ୍ମାଇଲ୍‌ ଚିତ୍କାର କଲା–ଷ୍ଟପ୍‌ ଇଟ୍‌ ! ସାଇବାବା, ଅରବିନ୍ଦ, ରଜନୀଶ–ଏ ସମସ୍ତେ ଧନୀମାନଙ୍କର ଲକ୍‌ଜୁରି ! ମୁହୂର୍ତ୍ତ ବିଳାସ । ଆଜି ଯେତେବେଳେ ଭିଏତନାମରେ, କାଂପୁଚିଆରେ ମଣିଷକୁ ଫୁତ୍‌କାରରେ ଉଡ଼େଇ ଦିଆ ହେଉଚି; ପୂର୍ବବଙ୍ଗରେ ସାଢ଼େ ସାତକୋଟି ଲୋକଙ୍କ ମୁକ୍ତିର କାମନାକୁ ଆତଙ୍କବାଦର ବୁଟ୍‌ ତଳେ ପେଷି ଖୁନ୍‌ କରାହେଉଛି; ଆଜି ଯେତେବେଳେ ସର୍ବହରା ପୋଷଣାରୁ ମୁକ୍ତି ପାଇଁ ଶୋଷକକୁ ହତ୍ୟା କରିବାକୁ ତତ୍ପର–ସେତେବେଳେ ତୁମେମାନେ ଏସବୁ ଲିଜେଣ୍ଡ୍‌ରେ ବିଶ୍ୱାସ କରୁଛ କିପରି ! ସବୁ ଶଳା ହୋକ୍‌ସ ! ଏଇ ଅବତାରବାଦ ଗୋଟାଏ ବିରାଟ୍‌ ଫ୍ରଡ଼୍‌ ।

 

ଉତ୍ତ୍ୟକ୍ତ ହେଇ ନୀଳକଣ୍ଠ ସିଗାରେଟ୍‌ରେ ନିଆଁ ଧରଉଧରଉ ଇସ୍ମାଇଲର ବହଳ ଦାଢ଼ି ଉପରେ ଅଗ୍ନିଶିଖା ଲଗେଇ ଦେଲା । ବିକଟ ଗନ୍ଧ ସୃଷ୍ଟି କରି ଇସ୍ମାଇଲର ଦାଢ଼ି ପୋଡ଼ିବାକୁ ଆରମ୍ଭ କଲା । ଏକ ଆର୍ତ୍ତ ଚିତ୍କାର କରି ଇସ୍ମାଇଲ ଏଶ୍‌ଟ୍ରେଟା ଉଠେଇ ନୀଳକଣ୍ଠର ମୁହଁ ଉପରକୁ ଫୋପାଡ଼ି ଦେଲା । ନୀଳକଣ୍ଠର କପାଳରେ କ୍ଷତ ସୃଷ୍ଟି କରି ଏଶ୍‌ଟ୍ରେଟି ଠଣଠାଣ କରି ଟେବୁଲକୁ ପୁଣି ଫେରି ଆସିଲା । ତା’ ଭିତରେ ଥିବା ମଇଳାତକ ନୀଳକଣ୍ଠର ମୁହଁସାରା ଭର୍ତ୍ତି ହୋଇଗଲା । ଦୁହିଁଙ୍କ ଭିତରେ ଗୋଟାଏ ଜବର୍ଦସ୍ତ ହାତାହାତି ଆରମ୍ଭ ହେବା ପୂର୍ବରୁ ସତାର ଆଉ ଫଣୀନ୍ଦ୍ର ଦୁହିଁଙ୍କୁ ଜୋର୍‌ କରି ଅଲଗା କରିଦେଲେ । ହଠାତ୍‌ ନୀରବତା ଖେଳିଗଲା କେବିନ୍‌ ସାରା । ଫଣୀନ୍ଦ୍ର ଦବିଲା ସ୍ୱରରେ କହିଲା ଡିସ୍‌କସନ୍‌ ତ କରୁଚ, ଏମିତି ହଠାତ୍‌ ରାଗିଯାଉଚ କିଆଁ ?

 

ସତାର ନୀରବରେ ଏମାନଙ୍କୁ ଲକ୍ଷ୍ୟ କରୁଥିଲା । ଇସ୍ମାଇଲ୍‌ ଓ ନୀଳକଣ୍ଠ ଯାଇଁ ନୀରବରେ ଓ୍ୱାଶ୍‌ ବେସିନ୍‌ ପାଖରେ ମୁହଁ ଧୋଉଥିଲେ ଦାଢ଼ି ଅଧେ ପୋଡ଼ିଯାଇଥିଲା ଇସ୍ମାଇଲର । ଅ ଅ କରି ବାନ୍ତି କରୁଥିଲା ନୀଳକଣ୍ଠ ।

 

ଚାରି ବନ୍ଧୁ ପୁଣି ବସିଲେ । ସତାର କହିଲା–ଶଳେ, ମଦରେ ବି ପାଣି ମିଶଉଛନ୍ତି । ଖୁଃ କରି ଲଣ୍ଡେ ଛେପ ସେ ଗ୍ଲାସ ଉପରେ ପକେଇ ଦେଲା । ନୀଳକଣ୍ଠ ରାଗରେ, ବି ବିରକ୍ତରେ କେଜାଣି ଗ୍ଲାସଟିଏ ଧରି ସିମେଣ୍ଟ ଚଟାଣ ଉପରେ କଚାଡ଼ି ଦେଲା । କାଚଗିଲାସଟି ଝଣ୍‌ଝାଣ୍‌ କରି ଭାଙ୍ଗି ଟୁକୁରା ଟୁକୁରା ହେଇ ବିଞ୍ଚି ହେଇଗଲା ଚଟାଣ ସାରା । ଚାରିହେଁ ଉଠିଲେ । ସତାର କାଉଣ୍ଟରରେ ପଇସା ଦେଇ–ବାହାରି ଆସିବାବେଳକୁ ଫଣୀନ୍ଦ୍ର ରାସ୍ତା ଉପରେ ନାଚିବାକୁ ଆରମ୍ଭ କରିଦେଲାଣି ।

 

ମଧ୍ୟରାତ୍ରିର ସଦର ହିଷ୍ଟୋଜେନ୍‌ ନିଶାରେ ଶୋଇପଡ଼ିଚି ଯମିତି । ଫଣୀନ୍ଦ୍ର–ନାଚୁ ନାଚୁ ତାର ସବୁତକ କପଡ଼ା ଖୋଲି ଦେଲା । ହଠାତ୍‌ ଥକାମାରି ଠିଆ ହୋଇ ଆକାଶଆଡ଼କୁ ବାହୁତୋଳି ଦେଖିବାକୁ ଲାଗିଲା । ସତେ ଯେମିତି ସେ ଆକାଶଠାରୁ କିଛି ପାଇବାରେ ଆଶାୟୀ । ଇସ୍ମାଇଲ ଉଚ୍ଚ କଣ୍ଠରେ କୌଣସି ଏକ ପପ୍‌ ଗୀତ ଗାଇବାକୁ ଆରମ୍ଭ କଲା । ସତାର ଏକ ଅଶ୍ଳୀଳ ମନେ ହେଉଥିବା ସିନେମା ଗୀତ ଗାଉଥିଲା ଏବଂ ନୀଳକଣ୍ଠ ରାସ୍ତାର ଠିକ୍‌ ମଝିରେ ଶୀର୍ଷାସନ କରିବାକୁ ଆରମ୍ଭ କଲା । କିଛି ସମୟ ଏମିତି କଟିଗଲା । ସତାର ହଠାତ୍‌ କହିଲା, ତମେମାନେ ଏଠି ରୁହ–ମୁଁ ବେଗମ୍‌ର ଘରୁ ଦଶ ମିନିଟ୍‌ରେ ଆସୁଛି ।

 

ଶୁଣୁଶୁଣୁ ଇସ୍ମାଇଲର ଗୀତ ବନ୍ଦ ହେଇଗଲା, ଫଣୀନ୍ଦ୍ର ବ୍ୟସ୍ତ ଭାବରେ ତାର ପୋଷାକପତ୍ର ପିନ୍ଧିବାକୁ ଆରମ୍ଭ କଲା ଏବଂ ନୀଳକଣ୍ଠ ଶୀର୍ଷାସନ ବନ୍ଦ କରି ସ୍ୱାଭାବିକ ଠିଆ ହେଲା ।

 

ନୀଳକଣ୍ଠର କଣ୍ଠର ଯେମିତି ବହୁ ଦୂରରୁ ଭାସି ଆସୁଥିଲା–ୟୁ ମିନ୍‌ ଜେଟ୍‌ ଓଲ୍‌ଡ୍‌ ପ୍ରସ୍‌–ହୁ ଲୁକ୍‌ ଲାଇକ୍‌ ମାଇ ମଦର !

 

ଫଣୀନ୍ଦ୍ର ବିରକ୍ତର ସହ କହିଲା–ହଁ ବେ, ସେ ତୋର ମଦର୍‌, ମୋର ବି ମଦର୍‌ ! ଶଳା ଏଥିରେ ପୁଣି ମଦର ସିଷ୍ଟର୍‌ କଣ ବେ !

 

ଚାରିଜଣ ଶବ ଭଳି ହସି ଉଠିଲେ । ସତାର ପଚାରିଲା–ଯିବା !

 

ସମସ୍ତେ ଯିବାକୁ ବାହାରିଲେ । କ୍ଷୀଣ ବିଜୁଳିବତୀର ଆଲୁଅ ଅନ୍ଧାରକୁ ଆହୁରି ସ୍ପଷ୍ଟ କରିଦେଉଥିଲା । ଧୀରେ ଧୀରେ ଆଲୁଅରୁ ଅନ୍ଧାର ଗଳି–କାଦୁଅ ପଚପଚ ଏକ ଅଶ୍ଳୀଳ ଦୁର୍ଗନ୍ଧ ଏବଂ ସଫୋକେଶନ୍‌ । ଗଳିର ଏକ ନିର୍ଦ୍ଦିଷ୍ଟ ନୁଆଁଣିଆ ଖପରଲି ଘର ପାଖରେ ସମସ୍ତଙ୍କର ପାଦ ଯନ୍ତ୍ରବତ୍‌ ଅଟକିଗଳା । ସମସ୍ତେ ନୀରବ । ହଠାତ୍‌ ଯେମିତି ନିଜର ପ୍ରିୟଜନର ଲାସ୍‍ ଦେଖେଇ ଦିଆ ହେଇଛି !

 

ସତାର ଧୀର ଅଭ୍ୟସ୍ତ ପାଦରେ ଭିତରକୁ ପିଶିଲା । ବାକୀ ତିନିଜଣଙ୍କର ଉତ୍କଣ୍ଠିତ ନିଶ୍ଚୁପ ପ୍ରତୀକ୍ଷା । କିଛି ସମୟ ପରେ ସତାର ପେଣ୍ଟ୍‌ ବୋତାମ ଦେଇ ଦେଇ ବାହାରି ଆସିଲା ଓ ଆଉ ଜଣେ ଭିତରକୁ ଗଲା ।

 

ସତାର ଦୀର୍ଘ ନିଃଶ୍ୱାସ ପକେଇ କହିଲା–ଆଇ କୁଡ୍‌ ଗେଟ୍‌ ନଥିଂ । ଓନ୍‌ଲି ଫ୍ଲେଶ୍‌ । ମାଂସଗୁଡ଼ା ଖାଲି ।

 

ଭିତରୁ ଅଶ୍ଳୀଳ ଚିତ୍କାର ଶୁଭିଲା–ଶଳା ହିଂଜଡ଼ା, ଦିହରେ ତାକତ ନାଇଁ–ମୋଠିକୁ ଆଇଚୁ ? ଯାଃ ଯାଃ–ପଳା ଏଠୁ, ନହେଲେ କାମୁଡ଼ି ଖଣ୍ଡିଆ କରିଦେବି ।

 

ଆଃ ! ପୁଅର୍‌ ଫଣୀନ୍ଦ୍ର । ନୀରବରେ ମୁହଁ ତଳକୁ କରି ସେ ଫେରୁଥିଲା । ପୀତ ମୁହଁ ତ ଧୂସର ତନ୍ଦ୍ରିଳ ଆଖି–ନିଷ୍ପଲକ, ନୀରବ । ଯନ୍ତ୍ରଚାଳିତ ପରି ଇସ୍ମାଇଲ୍‌ ପଶିଲା ।’ ‘ଫ୍ରଷ୍ଟେସନ୍‌ ।’ ଅସ୍ପଷ୍ଟ ଭାବେ କହିଲା ଫଣୀନ୍ଦ୍ର ଏବଂ ସେଇ କାଦୁଅ ପଚପଚ ଗଳିରାସ୍ତା ଉପରେ ଶୋଇ ଗଡ଼ିବାରେ ଲାଗିଲା ।

ଇସ୍ମାଇଲ୍‌ ଫେରି ଆସିଲା । ମନ୍ତବ୍ୟ ଦେଲା–ଛିଃ । ରବିଶ୍‌ ! ଶଳା ମାଇକିନା ତ ନୁହେଁ–ଗୋବର ଗଦା । ନୋ ପ୍ଳେଜର୍‌, ନୋ ଏକ୍‌ସାଇଟ୍‌ ମେଣ୍ଟ୍‌ ! ସତାର କହିଲା, ‘ତୁ ଯିବୁନାଇଁ, ନୀଳକଣ୍ଠ !’ ନୀଳକଣ୍ଠ ଚୁପ ରହିଲା । ଅସ୍ୱସ୍ତି, ଦ୍ୱନ୍ଦ୍ୱ ତାର ଆଖିରେ । ଭିତରୁ ବେଗମର ପାଟି ଶୁଭିଲା–ଆବେ ସତାର ! ଔର୍‌ କୋଇ ହୈ ।

 

ନୀଳକଣ୍ଠ ନୀବରେ ପାଦ ଗଣିଗଣି ଭିତରକୁ ପ୍ରବେଶ କଲା । କିଛି ମୁହୂର୍ତ୍ତପରେ ବେଗମ୍‌ର ପାଟି ଶୁଭିଲା–‘ଆବେ, ଛାଡ଼୍‌ ବେ ! ଆବେ ଛାଡ଼୍‌ ବେ ! ୟା ଖୁଦା ! ଆରେ ହେ ସତାର୍‌-! ମରିଗଲିରେ, ଧାଇଁ ଆ’ରେ ଛଡ଼ାରେ !’

 

ସତାର ଅତର୍ଚ୍ଛରେ ଧାଇଁଲା ଭିତରକୁ । ଇସ୍‌ ! ଅଦ୍ଭୁତପୂର୍ବ ନୀଳକଣ୍ଠର ଉଲଗ୍ନ ଶରୀର ଚାଳିଶି ବର୍ଷିୟା ବେଗମର ବିପୁଳ ଦେହ ଉପରେ ଲୋଟେଇ ଯାଇଛି । ବେଗମ୍‌ର ଲୋଳିତ ପୃଥୁଳ ସ୍ତନରେ ଓଠ ଦେଇ ଚୁଚୁମୁଛି ନୀଳକଣ୍ଠ ଏବଂ ଫିସ୍‌ଫସ୍‍ କରି କହୁଛି, ‘ମା, ମା, ମା !’ ସତାର କହିଲା, ‘ହ୍ୟାଳ୍ପ ! ତୋ ମାଆ ତ ମରି କୋଡ଼ିଏ ବର୍ଷ ହେଲାଣି, ଏ ତୋ ମା’ ହେବ କୁଆଡ଼ୁ । ଏ ପରା ଦାରୀ ! ବେଗମ୍‌ !’

 

ବେଗମ୍‌ର ସ୍ତନରୁ ଓଠକୁ କିଞ୍ଚିତ ଉଠେଇ ଏବଂ ତାର ନଗ୍ନ ଦେହରେ ଆହୁରି ନିବିଡ଼ ସଂଲଗ୍ନ ହୋଇ ନୀଳକଣ୍ଠ କହିଲା–ହଁ ଡିୟର୍‌ । ଏଇ ମୋର ମା’ ।

 

ସତାର ନୀଳକଣ୍ଠର ପିଚାରେ ନିର୍ଘାତିଆ ଏକ ଲାତ ଜମେଇଲା, ଆଉ କହିଲା, ‘ଶଳା ନିର୍ଲଜ୍ଜ, ବେହିଆ । ଦାରୀକୁ ମା’ କହୁଚି । ଉଠ୍‌ । ଛାଡ଼ । ଶଳା ପୁରା କ୍ଲାସିକ୍‌ ଲୋକଟାଏ ହୋ ।’

ସନ୍ତ୍ରସ୍ତ ହୋଇ ନୀଳକଣ୍ଠ ନିଜର ବନ୍ଧନକୁ କ୍ଷୀଣ କରିଦେଇ ନିଜକୁ ବେଗମ୍‌ର ନଗ୍ନ ଦେହ ଉପରୁ ଅପସାରଣ କରିନେବାବେଳେ ସେଇ ବେଶ୍ୟାଟି ପୁଣି ପାଟି କରି ଉଠିଲା–‘ଉଠ୍‌ନାରେ । ଆହା, ମୋ ପୁଅ । ମୋ ବଚ୍ଚା । ଥନରୁ ତୋ ଓଠ କିଆଁ ଉଠେଇ ନେଲୁରେ-? ଦେହରୁ ଦେହ କିଆଁ ହଟେଇ ଦେଲୁରେ ? ମୋ ପୁଅରେ । ଯାଃ ବେ, ସତାର । ଭାକ୍‌ ଏଠୁ-। ଦେଖୁଚୁ କଣ ?

ବିସ୍ମୟ ବିମୂଢ଼ ସତାର ଧିରେ ଧିରେ କୋଠରୀ ବାହାରକୁ ଚାଲି ଆସିଲା । ଫଣୀନ୍ଦ୍ର ସେମିତି ରାସ୍ତାର କାଦୁଅରେ ଗଡ଼ୁଥାଏ । ଇସ୍ମାଇଲ୍‌ ନିଶ୍ଳେଷ୍ଟ ଭାବେ ବତୀଖୁଣ୍ଟକୁ ଆଉଜି ବସିଥାଏ-। ସତାର ସ୍ଥାଣୁଭାବେ ଠିଆ ହୋଇ ରହିଲା ସେଇଠି । କିଛି ସମୟ ପରେ ନୀଳକଣ୍ଠ ପଦାକୁ ବାହାରି ଆସିଲା । ମୁହଁ ତାର ସକାଳର ଫୁଲ ପରି ସତେଜ; ଆଖିରେ କିନ୍ତୁ ଲୁହା ଫଣୀନ୍ଦ୍ର ଉପରେ ଗୋଇଠା ମାରି ସତାର ଯିବାକୁ ଡାକିଲା । ପୁଣି ଚାରିହେଁ ଯନ୍ତ୍ରବତ୍‌ ଆଗେଇଲେ ।

ସହରର ଜନାକୀର୍ଣ୍ଣ ଛକ ବର୍ତ୍ତମାନ ନୀରବ; ନିସ୍ତବ୍‌ଧ । ଚାରିଜଣ ଯାକ ଛକର ଟ୍ରାଫିକ୍‌ ଷ୍ଟାଣ୍ଡ ଉପରେ ବସି ପଡ଼ିଲେ । ସମସ୍ତେ ଚୁପଚାପ୍‌ । ଅନେକ ସମୟର ସ୍ରୋତ ଯେମିତି ସେମାନଙ୍କର ପାଖ ଦେଇ ସେମାନଙ୍କର ଅଲକ୍ଷିତରେ ଚାଲିଗଲା । ଫଣୀନ୍ଦ୍ର ହଠାତ୍‌ କଣ ମନେ ପକେଇଲା ଯେମିତି; ପାଟି କରି ଉଠିଲା, ‘ୟୁରେକ୍‌ କା । ଆଇ ହେଭ୍‌ ଇଟ୍‌ ।’ ସେମାନଙ୍କ ଆଡ଼କୁ ଅନେଇ ପୁଣି କହିଲା, ‘ଦମ୍‌ ମାରିବ ?’

ସମସ୍ତେ ନୀରବରେ ମୁଣ୍ଡ ହଲେଇଲେ । ନୀଳକଣ୍ଠ ଦିଆସିଲି ମାରି ଚିଲମରେ ନିଆଁଦେଲା । ଚିଲମର ମୁହଁ ଧପ୍‌ କରି ଜଳି ଉଠିଲା ଏବଂ ଫଣୀନ୍ଦ୍ର ହାତରୁ ଅନ୍ୟ ହାତମାନଙ୍କୁ ବୁଲି ଆସିଲା । ସମସ୍ତେ ଯେମିତି ନିଶ୍ଚେଷ୍ଟ ହୋଇ ପଡ଼ିଲେ । ଯେମିତି ଜଗତର ସମସ୍ତ ଲାଇଟ୍‌ ହଠାତ୍‌ ଦପ୍‍କରି ଜଳିଉଠି ପରମୁହୂର୍ତ୍ତରେ ଫ୍ୟୁଜ୍‌ ହୋଇଗଲା । ଏହି ହିରଣ୍ମୟ ରଥରେ ଚାରିଜଣଙ୍କର ଏକ ଅନବଚ୍ଛିନ୍ନ ନିରଳସ ଅବସାଦହୀନ ଯାତ୍ରା । ଅନ୍ଧାର....ଅନ୍ଧାର...ଆଲୋକ କାହିଁ....ଜୀବନ କାହିଁ...ଅମୃତ କାହିଁ...ହେମରଥର ଗତି ଜଣାପଡ଼ୁନାହିଁ....କେବଳ କେମିତି ଏକ ଅନୁଭବ.... ତା’ ପରେ...ଅନେକ ପରେ ବୋଧହୁଏ ରଥ ଅଟକିଗଲା....ଅନୁଭୂତିହୀନତା....ଏକ ଜଡ଼ ନିଶ୍ଚେତନ ଜଗତରେ ସେମାନଙ୍କର ପାଦ ପଡ଼ିଲା ଯେମିତି । ତା’ ପରେ ମୁକ୍ତି.....ଶାନ୍ତି....ଆଲୋକର ଆବଶ୍ୟକତା ନାହିଁ...ଲୋଡ଼ା ନାହିଁ ଅମୃତର....

ସେମାନଙ୍କର ଅଚେତନ ଶରୀର ସହରର ସେଇ ଛକରେ ମୃତବତ୍‌ ସକାଳ ପର୍ଯ୍ୟନ୍ତ ପଡ଼ିରହିଛି ।

ଗନ୍ଧିଆ ମସିଆ ଲୁଗାପିନ୍ଧା ମେହେନ୍ତର ସେମାନଙ୍କୁ ହଲେଇ ହଲେଇ ଉଠଉଥିଲା । ପ୍ରଭାତର ପହିଲି ସୂର୍ଯ୍ୟକିରଣ ସେମାନଙ୍କର ମଇଳା ଦେହ ଆଉଁଷି ଦେଇ ଯେମିତି କହୁଥିଲା–‘ଉଠ, ଉଠ, ଦେଖ । ସକାଳ ହେଲାଣି । ସୂର୍ଯ୍ୟ ଉଇଁଲେଣି । ଉଠ, ଘରକୁ ଫେରିଯାଅ ।’

ସେମାନେ ନିଶାଗ୍ରସ୍ତ ଆଖିର ପଲକ ଅଧା ମେଲିଲେ ।

Image